ଆଗାମୀ ୩ ବର୍ଷ ଖୋଲିବ ନାହିଁ ନୂଆ ମଦ ଦୋକାନ: ମୁଖ୍ୟମନ୍ତ୍ରୀ ମୋହନ ମାଝୀ
News Summary
ନଜର ଓଡ଼ିଶା | ଓଡ଼ିଶାର ତାଜା ଖବର ଓ ନ୍ୟୁଜ୍ ପୋର୍ଟାଲ୍
Published By:
Nazar Odisha Team |
ନଜର ଓଡ଼ିଶା | Nazar Odisha
ଭୁବନେଶ୍ୱର: ରାଜ୍ୟରେ ନିଶା ବିରୋଧରେ ଓଡ଼ିଶା ସରକାରଙ୍କ କଡ଼ା ଆଭିମୁଖ୍ୟ ଜାରି ରହିବ। ନୂତନ ଅବକାରୀ ନୀତି ଅନୁସାରେ ଆଗାମୀ ତିନି ବର୍ଷ ପର୍ଯ୍ୟନ୍ତ ରାଜ୍ୟରେ କୌଣସି ନୂଆ ମଦ ଦୋକାନ ଖୋଲାଯିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି।ସ୍ଥାନୀୟ ରେଳ ଅଡିଟୋରିଅମରେ କମିଶନରେଟ୍ ପୁଲିସ ପକ୍ଷରୁ ଆୟୋଜିତ ଜନସଚେତନତା କାର୍ଯ୍ୟକ୍ରମ ଜୀବନ ଜିନ୍ଦାବାଦ-୨.୦’ରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ରାଜ୍ୟରୁ ନିଶାକୁ ମୂଳପୋଛ କରିବା ପାଇଁ ଦୃଢ଼ ଆହ୍ୱାନ ଦେଇଛନ୍ତି।ମୁଖ୍ୟମନ୍ତ୍ରୀ କହିଛନ୍ତି, ନିଶା କେବଳ ଜଣେ ବ୍ୟକ୍ତିର ଜୀବନକୁ ପ୍ରଭାବିତ କରେ ନାହିଁ, ବରଂ ସମଗ୍ର ପରିବାର ଓ ସମାଜକୁ ମଧ୍ୟ ପ୍ରଭାବିତ କରିଥାଏ। ନିଶା ବିରୋଧରେ ରାଜ୍ୟ ସରକାରଙ୍କ ‘ଜିରୋ ଟଲରେନ୍ସ’ ନୀତି ଜାରି ରହିବ ବୋଲି ସେ ସ୍ପଷ୍ଟ କରିଛନ୍ତି।ସେ କହିଛନ୍ତି ଯେ, ମଦ୍ୟପାନ ଯୋଗୁଁ ଦେଶରେ ପ୍ରତିବର୍ଷ ପ୍ରାୟ ୨ ଲକ୍ଷ ୬୦ ହଜାରରୁ ୨ ଲକ୍ଷ ୮୦ ହଜାର ଲୋକଙ୍କ ମୃତ୍ୟୁ ହେଉଛି। ମଦ୍ୟପାନ କରି ଗାଡ଼ି ଚଳାଇବା ଯୋଗୁଁ ହେଉଥିବା ମୃତ୍ୟୁ ଘଟଣାରେ ଓଡ଼ିଶା ଦ୍ୱିତୀୟ ସ୍ଥାନରେ ରହିବା ଚିନ୍ତାଜନକ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଯୁବବର୍ଗଙ୍କୁ ନିଶାଠାରୁ ଦୂରେଇବା ଉପରେ ଗୁରୁତ୍ୱ
