Showing posts with label ଓଡ଼ିଶା. Show all posts
Showing posts with label ଓଡ଼ିଶା. Show all posts
ମାର୍ଶାଘାଇରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର, ୩୨୬ ଦିବ୍ୟାଙ୍ଗଙ୍କ ସ୍ୱାସ୍ଥ୍ୟ ପରୀକ୍ଷା
ମାର୍ଶାଘାଇ, ୧୦/୯: ମାର୍ଶାଘାଇ ବ୍ଲକ୍ ପରିସରରେ ମଙ୍ଗଳବାର ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରୀ ସୌମ୍ୟପ୍ରସାଦ ମଲ୍ଲିକ ଶିବିର ପରିଚାଳନା କରିଥିଲେ।ଶିବିରରେ ମହାକାଳପଡ଼ା ବିଧାୟକ ଡ. ଦୁର୍ଗା ପ୍ରସନ୍ନ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଭିନ୍ନ ପଞ୍ଚାୟତରୁ ଆସିଥିବା ଦିବ୍ୟାଙ୍ଗମାନଙ୍କ ସହ ବାର୍ତ୍ତାଳାପ କରି ସେମାନଙ୍କ ସମସ୍ୟା ବୁଝିଥିଲେ। ପରେ ସେ ଶିବିରର ଉଦ୍ଘାଟନ କରିଥିଲେ।ଏହି ଶିବିରରେ ଅସ୍ଥିଶଲ୍ୟ ବିଭାଗରେ ୧୦୪ ଜଣ, ଶିଶୁ ବିଭାଗରେ ୨୩ ଜଣ, ମେଡିସିନ ବିଭାଗରେ ୭୨ ଜଣ, ଚକ୍ଷୁ ବିଭାଗରେ ୩୩ ଜଣ, ମାନସିକ ଅନଗ୍ରସର ବିଭାଗରେ ୫୨ ଜଣ ଏବଂ ଶବ୍ଦବାଧିତ ବିଭାଗରେ ୪୨ ଜଣ ଯୋଗଦେଇଥିଲେ। ଅଭିଜ୍ଞ ଡାକ୍ତରମାନେ ସମସ୍ତଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ।ଏହି ଅବସରରେ ବିଧାୟକ ଡ. ଦୁର୍ଗା ପ୍ରସନ୍ନ ନାୟକ ଦୁଇ ଜଣ ହିତାଧିକାରୀଙ୍କୁ ସହାୟକ ଉପକରଣ ଭାବେ ଟ୍ରାଏ ସାଇକେଲ ଓ ହୁଇଲ୍ ଚେୟାର ପ୍ରଦାନ କରିଥିଲେ।କାର୍ଯ୍ୟକ୍ରମରେ ସାଂସଦ ପ୍ରତିନିଧି ପ୍ରତିମା ନାୟକ, ମାର୍ଶାଘାଇ ବ୍ଲକ୍ ବିଡିଓ ତୃପ୍ତି ମହାନ୍ତି, ପଞ୍ଚାୟତ ଉନ୍ନୟନ ଅଧିକାରୀ ସୋନାଲି ବେହେରା ଓ ବ୍ଲକ୍ ଅଧ୍ୟକ୍ଷା ମଧୁସ୍ମିତା ସାମଲ ଉପସ୍ଥିତ ଥିଲେ। ଆର୍ଯ୍ୟକୁମାର ପୃଥ୍ବୀରାଜ ନାୟକ, ପ୍ରିୟଶ୍ରୀ ନାୟକ ଓ ସୌଭାଗ୍ୟ ଦାସ କାର୍ଯ୍ୟକ୍ରମରେ ସହାୟତା କରିଥିଲେ।
ପ୍ରକଳ୍ପ ଅନୁମୋଦନକୁ ନେଇ ହଟଗୋଳ: ଅଧାରୁ ସ୍ଥଗିତ ହେଲା ଆଠଗଡ଼ ପଞ୍ଚାୟତ ସମିତି ଅଧିବେଶନ
କଟକ/ଆଠଗଡ଼, ୦୯/୦୯: ‘ବିକଶିତ ଗାଁ ବିକଶିତ ଓଡ଼ିଶା’ (BGBO) ୨୦୨୬-୨୭ ବର୍ଷର ପ୍ରକଳ୍ପ ଅନୁମୋଦନକୁ ନେଇ ଆଠଗଡ଼ ପଞ୍ଚାୟତ ସମିତି ଅଧିବେଶନରେ ହଟଗୋଳ ଓ ତୀବ୍ର ମତଭେଦ ଦେଖାଦେଇଛି। ପ୍ରତିନିଧିମାନଙ୍କ ମଧ୍ୟରେ ଉତ୍ତେଜନା ବଢ଼ିବାରୁ ଅଧିବେଶନ କୌଣସି ନିଷ୍କର୍ଷରେ ପହଞ୍ଚି ନପାରି ଅଧାରୁ ସ୍ଥଗିତ ହୋଇଛି।