ପାଟଣା: ୨୩/୧୦ – ପୂର୍ବତନ ପାଟଣା ବିଧାୟକ କାହ୍ନୁଚରଣ ନାଏକଙ୍କ ୭୭ ବର୍ଷ ବୟସରେ ପରଲୋକ ଘଟିଛି। ଗୁରୁବାର ରାତି ୮ଟା ପରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିବା ସୂଚନା ମିଳିଛି। ତାଙ୍କ ବିୟୋଗରେ କେନ୍ଦୁଝର ଜିଲ୍ଲା ସମେତ ପାଟଣା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।କାହ୍ନୁଚରଣ ନାଏକ ଦୀର୍ଘ କିଛି ମାସ ଧରି ଅସୁସ୍ଥ ଥିଲେ। ଭୁବନେଶ୍ୱରର ଏକ ଚିକିତ୍ସାଳୟରେ ଚିକିତ୍ସାଧୀନ ରହିବା ପରେ ନିକଟରେ ତାଙ୍କୁ ଘରକୁ ଫେରାଇ ଅଣାଯାଇଥିଲା। ଚିକିତ୍ସାରେ ଆଶାନୁରୂପ ଉନ୍ନତି ନ ହେବାରୁ ସେ ନିଜ ପୁଅଙ୍କ ପାଖରେ କେନ୍ଦୁଝରରେ ରହୁଥିଲେ।
୧୯୯୦ରୁ ୧୯୯୫ ଯାଏଁ ଥିଲେ ପାଟଣା ବିଧାୟକ
ସ୍ୱର୍ଗତ କାହ୍ନୁଚରଣ ନାଏକ ୧୯୯୦ରୁ ୧୯୯୫ ପର୍ଯ୍ୟନ୍ତ ପାଟଣା ନିର୍ବାଚନମଣ୍ଡଳୀର ବିଧାୟକ ଭାବେ ଦାୟିତ୍ୱ ତୁଲାଇଥିଲେ। ପରବର୍ତ୍ତୀ ସମୟରେ ମଧ୍ୟ ସେ ସକ୍ରିୟ ରାଜନୀତିରେ ରହିଥିଲେ। ତାଙ୍କ ପତ୍ନୀ ଲକ୍ଷ୍ମୀପ୍ରିୟା ନାଏକ ପାଟଣା ବ୍ଲକ ଅଧ୍ୟକ୍ଷା ଭାବେ ଦାୟିତ୍ୱ ତୁଲାଇଥିବା ବେଳେ ସାନପୁଅ ଜଗନ୍ନାଥ ନାଏକ ବିଜୁ ଜନତା ଦଳର ପ୍ରାର୍ଥୀ ଭାବେ ପାଟଣାରୁ ବିଧାୟକ ନିର୍ବାଚିତ ହୋଇଥିଲେ।ପାଟଣା ବ୍ଲକ ଅନ୍ତର୍ଗତ ଭଗପଶି ଗ୍ରାମର ବାସିନ୍ଦା କାହ୍ନୁଚରଣ ନାଏକଙ୍କ ବିୟୋଗ ଖବର ପ୍ରଚାର ହେବା ପରେ ରାଜନୈତିକ ମହଲ ଓ ଅଞ୍ଚଳବାସୀଙ୍କ ମଧ୍ୟରେ ଶୋକ ପ୍ରକାଶ ପାଇଛି।
ବିଭିନ୍ନ ମହଲରୁ ଶୋକ ପ୍ରକାଶ
ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦୁଝର ସାଂସଦ ଅନନ୍ତ ନାୟକ, ପୂର୍ବତନ ସାଂସଦ ମାଧବ ସର୍ଦ୍ଦାର, ଜିଲ୍ଲା ବିଜେଡି ସଭାପତି ଆଶିଷ ଚକ୍ରବର୍ତ୍ତୀ, ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ, ପୂର୍ବତନ ମନ୍ତ୍ରୀ ତଥା ଘଷିପୁରା ବିଧାୟକ ବଦ୍ରୀ ନାରାୟଣ ପାତ୍ର, ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ, ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ ଓ ତେଲକୋଇ ବିଧାୟକ ଡାକ୍ତର ଫକୀର ମୋହନ ନାଏକଙ୍କ ସମେତ ବହୁ ରାଜନେତା ଓ ବିଶିଷ୍ଟ ବ୍ୟକ୍ତି ଗଭୀର ଶୋକ ପ୍ରକାଶ କରିଛନ୍ତି।ଏଥିସହ ପାଟଣା ବ୍ଲକ ବିଜେଡି ସଭାପତି ମାଧବାନନ୍ଦ ପୃଷ୍ଟି, ସାହାରପଡ଼ା ବ୍ଲକ ବିଜେଡି ସଭାପତି ଦିଲ୍ଲୀପ କୁମାର ସାହୁ, ପୂର୍ବତନ ପାଟଣା ବ୍ଲକ ଅଧ୍ୟକ୍ଷା ସୁକାନ୍ତି ନାଏକ, ପୂର୍ବତନ ବିଧାୟକ ହୃଷୀକେଶ ନାଏକ, କଂଗ୍ରେସ ନେତା ଇଞ୍ଜିନିୟର ବିନୋଦ ବିହାରୀ ନାଏକ, ପାଟଣା ବ୍ଲକ ଅଧ୍ୟକ୍ଷା ବୀଣାପାଣି ନାଏକ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ବିଶ୍ୱନାଥ ନାଏକ, ଝୁମ୍ପୁରା ବ୍ଲକ ବିଜେଡି ସଭାପତି ଡମ୍ବରୁଧର ଓ ଚମ୍ପୁଆ ବ୍ଲକ ବିଜେଡି ସଭାପତି ଚୂଡ଼ାମଣି ମହାନ୍ତ ପ୍ରମୁଖ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି।
ଶୁକ୍ରବାର ଭଗପଶିରେ ହେବ ଅନ୍ତିମ ସଂସ୍କାର
ମୃତ୍ୟୁଶଯ୍ୟା ନିକଟରେ ତାଙ୍କ ତିନି ପୁଅ ଲୋକନାଥ, ସତ୍ୟବ୍ରତ ଓ ଜଗନ୍ନାଥ, ଝିଅ ଝରଣା ଏବଂ ପୁତୁରା ଜ୍ୟୋତିରଞ୍ଜନ ସିଂହଙ୍କ ସମେତ ପରିବାରବର୍ଗ ଉପସ୍ଥିତ ଥିଲେ। ଶୁକ୍ରବାର ତାଙ୍କ ଜନ୍ମଗ୍ରାମ ଭଗପଶିରେ ଅନ୍ତିମ ସଂସ୍କାର କରାଯିବ ବୋଲି ସୂଚନା ମିଳିଛି।
କାହ୍ନୁଚରଣ ନାଏକଙ୍କ ବିୟୋଗରେ ରାଜନୈତିକ ଓ ସାମାଜିକ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି।