ବାତ୍ୟା ନୁହେଁ, ଗଭୀର ଅବପାତର ପ୍ରଭାବରେ ବଡ଼ ବର୍ଷା; ୧୧ ଜିଲ୍ଲାକୁ ଆଲର୍ଟ, ୨୩-୨୪ରେ ପ୍ରବଳ ବର୍ଷା
News Summary
ଓଡ଼ିଶାରେ ବାତ୍ୟା ନୁହେଁ, ଗଭୀର ଅବପାତର ପ୍ରଭାବରେ ୨୩ ଓ ୨୪ ସେପ୍ଟେମ୍ବରରେ ପ୍ରବଳ ବର୍ଷା ସମ୍ଭାବନା। ୧୧ ଜିଲ୍ଲାକୁ ଆଲର୍ଟ।
Published By:
Nazar Odisha Team |
ନଜର ଓଡ଼ିଶା | Nazar Odisha
ଭୁବନେଶ୍ୱର, ୨୧/୯: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବାତ୍ୟାର ରୂପ ନନେଇ ଗଭୀର ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ବଡ଼ ବର୍ଷା ହେବା ଆଶଙ୍କା ରହିଛି। ବିଶେଷକରି ୧୧ଟି ଜିଲ୍ଲା ଉପରେ ଏହାର ପ୍ରଭାବ ପଡ଼ିପାରେ ଆସନ୍ତାକାଲିଠାରୁ ରାଜ୍ୟରେ ବର୍ଷା ବଢ଼ିବା ସହ ସେପ୍ଟେମ୍ବର ୨୩ ଓ ୨୪ ତାରିଖରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସମ୍ଭାବ୍ୟ ପାଣିପାଗ ପରିସ୍ଥିତିକୁ ନଜରରେ ରଖି ଉପକୂଳ ଓ ଦକ୍ଷିଣ ଓଡ଼ିଶାର ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିବା ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କହିଛନ୍ତି।
ଡ୍ୟାମ୍ର ଜଳସ୍ତର ଉପରେ ନଜର
ସମ୍ଭାବ୍ୟ ଅଧିକ ବର୍ଷାକୁ ଦୃଷ୍ଟିରେ ରଖି ବିଭିନ୍ନ ଡ୍ୟାମ୍ର ଜଳଧାରଣ କ୍ଷମତା ଓ ଜଳସ୍ତର ସମୀକ୍ଷା କରାଯାଇଛି। ଇନ୍ଦ୍ରାବତୀ ଓ ତେଲିଙ୍ଗିରି ଡ୍ୟାମ୍ରୁ ଆବଶ୍ୟକତା ଅନୁସାରେ ପାଣି କମାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ବାଲିମେଳା ଓ କୋଲାବ ଡ୍ୟାମ୍ରେ ବର୍ତ୍ତମାନ ଅଧିକ ପାଣି ନଥିବା ସୂଚନା ମିଳିଛି।
ଜିଲ୍ଲାରେ ଖୋଲିବ କଣ୍ଟ୍ରୋଲ ରୁମ
ସମ୍ଭାବ୍ୟ ବର୍ଷା ଓ ଜଳବନ୍ଦୀ ପରିସ୍ଥିତିକୁ ମୁକାବିଲା ପାଇଁ ସମସ୍ତ ଜିଲ୍ଲାରେ କଣ୍ଟ୍ରୋଲ ରୁମ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ ଏସଆରସି କାର୍ଯ୍ୟାଳୟରେ ଆଜିଠାରୁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ କାର୍ଯ୍ୟକ୍ଷମ କରାଯାଇଛି।ପାଣି ଜମିବା ସମ୍ଭାବନା ଥିବା ସ୍ଥାନଗୁଡ଼ିକରେ ଜଳ ନିଷ୍କାସନ ପାଇଁ ଆବଶ୍ୟକ ମେସିନ୍ ପ୍ରସ୍ତୁତ ରଖିବାକୁ ପ୍ରଶାସନକୁ ପରାମର୍ଶ ଦିଆଯାଇଛି। ଗର୍ଭବତୀ ମହିଳାଙ୍କୁ ଆବଶ୍ୟକ ସ୍ଥଳେ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ସହ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀଗୁଡ଼ିକୁ ପ୍ରସ୍ତୁତ ରଖିବାକୁ କୁହାଯାଇଛି।
ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବା ମନା
ସମୁଦ୍ରରେ ପାଣିପାଗ ଅସ୍ଥିର ରହିବା ସମ୍ଭାବନା ଥିବାରୁ ଆଜିଠାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ନଯିବାକୁ ପରାମର୍ଶ ଦିଆଯାଇଛି।ସମ୍ଭାବ୍ୟ ଅବପାତ ଓ ଭାରି ବର୍ଷା ପରିସ୍ଥିତିକୁ ନେଇ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ହୋଇଛି। ବୈଠକରେ ଏସଆରସି, ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶିକା, ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ, ଅଗ୍ନିଶମ ଡିଜି ଏବଂ ଆଇନଶୃଙ୍ଖଳା ଏଡିଜିଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ।
Tags:ଆମ ଓଡ଼ିଶା
ନଜର ଓଡ଼ିଶା
Nazar Odisha
Subscribe to:
Post Comments (Atom)