ରିଲ୍ସ ନିଶାରେ ବିପଦପୂର୍ଣ୍ଣ ଷ୍ଟଣ୍ଟ; ବୈତରଣୀର ପ୍ରଖର ସ୍ରୋତରେ ଭାସି ରିଲ୍ସ କଲେ ୩ ଯୁବକ, ଭିଡିଓ ଭାଇରାଲ
ପାଟଣା:୨୯/୮(ନ .ଓ)ସୋସିଆଲ୍ ମିଡିଆରେ ଲାଇକ୍, କମେଣ୍ଟ ଓ ଭ୍ୟୁ ପାଇବାର ନିଶା ଯୁବପିଢ଼ିଙ୍କୁ ବିପଦପୂର୍ଣ୍ଣ କାର୍ଯ୍ୟକଳାପ ଆଡ଼କୁ ଠେଲି ଦେଉଥିବା ଅଭିଯୋଗ ହେଉଛି। ଏଭଳି ଏକ ବିପଦପୂର୍ଣ୍ଣ ଦୃଶ୍ୟ କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଦେଇ ପ୍ରବାହିତ ବୈତରଣୀ ନଦୀରେ ଦେଖିବାକୁ ମିଳିଛି।ବୈତରଣୀ ନଦୀରେ ପ୍ରଖର ସ୍ରୋତ ଓ ବଢ଼ୁଥିବା ଜଳସ୍ତରକୁ ଖାତିର ନକରି ୩ ଜଣ ଯୁବକ ନଦୀର ସ୍ରୋତରେ ଭାସି ରିଲ୍ସ କରୁଥିବା ଏକ ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ ହୋଇଛି। ଭିଡିଓରେ ଯୁବକମାନେ ଅତ୍ୟନ୍ତ ବିପଦପୂର୍ଣ୍ଣ ଭାବେ ନଦୀର ପ୍ରଖର ସୁଅ ମଧ୍ୟରେ ରହିଥିବା ଦେଖାଯାଉଛି।ବର୍ଷା ଋତୁରେ ବୈତରଣୀର ଜଳସ୍ତର ବୃଦ୍ଧି ସହ ନଦୀର ସ୍ରୋତ ମଧ୍ୟ ତୀବ୍ର ହୋଇଥାଏ। ଏଭଳି ସମୟରେ ଅସାବଧାନତାରେ ନଦୀକୁ ଓହ୍ଲାଇବା ଅତ୍ୟନ୍ତ ବିପଦପୂର୍ଣ୍ଣ। ତେଣୁ ଭିଡିଓରେ ଦେଖାଯାଉଥିବା ଏଭଳି କାର୍ଯ୍ୟକଳାପକୁ ନେଇ ସ୍ଥାନୀୟ ବୁଦ୍ଧିଜୀବୀ ଓ ଅଞ୍ଚଳବାସୀ ଚିନ୍ତା ପ୍ରକାଶ କରିଛନ୍ତି।ଭିଡିଓଟି ସାମ୍ନାକୁ ଆସିବା ପରେ ବୈତରଣୀ ନଦୀର ବିଭିନ୍ନ ଘାଟରେ ପ୍ରଶାସନ ଓ ପୋଲିସ ପକ୍ଷରୁ ନଜରଦାରି ବଢ଼ାଇବା ସହ ଲୋକଙ୍କୁ ସଚେତନ କରିବାକୁ ଦାବି ହୋଇଛି। ଏଥିସହ ନଦୀର ପ୍ରଖର ସ୍ରୋତ ସମୟରେ ଏଭଳି ବିପଦପୂର୍ଣ୍ଣ କାର୍ଯ୍ୟରୁ ଯୁବପିଢ଼ି ଦୂରେଇ ରହିବାକୁ ଅଞ୍ଚଳବାସୀ ପରାମର୍ଶ ଦେଇଛନ୍ତି।
Tags:ଜିଲ୍ଲା
ନଜର ଓଡ଼ିଶା
Nazar Odisha
Subscribe to:
Post Comments (Atom)
