ନଜର ଓଡ଼ିଶା — ଓଡ଼ିଶାର ପ୍ରତିଟି ଖବର ଉପରେ ନଜର

ନଜର ଓଡ଼ିଶା

Nazar Odisha

🚨 BREAKING NEWS ସଦ୍ୟତମ ଖବର ଲୋଡ୍ ହେଉଛି...

Showing posts with label କେନ୍ଦୁଝର. Show all posts
Showing posts with label କେନ୍ଦୁଝର. Show all posts

ଡାବରଚୁଆ ପର୍ଯ୍ୟଟନ ସ୍ଥଳୀ ପାଇଁ ପଲ୍ଲିସଭା: ୫ କୋଟି ୯୯ ଲକ୍ଷ ଟଙ୍କାରେ ହେବ ବିକାଶ

ପାଟଣା:୧୧/୯,କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଖିରେଇଟାଙ୍ଗିରୀ ପଞ୍ଚାୟତ ଅନ୍ତର୍ଗତ ଡାବରଚୁଆ ପର୍ଯ୍ୟଟନ ସ୍ଥଳୀର ବିକାଶ ପାଇଁ ଶୁକ୍ରବାର ଗ୍ରାମର ବଡାମଶାଳରେ ପଲ୍ଲିସଭା ଅନୁଷ୍ଠିତ ହୋଇଯାଇଛି। ଲୋକନାଥ ନାଏକଙ୍କସଭାପତିତ୍ୱରେଆୟୋଜିତ
ଏହି ପଲ୍ଲିସଭାରେ ଗ୍ରାମବାସୀଙ୍କ ମତାମତ ଗ୍ରହଣ କରାଯାଇଥିଲା।ପଲ୍ଲିସଭାରେ ଖିରେଇଟାଙ୍ଗିରୀ ସରପଞ୍ଚ ସଞ୍ଜୁଲତା ନାଏକ, ପୂର୍ବତନ ବିଜେପି ଜିଲ୍ଲା ସଭାପତି ରାଧାକାନ୍ତ ମହାନ୍ତ, ବନପାଳ ପୂର୍ଣ୍ଣଚନ୍ଦ୍ର ମହାନ୍ତ, ବନ ସଂରକ୍ଷଣ ଅଧିକାରୀ ଦୟାନିଧି ମହାନ୍ତ, ଜିପିଡିଓ ଅଭୟ ଦେହୁରୀ, ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ସିପ୍ରାରାଣୀ ମହାନ୍ତ, କମଳ ଲୋଚନ ମହାନ୍ତ, ପିଇଓ ଅକ୍ଷୟ କୁମାର ସାହୁ, ଏଡିଇଓ ପୁରୁଷୋତ୍ତମ ମହାନ୍ତ ଏବଂ ୱସ୍କା ପକ୍ଷରୁ ମିତ୍ରଭାନୁ ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ।ପର୍ଯ୍ୟଟନର ବିକାଶ ସହ ‘ବିକଶିତ ଓଡ଼ିଶା’ ଲକ୍ଷ୍ୟକୁ ଆଗେଇ ନେବା ଉଦ୍ଦେଶ୍ୟରେ ଡାବରଚୁଆ ବନ୍ଧର ୭ ଏକର ୨୦ ଡେସିମିଲ ଜମି ମଧ୍ୟରୁ ୧ ଏକର ୨୦ ଡେସିମିଲ ଜମିରେ ପର୍ଯ୍ୟଟନ ସ୍ଥଳୀ ବିକଶିତ କରାଯିବ। ଉକ୍ତ ଜମି ଜଙ୍ଗଲ ଜମି ହୋଇଥିବାରୁ ଏହାର କିସମ ପରିବର୍ତ୍ତନ ପାଇଁ ପଲ୍ଲିସଭା ଆୟୋଜନ କରି ଗ୍ରାମବାସୀଙ୍କ ମତାମତ ନିଆଯାଇଥିଲା।