ଶଙ୍ଖ ନଦୀରେ ବୁଡ଼ି ୩ ଶିଶୁକନ୍ୟାଙ୍କ ମୃତ୍ୟୁ: କର୍ମା ପୂଜା ପାଇଁ ବାଲି ଆଣିବାକୁ ଯାଇଥିଲେ
News Summary
ସୁନ୍ଦରଗଡ଼ ରାଏବୋଗା ଥାନା ସଲଙ୍ଗାବାହାଲ ଗାଁରେ ଶଙ୍ଖ ନଦୀରେ ବୁଡ଼ି ୩ ଶିଶୁକନ୍ୟାଙ୍କ ମୃତ୍ୟୁ। କର୍ମା ପୂଜା ପାଇଁ ବାଲି ଆଣିବାକୁ ଯାଇଥିବା ବେଳେ ଘଟିଲା ଅଘଟଣ।
Published By:
Nazar Odisha Team |
ନଜର ଓଡ଼ିଶା | Nazar Odisha
ସୁନ୍ଦରଗଡ:୧୬/୯,ସୁନ୍ଦରଗଡ ଜିଲ୍ଲାର ରାଏବୋଗା ଥାନା ଅଞ୍ଚଳରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଶଙ୍ଖ ନଦୀରେ ବୁଡ଼ି ୩ ଶିଶୁକନ୍ୟାଙ୍କ ମୃତ୍ୟୁ ଘଟିଛି। କର୍ମା ପୂଜା ପାଇଁ ବାଲି ଆଣିବାକୁ ଯାଇଥିବା ବେଳେ ଏହି ଅଘଟଣ ଘଟିଥିବା ଜଣାପଡ଼ିଛି।ସୂଚନା ଅନୁସାରେ, ରାଏବୋଗା ଥାନା ସଲଙ୍ଗାବାହାଲ ଗ୍ରାମରେ କର୍ମା ପୂଜା ପାଇଁ ପ୍ରସ୍ତୁତି ଚାଲିଥିଲା। ଗ୍ରାମର କିଛି ଲୋକ ଓ ଶିଶୁ ଶଙ୍ଖ ନଦୀକୁ ବାଲି ଆଣିବା ପାଇଁ ଯାଇଥିଲେ। ବାଲି ଓ ପୂଜା ସାମଗ୍ରୀ ନେବା ପରେ ଅଧିକାଂଶ ଲୋକ ଘରକୁ ଫେରିଥିଲେ।ତେବେ ୬ରୁ ୮ ବର୍ଷ ବୟସର ୩ ଜଣ ଶିଶୁକନ୍ୟା ନଦୀ ନିକଟରେ ରହିଯାଇଥିଲେ। ସେମାନେ ନଦୀରେ ଖେଳିବା କିମ୍ବା ଗାଧୋଇବା ସମୟରେ ପାଣିରେ ବୁଡ଼ିଯାଇଥିବା ପ୍ରାଥମିକ ସୂଚନାରୁ ଜଣାପଡ଼ିଛି। ନଦୀରେ ଜଳସ୍ରୋତ ଅଧିକ ଥିବା କୁହାଯାଉଛି।ଶିଶୁମାନେ ଘରକୁ ନଫେରିବାରୁ ପରିବାର ଲୋକ ଓ ଗ୍ରାମବାସୀ ଖୋଜାଖୋଜି ଆରମ୍ଭ କରିଥିଲେ। ପରେ ୩ ଶିଶୁକନ୍ୟାଙ୍କୁ ନଦୀରୁ ଉଦ୍ଧାର କରାଯାଇ ବୀରମିତ୍ରପୁର ଡାକ୍ତରଖାନାକୁ ନିଆଯାଇଥିଲା।ତେବେ ଡାକ୍ତରଖାନାରେ ଯାଞ୍ଚ ପରେ ଡାକ୍ତର ୩ ଶିଶୁକନ୍ୟାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ପରେ ସଲଙ୍ଗାବାହାଲ ଗ୍ରାମରେ ଶୋକର ଛାୟା ଖେଳିଯାଇଛି। ପର୍ବପର୍ବାଣୀର ଖୁସି ମଧ୍ୟରେ ଏହି ଅଘଟଣ ପରିବାର ଓ ଗ୍ରାମବାସୀଙ୍କୁ ଗଭୀର ଦୁଃଖରେ ପକାଇଛି।
ନଜର ଓଡ଼ିଶା
Nazar Odisha
Subscribe to:
Post Comments (Atom)