ଭୁବନେଶ୍ୱର, ୩/୯: ଓଡ଼ିଶାରେ ମ୍ୟାଲେରିଆ ସଂକ୍ରମଣ ବୃଦ୍ଧି ପାଉଥିବାରୁ ସ୍ୱାସ୍ଥ୍ୟ ବିଭାଗର ଚିନ୍ତା ବଢ଼ିଛି। ରାଜ୍ୟର ୭ଟି ଜିଲ୍ଲାରେ ମ୍ୟାଲେରିଆ ସ୍ଥିତି ଗମ୍ଭୀର ରହିଥିବା ବେଳେ ମାଲକାନଗିରି ଜିଲ୍ଲାରେ ସଂକ୍ରମଣ ସବୁଠାରୁ ଅଧିକ ଚିନ୍ତାଜନକ ରହିଛି। ରାଜ୍ୟର ମୋଟ ମ୍ୟାଲେରିଆ ଆକ୍ରାନ୍ତଙ୍କ ମଧ୍ୟରୁ ପ୍ରାୟ ୨୪ ପ୍ରତିଶତ ରୋଗୀ କେବଳ ମାଲକାନଗିରି ଜିଲ୍ଲାରୁ ଚିହ୍ନଟ ହୋଇଥିବା ସୂଚନା ମିଳିଛି।ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ରବୀନ୍ଦ୍ରନାଥ ମିଶ୍ରଙ୍କ ସୂଚନା ଅନୁଯାୟୀ, ଜୁନ୍ରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ମ୍ୟାଲେରିଆର ପିକ୍ ସିଜିନ୍ ରହିଥାଏ। ଏହି ସମୟରେ ମ୍ୟାଲେରିଆ ମାମଲା ଅଧିକ ଚିହ୍ନଟ ହେବାର ସମ୍ଭାବନା ରହେ। ମାଲକାନଗିରି ଏକ ସମ୍ବେଦନଶୀଳ ଅଞ୍ଚଳ ହୋଇଥିବାରୁ ଏଠାରେ ମ୍ୟାଲେରିଆ ରୋଗୀଙ୍କ ସଂଖ୍ୟା ଅଧିକ ରହୁଛି।ତେବେ ସେପ୍ଟେମ୍ବର ମାସ ପରେ ମ୍ୟାଲେରିଆ ସଂକ୍ରମଣରେ ଧୀରେ ଧୀରେ ହ୍ରାସ ଆସିବ ବୋଲି ସ୍ୱାସ୍ଥ୍ୟ ବିଭାଗ ଆଶା ପ୍ରକାଶ କରିଛି।
ମ୍ୟାଲେରିଆ ନିୟନ୍ତ୍ରଣ ପାଇଁ ଜୋରଦାର ପଦକ୍ଷେପ
ଉପାନ୍ତ ଓ ପ୍ରଭାବିତ ଅଞ୍ଚଳରେ ମ୍ୟାଲେରିଆ ସଂକ୍ରମଣ ରୋକିବା ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ମିଳିତ ଭାବେ ବିଭିନ୍ନ ପଦକ୍ଷେପ ନିଆଯାଉଛି। ଆବଶ୍ୟକତା ଅନୁଯାୟୀ ପ୍ରଭାବିତ ଅଞ୍ଚଳକୁ ସ୍ୱେଚ୍ଛାସେବୀ ଓ ବିଶେଷଜ୍ଞ ଡାକ୍ତରୀ ଦଳ ପଠାଯାଉଛି।ଏହାସହ ମ୍ୟାଲେରିଆ ନିରାକରଣ ଓ ଜନସଚେତନତା ପାଇଁ ‘ଦମନ୍’ କାର୍ଯ୍ୟକ୍ରମ ସମେତ ବିଭିନ୍ନ ଅଭିଯାନ ଜାରି ରହିଛି। ପ୍ରଭାବିତ ଅଞ୍ଚଳର ଲୋକଙ୍କୁ ମ୍ୟାଲେରିଆରୁ ସୁରକ୍ଷା ପାଇଁ ଔଷଧଯୁକ୍ତ ମଶାରୀ ମଧ୍ୟ ବଣ୍ଟନ କରାଯାଇଛି।
ଜ୍ୱର ହେଲେ ତୁରନ୍ତ ରକ୍ତ ପରୀକ୍ଷା ପରାମର୍ଶ
ମ୍ୟାଲେରିଆ ସ୍ଥିତି ଉପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କଡ଼ା ନଜର ରଖାଯାଇଛି। ଲୋକଙ୍କୁ ସଚେତନ ରହିବା ସହ ଜ୍ୱର ହେଲେ ଅବହେଳା ନକରି ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରରେ ରକ୍ତ ପରୀକ୍ଷା କରାଇବାକୁ ପରାମର୍ଶ ଦିଆଯାଇଛି।ମଶା କାମୁଡ଼ାରୁ ସୁରକ୍ଷା ପାଇଁ ମଶାରୀ ବ୍ୟବହାର, ଘର ଓ ଆଖପାଖ ଅଞ୍ଚଳ ସଫା ରଖିବା ସହ ଜ୍ୱର ଭଳି ଲକ୍ଷଣ ଦେଖାଦେଲେ ସମୟୋଚିତ ଭାବେ ସ୍ୱାସ୍ଥ୍ୟକେନ୍ଦ୍ରରେ ପରାମର୍ଶ ନେବା ଜରୁରୀ।