ପଲ୍ଲିସଭାରେ ଉପସ୍ଥିତ ଗ୍ରାମବାସୀ ଡାବରଚୁଆରେ ପର୍ଯ୍ୟଟନ କେନ୍ଦ୍ର ନିର୍ମାଣକୁ ସ୍ୱାଗତ କରିଥିଲେ। ଜମିର କିସମ ପରିବର୍ତ୍ତନ ପରେ ପର୍ଯ୍ୟଟନ ସ୍ଥଳୀର ବିକାଶ କାର୍ଯ୍ୟ ଆରମ୍ଭ ହେବ ବୋଲି ଜଣାପଡ଼ିଛି।ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ପକ୍ଷରୁ ଡାବରଚୁଆ ପର୍ଯ୍ୟଟନ କେନ୍ଦ୍ର ପାଇଁ ୫ କୋଟି ୯୯ ଲକ୍ଷ ୩ ହଜାର ଟଙ୍କା ମଞ୍ଜୁର ହୋଇଛି। ଏହି ଅର୍ଥରେ ପର୍ଯ୍ୟଟନ ସ୍ଥଳୀକୁ ରାସ୍ତା ନିର୍ମାଣ, ବିଶ୍ରାମାଗାର, ପାନୀୟ ଜଳ ବ୍ୟବସ୍ଥା, ବିଦ୍ୟୁତ ସଂଯୋଗ ଏବଂ ଶୌଚାଳୟ ଭଳି ବିଭିନ୍ନ ମୌଳିକ ସୁବିଧାର ବିକାଶ କରାଯିବ।ଏଥିସହ ଡାବରଚୁଆ ଗ୍ରାମକୁ ମୁଖ୍ୟମନ୍ତ୍ରୀ ବସ୍ ସେବା ଯୋଗାଇଦେବା, ‘ଆମ ବସ୍’ ଯୋଜନାରେ କେନ୍ଦୁଝରରୁ ତୁରୁମୁଙ୍ଗା ପର୍ଯ୍ୟନ୍ତ ବସ୍ ଚଳାଚଳ କରାଯିବା ଏବଂ ଗ୍ରାମରେ ସୋଲାର ନଳକୂପ ସ୍ଥାପନ ପାଇଁ ପଲ୍ଲିସଭାରେ ପ୍ରଶାସନ ନିକଟରେ ଦାବି କରାଯାଇଥିଲା।
ଡାବରଚୁଆରେ ପର୍ଯ୍ୟଟନ କେନ୍ଦ୍ର ବିକଶିତ ହେଲେ ଅଞ୍ଚଳକୁ ଅଧିକ ପର୍ଯ୍ୟଟକଙ୍କ ଆଗମନ ହେବା ସହ ସ୍ଥାନୀୟ ଅଞ୍ଚଳର ଆର୍ଥିକ ଓ ସାମଗ୍ରିକ ବିକାଶ ତ୍ୱରାନ୍ୱିତ ହେବ ବୋଲି ପଲ୍ଲିସଭାରେ ମତ ପ୍ରକାଶ ପାଇଥିଲା।ଡାବରଚୁଆ ପର୍ଯ୍ୟଟନ ସ୍ଥଳୀ ପାଇଁ ସହଯୋଗ ଓ ପଦକ୍ଷେପ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏବଂ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କୁ ସ୍ଥାନୀୟ ଲୋକେ ଧନ୍ୟବାଦ ଜଣାଇଥିଲେ।

