Showing posts with label ଯାଜପୁର. Show all posts
Showing posts with label ଯାଜପୁର. Show all posts
ଯାଜପୁରରେ ୪୦ ହଜାର ଲାଞ୍ଚ ନେବାବେଳେ JRA ଧରାପଡ଼ିଲେ, ଜମି କିଣିବା ଅନୁମତି ପାଇଁ ଦାବି ହୋଇଥିଲା ଟଙ୍କା
News Summary
ନଜର ଓଡ଼ିଶା | ଓଡ଼ିଶାର ତାଜା ଖବର ଓ ନ୍ୟୁଜ୍ ପୋର୍ଟାଲ୍
Published By:
Nazar Odisha Team |
ନଜର ଓଡ଼ିଶା | Nazar Odisha
ଯାଜପୁର:୨୫/୯, ଜମି କିଣିବା ପାଇଁ ଆବଶ୍ୟକ ଅନୁମତିପତ୍ର କରାଇଦେବାକୁ ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଯାଜପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର କନିଷ୍ଠ ରାଜସ୍ୱ ସହାୟକ (JRA) ପ୍ରସନ୍ନ କୁମାର ସାହାଣୀ। ୪୦ ହଜାର ଟଙ୍କା ଲାଞ୍ଚ ନେବା ସମୟରେ ତାଙ୍କୁ ଭିଜିଲାନ୍ସ ଧରିଥିବା ସୂଚନା ମିଳିଛି।ଭିଜିଲାନ୍ସର ସୂଚନା ଅନୁସାରେ, ଜଣେ ଅନୁସୂଚିତ ଜାତିର ବ୍ୟକ୍ତିଙ୍କଠାରୁ ୧୬ ଡିସିମିଲ୍ ଜମି କିଣିବା ପାଇଁ ଆବେଦନକାରୀ ତାଙ୍କ ମାଆଙ୍କ ନାମରେ ଆବଶ୍ୟକ ଅନୁମତି ପାଇଁ ୨୦୨୫ ନଭେମ୍ବର ୨୯ରେ ଯାଜପୁର ଉପଜିଲ୍ଲାପାଳଙ୍କ ନିକଟରେ ଆବେଦନ କରିଥିଲେ।
ଅଭିଯୋଗ ଅନୁସାରେ, ଅନୁମତିପତ୍ର ପ୍ରକ୍ରିୟା ଆଗକୁ ବଢ଼ାଇବା ପାଇଁ JRA ପ୍ରସନ୍ନ କୁମାର ସାହାଣୀ ୪୮ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ଆବେଦନକାରୀ ଏତେ ଟଙ୍କା ଦେଇପାରିବେ ନାହିଁ କହିବା ପରେ ଲାଞ୍ଚ ଟଙ୍କା ୪୦ ହଜାରକୁ କମାଇଥିବା ଅଭିଯୋଗ ହୋଇଛି।ଡିସିମିଲ୍ ପିଛା ୩ ହଜାର ଟଙ୍କା ଲାଞ୍ଚ ଦାବି ଅଭିଯୋଗ ୧୬ ଡିସିମିଲ୍ ଜମି ପାଇଁ ୪୮ ହଜାର ଟଙ୍କା ଦାବି କରାଯାଇଥିବାରୁ ଡିସିମିଲ୍ ପିଛା ୩ ହଜାର ଟଙ୍କା ଲାଞ୍ଚ ଦାବି ହୋଇଥିବା ଅଭିଯୋଗ ରହିଛି। ପରେ ଏହି ଟଙ୍କା ୪୦ ହଜାରକୁ କମାଯାଇଥିବା ଅଭିଯୋଗକାରୀ ଭିଜିଲାନ୍ସକୁ ଜଣାଇଥିଲେ।ଏହାପରେ ଆବେଦନକାରୀ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ପୂର୍ବ ଯୋଜନା ଅନୁସାରେ ୪୦ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ JRA ପ୍ରସନ୍ନ କୁମାର ସାହାଣୀଙ୍କୁ ଭିଜିଲାନ୍ସ ଧରିଥିବା ସୂଚନା ମିଳିଛି।JRA ଧରାପଡ଼ିବା ପରେ ତାଙ୍କ ସହ ସମ୍ପର୍କିତ ଆୟ ବହିର୍ଭୂତ ସମ୍ପତ୍ତି ନେଇ ମଧ୍ୟ ଭିଜିଲାନ୍ସ ଯାଞ୍ଚ ଆରମ୍ଭ କରିଛି। ପ୍ରସନ୍ନ କୁମାର ସାହାଣୀଙ୍କ ଦୁଇଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଥିବା ଜଣାପଡ଼ିଛି।