ଗତବର୍ଷ ଆରମ୍ଭ ହୋଇଥିବା ‘ଜୀବନ ଜିନ୍ଦାବାଦ’ ଅଭିଯାନ ଆତ୍ମହତ୍ୟା ପ୍ରବୃତ୍ତି ରୋକିବାରେ ସଫଳ ହୋଇଥିବାବେଳେ, ‘ଜୀବନ ଜିନ୍ଦାବାଦ-୨.୦’ ମାଧ୍ୟମରେ ଯୁବବର୍ଗଙ୍କୁ ନିଶାଠାରୁ ଦୂରେଇ ଶିକ୍ଷା, କ୍ରୀଡ଼ା ଓ ସୃଜନଶୀଳ କାର୍ଯ୍ୟ ପ୍ରତି ଆକୃଷ୍ଟ କରିବାକୁ ପ୍ରୟାସ କରାଯାଉଛି।ଏହାସହ ଚୋରା ଓ ବିଷାକ୍ତ ମଦ କାରବାର ପାଇଁ ସ୍ଥାନୀୟ ପ୍ରଶାସନକୁ ଉତ୍ତରଦାୟୀ କରାଯାଇଛି। ତମାଖୁ ଓ ନିକୋଟିନ୍ଯୁକ୍ତ ପାନମସଲା ଏବଂ ଗୁଟ୍ଖାର ଉତ୍ପାଦନ ଓ ବିକ୍ରୟ ଉପରେ କଡ଼ା ପଦକ୍ଷେପ ନିଆଯିବା ସହ ସ୍କୁଲ ଓ କଲେଜ କ୍ୟାମ୍ପସକୁ ‘ନିଶା ନିଷିଦ୍ଧ’ ଅଞ୍ଚଳ ଭାବେ ଘୋଷଣା କରାଯାଇଛି।
୨୦୨୯ ସୁଦ୍ଧା ନିଶାମୁକ୍ତ ଭାରତ ଲକ୍ଷ୍ୟ
୨୦୨୯ ଶେଷ ସୁଦ୍ଧା ଭାରତକୁ ସମ୍ପୂର୍ଣ୍ଣ ନିଶାମୁକ୍ତ କରିବା ଲକ୍ଷ୍ୟକୁ ସାକାର କରିବା ଦିଗରେ ଓଡ଼ିଶା ସରକାର ପ୍ରତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।କାର୍ଯ୍ୟକ୍ରମ ଅବସରରେ କମିଶନରେଟ୍ ପୁଲିସର ‘ନିଶାମୁକ୍ତ ଭାରତ’ ସମ୍ବନ୍ଧୀୟ ଏକ ସ୍ୱତନ୍ତ୍ର ୱେବସାଇଟ୍ର ଶୁଭାରମ୍ଭ କରାଯାଇଥିଲା। ଏଥିସହ ରାଜ୍ୟର ପ୍ରତିଷ୍ଠିତ କଳାକାରମାନଙ୍କ ପକ୍ଷରୁ ‘ଜୀବନ ଜିନ୍ଦାବାଦ’, ‘ନିଶାମୁକ୍ତ ଯୁବସମାଜ ବିକଶିତ ଭାରତ’ ଏବଂ ସଚେତନତାମୂଳକ ନାଟକ ‘ଭୂତ ମଣିଷର ନିଶାକୁ ନା’ ପରିବେଷଣ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ପୁଲିସ ମହାନିର୍ଦ୍ଦେଶକ ବିନୟତୋଷ ମିଶ୍ର, ପୋଲିସ କମିଶନର ସୁରେଶ ଦେବଦତ୍ତ ସିଂହଙ୍କ ସମେତ ବରିଷ୍ଠ ପୁଲିସ ଅଧିକାରୀ, ବିଶିଷ୍ଟ ଅତିଥି, ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଓ ଯୁବବର୍ଗ ଉପସ୍ଥିତ ଥିଲେ।
ସୁନ୍ଦର ଓଡ଼ିଶା • ସମୃଦ୍ଧ ଓଡ଼ିଶା
Subscribe to:
Post Comments (Atom)
Latest News
ନଜର ଓଡ଼ିଶା (Nazar Odisha) ହେଉଛି ଓଡ଼ିଶାର ତାଜା ଖବର, ଜିଲ୍ଲା ଖବର, ରାଜ୍ୟ ଖବର, ଦେଶ-ବିଦେଶ, ରାଜନୀତି, ଶିକ୍ଷା, ନିଯୁକ୍ତି, କ୍ରୀଡ଼ା ଓ ସାମାଜିକ ଖବରର ନ୍ୟୁଜ୍ ପୋର୍ଟାଲ୍।