ଢେଙ୍କିକୋଟ୍ ସେକ୍ସନରେ ୯ ଟିକିଆ ହାତୀପଲର ଉପଦ୍ରବ, ଧାନ ଫସଲ ନଷ୍ଟ; ଆତଙ୍କିତ ଅଞ୍ଚଳବାସୀ
ଢେଙ୍କିକୋଟ୨/୯: କେନ୍ଦୁଝର ଜିଲ୍ଲା ଢେଙ୍କିକୋଟ୍ ସେକ୍ସନ ଅଞ୍ଚଳରେ ୯ ଟିକିଆ ହାତୀପଲର ଉପଦ୍ରବ ଦିନକୁ ଦିନ ବଢ଼ିବାରେ ଲାଗିଛି। ଗତ କିଛିଦିନ ଧରି ହାତୀପଲ ବିଭିନ୍ନ ଗାଁ ଓ ଚାଷଜମିରେ ପଶି ଧାନ ଫସଲ ନଷ୍ଟ କରୁଥିବାରୁ ଚାଷୀମାନେ ଚିନ୍ତାରେ ପଡ଼ିଛନ୍ତି। ହାତୀପଲଙ୍କ ଅବାଧ ଚଳପ୍ରଚଳ ଯୋଗୁଁ ଅଞ୍ଚଳବାସୀଙ୍କ ମଧ୍ୟରେ ମଧ୍ୟ ଭୟ ଓ ଆତଙ୍କ ବଢ଼ିଛି।ସୂଚନା ଅନୁଯାୟୀ, ୯ ଟିକିଆ ହାତୀପଲ ଗତ କିଛିଦିନ ମଧ୍ୟରେ କେତାଙ୍ଗ, କପାସପଡ଼ା, କାଶିବେଡ଼ା, ବାଘଘର, ଭୋଲବେଡ଼ା, କଟରାବେଡ଼ା ଓ ଖଜୁରିଆଣି ଅଞ୍ଚଳରେ ଘୁରିବୁଲି ବ୍ୟାପକ ଧାନ ଫସଲ ନଷ୍ଟ କରିଥିବା ଜଣାପଡ଼ିଛି। ବିଶେଷକରି ରାତି ସମୟରେ ହାତୀପଲ ଜଙ୍ଗଲରୁ ବାହାରି ଚାଷଜମିକୁ ପଶୁଥିବାରୁ ଚାଷୀମାନେ ନିଜ ଫସଲ ଜଗିବାକୁ ମଧ୍ୟ ଭୟ କରୁଛନ୍ତି।ବର୍ତ୍ତମାନ ଏହି ହାତୀପଲ ଖଜୁରିଆଣି-ଖଣ୍ଟଘର ମଧ୍ୟରେ ରହିଥିବା ଜଣାପଡ଼ିଛି। ହାତୀପଲଙ୍କ ଗତିବିଧିକୁ ନେଇ ଆଖପାଖ ଗାଁର ଲୋକେ ଭୟଭୀତ ହୋଇ ରହିଛନ୍ତି। ରାତି ହେଲେ ଅଞ୍ଚଳରେ ଆତଙ୍କ ଆହୁରି ବଢ଼ୁଥିବା ବେଳେ ହାତୀପଲ ଜନବସତି ଆଡ଼କୁ ଆସିବା ଆଶଙ୍କାରେ ଲୋକେ ସତର୍କତାର ସହ ରାତି କାଟୁଛନ୍ତି।ହାତୀପଲ ଯୋଗୁଁ ଚାଷୀଙ୍କ ବର୍ଷକର ପରିଶ୍ରମରେ ଉପାର୍ଜିତ ଧାନ ଫସଲ କ୍ଷତିଗ୍ରସ୍ତ ହେଉଥିବାରୁ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଛି। ବନ ବିଭାଗ ପକ୍ଷରୁ ହାତୀପଲଙ୍କ ଗତିବିଧି ଉପରେ ନଜର ରଖିବା ସହ ହାତୀପଲଙ୍କୁ ଜନବସତି ଓ ଚାଷଜମିଠାରୁ ଦୂରେଇବା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।ଏଥିସହ କ୍ଷତିଗ୍ରସ୍ତ ଚାଷଜମିର ତୁରନ୍ତ ଆକଳନ କରି ନିୟମାନୁସାରେ ଚାଷୀଙ୍କୁ କ୍ଷତିପୂରଣ ଦେବା ସହ ହାତୀ-ମଣିଷ ସଂଘର୍ଷ ରୋକିବା ପାଇଁ ଦୀର୍ଘମିଆଦି ପଦକ୍ଷେପ ନେବାକୁ ମଧ୍ୟ ଦାବି ଜୋର ଧରିଛି।
Tags:ଜିଲ୍ଲାଜିଲ୍ଲା ଖବର
ନଜର ଓଡ଼ିଶା
Nazar Odisha
Subscribe to:
Post Comments (Atom)