ନିଶା ନିବାରଣ ନେଇ ଘଟଗାଁ ଏମ୍‌ଇ ସ୍କୁଲ୍‌ର ସଚେତନତା ଶୋଭାଯାତ୍ରା

ଘଟଗାଁ, ୧୦/୯: ଘଟଗାଁ ଏମ୍‌ଇ ସ୍କୁଲ୍‌ ପକ୍ଷରୁ ନିଶା ନିବାରଣ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନଶିକ୍ଷକ ରୋହିତ କୁମାର ବେହେରାଙ୍କ ନେତୃତ୍ୱରେ ଏକ ବିରାଟ ସଚେତନତା ଶୋଭାଯାତ୍ରା ଆୟୋଜିତ ହୋଇଥିଲା। ଛାତ୍ରଛାତ୍ରୀମାନେ ପ୍ଲାକାର୍ଡ ଧରି ନିଶା ନିବାରଣ ସମ୍ପର୍କିତ ବିଭିନ୍ନ ସ୍ଲୋଗାନ ଦେଇ ଲୋକଙ୍କୁ ସଚେତନ କରିଥିଲେ।ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ପଥପ୍ରାନ୍ତ ନାଟକ ମାଧ୍ୟମରେ ନିଶା ସେବନର କୁପରିଣାମ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା। ଘଟଗାଁ ବିଇଓ ହରେକୃଷ୍ଣ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଉଦ୍‌ଘାଟନ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ଏବିଇଓ ସଞ୍ଜୟ ପଲେଇ, ସିଆର୍‌ସିସି କମଳାକାନ୍ତ ପଣ୍ଡା, ନବକୃଷ୍ଣ ରାଉତ, ଘଟଗାଁ ବ୍ଲକ ଏଲିମେଣ୍ଟାରୀ ଶିକ୍ଷକ ସଂଘର ଉପସଭାପତି ସିମନ ସ୍ମିତା ପୃଷ୍ଟି ପ୍ରମୁଖ ସମ୍ମାନନୀୟ ଅତିଥି ଭାବେ ଯୋଗଦେଇଥିଲେ।ପଥପ୍ରାନ୍ତ ନାଟକ ଅବସରରେ ଘଟଗାଁର ବରିଷ୍ଠ ନାଗରିକ ପ୍ରମୋଦ ଦେହୁରୀ, ଅଲି ଅହମଦ, ଅବସରପ୍ରାପ୍ତ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ମହାନ୍ତି ଓ ବିଶିଷ୍ଟ ସମାଜସେବୀ ପଦ୍ମଲୋଚନ ବଳ ଉପସ୍ଥିତ ରହି ନିଶା ନିବାରଣ ଉପରେ ମୂଲ୍ୟବାନ ବାର୍ତ୍ତା ପ୍ରଦାନ କରିଥିଲେ।ଘଟଗାଁ ଥାନା ଅଧିକାରୀ ସୁଭ୍ରାନ୍ତ କୁମାର ଜେନା ମଧ୍ୟ କାର୍ଯ୍ୟକ୍ରମରେ ସାମିଲ ହୋଇ ଛାତ୍ରଛାତ୍ରୀ ଓ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଇଥିଲେ। ସେହିପରି ଘଟଗାଁ ବିଇଓଙ୍କ କାର୍ଯ୍ୟାଳୟରେ ବରିଷ୍ଠ ଅନୁଭାଗ ଅଧିକାରୀ ଧୀରେନ କୁମାର ବେଜ୍‌ ଓ ଅମର କୁମାର ପାତ୍ର ଉପସ୍ଥିତ ରହି ରାଲିକୁ ସମ୍ବୋଧିତ କରିଥିଲେ।କାର୍ଯ୍ୟକ୍ରମକୁ ସହକାରୀ ଶିକ୍ଷକ ମାଗୁଣି ଚରଣ ମାଝୀ, ସଞ୍ଜୀବ ସାହୁ, ଶୁଭକାନ୍ତ ସେଠୀ, ଶିକ୍ଷୟିତ୍ରୀ ମାଳତୀ କୁମାରୀ ନାଥ ଶର୍ମା, ଭାରତୀ ମହାନ୍ତି, ରଶ୍ମିତା ମହାନ୍ତ ଓ ଗୋଷ୍ଠୀ ଶିକ୍ଷକ ଭରତ ମହାପାତ୍ର ପ୍ରମୁଖ ପରିଚାଳନା କରିଥିଲେ। ଛାତ୍ରୀ ଜାଗୃତି ଭଞ୍ଜ, ରିଙ୍କି ଦାସ ଓ ତିଥି ପ୍ରଜ୍ଞା ସିଂ ପ୍ରମୁଖ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।

