କେନ୍ଦୁଝର:୩୧/୮(ନ.ଓ)ସରକାରୀ ବାବୁଙ୍କ ସାଧୁତା ଉପରେ ପୁଣି ଉଠିଲା ପ୍ରଶ୍ନ। ଶ୍ରମ ଲାଇସେନ୍ସ ପ୍ରଦାନ ବାବଦକୁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଓଡ଼ିଶା ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି କେନ୍ଦୁଝର ଜିଲ୍ଲା ଶ୍ରମ ଅଧିକାରୀ (DLO) ଆକାଶ ବିଷୋୟୀ। ଘଟଣାସ୍ଥଳରୁ ସମସ୍ତ ଲାଞ୍ଚ ଟଙ୍କା ଜବତ କରାଯିବା ସହ ଅଭିଯୁକ୍ତ ବାବୁଙ୍କୁ ଗିରଫ କରାଯାଇଛି।ଲାଇସେନ୍ସ ପାଇଁ ମାଗିଥିଲେ ୨୦ ହଜାର ଟଙ୍କା ,ସୂଚନା ଅନୁଯାୟୀ, ଟାଟା ପାୱାର ଉତ୍ତର ଓଡ଼ିଶା ବିତରଣ ଲିମିଟେଡ୍ (TPNODL) ଅଧୀନରେ ବୈଦ୍ୟୁତିକ ସଂସ୍ଥାପନ କାର୍ଯ୍ୟ କରିବା ପାଇଁ ଜଣେ ଠିକାଦାର ଦାୟିତ୍ୱ ପାଇଥିଲେ। ଏହି କାମରେ ଶ୍ରମିକମାନଙ୍କୁ ନିୟୋଜିତ କରିବା ପାଇଁ ଶ୍ରମ ଲାଇସେନ୍ସ ଆବଶ୍ୟକ ଥିବାରୁ ଠିକାଦାର ଜଣକ ଗତ ଅଗଷ୍ଟ ୧୪ରେ ଅନଲାଇନ୍ ମାଧ୍ୟମରେ ଆବେଦନ କରିଥିଲେ।ତେବେ ଅଗଷ୍ଟ ୧୬ରେ ଲାଇସେନ୍ସ ସମ୍ପର୍କରେ ପଚାରିବା ପାଇଁ ଠିକାଦାର ଜଣକ ଜିଲ୍ଲା ଶ୍ରମ ଅଧିକାରୀ ଆକାଶ ବିଷୋୟୀଙ୍କୁ ଭେଟିଥିଲେ। କିନ୍ତୁ ଶ୍ରମ ଲାଇସେନ୍ସ କରାଇଦେବା ବାବଦକୁ ଶ୍ରୀ ବିଷୋୟୀ ୨୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଲାଞ୍ଚ ନଦେଲେ କାମ କରାଇ ନଦେବାକୁ ହଇରାଣ ହରକତ କରୁଥିବାରୁ ଅତିଷ୍ଠ ହୋଇ ଠିକାଦାର ଜଣକ ସମସ୍ତ ଘଟଣା ସମ୍ପର୍କରେ ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କ ଦ୍ୱାରସ୍ଥ ହୋଇଥିଲେ। ଅଭିଯୋଗ ଆଧାରରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଏକ ସ୍ୱତନ୍ତ୍ର ଟିମ୍ ଯୋଜନା ପ୍ରସ୍ତୁତ କରିଥିଲା। ରବିବାର ସନ୍ଧ୍ୟାରେ ଠିକାଦାରଙ୍କଠାରୁ ୨୦,୦୦୦ ଟଙ୍କା ଲାଞ୍ଚ ଗ୍ରହଣ କରୁଥିବା ସମୟରେ ପୂର୍ବରୁ ଛକି ରହିଥିବା ଭିଜିଲାନ୍ସ ଟିମ୍ ଶ୍ରୀ ବିସୋଇଙ୍କୁ ମାଡ଼ି ବସିଥିଲା। ଅଭିଯୁକ୍ତଙ୍କ କବଜାରୁ ଦାଗୀ ଲାଞ୍ଚ ଟଙ୍କା ଜବତ କରାଯାଇଛି।ଗିରଫଦାରୀ ପରେ ଭିଜିଲାନ୍ସ ଟିମ୍ ଅଭିଯୁକ୍ତ ଜିଲ୍ଲା ଶ୍ରମ ଅଧିକାରୀଙ୍କ ଦୁଇଟି ସ୍ଥାନ କେନ୍ଦୁଝରସ୍ଥିତ ତାଙ୍କ ସରକାରୀ ବାସଭବନ ଏବଂ ବ୍ରହ୍ମପୁରସ୍ଥିତ ପୈତୃକ ବାସଭବନ ଏକକାଳୀନ ତଲାସି ଅଭିଯାନ ଆରମ୍ଭ କରିଛି। ଏହି ସଂକ୍ରାନ୍ତରେ ବାଲେଶ୍ୱର ଭିଜିଲାନ୍ସ ଥାନାରେ ଏକ ମାମଲା ରୁଜୁ କରାଯାଇଛି। ଅଭିଯୁକ୍ତ ଆକାଶ ବିଷୋୟୀଙ୍କ ଆୟବହିର୍ଭୂତ ସମ୍ପତ୍ତି ଏବଂ ମାମଲାର ଅଧିକ ତଦନ୍ତ ଜାରି ରହିଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ମିଳିଛି।
