SC-ST ଛାତ୍ରଛାତ୍ରୀଙ୍କୁ ବଡ଼ ଆଶ୍ୱସ୍ତି: ମେଡିକାଲ ଓ ଇଞ୍ଜିନିୟରିଂ କଲେଜରେ ୬ ମାସ ଯାଏଁ ଫି ଛାଡ଼
ଭୁବନେଶ୍ୱର, ୦୧/୦୯:(ବ୍ୟୁରୋ ରିପୋର୍ଟ) ରାଜ୍ୟର ସରକାରୀ ମେଡିକାଲ ଓ ଇଞ୍ଜିନିୟରିଂ କଲେଜରେ ନାମଲେଖା ସମୟରେ ଅନୁସୂଚିତ ଜାତି (SC) ଓ ଅନୁସୂଚିତ ଜନଜାତି (ST) ବର୍ଗର ଗରିବ ଓ ମେଧାବୀ ଛାତ୍ରଛାତ୍ରୀଙ୍କୁ ଆଶ୍ୱସ୍ତି ମିଳିଛି। ନାମଲେଖା ସମୟରେ ଏବଂ ଏହା ପରେ ୬ ମାସ ପର୍ଯ୍ୟନ୍ତ ସେମାନଙ୍କୁ ଫି ଜମା କରିବାକୁ ପଡ଼ିବ ନାହିଁ ବୋଲି ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ମିଳିଛି।
ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଫଳ ହୋଇ ମେଡିକାଲ ଓ ଇଞ୍ଜିନିୟରିଂ ଭଳି ବୃତ୍ତିଗତ ପାଠ୍ୟକ୍ରମରେ ସୁଯୋଗ ପାଉଥିବା ଗରିବ SC-ST ଛାତ୍ରଛାତ୍ରୀଙ୍କ ପାଇଁ ନାମଲେଖା ସମୟରେ ଫି ଜମା କରିବା ଏକ ସମସ୍ୟା ହୋଇଥାଏ। ବୃତ୍ତି ଟଙ୍କା ମିଳିବାରେ ବିଳମ୍ବ ହେଉଥିବାରୁ ଏହି ସମସ୍ୟା ଅଧିକ ଗୁରୁତର ହୋଇଥାଏ।ସୂଚନା ଅନୁସାରେ, ଏହି ବର୍ଗର ଛାତ୍ରଛାତ୍ରୀମାନେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ବୃତ୍ତି ପାଇବାକୁ ଯୋଗ୍ୟ ହୋଇଥାନ୍ତି। ବୃତ୍ତି ଆବେଦନ ଓ ଯାଞ୍ଚ ପ୍ରକ୍ରିୟା ଶେଷ ହୋଇ ଟଙ୍କା ମିଳିବାକୁ ସାଧାରଣତଃ କିଛି ମାସ ସମୟ ଲାଗିପାରେ। ଏହା ଫଳରେ ନାମଲେଖା ସମୟରେ ଆବଶ୍ୟକ ଫି ଜମା କରିବାରେ ଅସୁବିଧା ଦେଖାଦେଇଥାଏ।
ନୂଆ ବ୍ୟବସ୍ଥା ଅନୁଯାୟୀ, ନାମଲେଖା ସମୟରେ ଏବଂ ନାମଲେଖାର ୬ ମାସ ପର୍ଯ୍ୟନ୍ତ ଫି ଜମା ପାଇଁ ଛାତ୍ରଛାତ୍ରୀଙ୍କୁ ତୁରନ୍ତ ଅର୍ଥ ଯୋଗାଡ଼ କରିବାର ଚାପରୁ ମୁକ୍ତି ମିଳିବ। ବୃତ୍ତି ଟଙ୍କା ମିଳିବା ପରେ ସେମାନେ ନିୟମ ଅନୁଯାୟୀ ଆଡମିଶନ୍ ଓ ଟ୍ୟୁସନ୍ ଫି ଜମା କରିପାରିବେ।
ଏହି ନିଷ୍ପତ୍ତି SC ଓ ST ବର୍ଗର ଆର୍ଥିକ ଭାବେ ଦୁର୍ବଳ ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷା ଜାରି ରଖିବାରେ ସହାୟକ ହେବ ବୋଲି ଆଶା କରାଯାଉଛି। ଏ ସମ୍ପର୍କରେ ସରକାରଙ୍କ ପକ୍ଷରୁ ଖୁବଶୀଘ୍ର ବିସ୍ତୃତ ମାର୍ଗଦର୍ଶିକା ଜାରି କରାଯିବା ନେଇ ସୂଚନା ରହିଛି।
ନଜର ଓଡ଼ିଶା
Nazar Odisha
Subscribe to:
Post Comments (Atom)