ରାତି ପେଟ୍ରୋଲିଂ ବେଳେ ବୋଲେରୋ ଜବତ, ଛେଳି ଚୋରିରେ ବ୍ୟବହୃତ ସାମଗ୍ରୀ ମିଳିଲା

ପାଟଣା: ୧୧/୯: ଗତରାତି ପାଟଣା ବନ ବିଭାଗ ପକ୍ଷରୁ ରାତ୍ରି ପେଟ୍ରୋଲିଂ ସମୟରେ କାଠ ଚାଲାଣ ସନ୍ଦେହରେ ଏକ ବୋଲେରୋ ଗାଡ଼ିକୁ ଅଟକ କରାଯାଇଥିଲା। ତେବେ ବନ ବିଭାଗ ଗାଡ଼ିକୁ ଅଟକାଇବା ପରେ ଡ୍ରାଇଭର ଗାଡ଼ି ଛାଡ଼ି ଦୌଡ଼ି ପଳାଇଥିବା ଜଣାପଡ଼ିଛି।ବନ ବିଭାଗ ପକ୍ଷରୁ ବୋଲେରୋଟିକୁ ତଲାସ କରାଯିବା ପରେ ଗାଡ଼ିରେ କୌଣସି କାଠ ନଥିବା ଦେଖିବାକୁ ମିଳିଥିଲା। ଏନେଇ ତୁରନ୍ତ ପାଟଣା ଥାନା ଅଧିକାରୀ କିରଣ ପ୍ରସାଦ ସାହୁଙ୍କୁ ସୂଚନା ଦିଆଯାଇଥିଲା।ସୂଚନା ପାଇ ପାଟଣା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ବୋଲେରୋଟିକୁ ପୁନର୍ବାର ତଲାସ କରିଥିଲା। ଏହି ସମୟରେ ଗାଡ଼ି ଭିତରୁ ଛେଳି ନେବା ପାଇଁ ବ୍ୟବହୃତ ନେଣ୍ଡି ସହ ଚୋରିରେ ବ୍ୟବହୃତ ହେଉଥିବା କିଛି ସାମଗ୍ରୀ ଜବତ କରାଯାଇଥିଲା।ପରେ ପାଟଣା ଥାନା ପୁଲିସ ବୋଲେରୋଟିକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଗାଡ଼ି ଛାଡ଼ି ପଳାଇଥିବା ଡ୍ରାଇଭରଙ୍କ ସମ୍ପର୍କରେ ମଧ୍ୟ ପୁଲିସ ତଦନ୍ତ ଜାରି ରଖିଛି। ବୋଲେରୋଟିକୁ ପାଟଣା ଥାନା ପରିସରକୁ ଅଣାଯାଇଥିବା ଜଣାପଡ଼ିଛି।

