ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ: ବାଧାପ୍ରାପ୍ତ ହୋଇପାରେ ଗ୍ରାହକ ସେବା, ଜାଣନ୍ତୁ କେଉଁ କାମ ପ୍ରଭାବିତ ହେବ
ଗୁରୁଦିବସ ବିଶେଷ: ଅନ୍ଧାର ବାଟରେ ଆଲୋକର ପ୍ରଦୀପ
ଜୀବନ ଏକ ଦୀର୍ଘ ଯାତ୍ରା। ଏହି ଯାତ୍ରାରେ କେବେ ସଫଳତାର ଆଲୋକ ଆମ ପଥକୁ ଉଜ୍ଜ୍ୱଳ କରେ, ତ କେବେ ବିଫଳତା, ଦ୍ୱନ୍ଦ୍ୱ ଓ ଅନିଶ୍ଚିତତାର ଅନ୍ଧକାର ଆମକୁ ଘେରି ଧରେ। ସେହି ଅନ୍ଧାର ବାଟରେ ଯିଏ ଠିକ୍ ଦିଗ ଦେଖାନ୍ତି, ଭୁଲରୁ ଶିଖିବାର ସାହସ ଦିଅନ୍ତି ଏବଂ ଆଗକୁ ବଢ଼ିବାର ପ୍ରେରଣା ଦିଅନ୍ତି—ସେ ହେଉଛନ୍ତି ଗୁରୁ।ଗୁରୁ କେବଳ ଶ୍ରେଣୀଗୃହରେ ପାଠ ପଢ଼ାଉଥିବା ଜଣେ ଶିକ୍ଷକ ନୁହନ୍ତି। ଗୁରୁ ହେଉଛନ୍ତି ଜୀବନକୁ ବୁଝିବାର ଦୃଷ୍ଟି ଦେଉଥିବା ଜଣେ ମାର୍ଗଦର୍ଶକ। ବହି ଆମକୁ ଜ୍ଞାନ ଦେଇପାରେ, କିନ୍ତୁ ସେହି ଜ୍ଞାନକୁ ଜୀବନରେ କିପରି ପ୍ରୟୋଗ କରିବା, ସତ୍ୟ ଓ ଭୁଲ ମଧ୍ୟରେ କିପରି ପାର୍ଥକ୍ୟ କରିବା ଏବଂ ନିଜ ଦାୟିତ୍ୱକୁ କିପରି ନିଷ୍ଠାର ସହ ପାଳନ କରିବା—ଏହି ଶିକ୍ଷା ଗୁରୁଙ୍କଠାରୁ ମିଳେ।
ମୋ ଜୀବନର ଗୁରୁ ଓ ମାର୍ଗଦର୍ଶକ
ମୋ ଜୀବନରେ ମଧ୍ୟ ଏମିତି ଜଣେ ଗୁରୁଙ୍କ ସାନ୍ନିଧ୍ୟ ପାଇବା ମୋ ପାଇଁ ଏକ ବଡ଼ ସୌଭାଗ୍ୟ। ବରିଷ୍ଠ ସାମ୍ବାଦିକ, ସମାଜସେବୀ ତଥା ଉତ୍ତର ଓଡ଼ିଶା ସାହିତ୍ୟ ସଂସ୍କୃତି ସମ୍ମେଳନର ସଭାପତି ନୃସିଂହ ନାଥ ସିଂହ ମହୋଦୟ ମୋ ପାଇଁ କେବଳ ଜଣେ ବରିଷ୍ଠ ସାମ୍ବାଦିକ ନୁହନ୍ତି; ସେ ମୋର ଜୀବନ ଓ ସାମ୍ବାଦିକତାର ପଥରେ ଜଣେ ଗୁରୁ, ପ୍ରେରଣା ଓ ମାର୍ଗଦର୍ଶକ।ସାମ୍ବାଦିକତାର ପଥ ସହଜ ନୁହେଁ। ଖବର କେବଳ ଲେଖିଦେବା ନୁହେଁ; ଖବର ପଛରେ ଥିବା ସତ୍ୟକୁ ଖୋଜିବା, ସାଧାରଣ ଲୋକଙ୍କ ସ୍ୱରକୁ ସମାଜ ସାମ୍ନାରେ ରଖିବା ଏବଂ ନିଜ କଲମ ପ୍ରତି ସତ୍ୟନିଷ୍ଠ ରହିବା—ଏହା ହେଉଛି ସାମ୍ବାଦିକତାର ପ୍ରକୃତ ଦାୟିତ୍ୱ। ଏହି ଦାୟିତ୍ୱବୋଧର ମହତ୍ତ୍ୱ ମୁଁ ନୃସିଂହ ନାଥ ସିଂହ ମହୋଦୟଙ୍କଠାରୁ ଶିଖିଛି।
