ବାଲେଶ୍ୱର: ୮/୯: ବାଲେଶ୍ୱର ଭୋଗରାଇ ଅଞ୍ଚଳରୁ ୫ଟି ବିରଳ ପ୍ରଜାତିର ଓରାଙ୍ଗଉଟାଙ୍ଗ ଉଦ୍ଧାର ହୋଇଛି। ଭୋଗରାଇ ବ୍ଲକ ଅନ୍ତର୍ଗତ ରଣକୋଠା PRFର ବଡ଼ପାହି ନିକଟ ଜଙ୍ଗଲରେ ଏହି ବିରଳ ଜୀବଗୁଡ଼ିକୁ ଠାବ କରାଯାଇଥିଲା। ଏକାଥରେ ୫ଟି ଓରାଙ୍ଗଉଟାଙ୍ଗ ଜଙ୍ଗଲରେ ଦେଖାଯିବା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଥିଲା।ଖବର ପ୍ରଚାର ପରେ ବିଚିତ୍ରପୁର ଜଙ୍ଗଲ ନିକଟରେ ଏହି ବିରଳ ଜୀବଗୁଡ଼ିକୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ଜମିଥିଲା। ପରେ ବନବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ୫ଟି ଓରାଙ୍ଗଉଟାଙ୍ଗକୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ।ଦେଖିବାକୁ ବଣମଣିଷ ଭଳି ଲାଗୁଥିବା ଏହି ଜୀବଗୁଡ଼ିକୁ ଉଦ୍ଧାର ପରେ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ପଶୁ ଚିକିତ୍ସାଳୟକୁ ନିଆଯାଇଥିଲା। ୫ଟି ଓରାଙ୍ଗଉଟାଙ୍ଗ ମଧ୍ୟରୁ ଗୋଟିଏ ଡିହାଇଡ୍ରେସନରେ ଆକ୍ରାନ୍ତ ଥିବାରୁ ତାକୁ ORS ଦିଆଯାଇଥିବା ସୂଚନା ମିଳିଛି। ଅନ୍ୟ ସମସ୍ତେ ସୁସ୍ଥ ଥିବା କହିଛନ୍ତି PCCF ପ୍ରେମ ଝା।
କେଉଁଠୁ ଆସିଲେ ୫ ଓରାଙ୍ଗଉଟାଙ୍ଗ?
ଭାରତୀୟ ଜଙ୍ଗଲରେ ସାଧାରଣତଃ ଓରାଙ୍ଗଉଟାଙ୍ଗ ଦେଖାଯାଆନ୍ତି ନାହିଁ। ତେଣୁ ବାଲେଶ୍ୱରର ଉଦୟପୁର ଓ ଭୋଗରାଇ ଅଞ୍ଚଳର ଜଙ୍ଗଲକୁ ଏହି ୫ଟି ବିରଳ ଜୀବ କେଉଁଠୁ ଏବଂ କିପରି ଆସିଲେ, ତାହାକୁ ନେଇ ବଡ଼ ପ୍ରଶ୍ନ ଉଠିଛି।କେହି ଏମାନଙ୍କୁ ପୋଷିଥିଲେ କି? କୌଣସି ସ୍ଥାନରୁ ଏମାନଙ୍କୁ ଏଠାକୁ ଅଣାଯାଇଥିଲା କି? ନା ଏହା ପଛରେ ଅନ୍ୟ କୌଣସି କାରଣ ରହିଛି? ଏସବୁ ଦିଗକୁ ନେଇ ବନବିଭାଗ ତଦନ୍ତ ଆରମ୍ଭ କରିଛି।
ଆନ୍ତର୍ଜାତୀୟ ସ୍ମଗଲିଂ ସନ୍ଦେହ
ଘଟଣାକୁ ନେଇ PCCF ପ୍ରେମ ଝା ଏହା ଆନ୍ତର୍ଜାତୀୟ ସ୍ମଗଲିଂ ସହ ଜଡ଼ିତ ହୋଇପାରେ ବୋଲି ସନ୍ଦେହ ପ୍ରକାଶ କରିଛନ୍ତି। ତେଣୁ ଓରାଙ୍ଗଉଟାଙ୍ଗଗୁଡ଼ିକ କେଉଁଠୁ ଆସିଥିଲେ ଏବଂ କିଏ ସେମାନଙ୍କୁ ଏଠାକୁ ଆଣିଥିଲା, ସେନେଇ ତଦନ୍ତ ଜୋରଦାର କରାଯାଉଛି।
ନନ୍ଦନକାନନ ଯିବେ ୫ ଓରାଙ୍ଗଉଟାଙ୍ଗ
ଉଦ୍ଧାର ହୋଇଥିବା ୫ଟି ଓରାଙ୍ଗଉଟାଙ୍ଗକୁ ନନ୍ଦନକାନନ ଅଣାଯିବ। ଏଥିପାଇଁ ନନ୍ଦନକାନନରୁ ଏକ ସ୍ୱତନ୍ତ୍ର ଟିମ୍ ବାଲେଶ୍ୱର ଅଭିମୁଖେ ବାହାରିଥିବା ସୂଚନା ମିଳିଛି। ନନ୍ଦନକାନନରେ ସେମାନଙ୍କର ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ।ଏହାସହିତ ଏହି ୫ଟି ବିରଳ ଜୀବ କେଉଁଠୁ ଆସିଲେ, କିପରି ବାଲେଶ୍ୱରରେ ପହଞ୍ଚିଲେ ଏବଂ ଏହା ପଛରେ କାହାର ସମ୍ପୃକ୍ତି ରହିଛି, ସେନେଇ ତଦନ୍ତ କରାଯିବ। ତଦନ୍ତ ପରେ ଘଟଣାର ପ୍ରକୃତ ରହସ୍ୟ ସାମ୍ନାକୁ ଆସିବ।

