ନୟାଗଡ଼ରେ ଭୟଙ୍କର ବସ୍ ଦୁର୍ଘଟଣା: ଚାଳକ ମୃତ, ୩୦ରୁ ଅଧିକ ଆହତ
News Summary
ନୟାଗଡ଼ ଜନିପଦା ଛକ ନିକଟରେ ଭୟଙ୍କର ବସ୍ ଦୁର୍ଘଟଣା। ଅର୍ଜୁନ ଗଛକୁ ଧକ୍କା ଦେଇ ଚାଳକଙ୍କ ମୃତ୍ୟୁ, ୩୦ରୁ ଅଧିକ ଆହତ। ୬ ଗୁରୁତର ଏମ୍ସ ରେଫର।
Published By:
Nazar Odisha Team |
ନଜର ଓଡ଼ିଶା | Nazar Odisha
ନୟାଗଡ଼:୪/୯ ନୟାଗଡ଼ ଜିଲ୍ଲାରେ ଘଟିଛି ଭୟଙ୍କର ବସ୍ ଦୁର୍ଘଟଣା। ଇଟାମାଟି ଥାନା ଅଧୀନ ଜନିପଦା ଛକ ନିକଟରେ ଏକ ଯାତ୍ରୀବାହୀ ବସ୍ ଭାରସାମ୍ୟ ହରାଇ ରାସ୍ତାପାର୍ଶ୍ୱରେ ଥିବା ଅର୍ଜୁନ ଗଛକୁ ଧକ୍କା ଦେଇଛି। ଏହି ଦୁର୍ଘଟଣାରେ ବସ୍ ଚାଳକଙ୍କ ମୃତ୍ୟୁ ଘଟିଥିବାବେଳେ ୩୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୬ ଜଣ ଗୁରୁତର ଥିବାରୁ ସେମାନଙ୍କୁ ଭୁବନେଶ୍ୱର ଏମ୍ସକୁ ରେଫର କରାଯାଇଛି।ଦୁର୍ଘଟଣାଟି ନୟାଗଡ଼ ବ୍ଲକ ଅନ୍ତର୍ଗତ ଇଟାମାଟି ଥାନା ଅଧୀନ ବାଉଶିଆପଡ଼ା ଗ୍ରାମର ଜନିପଦା ଛକ ନିକଟରେ ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରେ ଘଟିଛି।ସୂଚନା ଅନୁସାରେ, OD-02-DC-2735 ନମ୍ବର ବିଶିଷ୍ଟ ‘ଶ୍ରୀ ଅନ୍ନପୂର୍ଣ୍ଣା’ ଘରୋଇ ଯାତ୍ରୀବାହୀ ବସ୍ଟି ଭୁବନେଶ୍ୱରରୁ ନୟାଗଡ଼ ଅଭିମୁଖେ ଯାଉଥିଲା। ଜନିପଦା ଛକ ନିକଟରେ ହଠାତ୍ ବସ୍ଟି ଭାରସାମ୍ୟ ହରାଇ ଏକ ଅର୍ଜୁନ ଗଛକୁ ଜୋରଦାର ଧକ୍କା ଦେଇଥିଲା। ଧକ୍କା ଯୋଗୁଁ ବସ୍ର ସମ୍ମୁଖ ଭାଗ ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଥିଲା।ଦୁର୍ଘଟଣାରେ ବସ୍ ଚାଳକ ଗୁରୁତର ଭାବେ ଆହତ ହୋଇଥିଲେ। ତାଙ୍କୁ ଉଦ୍ଧାର କରି ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ଦୁର୍ଘଟଣା ପରେ ବସ୍ ଭିତରେ ଯାତ୍ରୀଙ୍କ ମଧ୍ୟରେ ଭୟ ଓ ଆତଙ୍କ ଖେଳିଯାଇଥିଲା। କିଛି ଯାତ୍ରୀ ବସ୍ ଭିତରେ ଫସି ରହିଥିଲେ। ଖବର ପାଇ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ସହଯୋଗ କରିଥିଲେ।ପରେ ଇଟାମାଟି ଥାନା ପୁଲିସ, ନୟାଗଡ଼ ଟାଉନ ଥାନା ପୁଲିସ ଓ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଦମକଳ କର୍ମଚାରୀ ଓ ପୁଲିସ ଫସିଥିବା ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ। ପରେ ଆହତମାନଙ୍କୁ ଆମ୍ବୁଲାନ୍ସ ଯୋଗେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା।ଡାକ୍ତରୀ ଟିମ୍ ଆହତ ଯାତ୍ରୀଙ୍କ ଚିକିତ୍ସା ଆରମ୍ଭ କରିଥିଲେ। ଆହତଙ୍କ ମଧ୍ୟରୁ ୬ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ଭଲ ଚିକିତ୍ସା ପାଇଁ ସେମାନଙ୍କୁ ଭୁବନେଶ୍ୱର ଏମ୍ସକୁ ରେଫର କରାଯାଇଥିଲା।ଦୁର୍ଘଟଣାର ଖବର ପାଇ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଘଟଣାସ୍ଥଳରେ ପହଞ୍ଚିଥିଲେ। ନୟାଗଡ଼ ଜିଲ୍ଲାପାଳ ଶ୍ରୀମତୀ ମଧୁମିତା ରଥ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଓ ଆହତଙ୍କ ଚିକିତ୍ସା ବ୍ୟବସ୍ଥା ସମ୍ପର୍କରେ ଅଧିକାରୀଙ୍କଠାରୁ ସୂଚନା ନେଇଥିଲେ।ବିଧାୟକ ଡ. ଅରୁଣ କୁମାର ସାହୁ ଘଟଣାକୁ ନେଇ ଶୋକପ୍ରକାଶ କରିବା ସହ ମୃତ ବସ୍ ଚାଳକଙ୍କ ପରିବାର ପ୍ରତି ସମବେଦନା ଜଣାଇଥିଲେ। ଆହତମାନଙ୍କୁ ଆବଶ୍ୟକୀୟ ଚିକିତ୍ସା ସୁବିଧା ଯୋଗାଇଦେବାକୁ ସେ ଅଧିକାରୀମାନଙ୍କୁ କହିଥିଲେ।ଜିଲ୍ଲାପାଳ, ଉପଜିଲ୍ଲାପାଳ ଓ ଏସ୍ଡିପିଓ ମଧ୍ୟ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆହତଙ୍କ ସ୍ଥିତି ଅନୁଧ୍ୟାନ କରିଥିଲେ। ଗୁରୁତର ଆହତଙ୍କୁ ଭୁବନେଶ୍ୱର ଏମ୍ସ ପଠାଇବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଥିଲା। ଏଥିସହ ଆହତ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଜିଲ୍ଲା ରେଡକ୍ରସ ପକ୍ଷରୁ ୧୦ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଥିବା ଜଣାପଡ଼ିଛି।
ଅନ୍ୟପକ୍ଷରେ, ବସ୍ଟି କେଉଁ ପରିସ୍ଥିତିରେ ଭାରସାମ୍ୟ ହରାଇଲା ଏବଂ ଦୁର୍ଘଟଣାର ପ୍ରକୃତ କାରଣ କ’ଣ, ସେନେଇ ଇଟାମାଟି ଥାନା ପୁଲିସ ତଦନ୍ତ ଆରମ୍ଭ କରିଛି।
Tags:Breaking Newsରାଜ୍ୟ
ସୁନ୍ଦର ଓଡ଼ିଶା • ସମୃଦ୍ଧ ଓଡ଼ିଶା
Subscribe to:
Post Comments (Atom)
Latest News
ନଜର ଓଡ଼ିଶା (Nazar Odisha) ହେଉଛି ଓଡ଼ିଶାର ତାଜା ଖବର, ଜିଲ୍ଲା ଖବର, ରାଜ୍ୟ ଖବର, ଦେଶ-ବିଦେଶ, ରାଜନୀତି, ଶିକ୍ଷା, ନିଯୁକ୍ତି, କ୍ରୀଡ଼ା ଓ ସାମାଜିକ ଖବରର ନ୍ୟୁଜ୍ ପୋର୍ଟାଲ୍।