ଆଠଗଡ଼ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ବୈଠକରେ ବ୍ଲକର ଆଞ୍ଚଳିକ ବିକାଶ, ଗ୍ରାମୀଣ ପ୍ରକଳ୍ପ ଓ ବିଭିନ୍ନ ପ୍ରଶାସନିକ କାର୍ଯ୍ୟପନ୍ଥା ନେଇ ଆଲୋଚନା ହେବାର ଥିଲା। ବୈଠକରେ ବିଧାୟକଙ୍କ ପ୍ରତିନିଧି ସୁନୀଲ କୁମାର ପରିଡ଼ା, ପଞ୍ଚାୟତ ସମିତି ଅଧ୍ୟକ୍ଷା ମିନତୀ ଆଚାର୍ଯ୍ୟ, କଟକ ସାଂସଦଙ୍କ ପ୍ରତିନିଧି ସଞ୍ଜୟ ସାହୁ, ବିଡିଓ ଆକାଶ କୁମାର ପଣ୍ଡା, ଏବିଡିଓ ବିଷ୍ଣୁପ୍ରିୟା ସାହୁ, ଜିପିଡିଓ ସରୋଜିନୀ ବରଳା ଓ ସହକାରୀ ନିର୍ବାହୀ ଯନ୍ତ୍ରୀ ସନ୍ତୋଷ କୁମାର ପାଲୋଙ୍କ ସମେତ ଜିଲ୍ଲା ପରିଷଦ ସଦସ୍ୟ, ପଞ୍ଚାୟତ ସମିତି ସଭ୍ୟ, ସରପଞ୍ଚ ଓ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।ଅଧ୍ୟକ୍ଷାଙ୍କ ଅଭିଭାଷଣ ପରେ ସଭା କାର୍ଯ୍ୟ ସ୍ୱାଭାବିକ ଭାବେ ଆରମ୍ଭ ହୋଇଥିଲା। ତେବେ BGBO ୨୦୨୬-୨୭ର ନୂତନ ପ୍ରକଳ୍ପ ଅନୁମୋଦନ ପ୍ରସଙ୍ଗ ଗୃହରେ ଉପସ୍ଥାପିତ ହେବା ପରେ କେତେକ ପ୍ରତିନିଧି ଏହାକୁ ନେଇ ଆପତ୍ତି ଉଠାଇଥିଲେ।ଏହାକୁ ନେଇ ଗୃହ ମଧ୍ୟରେ ତୀବ୍ର ପାଟିତୁଣ୍ଡ ଓ ହଟଗୋଳ ଆରମ୍ଭ ହୋଇଥିଲା। ପରିସ୍ଥିତି ନିୟନ୍ତ୍ରଣ ପାଇଁ ଅଧ୍ୟକ୍ଷା ଓ ପ୍ରଶାସନ ପକ୍ଷରୁ ଏକାଧିକଥର ବୁଝାସୁଝା କରାଯାଇଥିଲେ ମଧ୍ୟ ଶାନ୍ତି ଫେରିନଥିଲା।ଫଳରେ ବୈଠକର ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଏଜେଣ୍ଡା ଉପରେ ଆଲୋଚନା ହୋଇପାରିନଥିଲା। ଶେଷରେ ସଭାଗୃହର ଶୃଙ୍ଖଳା ଓ ମର୍ଯ୍ୟାଦା ରକ୍ଷା ସହ ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଠଗଡ଼ ପଞ୍ଚାୟତ ସମିତି ଅଧିବେଶନକୁ ଅଧାରୁ ସ୍ଥଗିତ କରାଯାଇଥିଲା।
ଭଦ୍ରକରେ ଜମି ବିବାଦରୁ ରକ୍ତାକ୍ତ ସଂଘର୍ଷ; ପୁଅଙ୍କୁ ଛୁରି ଭୁସି ହତ୍ୟା ଅଭିଯୋଗ, ବାପା ଅଟକ
ଭଦ୍ରକ: ୯/୯: ଭଦ୍ରକ ଜିଲ୍ଲାରେ ଜମି ବିବାଦକୁ କେନ୍ଦ୍ର କରି ରକ୍ତାକ୍ତ ସଂଘର୍ଷରୁ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଭଦ୍ରକ ରୁରାଲ ଥାନା ଅଧୀନ ଚୁନିଡ଼ା ଗାଁରେ ବୁଧବାର ଏହି ଘଟଣା ଘଟିଛି। ମୃତକ ହେଉଛନ୍ତି ବିକାଶ ସାହୁ। ତାଙ୍କ ବାପା ରବି ସାହୁଙ୍କ ବିରୋଧରେ ପୁଅଙ୍କୁ ଛୁରିରେ ଆକ୍ରମଣ କରି ହତ୍ୟା କରିଥିବା ଅଭିଯୋଗ ଆସିଛି।ଘଟଣା ପରେ ପୁଲିସ ରବି ସାହୁଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି। ଜମି ବିବାଦ ସହ ପାରିବାରିକ କଳହକୁ ନେଇ ଏହି ଘଟଣା ଘଟିଥିବା ପ୍ରାଥମିକ ଭାବେ ଜଣାପଡ଼ିଛି।
