ମୟୂରଭଞ୍ଜରେ ଲଗାଣ ବର୍ଷା ପରେ ବନ୍ୟା: ବୁଢାବଳଙ୍ଗ, ଜରାଳୀ ଓ ସରାଳୀ ନାଳରେ ବଢୁଛି ଜଳସ୍ତର
News Summary
ମୟୂରଭଞ୍ଜରେ ଲଗାଣ ବର୍ଷା ପରେ ବନ୍ୟା ପରିସ୍ଥିତି। ବୁଢାବଳଙ୍ଗ, ଜରାଳୀ ଓ ସରାଳୀ ନାଳରେ ବଢୁଛି ଜଳସ୍ତର। ୭, ୮, ୯ ଓ ୧୧ ନମ୍ବର ୱାର୍ଡ ପ୍ରଭାବିତ।
Published By:
Nazar Odisha Team |
ନଜର ଓଡ଼ିଶା | Nazar Odisha
ବାରିପଦା, ୨୫/୯: ମୟୂରଭଞ୍ଜ ଜିଲ୍ଲାରେ ଲଗାଣ ବର୍ଷା ସାଙ୍ଗକୁ ଉପରମୁଣ୍ଡରେ ଅତ୍ୟଧିକ ବୃଷ୍ଟିପାତ ଯୋଗୁଁ ବିଭିନ୍ନ ନଦୀରେ ଜଳସ୍ତର ବଢ଼ି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବୁଢାବଳଙ୍ଗ ନଦୀ ସମେତ ଜରାଳୀ ଓ ସରାଳୀ ନାଳରେ ଜଳସ୍ତର ବୃଦ୍ଧି ପାଇବାରୁ ବାରିପଦା ସହରର ବିଭିନ୍ନ ଅଞ୍ଚଳରେ ବନ୍ୟାଜଳ ପ୍ରବେଶ କରିଛି।ବନ୍ୟାଜଳ ଘରେ ପଶିବାରୁ ୭, ୮, ୯ ଓ ୧୧ ନମ୍ବର ୱାର୍ଡର ଅନେକ ଲୋକ ପ୍ରଭାବିତ ହୋଇଛନ୍ତି। ପରିସ୍ଥିତି ଗମ୍ଭୀର ହେବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ତତ୍ପରତା ବଢ଼ାଯାଇଛି।ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ବିଭିନ୍ନ ୱାର୍ଡରେ ଅଧିକାରୀମାନେ ବୋଟ୍ ଯୋଗେ ଯାଇ ବନ୍ୟା ପରିସ୍ଥିତିର ନିରୀକ୍ଷଣ କରୁଛନ୍ତି। ପୋଲିସ ପ୍ରଶାସନ ପକ୍ଷରୁ ବନ୍ୟାପ୍ରଭାବିତ ଲୋକଙ୍କୁ ଘରୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି।
ପାୱାର ବୋଟ୍ ମାଧ୍ୟମରେ ଲୋକଙ୍କୁ ଉଚ୍ଚସ୍ଥାନକୁ ଅଣାଯାଉଛି।ପ୍ରଶାସନ ପକ୍ଷରୁ ଆଶ୍ରୟସ୍ଥଳୀରେ ଫ୍ରି କିଚେନ୍ ବ୍ୟବସ୍ଥା କରାଯାଇଛି। ଛୋଟ ପିଲାମାନଙ୍କ ପାଇଁ ବିସ୍କୁଟ, ପିଇବା ପାଣି ସମେତ ଆବଶ୍ୟକୀୟ ବ୍ୟବସ୍ଥା କରାଯାଇଛି।ଗତ ଦୁଇଟି ବନ୍ୟା ତୁଳନାରେ ଏଥର ଜଳ ପ୍ରବାହ ଅଧିକ ଥିବାରୁ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଦେଖାଦେଇଛି। ଏହାସହ ଶିମିଳିପାଳ ଅଞ୍ଚଳରେ ଗତ ରାତିସାରା ବର୍ଷା ହୋଇଥିବାରୁ ଉପରମୁଣ୍ଡରୁ ଅଧିକ ପାଣି ହଠାତ୍ ତଳକୁ ମାଡ଼ି ଆସୁଥିବା ସୂଚନା ମିଳିଛି। ମଝିରେ ମଝିରେ ବର୍ଷା ଜାରି ରହିଥିବାରୁ ପ୍ରଶାସନ ସମଗ୍ର ଅଞ୍ଚଳ ଉପରେ ସଜାଗ ଦୃଷ୍ଟି ରଖିଛି।ଅତିରିକ୍ତ ଜିଲ୍ଲାପାଳ ନେତ୍ରାନନ୍ଦ ମଲ୍ଲିକ କହିଛନ୍ତି ଯେ, ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ରହିଛି। ଜିରୋ କାଜୁଆଲିଟିକୁ ମୁଖ୍ୟ ଲକ୍ଷ୍ୟ ରଖି ପୋଲିସ, ମ୍ୟୁନିସିପାଲିଟି କର୍ମଚାରୀ ଓ ଜିଲ୍ଲା ପ୍ରଶାସନର ସମସ୍ତ ବିଭାଗ ସମନ୍ୱୟରେ କାର୍ଯ୍ୟ କରୁଛନ୍ତି।
ନଜର ଓଡ଼ିଶା
Nazar Odisha
Subscribe to:
Post Comments (Atom)