ବନ ବିଭାଗ ଓ ଓଡ଼ିଶା ବନ ଉନ୍ନୟନ ପ୍ରକଳ୍ପ ପକ୍ଷରୁ ମଞ୍ଚା ଚାଷ ପ୍ରକଳ୍ପ ପରିଦର୍ଶନ
News Summary
କେନ୍ଦୁଝର ପାଟଣାରେ ବନ ବିଭାଗ ଓ ଓଡ଼ିଶା ବନ ଉନ୍ନୟନ ପ୍ରକଳ୍ପ ପକ୍ଷରୁ ମଞ୍ଚା ପଦ୍ଧତିରେ ପନିପରିବା ଚାଷ ପ୍ରକଳ୍ପ ପରିଦର୍ଶନ କରାଯାଇଛି।
Published By:
Nazar Odisha Team |
ନଜର ଓଡ଼ିଶା | Nazar Odisha
କେନ୍ଦୁଝର/ପାଟଣା: ୨୮/୯: ଗ୍ରାମାଞ୍ଚଳର ମହିଳା ଓ ଚାଷୀମାନଙ୍କୁ ଆର୍ଥିକ ଦିଗରୁ ସ୍ୱାବଲମ୍ବୀ କରିବା ଲକ୍ଷ୍ୟରେ ବନ ବିଭାଗ ଓ ଓଡ଼ିଶା ବନ ଉନ୍ନୟନ ପ୍ରକଳ୍ପ ପକ୍ଷରୁ ମଞ୍ଚା ପଦ୍ଧତିରେ ପନିପରିବା ଚାଷ ପ୍ରକଳ୍ପର ପରିଦର୍ଶନ କରାଯାଇଛି। ପାଟଣା ବ୍ଲକ୍ର ବଣମହୁଲଡିହାଠାରେ ଏନେଇ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଗ୍ରାମାଞ୍ଚଳରେ ମହିଳା ଓ ଚାଷୀଙ୍କ ଜୀବିକା ଉନ୍ନତି ସହ ଆୟ ବୃଦ୍ଧି ପାଇଁ ଚାଲିଥିବା ଜୀବିକା ଉନ୍ନୟନ କାର୍ଯ୍ୟକ୍ରମ ଅଧୀନରେ ମଞ୍ଚା ପଦ୍ଧତିରେ ପନିପରିବା ଚାଷ କରାଯାଉଛି। ଏହି ଚାଷ ପ୍ରଣାଳୀର ସ୍ଥିତି ଓ କାର୍ଯ୍ୟକାରିତା ସମୀକ୍ଷା କରିବା ପାଇଁ ବିଭାଗୀୟ ଅଧିକାରୀମାନେ ବିଭିନ୍ନ ଚାଷ କ୍ଷେତ୍ର ପରିଦର୍ଶନ କରିଥିଲେ।ପରିଦର୍ଶନ ସମୟରେ ବନ ବିଭାଗର ଅମ୍ବାଡିସିର ରାଜ୍ୟସ୍ତରୀୟ ସମୀକ୍ଷକ ଦଳର ରାଜକିଶୋର ସାହୁ, କେନ୍ଦୁଝର ବନଖଣ୍ଡର ନିର୍ମଳ ସାହୁ, ସହଯୋଗୀ ସ୍ୱେଚ୍ଛାସେବୀ ଟିମ୍ ଲିଡର ରଣଜିତ ପଲେଇ, ପାଟଣା ବନପାଳ ନିରଞ୍ଜନ ସେଠୀ, ପ୍ରକଳ୍ପ ସଂଯୋଜକ ଓ କୃଷି ବିଶେଷଜ୍ଞମାନେ ଉପସ୍ଥିତ ଥିଲେ। ସେମାନେ ହିତାଧିକାରୀ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କ ସହ ଚାଷ ସମ୍ପର୍କରେ ଆଲୋଚନା କରିଥିଲେ।ମଞ୍ଚା ପଦ୍ଧତିରେ ଚାଷ କରାଯାଉଥିବା ଲତାଜାତୀୟ ପନିପରିବା ଫସଲର ସ୍ଥିତି, ଜଳସେଚନ ବ୍ୟବସ୍ଥା, କୀଟନାଶକ ପରିଚାଳନା ଏବଂ ଉତ୍ପାଦିତ ପନିପରିବାର ଉପଯୁକ୍ତ ବଜାରୀକରଣ ବ୍ୟବସ୍ଥା ସମ୍ପର୍କରେ ଅଧିକାରୀମାନେ ତଦାରଖ କରିଥିଲେ।ଏହି ଅବସରରେ ବଣମହୁଲଡିହା, ରହିଣଦୁମା ଓ ସଡଙ୍ଗବାହାଳି ଅଞ୍ଚଳରେ ମଞ୍ଚା ପଦ୍ଧତିରେ କରାଯାଇଥିବା ପନିପରିବା ଚାଷ କ୍ଷେତ୍ର ପରିଦର୍ଶନ କରାଯାଇଥିଲା। ମଞ୍ଚା ଚାଷ ମାଧ୍ୟମରେ ସ୍ଥାନୀୟ ମହିଳାମାନେ ଆତ୍ମନିର୍ଭରଶୀଳ ହେବା ସହ ପରିବାରର ଆୟ ବୃଦ୍ଧି ଓ ଆର୍ଥିକ ଉନ୍ନତି ସାଧନ କରିପାରିବେ ବୋଲି ଅଧିକାରୀମାନେ ମତପ୍ରକାଶ କରିଥିଲେ।
ସୁନ୍ଦର ଓଡ଼ିଶା • ସମୃଦ୍ଧ ଓଡ଼ିଶା
Subscribe to:
Post Comments (Atom)
Latest News
ନଜର ଓଡ଼ିଶା (Nazar Odisha) ହେଉଛି ଓଡ଼ିଶାର ତାଜା ଖବର, ଜିଲ୍ଲା ଖବର, ରାଜ୍ୟ ଖବର, ଦେଶ-ବିଦେଶ, ରାଜନୀତି, ଶିକ୍ଷା, ନିଯୁକ୍ତି, କ୍ରୀଡ଼ା ଓ ସାମାଜିକ ଖବରର ନ୍ୟୁଜ୍ ପୋର୍ଟାଲ୍।