ଏନେଇ କଟକ ଭିଜିଲାନ୍ସ ପକ୍ଷରୁ କେସ୍ ନମ୍ବର ୩୭/୨୦୨୬ରେ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି।
ଅଧାରାସ୍ତାରେ ଓଲଟିଲା କଦଳୀ ବୋଝେଇ ଟ୍ରକ; ୩ ଘଣ୍ଟା ଯାତାୟାତ ବନ୍ଦ
News Summary
ନଜର ଓଡ଼ିଶା | ଓଡ଼ିଶାର ତାଜା ଖବର ଓ ନ୍ୟୁଜ୍ ପୋର୍ଟାଲ୍
Published By:
Nazar Odisha Team |
ନଜର ଓଡ଼ିଶା | Nazar Odisha
ଭୁବନେଶ୍ୱର, ୨୩/୯: ବିଳମ୍ବିତ ରାତିରେ ରାସ୍ତା ମଝିରେ ଓଲଟି ପଡ଼ିଲା କଦଳୀ ବୋଝେଇ ଟ୍ରକ। ଫଳରେ ରାସ୍ତା ଉପରେ କଦଳୀ ବିଛାଡ଼ି ହୋଇପଡ଼ିବା ସହ ପ୍ରାୟ ୩ ଘଣ୍ଟା ଧରି ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ପରେ ପୋଲିସ ଓ ଉଦ୍ଧାରକାରୀ ଦଳ କ୍ରେନ୍ ସହାୟତାରେ ଟ୍ରକଟିକୁ ରାସ୍ତାରୁ ହଟାଇବା ପରେ ଯାତାୟାତ ସ୍ୱାଭାବିକ ହୋଇଥିଲା।ସୂଚନା ଅନୁଯାୟୀ, ଆନ୍ଧ୍ରପ୍ରଦେଶରୁ କଦଳୀ ବୋଝେଇ କରି ଏକ ଟ୍ରକ ଯାଜପୁର ଅଭିମୁଖେ ଯାଉଥିଲା। ସାମ୍ବାର ନିକଟରେ ଆଗରେ ଯାଉଥିବା ଏକ ପିକ୍ଅପ୍ ଭ୍ୟାନ୍ ହଠାତ୍ ବ୍ରେକ୍ ମାରିବାରୁ ଟ୍ରକଟି ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡ଼ିଥିଲା।ଟ୍ରକ ଓଲଟିବା ପରେ ଏଥିରେ ଥିବା କଦଳୀ ରାସ୍ତା ଉପରେ ବିଛାଡ଼ି ହୋଇପଡ଼ିଥିଲା। ଏହାଯୋଗୁଁ ରାସ୍ତାରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ପ୍ରାୟ ୩ ଘଣ୍ଟା ଧରି ଅନେକ ଗାଡ଼ି ରାସ୍ତାରେ ଅଟକି ରହିଥିଲା।ପରେ ପୋଲିସ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି କ୍ରେନ୍ ସହାୟତାରେ ଓଲଟିଥିବା ଟ୍ରକକୁ ରାସ୍ତାରୁ ହଟାଇଥିଲେ। ରାସ୍ତା ସଫା ହେବା ପରେ ଧୀରେ ଧୀରେ ଯାତାୟାତ ସ୍ୱାଭାବିକ ହୋଇଥିଲା। ଦୀର୍ଘ ସମୟ ଧରି ଯାତାୟାତ ବନ୍ଦ ରହିଥିବାରୁ ଯାତ୍ରୀ ଓ ଗାଡ଼ି ଚାଳକମାନେ ସମସ୍ୟାର ସମ୍ମୁଖୀନ ହୋଇଥିଲେ।
ଯାଜପୁରରେ ଜିଲ୍ଲା ସ୍ତରୀୟ ବିଜ୍ଞାନ ଆଲୋଚନାଚକ୍ର ପ୍ରତିଯୋଗିତା-୨୦୨୬, ରାଜ୍ୟ ସ୍ତର ପାଇଁ ମନୋନୀତ ଦେବୀପ୍ରସାଦ ନାୟକ
News Summary