ଯୁକ୍ତିତର୍କ ପରେ ଛୁରିରେ ଆକ୍ରମଣ ଅଭିଯୋଗ
ପ୍ରାଥମିକ ସୂଚନା ଅନୁଯାୟୀ, ବୁଧବାର ସକାଳେ ରବି ସାହୁ ଓ ତାଙ୍କ ପୁଅ ବିକାଶଙ୍କ ମଧ୍ୟରେ କୌଣସି କଥାକୁ ନେଇ ଯୁକ୍ତିତର୍କ ହୋଇଥିଲା। ଏହାପରେ ବିକାଶଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି।ଆକ୍ରମଣରେ ବିକାଶ ଗୁରୁତର ଆହତ ହୋଇଥିଲେ। ପରିବାର ଲୋକ ତାଙ୍କୁ ତୁରନ୍ତ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ହେଲେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ବିକାଶଙ୍କୁ ମୃତ ଘୋଷଣା କରିଥିଲେ।
ବୋହୂଙ୍କ ଗୁରୁତର ଅଭିଯୋଗ
ବିକାଶଙ୍କ ପତ୍ନୀ ସ୍ମୃତି ସାହୁ ତାଙ୍କ ଶ୍ୱଶୁରଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ସ୍ମୃତିଙ୍କ କହିବା ଅନୁଯାୟୀ, ରବି ସାହୁ ସେମାନଙ୍କୁ ଘରେ ରହିବାକୁ ଚାହୁଁନଥିଲେ। ଏହାକୁ ନେଇ ପୂର୍ବରୁ ମଧ୍ୟ ବିବାଦ ରହିଥିବା ସେ ଅଭିଯୋଗ କରିଛନ୍ତି।
ବୁଧବାର ବିକାଶ ତାଙ୍କ ବାପାଙ୍କୁ କିଛି ପଚାରିବାକୁ ଯାଇଥିବା ବେଳେ ରବିଙ୍କ ହାତରେ ଛୁରି ଥିଲା ଏବଂ ବିକାଶ କିଛି କହିବା ପୂର୍ବରୁ ତାଙ୍କୁ ଆକ୍ରମଣ କରାଯାଇଥିବା ସ୍ମୃତି ଅଭିଯୋଗ କରିଛନ୍ତି। ଆକ୍ରମଣକୁ ରୋକିବାକୁ ଯାଇ ତାଙ୍କ ଆଙ୍ଗୁଠିରେ ମଧ୍ୟ ଆଘାତ ଲାଗିଥିବା ସେ କହିଛନ୍ତି।
ମୃତ୍ୟୁ ପରେ ଗାଁରେ ଉତ୍ତେଜନା
ବିକାଶଙ୍କ ମୃତ୍ୟୁ ପରେ ଚୁନିଡ଼ା ଗାଁରେ ଉତ୍ତେଜନା ଦେଖାଦେଇଛି। ଭଦ୍ରକ ସରକାରୀ ହସ୍ପିଟାଲ ପରିସରରେ ମଧ୍ୟ ଶତାଧିକ ଲୋକ ଏକାଠି ହୋଇଥିବା ଜଣାପଡ଼ିଛି। ପରିସ୍ଥିତିକୁ ନଜରରେ ରଖି ପୁଲିସ ଘଟଣାସ୍ଥଳ ଓ ହସ୍ପିଟାଲରେ ପହଞ୍ଚିଥିଲା।
ଅଭିଯୁକ୍ତ ବାପା ରବି ସାହୁଙ୍କ ସହ ବିକାଶଙ୍କ ସାବତ ମାଆଙ୍କୁ ମଧ୍ୟ ପୁଲିସ ନଜରରେ ରଖିଥିବା ସୂଚନା ମିଳିଛି।
ଘଟଣାର ପ୍ରକୃତ କାରଣ ଓ ସମ୍ପୂର୍ଣ୍ଣ ଘଟଣାକ୍ରମ ନେଇ ପୁଲିସ ତଦନ୍ତ ଜାରି ରଖିଛି। ଜମି ବିବାଦ ଓ ପାରିବାରିକ କଳହ ସମେତ ସମସ୍ତ ଦିଗରୁ ତଦନ୍ତ କରାଯାଉଛି। ପୁଲିସର ତଦନ୍ତ ପରେ ଘଟଣାର ସତ୍ୟତା ଓ ହତ୍ୟାର ପ୍ରକୃତ କାରଣ ସ୍ପଷ୍ଟ ହେବ।
ନଜର ଓଡ଼ିଶା
Nazar Odisha
Powered by Blogger.

