କାଠମାଣ୍ଡୁ:୦୧/୦୯(ବ୍ୟୁରୋ ରିପୋର୍ଟ)ନେପାଳରେ ବନ୍ୟା ଓ ଭୂସ୍ଖଳନ ପରେ ପରିସ୍ଥିତି ଏବେ ବି ଗମ୍ଭୀର ରହିଛି। ବନ୍ୟାଜଳ କିଛି ଅଞ୍ଚଳରେ କମିଥିଲେ ମଧ୍ୟ ଉଦ୍ଧାରକାର୍ଯ୍ୟ ସମୟରେ ଲଗାତାର ମୃତଦେହ ମିଳିବାରୁ ଚିନ୍ତା ବଢ଼ିଛି। ନୁବାକୋଟ ଜିଲ୍ଲାର ବେତ୍ରବନ୍ତୀ ଅଞ୍ଚଳର ଏକ ଘରୁ ୨୩ଟି ମୃତଦେହ ଉଦ୍ଧାର ହୋଇଥିବା ଖବର ସାମ୍ନାକୁ ଆସିଛି।ବେତ୍ରବନ୍ତୀ ଅଞ୍ଚଳରେ ରବିବାରଠାରୁ ଉଦ୍ଧାରକାରୀ ଟିମ୍ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଥିଲା। ଏହି ସମୟରେ ଏକ ଘରୁ ୨୩ଟି ମୃତଦେହ ମିଳିଥିବା ଜଣାପଡ଼ିଛି। ଘଟଣା ପରେ ଅଞ୍ଚଳରେ ଉଦ୍ଧାରକାର୍ଯ୍ୟକୁ ଆହୁରି ଜୋରଦାର କରାଯାଇଛି।
ଗଣ୍ଡକ ନଦୀରେ ମୃତଦେହ ଭାସୁଥିବା ଖବର
ନେପାଳରୁ ଭାରତକୁ ପ୍ରବାହିତ ଗଣ୍ଡକ ନଦୀରେ ମଧ୍ୟ ମୃତଦେହ ଭାସୁଥିବା ଖବର ମିଳିଛି। ମିଳିଥିବା ମୃତଦେହଗୁଡ଼ିକୁ ନେପାଳ ସରକାରଙ୍କୁ ହସ୍ତାନ୍ତର ପାଇଁ ଭାରତୀୟ କର୍ତ୍ତୃପକ୍ଷ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଥିବା କୁହାଯାଇଛି।
ଟନେଲରେ ଶ୍ରମିକ ଫସିଥିବା ଆଶଙ୍କା
ରସୁଆ ଜିଲ୍ଲାର ରସୁଆଗଢ଼ି ଜଳବିଦ୍ୟୁତ୍ ପ୍ରକଳ୍ପର ଟନେଲ ଭିତରେ ପ୍ରାୟ ୩୦ ଜଣ ଶ୍ରମିକ ଫସିଥିବା ଆଶଙ୍କା କରାଯାଇଥିଲା। ନେପାଳ ସେନା, ବିଶେଷଜ୍ଞ ଇଞ୍ଜିନିୟର ଏବଂ ଥର୍ମାଲ ଡ୍ରୋନ୍ ସହାୟତାରେ ସର୍ଚ୍ଚ ଅପରେସନ କରାଯାଇଥିଲେ ମଧ୍ୟ ଜୀବିତ ଶ୍ରମିକଙ୍କ ସନ୍ଧାନ ମିଳିନଥିବା ଜଣାପଡ଼ିଛି। ଏହାପରେ ସର୍ଚ୍ଚ ଅପରେସନକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଛି।
ଚୀନ୍ର ଅଭିଯୋଗ ଖଣ୍ଡନ
ଗ୍ଲାସିୟରର ଗତିବିଧି ଓ ଜଳସ୍ତର ସମ୍ପର୍କିତ ତଥ୍ୟ ଠିକ୍ ସମୟରେ ନଦେବା ନେଇ ନେପାଳ ପକ୍ଷରୁ ଚୀନ୍ ବିରୋଧରେ ଅଭିଯୋଗ ଆସିଥିବା ରିପୋର୍ଟ ହୋଇଥିଲା। ତେବେ ଚୀନ୍ ଏହି ଅଭିଯୋଗକୁ ଖଣ୍ଡନ କରିଥିବା ଜଣାପଡ଼ିଛି।ରିପୋର୍ଟ ଅନୁସାରେ, ମେ ୨୭ରେ କାଠମାଣ୍ଡୁରେ ନେପାଳ ଓ ଚୀନ୍ର ଅଧିକାରୀଙ୍କ ମଧ୍ୟରେ ବୈଠକ ହୋଇଥିଲା। ବନ୍ୟା, ପାଣିପାଗ ଓ ଗ୍ଲାସିୟର ସମ୍ପର୍କିତ ବିପଦ ନେଇ ଏଥିରେ ଆଲୋଚନା ହୋଇଥିବା କୁହାଯାଇଛି।ନେପାଳରେ ବନ୍ୟା ଓ ଭୂସ୍ଖଳନ ପରେ ଉଦ୍ଧାରକାର୍ଯ୍ୟ ଜାରି ରହିଛି। ନିଖୋଜ ବ୍ୟକ୍ତିଙ୍କ ସନ୍ଧାନ ଚାଲିଥିବାରୁ ମୃତାହତଙ୍କ ସଂଖ୍ୟା ନେଇ ଆଗକୁ ଅଧିକ ତଥ୍ୟ ସାମ୍ନାକୁ ଆସିପାରେ।