ନଜର ଓଡ଼ିଶା | ଓଡ଼ିଶାର ତାଜା ଖବର ଓ ନ୍ୟୁଜ୍ ପୋର୍ଟାଲ୍
Published By:
Nazar Odisha Team |
ନଜର ଓଡ଼ିଶା | Nazar Odisha
ଯାଜପୁର, ୧୮/୦୯: ଯାଜପୁର ସହରସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଜିଲ୍ଲା ସ୍ତରୀୟ ବିଜ୍ଞାନ ଆଲୋଚନାଚକ୍ର ପ୍ରତିଯୋଗିତା-୨୦୨୬ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଶିକ୍ଷକ ଶିକ୍ଷା ଏବଂ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ନିର୍ଦ୍ଦେଶାଳୟ, ଓଡ଼ିଶା, ଭୁବନେଶ୍ୱରଙ୍କ ଆନୁକୂଲ୍ୟରେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ, ଯାଜପୁର ପକ୍ଷରୁ ଏହି ପ୍ରତିଯୋଗିତା ଆୟୋଜିତ ହୋଇଥିଲା।ଏହି ଅବସରରେ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ସୁପ୍ରଭା ପରିଡ଼ାଙ୍କ ଅଧ୍ୟକ୍ଷତାରେ ଉଦ୍ଘାଟନୀ ସଭା ଅନୁଷ୍ଠିତ ହୋଇଥିଲା। ସଭାରେ ଡିଏଭି, ଯାଜପୁରର ଅଧ୍ୟକ୍ଷ ଦେବବ୍ରତ ପ୍ରଧାନ ଏବଂ କ୍ରାନିୟମ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ପ୍ରଭୁପ୍ରସାଦ ସାହୁ ବିଶିଷ୍ଟ ଅତିଥି ତଥା ବିଚାରକ ଭାବେ ଯୋଗଦେଇଥିଲେ।ଜିଲ୍ଲାର ୧୦ଟି ବ୍ଲକରୁ ବ୍ଲକ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀମାନେ ଏହି ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାରେ ଭାଗ ନେଇଥିଲେ। ‘ଭାରତର ଶକ୍ତି ସମ୍ପଦ ୨୦୪୭: ସମ୍ଭାବନା ଓ ଆହ୍ୱାନ’ ବିଷୟବସ୍ତୁ ଉପରେ ପ୍ରତିଯୋଗୀମାନେ ପିପିଟି ମାଧ୍ୟମରେ ବିଚାରକମାନଙ୍କ ସମ୍ମୁଖରେ ନିଜର ଉପସ୍ଥାପନା ରଖିଥିଲେ।ପ୍ରତିଯୋଗିତାରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଜାମଧରର ଛାତ୍ର ଦେବୀପ୍ରସାଦ ନାୟକ ପ୍ରଥମ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ରସୁଲପୁରର ଛାତ୍ରୀ ବି.ଜେ. ସମ୍ପୂର୍ଣ୍ଣା ଦ୍ୱିତୀୟ ଏବଂ ଛତିଆ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ର ଆଶୀର୍ବାଦ ନାଥ ତୃତୀୟ ସ୍ଥାନ ଅଧିକାର କରିଥିଲେ।ଅପରାହ୍ନରେ ପୁରସ୍କାର ବିତରଣ ଉତ୍ସବ ଆୟୋଜିତ ହୋଇଥିଲା। ବିଜେତା ପ୍ରତିଯୋଗୀମାନଙ୍କୁ ଟ୍ରଫି ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ସମଗ୍ର କାର୍ଯ୍ୟକ୍ରମ ଜିଲ୍ଲା ବିଜ୍ଞାନ ନିରୀକ୍ଷକ କୁମାରସେନ ସେନାପତିଙ୍କ ତତ୍ତ୍ୱାବଧାନରେ ସମ୍ପାଦିତ ହୋଇଥିଲା।