ତାଙ୍କର ଅଭିଜ୍ଞତା, ସରଳ ପରାମର୍ଶ ଓ ସଠିକ୍ ଦିଗଦର୍ଶନ ମୋତେ ଅନେକ ସମୟରେ ନୂଆ ଭାବେ ଚିନ୍ତା କରିବାକୁ ଶିଖାଇଛି। କେବଳ ଖବର କିପରି ଲେଖିବା ନୁହେଁ, ଜଣେ ସାମ୍ବାଦିକ ଭାବେ ସମାଜ ପ୍ରତି ଆମର ଦାୟିତ୍ୱ କ’ଣ ତାହା ବୁଝିବାରେ ତାଙ୍କ ମାର୍ଗଦର୍ଶନ ମୋ ପାଇଁ ଅମୂଲ୍ୟ।
ମୋ ଜୀବନ ଓ ସାମ୍ବାଦିକତାର ପଥରେ ନୃସିଂହ ନାଥ ସିଂହ ମହୋଦୟ ସେହି ଆଲୋକର ପ୍ରଦୀପ, ଯାହାଙ୍କ ଦିଗଦର୍ଶନ ଅନେକ ଅନ୍ଧାର ବାଟରେ ମୋତେ ଠିକ୍ ପଥ ଦେଖାଇଛି। ତାଙ୍କ ପ୍ରତି ମୋର ଗଭୀର ଶ୍ରଦ୍ଧା, ସମ୍ମାନ ଓ ଆଜୀବନ କୃତଜ୍ଞତା ରହିବ।
ଡିଜିଟାଲ ଯୁଗରେ ଗୁରୁଙ୍କ ଭୂମିକା
ଆଜିର ଡିଜିଟାଲ ଯୁଗରେ ତଥ୍ୟ ଆମ ହାତ ପାହାନ୍ତାରେ। ଗୋଟିଏ କ୍ଲିକ୍ରେ ଅସଂଖ୍ୟ ଖବର ଓ ସୂଚନା ଆମ ସାମ୍ନାକୁ ଆସୁଛି। କିନ୍ତୁ ତଥ୍ୟକୁ ଖବରରେ ଏବଂ ଖବରକୁ ଦାୟିତ୍ୱପୂର୍ଣ୍ଣ ସାମ୍ବାଦିକତାରେ ପରିଣତ କରିବା ପାଇଁ ବିବେକ, ଅଭିଜ୍ଞତା ଓ ନୈତିକତା ଆବଶ୍ୟକ। ଏଠି ହିଁ ଜଣେ ଗୁରୁଙ୍କ ଦିଗଦର୍ଶନର ମୂଲ୍ୟ ବୁଝାଯାଏ।ଗୁରୁଙ୍କ ଋଣ କେବେ ଶୁଝି ହୁଏନାହିଁ। ଗୁରୁ ଦେଇଥିବା ଶିକ୍ଷାକୁ ଜୀବନରେ ପାଳନ କରିବା ଏବଂ ସେହି ମୂଲ୍ୟବୋଧକୁ ଆଗକୁ ନେବା ହିଁ ତାଙ୍କ ପ୍ରତି ପ୍ରକୃତ ସମ୍ମାନ।
ଜଣେ ଗୁରୁଙ୍କ ମହତ୍ତ୍ୱ ତାଙ୍କ ପଦବୀରେ ନୁହେଁ, ତାଙ୍କ ଶିଷ୍ୟର ଜୀବନରେ ସେ କେତେ ଭଲ ପରିବର୍ତ୍ତନ ଆଣିପାରିଛନ୍ତି—ସେଥିରେ ରହିଛି।ଗୁରୁ ହେଉଛନ୍ତି ସେହି ଆଲୋକ, ଯିଏ ନିଜ ପଥରେ ଚାଲିବା ସହ ଅନ୍ୟମାନଙ୍କୁ ମଧ୍ୟ ପଥ ଦେଖାଇଥାନ୍ତି।ଗୁରୁ ଦିବସର ଏହି ପବିତ୍ର ଅବସରରେ ମୋର ଗୁରୁ ଓ ମାର୍ଗଦର୍ଶକ ନୃସିଂହ ନାଥ ସିଂହ ମହୋଦୟଙ୍କୁ ଅନ୍ତରରୁ ଶ୍ରଦ୍ଧା, ସମ୍ମାନ ଓ କୃତଜ୍ଞତା ଜଣାଉଛି। ତାଙ୍କ ସମେତ ସମସ୍ତ ଗୁରୁଜନଙ୍କୁ ମୋର ଶତ ଶତ ପ୍ରଣାମ।
