Showing posts with label ବିଦ୍ୟୁତ୍ ଆଘାତ. Show all posts
Showing posts with label ବିଦ୍ୟୁତ୍ ଆଘାତ. Show all posts
ବିଦ୍ୟୁତ୍ ଆଘାତରେ ଯୁବ ସମାଜସେବୀଙ୍କ ମୃତ୍ୟୁ, ଅଞ୍ଚଳରେ ଶୋକ
ପାଟଣା, ୯/୯: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ମୁଷାଖୋରୀ ପଞ୍ଚାୟତର ମୁଷାନାଳୀ ଗ୍ରାମରେ ବିଦ୍ୟୁତ୍ ଆଘାତରେ ଜଣେ ଯୁବ ସମାଜସେବୀଙ୍କ ଅକାଳ ମୃତ୍ୟୁ ଘଟିଛି। ମୃତକ ହେଲେ ଗ୍ରାମର ଦୟାନିଧି ମହାନ୍ତ (୪୮)।ସୂଚନା ଅନୁଯାୟୀ, ଦୟାନିଧି ନିଜ ରୋଷେଇ ଘରେ ବିଦ୍ୟୁତ୍ ତାର ସଂଯୋଗ କରୁଥିବା ବେଳେ ହଠାତ୍ ବିଦ୍ୟୁତ୍ ସଂସ୍ପର୍ଶରେ ଆସିଥିଲେ। ଏହା ଦେଖି ପରିବାର ଲୋକେ ତୁରନ୍ତ ତାଙ୍କୁ ପାଟଣା ଡାକ୍ତରଖାନାକୁ ନେଇଥିଲେ। ତେବେ ସେଠାରେ ଡାକ୍ତର ଦୟାନିଧିଙ୍କୁ ମୃତ ଘୋଷଣା କରିଥିଲେ।ଘଟଣା ସମ୍ପର୍କରେ ସୂଚନା ପାଇ ପାଟଣା ଥାନା ପୁଲିସ ଏସ୍ଆଇ ଲକ୍ଷ୍ମଣ ମାଝୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଥିଲେ। ଏନେଇ ପାଟଣା ଥାନାରେ ଅପମୃତ୍ୟୁ ମାମଲା ନଂ-୫୦/୨୦୨୬ ରୁଜୁ ହୋଇଛି। ପୁଲିସ ମୃତଦେହର ବ୍ୟବଚ୍ଛେଦ କରାଇବା ସହ ଘଟଣାର ତଦନ୍ତ ଜାରି ରଖିଛି।ଦୟାନିଧି ବିଭିନ୍ନ ଧାର୍ମିକ ଅନୁଷ୍ଠାନ ସହ ଜଡ଼ିତ ଥିବାରୁ ତାଙ୍କ ଅକାଳ ମୃତ୍ୟୁ ଖବରରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।ପରେ ମଲ୍ଲିପଶି ରଥଯାତ୍ରା କମିଟି ପକ୍ଷରୁ ଘଣ୍ଟ, ବାଦ୍ୟ ଓ ‘ଜୟ ଜଗନ୍ନାଥ’ ଧ୍ୱନି ମଧ୍ୟରେ ଦୟାନିଧିଙ୍କ ମୃତଦେହକୁ ଶ୍ମଶାନ ଘାଟକୁ ନିଆଯାଇଥିଲା। ତାଙ୍କ ଅନ୍ତିମ ସଂସ୍କାର ପାଇଁ ମଲ୍ଲିପଶି ଶ୍ରୀଜଗନ୍ନାଥ ମନ୍ଦିର ପକ୍ଷରୁ ଧଣ୍ଡାମାଳ ଓ ରଥକାଠ ପ୍ରଦାନ କରାଯାଇଥିଲା।ସ୍ଥାନୀୟ ସରପଞ୍ଚ ଭାମାମଣୀ ଦାସ ମଧ୍ୟ ଶୋକସନ୍ତପ୍ତ ପରିବାର ନିକଟରେ ପହଞ୍ଚି ଦୟାନିଧିଙ୍କ ଶେଷ ଦର୍ଶନ କରିଥିଲେ। ରଥଯାତ୍ରା କମିଟି ପକ୍ଷରୁ ଅରୁଣ କୁମାର ବେଜ, ପାର୍ଥସାରଥୀ ବେଜ, ପୂର୍ବତନ ସରପଞ୍ଚ ଅନାଦି ଚରଣ ମହାନ୍ତ, ସାମ୍ବାଦିକ ସଞ୍ଜୟ କୁମାର ସାହୁ, ନବକିଶୋର ରଣା, ଦୁର୍ଯୋଧନ ମହାନ୍ତ, ଜଳଧର ରଣା, ଶରତ କାରିବ, ସୁଦାମ ଦାସ ଓ ନାକୁ ଦାସ ପ୍ରମୁଖ ଶ୍ମଶାନ ଘାଟରେ ପହଞ୍ଚି ଶେଷ ଦର୍ଶନ କରିଥିଲେ।
ନଜର ଓଡ଼ିଶା
Nazar Odisha
Powered by Blogger.