ଯାଜପୁର ବ୍ଲକ ବିଜ୍ଞାନ ସଂଯୋଜକ ଶିବବ୍ରତ ପାଣି ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଦଶରଥପୁର ବ୍ଲକ ବିଜ୍ଞାନ ସଂଯୋଜକ ସତ୍ୟବ୍ରତ ପାଣି ଧନ୍ୟବାଦ ଅର୍ପଣ କରିଥିଲେ। ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ମାନସ ରଞ୍ଜନ ଧଳଙ୍କ ସମେତ ଅନ୍ୟ ଶିକ୍ଷକ-ଶିକ୍ଷୟିତ୍ରୀ ଓ କର୍ମଚାରୀମାନେ କାର୍ଯ୍ୟକ୍ରମର ସଫଳ ଆୟୋଜନରେ ସହଯୋଗ କରିଥିଲେ।ଜିଲ୍ଲା ସ୍ତରରେ ପ୍ରଥମ ସ୍ଥାନ ହାସଲ କରିଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଜାମଧରର ଛାତ୍ର ଦେବୀପ୍ରସାଦ ନାୟକ ରାଜ୍ୟ ସ୍ତରୀୟ ବିଜ୍ଞାନ ଆଲୋଚନାଚକ୍ର ପ୍ରତିଯୋଗିତା ପାଇଁ ମନୋନୀତ ହୋଇଛନ୍ତି।
ଯାଜପୁରରେ ‘ସେବା ସଂକଳ୍ପ ଅଭିଯାନ-୨୦୨୬’: ବିରଜା ମନ୍ଦିର ଓ ଦଶାଶ୍ୱମେଧ ଘାଟରେ ‘ଆଶୀର୍ବାଦ ଦୀପ ପ୍ରଜ୍ୱଳନ’
News Summary
ନଜର ଓଡ଼ିଶା | ଓଡ଼ିଶାର ତାଜା ଖବର ଓ ନ୍ୟୁଜ୍ ପୋର୍ଟାଲ୍
Published By:
Nazar Odisha Team |
ନଜର ଓଡ଼ିଶା | Nazar Odisha
ଯାଜପୁର,୧୭/୯: ରାଜ୍ୟବ୍ୟାପୀ ‘ସେବା ସଂକଳ୍ପ ଅଭିଯାନ-୨୦୨୬’ର ଶୁଭାରମ୍ଭ ଅବସରରେ ଯାଜପୁର ଜିଲ୍ଲାରେ ‘ଆଶୀର୍ବାଦ ଦୀପ ପ୍ରଜ୍ୱଳନ’ କାର୍ଯ୍ୟକ୍ରମ ଭକ୍ତି ଓ ଉତ୍ସାହର ସହ ପାଳିତ ହୋଇଛି। ଜିଲ୍ଲାସ୍ତରରେ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ମନ୍ଦିର ପରିସର ଏବଂ ଐତିହାସିକ ଦଶାଶ୍ୱମେଧ ଘାଟରେ ଆଶୀର୍ବାଦ ଦୀପ ପ୍ରଜ୍ୱଳନ କରାଯାଇଥିଲା।ମା’ ବିରଜା ମନ୍ଦିର ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଯାଜପୁର ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କର, ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଦେବୀପ୍ରସାଦ ମହାନ୍ତି, ସମାଜସେବୀ ଶ୍ରୀ ଗୌତମ ରାୟ, ଯାଜପୁର ପୌରପାଳିକା ନିର୍ବାହୀ ଅଧିକାରୀ ଲଷ୍ମୀଧର ରାଉତ, ଅତିରିକ୍ତ ତହସିଲଦାର, ଡିପିସି ମିଶନ ଶକ୍ତି ସୀତାଂଶୁ ଶେଖର ସାହୁ ଏବଂ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ କାମିନୀ ରଞ୍ଜନ ପଟ୍ଟନାୟକଙ୍କ ସମେତ ବିଭିନ୍ନ ବର୍ଗର ଜନପ୍ରତିନିଧି, ମିଶନ ଶକ୍ତିର ମହିଳା, ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ଓ ସାଧାରଣ ଲୋକ ଉପସ୍ଥିତ ଥିଲେ।