ସମ୍ପାଦକୀୟ ବିଭାଗ
ନଜର ଓଡ଼ିଶା
ସିଏମ୍-କିଷାନ୍ ଯୋଜନାର ପଞ୍ଚମ କିସ୍ତି ପ୍ରଦାନ: ୪୧.୩୫ ଲକ୍ଷ ଚାଷୀଙ୍କ ଖାତାକୁ ଗଲା ୮୩୩ କୋଟିରୁ ଅଧିକ ଟଙ୍କା
ଭୁବନେଶ୍ୱର, ୪/୯: ପବିତ୍ର ଜନ୍ମାଷ୍ଟମୀ ଅବସରରେ ରାଜ୍ୟର ଚାଷୀମାନଙ୍କ ପାଇଁ ବଡ଼ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଭୁବନେଶ୍ୱରସ୍ଥିତ ଓୟୁଏଟିର କୃଷି ଶିକ୍ଷା ସଦନରେ ଆୟୋଜିତ କାର୍ଯ୍ୟକ୍ରମରେ ସିଏମ୍-କିଷାନ୍ ଯୋଜନାର ପଞ୍ଚମ କିସ୍ତି ପ୍ରଦାନ କରାଯାଇଛି।ଏହି କିସ୍ତିରେ ରାଜ୍ୟର ୪୧ ଲକ୍ଷ ୩୫ ହଜାର ୯୭୮ ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ସହ ୧୩ ହଜାର ୯୪୯ ଭୂମିହୀନ କୃଷି ପରିବାରଙ୍କ ଖାତାକୁ ଡିବିଟି ମାଧ୍ୟମରେ ୮୩୩ କୋଟିରୁ ଅଧିକ ଟଙ୍କା ସିଧାସଳଖ ପ୍ରଦାନ କରାଯାଇଛି।ଆସନ୍ତା ୨୦୨୬-୨୭ ରବି ଫସଲ ପୂର୍ବରୁ ବିହନ, ସାର ଓ କୀଟନାଶକ ଭଳି କୃଷି ସାମଗ୍ରୀ କିଣିବାରେ ଏହି ଆର୍ଥିକ ସହାୟତା ଚାଷୀମାନଙ୍କ ପାଇଁ ଉପଯୋଗୀ ହେବ।ସମାବେଶକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଥିଲେ, ଚାଷୀ ଓ ଭୂମିହୀନ ପରିବାରଙ୍କ କଲ୍ୟାଣ ପାଇଁ ସରକାର ସଦା ପ୍ରତିବଦ୍ଧ। କୃଷକଙ୍କ ସମୃଦ୍ଧି ହିଁ ଓଡ଼ିଶାର ପ୍ରଗତିର ପ୍ରକୃତ ମୂଳଦୁଆ ବୋଲି ସେ କହିଥିଲେ।ସିଏମ୍-କିଷାନ୍' ଯୋଜନା ମାଧ୍ୟମରେ କେବଳ ଆର୍ଥିକ ସହାୟତା ନୁହେଁ, ଚାଷୀଙ୍କୁ ଆତ୍ମନିର୍ଭର କରିବା ସହ ସେମାନଙ୍କ ଶ୍ରମକୁ ସମ୍ମାନ ଦିଆଯାଉଛି। କୃଷି ସାମଗ୍ରୀ କ୍ରୟଠାରୁ ଆରମ୍ଭ କରି ଆନୁଷଙ୍ଗିକ ଜୀବିକା ଏବଂ ଚାଷୀ ପରିବାରର ପିଲାମାନଙ୍କୁ ଗୁଣାତ୍ମକ ବୈଷୟିକ ଶିକ୍ଷା ଯୋଗାଇବା ପର୍ଯ୍ୟନ୍ତ ଏହି ଯୋଜନା ସହାୟକ ହେଉଛି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ।
ନନ୍ଦନକାନନରେ ଅଘଟଣ: କଲରାପତରିଆ ବାଘର ପଞ୍ଝା ମାଡ଼ରେ ଜନ୍ତୁ ରକ୍ଷକ ଆହତ
ଭୁବନେଶ୍ୱର, ୨/୯ (ବ୍ୟୁରୋ ରିପୋର୍ଟ): ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ମଙ୍ଗଳବାର ଏକ ଅଘଟଣ ଘଟିଛି। କଲରାପତରିଆ ବାଘର ପଞ୍ଝା ମାଡ଼ରେ ଜଣେ ଅସ୍ଥାୟୀ ଜନ୍ତୁ ରକ୍ଷକ ଆହତ ହୋଇଛନ୍ତି। ଆହତ କର୍ମଚାରୀଙ୍କୁ ତୁରନ୍ତ ଏକ ଘରୋଇ ହସ୍ପିଟାଲକୁ ନିଆଯାଇ ଚିକିତ୍ସାକରାଯାଇଥିଲା। ପରେ ସେ ଘରକୁ ଫେରିଥିବା ନନ୍ଦନକାନନ କର୍ତ୍ତୃପକ୍ଷ କହିଛନ୍ତି।ସୂଚନା ଅନୁଯାୟୀ, ନନ୍ଦନକାନନର କ୍ୱାରେଣ୍ଟାଇନ୍ ସେଣ୍ଟରର ୧୦ ନମ୍ବର କଲରାପତରିଆ ବାଘ ଖୁଆଡ଼ରେ ରଞ୍ଜିତ ବେହେରା ନାମକ ଜଣେ ଅସ୍ଥାୟୀ କର୍ମଚାରୀ କାମ କରୁଥିଲେ। ମଙ୍ଗଳବାର ସେ ଖୁଆଡ଼ର ତାରଜାଲି ନିକଟରେ କାମ କରୁଥିବା ବେଳେ ବାଘଟି ହଠାତ୍ ଝାମ୍ପ ମାରିଥିଲା।ଏହି ସମୟରେ ରଞ୍ଜିତ ଭୟରେ ହାତ ଦେଖାଇଦେବାରୁ ବାଘର ନଖ ତାଙ୍କ ଆଙ୍ଗୁଠିରେ ବାଜିଥିଲା। ଫଳରେ ତାଙ୍କ ଆଙ୍ଗୁଠିରେ ସାମାନ୍ୟ କ୍ଷତ ସୃଷ୍ଟି ହୋଇଥିଲା ଏବଂ ରକ୍ତସ୍ରାବ ହୋଇଥିଲା।ଘଟଣା ପରେ ନନ୍ଦନକାନନ କର୍ତ୍ତୃପକ୍ଷ ତୁରନ୍ତ ରଞ୍ଜିତଙ୍କୁ ଏକ ଘରୋଇ ହସ୍ପିଟାଲକୁ ନେଇଥିଲେ। ସେଠାରେ ତାଙ୍କ ଆଙ୍ଗୁଠିରେ ବ୍ୟାଣ୍ଡେଜ୍ କରାଯିବା ପରେ ସେ ଘରକୁ ଫେରିଥିବା ସୂଚନା ମିଳିଛି।
ନେପାଳ ବନ୍ୟାରେ ଚମତ୍କାର: ୬୦ ଘଣ୍ଟା ପରେ ଭଗ୍ନାବଶେଷ ତଳୁ ଜୀବନ୍ତ ଉଦ୍ଧାର ୫ ବର୍ଷୀୟ ମନୀଷା
କାଠମାଣ୍ଡୁ:୧/୯,(ବ୍ୟୁରୋ ରିପୋର୍ଟ)ନେପାଳରେ ପ୍ରଳୟଙ୍କରୀ ବନ୍ୟା ଓ ଭୂସ୍ଖଳନ ପରେ ଧ୍ୱଂସସ୍ତୂପ ମଧ୍ୟରୁ ଜଣେ ୫ ବର୍ଷୀୟ ଶିଶୁ କନ୍ୟାଙ୍କୁ ପ୍ରାୟ ୬୦ ଘଣ୍ଟା ପରେ ଜୀବନ୍ତ ଉଦ୍ଧାର କରାଯାଇଛି। ମନୀଷା ନାମକ ଏହି ଶିଶୁଙ୍କୁ ଭଗ୍ନ କୋଠାର ଅବଶେଷ ତଳୁ ଉଦ୍ଧାର ପରେ ଚିକିତ୍ସା ପାଇଁ କାଠମାଣ୍ଡୁ ନିଆଯାଇଥିଲା।ବନ୍ୟା ପରେ ମନୀଷାଙ୍କ ପରିବାର ତାଙ୍କୁ ମୃତ ବୋଲି ଭାବି ନେଇଥିଲେ। ତେବେ ଉଦ୍ଧାରକାରୀ ଦଳ ଭଗ୍ନାବଶେଷ ତଳେ ଜୀବିତ ଲୋକଙ୍କ ସନ୍ଧାନ କରୁଥିବା ବେଳେ ଏକ କ୍ଷୀଣ ଶବ୍ଦ ଶୁଣିଥିଲେ। ପ୍ରଥମେ ଏହା କୌଣସି ବିଲେଇର ଶବ୍ଦ ହୋଇପାରେ ବୋଲି ସେମାନେ ଭାବିଥିଲେ। ପରେ ଶବ୍ଦ ଆସୁଥିବା ସ୍ଥାନରେ ହାତରେ ଖୋଳାଖୋଳି ଆରମ୍ଭ କରିଥିଲେ।ପ୍ରାୟ ଦୁଇ ଘଣ୍ଟାର ଉଦ୍ୟମ ପରେ ମନୀଷାଙ୍କୁ ଜୀବନ୍ତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଉଦ୍ଧାର ସମୟରେ ସେ ଅତ୍ୟନ୍ତ ଦୁର୍ବଳ ଥିଲେ। ଖରାପ ପାଗ ଯୋଗୁଁ ତୁରନ୍ତ ହେଲିକପ୍ଟରରେ ସ୍ଥାନାନ୍ତର କରିବା ସମ୍ଭବ ହୋଇନଥିଲା। ପରେ ତାଙ୍କୁ ଉଦ୍ଧାର ଶିବିରକୁ ନିଆଯାଇ ସେଠାରେ ପାଣି ଓ ପେଜ ଦିଆଯାଇଥିଲା।ପରବର୍ତ୍ତୀ ସମୟରେ ମନୀଷାଙ୍କୁ ଆକାଶମାର୍ଗରେ କାଠମାଣ୍ଡୁର ଟିଚିଂ ହସ୍ପିଟାଲର ଶିଶୁ ଜରୁରୀକାଳୀନ ବିଭାଗକୁ ନିଆଯାଇଥିଲା। ଅଗଷ୍ଟ ୩୦ରେ ସେ ନିଜ ବାପା-ମାଆଙ୍କୁ ଭେଟିଥିଲେ। ହସ୍ପିଟାଲ ପକ୍ଷରୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ିଛି।ମନୀଷାଙ୍କ ମାଆଙ୍କ କହିବା ଅନୁଯାୟୀ, ଚେତା ଫେରିବା ପରେ ଝିଅ କହିଥିଲା ଯେ ବନ୍ୟା ତାଙ୍କୁ ଭସାଇ ନେଇଥିଲା ଏବଂ ସେ ତାଙ୍କ ‘ମମ୍ମି ଓ ବାବା’ଙ୍କୁ ଖୋଜୁଥିଲେ। ପରିବାରକୁ ଦେଖିବା ପରେ ମନୀଷା ପଚାରିଥିଲେ, “ତୁମେମାନେ କାହିଁକି ଆସି ମୋତେବଞ୍ଚାଇଲନି?”