ଶ୍ରେଷ୍ଠ ଟିକସ ଆଦାୟରେ ରାଜ୍ୟରେ ପ୍ରଥମ ନୂଆପଡ଼ା ଏନ୍ଏସି: ମିଳିଲା ୨ କୋଟି ଟଙ୍କାର ପୁରସ୍କାର
ନୂଆପଡ଼ା: ୩୧/୮ (ବ୍ୟୁରୋ ରିପୋର୍ଟ): ଟିକସ ଓ ନିଜସ୍ୱ ରାଜସ୍ୱ ଆଦାୟ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରି ରାଜ୍ୟସ୍ତରରେ ଗୌରବ ଅର୍ଜନ କରିଛି ନୂଆପଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍ଏସି)। ଶ୍ରେଷ୍ଠ ଟିକସ ଆଦାୟ ପରିଷଦ ଭାବେ ନୂଆପଡ଼ା ଏନ୍ଏସିକୁ ଓଡ଼ିଶାରେ ପ୍ରଥମ ସ୍ଥାନ ମିଳିଥିବା ବେଳେ ଏଥିପାଇଁ ୨ କୋଟି ଟଙ୍କାର ଆର୍ଥିକ ପୁରସ୍କାର ପ୍ରଦାନ କରାଯାଇଛି।ଭୁବନେଶ୍ୱରସ୍ଥିତ ଓୟୁଏଟି ପରିସରରେ ସୋମବାର ଆୟୋଜିତ ରାଜ୍ୟସ୍ତରୀୟ ସ୍ୱାୟତ୍ତ ଶାସନ ଦିବସ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୂଆପଡ଼ା ଏନ୍ଏସିକୁ ଏହି ସମ୍ମାନ ପ୍ରଦାନ କରିଥିଲେ।ଏହି ଅବସରରେ ନୂଆପଡ଼ା ଏନ୍ଏସିର ଅଧ୍ୟକ୍ଷ ଆଦମ ଖାନ୍ ଓ କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ଦୀପ କୁମାର ଚନ୍ଦ୍ରକାର ମିଳିତ ଭାବେ ସମାରୋହରେ ଯୋଗଦେଇ ମୁଖ୍ୟମନ୍ତ୍ରୀଙ୍କ ହାତରୁ ପୁରସ୍କାର ଓ ସମ୍ମାନ ଗ୍ରହଣ କରିଥିଲେ।ନୂଆପଡ଼ା ଏନ୍ଏସି ପକ୍ଷରୁ ନିଜସ୍ୱ ଉଦ୍ୟମ, ଯୋଜନାବଦ୍ଧ ପଦକ୍ଷେପ ଏବଂ ନିୟମିତ ରାଜସ୍ୱ ସଂଗ୍ରହ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା। ଟିକସ ଆଦାୟ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ସହ ନିଜସ୍ୱ ରାଜସ୍ୱ ବୃଦ୍ଧି ଦିଗରେ ନିଆଯାଇଥିବା ବିଭିନ୍ନ ପଦକ୍ଷେପର ସୁଫଳ ମିଳିଥିବା କୁହାଯାଇଛି।ଏହି ସଫଳତା ଫଳରେ ନୂଆପଡ଼ା ଏନ୍ଏସି ରାଜ୍ୟର ଶ୍ରେଷ୍ଠ ଟିକସ ଆଦାୟ ପରିଷଦ ଭାବେ ମାନ୍ୟତା ହାସଲ କରିଛି। ଏହା କେବଳ ଏନ୍ଏସି ପାଇଁ ନୁହେଁ, ସମଗ୍ର ନୂଆପଡ଼ା ସହର ପାଇଁ ଗର୍ବର ବିଷୟ ବୋଲି ମତ ପ୍ରକାଶ ପାଇଛି।୨ କୋଟି ଟଙ୍କାର ପୁରସ୍କାର ଆଗାମୀ ଦିନରେ ନୂଆପଡ଼ା ସହରର ବିକାଶମୂଳକ କାର୍ଯ୍ୟକୁ ଆହୁରି ଗତି ଦେବ ବୋଲି ଆଶା କରାଯାଉଛି। ଏହି ଐତିହାସିକ ସଫଳତାକୁ ନେଇ ଏନ୍ଏସି ଅଧ୍ୟକ୍ଷ, କାର୍ଯ୍ୟନିର୍ବାହୀ ଅଧିକାରୀ, କର୍ମଚାରୀ, ୱାର୍ଡ ସଭ୍ୟସଭ୍ୟା ଓ ସହରବାସୀଙ୍କ ମଧ୍ୟରେ ଖୁସି ଓ ଉତ୍ସାହର ମାହୋଲ ସୃଷ୍ଟି ହୋଇଛି।
Tags:ରାଜ୍ୟ
ନଜର ଓଡ଼ିଶା
Nazar Odisha
Subscribe to:
Post Comments (Atom)