ସେହିପରି ଐତିହାସିକ ଦଶାଶ୍ୱମେଧ ଘାଟରେ ମଧ୍ୟ ଆଶୀର୍ବାଦ ଦୀପ ପ୍ରଜ୍ୱଳନ କରାଯାଇଥିଲା। ଏଠାରେ ଯାଜପୁର ପୌରପାଳିକାର ନିର୍ବାହୀ ଅଧିକାରୀ, ସମାଜସେବୀ ତପନ କୁମାର ନନ୍ଦ, ଡିପିସି ମିଶନ ଶକ୍ତି ସୀତାଂଶୁ ଶେଖର ସାହୁଙ୍କ ସମେତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ଉପସ୍ଥିତ ରହି ଦୀପ ପ୍ରଜ୍ୱଳନ କରିଥିଲେ।‘ସେବା ସଂକଳ୍ପ ଅଭିଯାନ’ର ମୁଖ୍ୟ ଉଦ୍ଦେଶ୍ୟ ସେବା, ସମର୍ପଣ ଓଜନକଲ୍ୟାଣର ବାର୍ତ୍ତାକୁ ତୃଣମୂଳସ୍ତରରେ ପହଞ୍ଚାଇବା। ଏହି ଅବସରରେ ପ୍ରଜ୍ୱଳିତ ଦୀପକୁ ସେବା ଓ ସାମାଜିକ ଦାୟିତ୍ୱ ପ୍ରତି ଏକତା ଏବଂ ସଂକଳ୍ପର ପ୍ରତୀକ ଭାବେ ପ୍ରଦର୍ଶିତ କରାଯାଇଥିଲା।ଜିଲ୍ଲାର ବିଭିନ୍ନ ବ୍ଲକ୍ ଓ ପ୍ରମୁଖ ସ୍ଥାନରେ ମଧ୍ୟ ‘ଆଶୀର୍ବାଦ ଦୀପ ପ୍ରଜ୍ୱଳନ’ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ସୁକିନ୍ଦା ଜଗନ୍ନାଥ ମନ୍ଦିରରେ ମନ୍ତ୍ରୀ ଶ୍ରୀ ପ୍ରଦୀପ ବଳ ସାମନ୍ତଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମ ହୋଇଥିଲା।ସେହିପରି ଗୋକର୍ଣ୍ଣେଶ୍ୱର ମନ୍ଦିରରେ ଧର୍ମଶାଳା ବିଧାୟକ ଶ୍ରୀ ହିମାଂଶୁ ଶେଖର ସାହୁ, ବ୍ୟାସସରୋବରରେ କୋରେଇ ବିଧାୟକ ଶ୍ରୀ ଆକାଶ ଦାସନାୟକ ଏବଂ ମହାବିନାୟକ ମନ୍ଦିରରେ ବଡ଼ଚଣା ବିଧାୟକ ଶ୍ରୀ ଅମର କୁମାର ନାୟକଙ୍କ ଉପସ୍ଥିତିରେ ଦୀପ ପ୍ରଜ୍ୱଳନ କରାଯାଇଥିଲା। ଛତିଆଠାରେ ବିଜେପି ସଭାପତି ଦେବଯାନୀ ପ୍ରଧାନଙ୍କ ଉପସ୍ଥିତିରେ
ମଧ୍ୟ ଆଶୀର୍ବାଦ ଦୀପ ପ୍ରଜ୍ୱଳନ ହୋଇଥିଲା।ଏଥିସହ ରତ୍ନଗିରି ବୌଦ୍ଧ ବିହାର, ବରୁଣେଶ୍ୱର ମନ୍ଦିର ଏବଂ ଉଦୟଗିରି ବୌଦ୍ଧ କମ୍ପ୍ଲେକ୍ସରେ ମଧ୍ୟ ‘ଆଶୀର୍ବାଦ ଦୀପ ପ୍ରଜ୍ୱଳନ’ କାର୍ଯ୍ୟକ୍ରମ ପାଳିତ ହୋଇଥିଲା।କାର୍ଯ୍ୟକ୍ରମରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ମିଶନ ଶକ୍ତିର ମହିଳାମାନଙ୍କ ସକ୍ରିୟ ଅଂଶଗ୍ରହଣ ଏହାକୁ ଅଧିକ ଜନସମ୍ପୃକ୍ତ କରିଥିଲା। ବିଭିନ୍ନ ସ୍ଥାନରେ ଦୀପ ପ୍ରଜ୍ୱଳନ ମାଧ୍ୟମରେ ସେବା, ସମର୍ପଣ, ମହିଳା ସଶକ୍ତିକରଣ ଓ ଜନକଲ୍ୟାଣର ବାର୍ତ୍ତା ପ୍ରତିଫଳିତ ହୋଇଥିଲା।