ମନୀଷାଙ୍କ ବାପା କହିଛନ୍ତି ଯେ, ସେ ଝିଅକୁ ଜଳଖିଆ ଦେଇ ବିଲକୁ ଯାଇଥିଲେ। ଏହାର କିଛି ସମୟ ମଧ୍ୟରେ ବନ୍ୟା ଆସି ଘରକୁ ଭସାଇ ନେଇଥିଲା। ସେ ଝିଅକୁ ବଞ୍ଚାଇବାକୁ ଦୌଡ଼ି ଆସିଥିଲେ, କିନ୍ତୁ ସେତେବେଳକୁ ଘର ଧ୍ୱଂସ ହୋଇସାରିଥିଲା। ପରେ ସେ ନିଜ ସ୍ତ୍ରୀଙ୍କୁ ଭେଟିଥିଲେ ଏବଂ ଦୁହେଁ ଝିଅକୁ ହରାଇଥିବା ଭାବି ଭାଙ୍ଗିପଡ଼ିଥିଲେ ଆଶ୍ଚର୍ଯ୍ୟଜନକ ଭାବେ ମନୀଷା ନିଜ ଘର ତଳୁ ନୁହେଁ, ଅନ୍ୟ ଦୁଇଟି କୋଠାର ଭଗ୍ନାବଶେଷ ତଳୁ ମିଳିଥିଲେ। ସେଠାରେ ସୃଷ୍ଟି ହୋଇଥିବା ଏକ ଖାଲି ସ୍ଥାନରେ ଫସି ରହିଥିବାରୁ ସେ ପ୍ରାୟ ୬୦ ଘଣ୍ଟା ଧରି ଜୀବିତ ରହିପାରିଥିବା କୁହାଯାଉଛି।ନେପାଳର ବନ୍ୟା ଓ ଭୂସ୍ଖଳନରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ମନୀଷାଙ୍କ ଜୀବନ୍ତ ଉଦ୍ଧାର ଘଟଣା ଉଦ୍ଧାରକାରୀ ଦଳ ଓ ପରିବାର ପାଇଁ ଏକ ବଡ଼ ଆଶ୍ୱସ୍ତିର କାରଣ ହୋଇଛି।
ସଞ୍ଜୀବ ବାରିକଙ୍କୁ ବଡ଼ ପଦୋନ୍ନତି, ହେଲେ ସୂଚନା ଓ ଲୋକସମ୍ପର୍କ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ
କେନ୍ଦୁଝର:୧/୯(ବ୍ୟୁରୋ ରିପୋର୍ଟ)କେନ୍ଦୁଝର ମାଟିର ପୁଅ ତଥା ଓଡ଼ିଶା ସୂଚନା ସେବା କ୍ୟାଡରର ଦକ୍ଷ ଅଧିକାରୀ ସଞ୍ଜୀବ ବାରିକ ସୂଚନା ଓ ଲୋକ ସମ୍ପର୍କ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ପଦବୀକୁ ପଦୋନ୍ନତି ପାଇଛନ୍ତି। ବର୍ତ୍ତମାନ ସେ ଓଡ଼ିଶାର ମାନ୍ୟବର ରାଜ୍ୟପାଳଙ୍କ ଲୋକସମ୍ପର୍କ ଅଧିକାରୀ ଭାବେ କାର୍ଯ୍ୟରତ ଅଛନ୍ତି। ଜଣେ ଦକ୍ଷ, ଅଭିଜ୍ଞ ଓ ଲୋକପ୍ରିୟ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଭାବେ ଶ୍ରୀ ବାରିକଙ୍କର ବିଶେଷ ପରିଚୟ ରହିଛି। ପୂର୍ବରୁ ସେ କେନ୍ଦୁଝର ଜିଲ୍ଲାରେ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଭାବେ ସଫଳତାର ସହ କାର୍ଯ୍ୟ କରିଥିଲେ। ପରବର୍ତ୍ତୀ ସମୟରେ ସେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଲୋକସମ୍ପର୍କ ଅଧିକାରୀ ଭାବେ ଦାୟିତ୍ୱ ତୁଲାଇଥିଲେ। ଏହାପରେ ଓଡ଼ିଶାର ମାନ୍ୟବର ରାଜ୍ୟପାଳଙ୍କ ପିଆରଓ ଭାବେ କାର୍ଯ୍ୟ କରି ସେ ନିଜର ଦକ୍ଷତା, କର୍ତ୍ତବ୍ୟନିଷ୍ଠା ଓ ଉତ୍ତମ ଯୋଗାଯୋଗ ଦକ୍ଷତା ପାଇଁ ବିଭିନ୍ନ ମହଲରେ ପ୍ରଶଂସିତ ହୋଇଛନ୍ତି। ସୂଚନା ଓ ଲୋକସମ୍ପର୍କ ବିଭାଗରେ ଅତିରିକ୍ତ ନିର୍ଦ୍ଦେଶକ ପଦବୀକୁ ପଦୋନ୍ନତି ପାଇବା ପରେ ଶ୍ରୀ ବାରିକଙ୍କୁ କେନ୍ଦୁଝର ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗର ଅଧିକାରୀ ମାନେ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି। କେନ୍ଦୁଝର ଲୋକସମ୍ପର୍କ ଅଧିକାରୀ ସାର୍ଥକ ରାୟ, ଆନନ୍ଦପୁର ଉପଖଣ୍ଡ ଲୋକସମ୍ପର୍କ ଅଧିକାରୀ ଦୀପାଳି ପ୍ରିୟଦର୍ଶିନୀ ନାୟକ ଏବଂ କେନ୍ଦୁଝର ଉପଖଣ୍ଡ ଲୋକସମ୍ପର୍କ ଅଧିକାରୀ ଜ୍ୟୋତିର୍ମୟୀ ନାଏକ ଶ୍ରୀ ବାରିକଙ୍କୁ ତାଙ୍କର ଏହି ପଦୋନ୍ନତି ପାଇଁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇବା ସହ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ ଓ ସଫଳ କାର୍ଯ୍ୟଜୀବନ କାମନା କରିଛନ୍ତି। ଶ୍ରୀ ବାରିକଙ୍କ ଏହି ପଦୋନ୍ନତିରେ କେନ୍ଦୁଝର ଜିଲ୍ଲାର ବିଭିନ୍ନ ମହଲରୁ ମଧ୍ୟ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି।
SC-ST ଛାତ୍ରଛାତ୍ରୀଙ୍କୁ ବଡ଼ ଆଶ୍ୱସ୍ତି: ମେଡିକାଲ ଓ ଇଞ୍ଜିନିୟରିଂ କଲେଜରେ ୬ ମାସ ଯାଏଁ ଫି ଛାଡ଼





