ମଦ୍ୟପାନକୁ ସ୍ତ୍ରୀ ବାରଣ କରିବାରୁ ସ୍ୱାମୀର ଆତ୍ମହତ୍ୟା
ଘଟଗାଁ:୨୯।୮ (ନ.ଓ) କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ଭୋଳବେଡ଼ା ଗ୍ରାମରେ ମଦ୍ୟପାନକୁ ନେଇ ଏକ ଅଭାବନୀୟ ଘଟଣା ଘଟିଯାଇଛି। ସ୍ୱାମୀ ମଦ ପିଇବାକୁ ବାରଣ କରି ବାରୁ ଜଣେ ବ୍ୟକ୍ତି ମାନସିକ ଭାବେ ବିଚଳିତ ହୋଇ କୀଟନାଶକ ପିଇ ଆତ୍ମହତ୍ୟା କରିଛନ୍ତି। ମୃତକ ଜଣକ ଭୋଳବେଡ଼ା ଗ୍ରାମର ପଦ୍ମନାଭ ନାଏକ (୫୨) ବୋଲି ଜଣାପଡ଼ିଛି।ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତିରେ ପଦ୍ମନାଭ ମଦ ପିଇବାକୁ ଚାହୁଁଥିବା ବେଳେ ତାଙ୍କ ସ୍ତ୍ରୀ ଏହାକୁ ଦୃଢ଼ ବିରୋଧ କରିଥିଲେ। ଏଥିରେ ଅସନ୍ତୋଷ ପ୍ରକାଶ କରି ପଦ୍ମନାଭ ଘରେ ଥିବା କୀଟନାଶକ ପିଇ ଦେଇଥିଲେ। ଗୁରୁତର ଅବସ୍ଥାରେ ପରିବାର ଲୋକେ ତାଙ୍କୁ ପ୍ରଥମେ ପାଟଣା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତେବେ ଅବସ୍ଥା ଅତ୍ୟନ୍ତ ଉଦ୍ବେଗଜନକ ଥିବାରୁ ତାଙ୍କୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଉଥିବା ବେଳେ ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା। ପରେ ମୃତଦେହକୁ ପାଟଣା ଡାକ୍ତରଖାନାକୁ ଫେରାଇ ଅଣାଯାଇଥିଲା। ଏନେଇ ଘଟଗାଁ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି। ଢେଙ୍କିକୋଟ ପୁଲିସ ବିଟ୍ ଅଧିକାରୀ ତ୍ରିନାଥ ନାଏକ ପାଟଣା ଡାକ୍ତରଖାନାରେ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ କରାଇ ଘଟଣାର ତଦନ୍ତ ଚଳାଇଛନ୍ତି।
Tags:ଜିଲ୍ଲା
ନଜର ଓଡ଼ିଶା
Nazar Odisha
Subscribe to:
Post Comments (Atom)