ବିରୂପା ନଦୀକୁ ଡେଇଁପଡ଼ିଲେ ସ୍ୱାମୀ-ସ୍ତ୍ରୀ: ସ୍ତ୍ରୀ ଉଦ୍ଧାର, ସ୍ୱାମୀ ନିଖୋଜ; ଅଗ୍ନିଶମ ବାହିନୀର ଉଦ୍ଧାର କାର୍ଯ୍ୟ ଜାରି
News Summary
ନଜର ଓଡ଼ିଶା | ଓଡ଼ିଶାର ତାଜା ଖବର ଓ ନ୍ୟୁଜ୍ ପୋର୍ଟାଲ୍
Published By:
Nazar Odisha Team |
ନଜର ଓଡ଼ିଶା | Nazar Odisha
ଯାଜପୁର, ୧୪/୦୯: ବିରୂପା ନଦୀକୁ ଡେଇଁପଡ଼ିଲେ ସ୍ୱାମୀ-ସ୍ତ୍ରୀ। ଯାଜପୁର ଜିଲ୍ଲାର ବାଲିକୁଦା ସେତୁ ଉପରୁ ନଦୀକୁ ଡେଇଁପଡ଼ିଥିବା ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରୁ ସ୍ତ୍ରୀଙ୍କୁ ଉଦ୍ଧାର କରାଯାଇଥିବା ବେଳେ ସ୍ୱାମୀ ଏବେବି ନିଖୋଜ ରହିଛନ୍ତି। ନିଖୋଜ ସ୍ୱାମୀଙ୍କୁ ଖୋଜିବା ପାଇଁ ବରୀ ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି।ସୂଚନା ଅନୁସାରେ, ନଦୀକୁ ଡେଇଁପଡ଼ିଥିବା ଦମ୍ପତି ହେଉଛନ୍ତି ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ତାଳୁଆ ଅଞ୍ଚଳର ସୁଧାକର ଓଝା ଓ ତାଙ୍କ ପତ୍ନୀ ତିଳୋତ୍ତମା ଓଝା। ପାରିବାରିକ କଳହକୁ କେନ୍ଦ୍ର କରି ସୋମବାର ସକାଳେ ଉଭୟେ ବାଲିକୁଦା ସେତୁ ଉପରକୁ ଆସିଥିଲେ। ପରେ ଉଭୟେ ବିରୂପା ନଦୀକୁ ଡେଇଁପଡ଼ିଥିବା ଜଣାପଡ଼ିଛି।ଘଟଣା ସମ୍ପର୍କରେ ଖବର ପାଇ ବରୀ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନଦୀରେ ଖୋଜାଖୋଜି ଆରମ୍ଭ କରିଥିଲା। ତିଳୋତ୍ତମାଙ୍କୁ ବରୀ ମହାକାଳପଡ଼ା ଅଞ୍ଚଳରୁ ଉଦ୍ଧାର କରାଯାଇଛି। ପରେ ତାଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲାର ଇନ୍ଦୁପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଯାଉଛି।ଅନ୍ୟପକ୍ଷରେ, ସୁଧାକର ଓଝାଙ୍କ ଏପର୍ଯ୍ୟନ୍ତ କୌଣସି ପତ୍ତା ମିଳିନାହିଁ। ନିଖୋଜ ସୁଧାକରଙ୍କୁ ଖୋଜିବା ପାଇଁ ଅଗ୍ନିଶମ ବାହିନୀ ପକ୍ଷରୁ ନଦୀରେ ଉଦ୍ଧାର ଓ ସନ୍ଧାନ କାର୍ଯ୍ୟ ଜାରି ରହିଛି।
ନଜର ଓଡ଼ିଶା
Nazar Odisha
Powered by Blogger.
Latest News
ନଜର ଓଡ଼ିଶା (Nazar Odisha) ହେଉଛି ଓଡ଼ିଶାର ତାଜା ଖବର, ଜିଲ୍ଲା ଖବର, ରାଜ୍ୟ ଖବର, ଦେଶ-ବିଦେଶ, ରାଜନୀତି, ଶିକ୍ଷା, ନିଯୁକ୍ତି, କ୍ରୀଡ଼ା ଓ ସାମାଜିକ ଖବରର ନ୍ୟୁଜ୍ ପୋର୍ଟାଲ୍।
