ପାଟଣା:୩୧/୮(ବ୍ୟୁରୋ ରିପୋର୍ଟ)ଦାରିଦ୍ର୍ୟ ଓ ପ୍ରତିକୂଳ ପରିସ୍ଥିତିକୁ ପଛରେ ପକାଇ ନିଟ୍ ପରୀକ୍ଷାରେ ସଫଳତା ହାସଲ କରିଥିବା କେନ୍ଦୁଝର ଜିଲ୍ଲାର ଆଦିବାସୀ ଛାତ୍ର ସୁଦାମ ହାଁସଦାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି। ଏଥିସହ ତାଙ୍କ ଉଚ୍ଚଶିକ୍ଷା ପାଇଁ ଆର୍ଥିକ ସହାୟତାର ହାତ ବଢ଼ାଇଛି ସ୍ୱାମ୍ ପାଟଣା ମେଧାବୀ ଛାତ୍ରଛାତ୍ରୀ ସମ୍ବର୍ଦ୍ଧନା ମଞ୍ଚ।କେନ୍ଦୁଝର ଜିଲ୍ଲା ଘଷିପୁରା ବ୍ଲକ୍ ସମୁକାନେଣ୍ଡି ପଞ୍ଚାୟତ ଅନ୍ତର୍ଗତ ଜାମୁବାହାଲି ଗ୍ରାମର ଆଦିବାସୀ ଛାତ୍ର ସୁଦାମ ହାଁସଦା ସର୍ବଭାରତୀୟ ନିଟ ପରୀକ୍ଷାରେ ୪୧୫୧ ରାଙ୍କ ହାସଲ କରିଛନ୍ତି। ଏଥିସହ ଆଦିବାସୀ ବର୍ଗରେ ୧୨୬ ରାଙ୍କ ହାସଲ କରି ସରକାରୀ ଭେଷଜ ମହାବିଦ୍ୟାଳୟ, ପୁରୀରେ ନାମ ଲେଖାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି।ସୁଦାମଙ୍କ ଏହି ସଫଳତାରେ ଉତ୍ସାହିତ ହୋଇ ସ୍ୱାମ୍ ପାଟଣା ମେଧାବୀ ଛାତ୍ରଛାତ୍ରୀ ସମ୍ବର୍ଦ୍ଧନା ମଞ୍ଚର କର୍ମକର୍ତ୍ତାମାନେ ତାଙ୍କ ବାସଭବନରେ ପହଞ୍ଚିଥିଲେ। ସେଠାରେ ତାଙ୍କୁ ଉତ୍ତରୀୟ, ପୁଷ୍ପଗୁଚ୍ଛ ଓ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। ଏଥିସହ ତାଙ୍କ ଉଚ୍ଚଶିକ୍ଷାରେ ସହାୟତା ପାଇଁ ମଞ୍ଚ ପକ୍ଷରୁ ଆର୍ଥିକ ସହଯୋଗ ମଧ୍ୟ ପ୍ରଦାନ କରାଯାଇଥିଲା।ସୁଦାମଙ୍କ ଶିକ୍ଷା ଓ ଭବିଷ୍ୟତ ଗଢ଼ିବାରେ ପାଟଣା ଅଞ୍ଚଳର ବହୁ ସମାଜସେବୀ ଓ ସହୃଦୟ ବ୍ୟକ୍ତି ଖୋଲା ହୃଦୟରେ ସହଯୋଗ କରିଥିବାରୁ ମଞ୍ଚ ପକ୍ଷରୁ ସମସ୍ତ ସହଯୋଗୀଙ୍କୁ କୃତଜ୍ଞତା ଓ ଧନ୍ୟବାଦ ଜଣାଯାଇଛି।ଏହି ଅବସରରେ ମଞ୍ଚର ମୁଖ୍ୟ ତଥା ଅବସରପ୍ରାପ୍ତ ଅମଲା ଓ ସମାଜସେବୀ ବିଦ୍ୟାଧର ମହାନ୍ତ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ପାର୍ଥସାରଥୀ ବେଜ୍, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଜଗନ୍ନାଥ ମହାନ୍ତ, ଶିକ୍ଷକ ସଂଘର ସଭାପତି ପ୍ରମୋଦ କୁମାର ମହାନ୍ତ, ଶିକ୍ଷକ ଦେବେନ୍ଦ୍ର ମହାନ୍ତ ପ୍ରମୁଖ ଯୋଗଦେଇ ସୁଦାମଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ।ସୁଦାମଙ୍କ ଏହି ସଫଳତା ଅଞ୍ଚଳର ଅନ୍ୟ ଗରିବ ଓ ମେଧାବୀ ଛାତ୍ରଛାତ୍ରୀଙ୍କୁ ମଧ୍ୟ ଉଚ୍ଚଶିକ୍ଷା ପାଇଁ ପ୍ରେରଣା ଯୋଗାଇବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।
