ଯାଜପୁରରେ ଜିଲ୍ଲା ସ୍ତରୀୟ ବିଜ୍ଞାନ ଆଲୋଚନାଚକ୍ର ପ୍ରତିଯୋଗିତା-୨୦୨୬, ରାଜ୍ୟ ସ୍ତର ପାଇଁ ମନୋନୀତ ଦେବୀପ୍ରସାଦ ନାୟକ
News Summary
ଯାଜପୁରରେ ଜିଲ୍ଲା ସ୍ତରୀୟ ବିଜ୍ଞାନ ଆଲୋଚନାଚକ୍ର ପ୍ରତିଯୋଗିତା-୨୦୨୬ ଅନୁଷ୍ଠିତ। ଦେବୀପ୍ରସାଦ ନାୟକ ପ୍ରଥମ ସ୍ଥାନ ହାସଲ କରି ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ।
Published By:
Nazar Odisha Team |
ନଜର ଓଡ଼ିଶା | Nazar Odisha
ଯାଜପୁର, ୧୮/୦୯: ଯାଜପୁର ସହରସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଜିଲ୍ଲା ସ୍ତରୀୟ ବିଜ୍ଞାନ ଆଲୋଚନାଚକ୍ର ପ୍ରତିଯୋଗିତା-୨୦୨୬ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଶିକ୍ଷକ ଶିକ୍ଷା ଏବଂ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ନିର୍ଦ୍ଦେଶାଳୟ, ଓଡ଼ିଶା, ଭୁବନେଶ୍ୱରଙ୍କ ଆନୁକୂଲ୍ୟରେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ, ଯାଜପୁର ପକ୍ଷରୁ ଏହି ପ୍ରତିଯୋଗିତା ଆୟୋଜିତ ହୋଇଥିଲା।ଏହି ଅବସରରେ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ସୁପ୍ରଭା ପରିଡ଼ାଙ୍କ ଅଧ୍ୟକ୍ଷତାରେ ଉଦ୍ଘାଟନୀ ସଭା ଅନୁଷ୍ଠିତ ହୋଇଥିଲା। ସଭାରେ ଡିଏଭି, ଯାଜପୁରର ଅଧ୍ୟକ୍ଷ ଦେବବ୍ରତ ପ୍ରଧାନ ଏବଂ କ୍ରାନିୟମ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ପ୍ରଭୁପ୍ରସାଦ ସାହୁ ବିଶିଷ୍ଟ ଅତିଥି ତଥା ବିଚାରକ ଭାବେ ଯୋଗଦେଇଥିଲେ।ଜିଲ୍ଲାର ୧୦ଟି ବ୍ଲକରୁ ବ୍ଲକ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀମାନେ ଏହି ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାରେ ଭାଗ ନେଇଥିଲେ। ‘ଭାରତର ଶକ୍ତି ସମ୍ପଦ ୨୦୪୭: ସମ୍ଭାବନା ଓ ଆହ୍ୱାନ’ ବିଷୟବସ୍ତୁ ଉପରେ ପ୍ରତିଯୋଗୀମାନେ ପିପିଟି ମାଧ୍ୟମରେ ବିଚାରକମାନଙ୍କ ସମ୍ମୁଖରେ ନିଜର ଉପସ୍ଥାପନା ରଖିଥିଲେ।ପ୍ରତିଯୋଗିତାରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଜାମଧରର ଛାତ୍ର ଦେବୀପ୍ରସାଦ ନାୟକ ପ୍ରଥମ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ରସୁଲପୁରର ଛାତ୍ରୀ ବି.ଜେ. ସମ୍ପୂର୍ଣ୍ଣା ଦ୍ୱିତୀୟ ଏବଂ ଛତିଆ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ର ଆଶୀର୍ବାଦ ନାଥ ତୃତୀୟ ସ୍ଥାନ ଅଧିକାର କରିଥିଲେ।ଅପରାହ୍ନରେ ପୁରସ୍କାର ବିତରଣ ଉତ୍ସବ ଆୟୋଜିତ ହୋଇଥିଲା। ବିଜେତା ପ୍ରତିଯୋଗୀମାନଙ୍କୁ ଟ୍ରଫି ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ସମଗ୍ର କାର୍ଯ୍ୟକ୍ରମ ଜିଲ୍ଲା ବିଜ୍ଞାନ ନିରୀକ୍ଷକ କୁମାରସେନ ସେନାପତିଙ୍କ ତତ୍ତ୍ୱାବଧାନରେ ସମ୍ପାଦିତ ହୋଇଥିଲା।ଯାଜପୁର ବ୍ଲକ ବିଜ୍ଞାନ ସଂଯୋଜକ ଶିବବ୍ରତ ପାଣି ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଦଶରଥପୁର ବ୍ଲକ ବିଜ୍ଞାନ ସଂଯୋଜକ ସତ୍ୟବ୍ରତ ପାଣି ଧନ୍ୟବାଦ ଅର୍ପଣ କରିଥିଲେ। ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ମାନସ ରଞ୍ଜନ ଧଳଙ୍କ ସମେତ ଅନ୍ୟ ଶିକ୍ଷକ-ଶିକ୍ଷୟିତ୍ରୀ ଓ କର୍ମଚାରୀମାନେ କାର୍ଯ୍ୟକ୍ରମର ସଫଳ ଆୟୋଜନରେ ସହଯୋଗ କରିଥିଲେ।ଜିଲ୍ଲା ସ୍ତରରେ ପ୍ରଥମ ସ୍ଥାନ ହାସଲ କରିଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଜାମଧରର ଛାତ୍ର ଦେବୀପ୍ରସାଦ ନାୟକ ରାଜ୍ୟ ସ୍ତରୀୟ ବିଜ୍ଞାନ ଆଲୋଚନାଚକ୍ର ପ୍ରତିଯୋଗିତା ପାଇଁ ମନୋନୀତ ହୋଇଛନ୍ତି।
ନଜର ଓଡ଼ିଶା
Nazar Odisha
Subscribe to:
Post Comments (Atom)