କେବିସିରେ ଚମକିଲେ ଓଡ଼ିଆ ଝିଅ ସୋନାଲି, ଅମିତାଭଙ୍କ ପ୍ରଶ୍ନର ସାମ୍ନା କରି ଜିତିଲେ ୧୨.୫ ଲକ୍ଷ
News Summary
ମୟୂରଭଞ୍ଜ ଖୁଣ୍ଟାର ଓଡ଼ିଆ ଝିଅ ସୋନାଲି ଶେଷାଦ୍ରୀ କେବିସିରେ ହଟ୍ସିଟ୍ରେ ବସି ୧୨ଟି ପ୍ରଶ୍ନର ସଠିକ୍ ଉତ୍ତର ଦେଇ ୧୨.୫ ଲକ୍ଷ ଟଙ୍କା ଜିତିଛନ୍ତି।
Published By:
Nazar Odisha Team |
ନଜର ଓଡ଼ିଶା | Nazar Odisha
ମୟୂରଭଞ୍ଜ/ଖୁଣ୍ଟା: ଲୋକପ୍ରିୟ ଟେଲିଭିଜନ ରିଆଲିଟି ଶୋ’ କୌନ ବନେଗା କରୋଡପତି’ (KBC)ରେ ଚମକିଛନ୍ତି ମୟୂରଭଞ୍ଜ ଜିଲା ଖୁଣ୍ଟା ଅଞ୍ଚଳର ଓଡ଼ିଆ ଝିଅ ସୋନାଲି ଶେଷାଦ୍ରୀ। ବିଗ୍ ବି ଅମିତାଭ ବଚ୍ଚନଙ୍କ ସହ ହଟ୍ସିଟରେ ବସିବା ସହ ୧୨ଟି ପ୍ରଶ୍ନର ସଠିକ୍ ଉତ୍ତର ଦେଇ ସୋନାଲି ୧୨.୫ ଲକ୍ଷ ଟଙ୍କା ଜିତିଛନ୍ତି।ଡାକ ବିଭାଗରେ କାର୍ଯ୍ୟରତ ସୋନାଲି ନିଜର ଅଦମ୍ୟ ଇଚ୍ଛାଶକ୍ତି, ପରିଶ୍ରମ ଓ ଧୈର୍ଯ୍ୟ ବଳରେ କେବିସିରେ ଭାଗ ନେବାର ସୁଯୋଗ ପାଇଥିଲେ। ତାଙ୍କର ଏହି ସଫଳତା କେବଳ ମୟୂରଭଞ୍ଜ ନୁହେଁ, ସମଗ୍ର ଓଡ଼ିଶା ପାଇଁ ଗୌରବର ବିଷୟ ପାଲଟିଛି।ସୂଚନା ଅନୁସାରେ, ସୋନାଲି ଗତ ଜାନୁଆରୀରେ କେବିସିରେ ଭାଗ ନେବା ପାଇଁ ନାମ ପଞ୍ଜିକରଣ କରିଥିଲେ। ମାର୍ଚ୍ଚରେ ସେ କ୍ୱାଲିଫାଏ କରିଥିବା ବେଳେ ଜୁନ୍ରେ କଲକାତାରେ ଅଡିସନ୍ ଦେଇ ମନୋନୀତ ହୋଇଥିଲେ। ପରେ ‘ଫାଷ୍ଟେଷ୍ଟ ଫିଙ୍ଗର ଫାଷ୍ଟ’ ରାଉଣ୍ଡରେ ଭଲ ପ୍ରଦର୍ଶନ କରି ସେ ଶେଷରେ ହଟ୍ସିଟ୍ରେ ବସିବାର ଗୌରବ ହାସଲ କରିଥିଲେ।ହଟ୍ସିଟ୍ରେ ବସିବା ପରେ ଅମିତାଭ ବଚ୍ଚନ ସୋନାଲିଙ୍କୁ ମୋଟ ୧୬ଟି ପ୍ରଶ୍ନ ପଚାରିଥିଲେ। ସେଥିମଧ୍ୟରୁ ସୋନାଲି ୧୨ଟି ପ୍ରଶ୍ନର ସଠିକ୍ ଉତ୍ତର ଦେଇଥିଲେ। ପରେ ସେ ପ୍ରତିଯୋଗିତାରୁ ଓହରି ଯାଇ ୧୨.୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଜିତିଥିଲେ।ସୋନାଲି ହେଉଛନ୍ତି ସୁଶାନ୍ତ ଦଳେଇ ଓ ରୀନା ଦଳେଇଙ୍କ ଏକମାତ୍ର ସନ୍ତାନ। ଝିଅର ଏହି ସଫଳତାରେ ବାପା-ମାଆ ବେଶ୍ ଖୁସି ଅଛନ୍ତି। ଜୀବନରେ ଅନେକ ଘାତ-ପ୍ରତିଘାତ ଦେଇ ଆଗକୁ ବଢ଼ିଥିବା ସୋନାଲିଙ୍କ ସଫଳତା ପଛରେ ପରିବାରର ସମର୍ଥନ ମଧ୍ୟ ରହିଛି।ସମ୍ପ୍ରତି ସୋନାଲି ଖୁଣ୍ଟା ବ୍ଲକ୍ ବାସିପିଠାସ୍ଥିତ ଡାକଘରରେ ଜିଡିଏସ୍ (GDS) ଭାବେ କାର୍ଯ୍ୟରତ ଅଛନ୍ତି। ଚାକିରି ସମୟ ପରେ ସେ କେବିସିରେ ପଚରାଯାଉଥିବା ପ୍ରଶ୍ନ ଓ ଉତ୍ତର ଅଧ୍ୟୟନ କରିବା ସହ ନିଜକୁ ମାନସିକ ଭାବେ ପ୍ରସ୍ତୁତ କରୁଥିଲେ। ଏଥିପାଇଁ ପରିବାର ତାଙ୍କୁ ପରଦା ପଛରେ ରହି ପୂର୍ଣ୍ଣ ସହଯୋଗ କରିଥିବା ସୋନାଲି କହିଛନ୍ତି।ଅମିତାଭ ବଚ୍ଚନଙ୍କ ସହ ସାକ୍ଷାତ୍ ବର୍ତ୍ତାଳାପ କରିବା, ନିଜ ଓ ପରିବାରର ସୁଖଦୁଃଖ ବାଣ୍ଟିବା ତାଙ୍କ ଜୀବନର ଏକ ଅଭୁଲା ମୁହୂର୍ତ୍ତ ବୋଲି ସୋନାଲି କହିଛନ୍ତି। ଜାତୀୟ ଟେଲିଭିଜନରେ ଆସିବା ସହ କେବିସିରୁ ୧୨.୫ ଲକ୍ଷ ଟଙ୍କା ଜିତିବାର ଖୁସି ତାଙ୍କ ପାଇଁ ବର୍ଣ୍ଣନାତୀତ।
ସୁନ୍ଦର ଓଡ଼ିଶା • ସମୃଦ୍ଧ ଓଡ଼ିଶା
Subscribe to:
Post Comments (Atom)
Latest News
ନଜର ଓଡ଼ିଶା (Nazar Odisha) ହେଉଛି ଓଡ଼ିଶାର ତାଜା ଖବର, ଜିଲ୍ଲା ଖବର, ରାଜ୍ୟ ଖବର, ଦେଶ-ବିଦେଶ, ରାଜନୀତି, ଶିକ୍ଷା, ନିଯୁକ୍ତି, କ୍ରୀଡ଼ା ଓ ସାମାଜିକ ଖବରର ନ୍ୟୁଜ୍ ପୋର୍ଟାଲ୍।