କେନ୍ଦେଇପଶି ଆଦର୍ଶ ବିଦ୍ୟାଳୟରେ ପ୍ରତିଷ୍ଠା ଦିବସ ‘ସ୍ପାର୍କ’ କାର୍ଯ୍ୟକ୍ରମ ପାଳିତ

ପାଟଣା: ୧୧/୯: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ କେନ୍ଦେଇପଶି ଆଦର୍ଶ ବିଦ୍ୟାଳୟ ପରିସରରେ ପ୍ରତିଷ୍ଠା ଦିବସ ‘ସ୍ପାର୍କ’ କାର୍ଯ୍ୟକ୍ରମ ଉତ୍ସାହ ଓ ଆନନ୍ଦର ସହ ପାଳିତ ହୋଇଯାଇଛି। ଏହି ଅବସରରେ ଶିକ୍ଷା ସହିତ ଛାତ୍ରଛାତ୍ରୀଙ୍କ ପ୍ରତିଭା ବିକାଶ ଓ ସୃଜନଶୀଳତା ଉପରେ ଗୁରୁତ୍ୱ ଦିଆଯାଇଥିଲା।ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ ଓ ଅଭିଭାବକଙ୍କ ଉପସ୍ଥିତିରେ ଆୟୋଜିତ ଏହି ଉତ୍ସବରେ ପାଟଣା ବ୍ଲକ ଅଧ୍ୟକ୍ଷା ବୀଣାପାଣି ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ କେନ୍ଦେଇପଶି ଡାକ୍ତର କ୍ରିସ ସାହୁ ଓ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କର ଶାଖା ପରିଚାଳକ ଦର୍ଶନ ସ୍ୱାଇଁ ଯୋଗଦେଇଥିଲେ।କାର୍ଯ୍ୟକ୍ରମରେ ବିଦ୍ୟାଳୟର ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ବେହେରା ସଭାପତିତ୍ୱ କରିଥିବା ବେଳେ ଚନ୍ଦ୍ରକାନ୍ତ ନାଏକ ମଞ୍ଚ ପରିଚାଳନା ଓ ସଂଯୋଜନା କରିଥିଲେ। ଏହି ଅବସରରେ ଛାତ୍ରଛାତ୍ରୀମାନେ ବିଭିନ୍ନ ସାଂସ୍କୃତିକ ଓ ସୃଜନଶୀଳ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।ଅତିଥିମାନେ ଛାତ୍ରଛାତ୍ରୀଙ୍କ ପ୍ରତିଭାର ପ୍ରଶଂସା କରିବା ସହ ନିଷ୍ଠାର ସହ ଅଧ୍ୟୟନ କରି ଭବିଷ୍ୟତରେ ଜଣେ ଜଣେ ସଫଳ ନାଗରିକ ହେବାକୁ ପରାମର୍ଶ ଦେଇଥିଲେ।କାର୍ଯ୍ୟକ୍ରମରେ ଶିକ୍ଷକ ପ୍ରିୟଦର୍ଶନ ସାହୁ, ରଶ୍ମିରେଖା ଦାଶ, ସ୍ୱାତୀ ସୁଚିତ୍ରା ମହାପାତ୍ର ଏବଂ ଶିକ୍ଷକ ସତ୍ୟାନନ୍ଦ ପାଣିଗ୍ରାହୀ, ଦିଲେଶ୍ୱର ନାଏକ, କୁନା ମହାକୁଡ଼ ଓ ଭଜମନ ନାଏକ ପ୍ରମୁଖ ସହଯୋଗ କରିଥିଲେ। ଶେଷରେ ଶିକ୍ଷକ ଅଜିତ କୁମାର ନାଏକ ଧନ୍ୟବାଦ ଅର୍ପଣ କରିଥିଲେ।

ସାହାରପଡ଼ା ବନପାଳଙ୍କ ପକ୍ଷରୁ ଚାରାରୋପଣ, ଏଫ୍.ଇ.ଏସ୍.ର ସହଯୋଗ

ପାଟଣା, ୧୧/୯: କେନ୍ଦୁଝର ଜିଲ୍ଲା ସାହାରପଡ଼ା ବନପାଳ ଅନ୍ତର୍ଗତ ଦାମାହୁଦା ପଞ୍ଚାୟତ ଅଞ୍ଚଳରେ ବ୍ୟାପକ ଚାରାରୋପଣ କାର୍ଯ୍ୟକ୍ରମ ହୋଇଛି। ଦାମାହୁଦା ଛକ ନିକଟରୁ ଗଜାପଥର, କୁଦାବେଡ଼ା ଦେଇ କେନ୍ଦୁଯୋଡ଼ା ପର୍ଯ୍ୟନ୍ତ ପ୍ରାୟ ୭ କିଲୋମିଟର ରାସ୍ତାର ଉଭୟ ପାର୍ଶ୍ୱରେ ବିଭିନ୍ନ ପ୍ରଜାତିର ଚାରା ରୋପଣ କରାଯାଇଛି।ରାସ୍ତାର ଉଭୟ ପାର୍ଶ୍ୱରେ କଦମ୍ବ, ଶିଶୁ, ଜାମୁ, କୃଷ୍ଣଚୂଡ଼ା, ଓଉ ଓ ଆମ୍ବ ଆଦି ଗଛର ଚାରା ରୋପଣ କରାଯାଇଛି। ପରିବେଶ ସୁରକ୍ଷା ସହିତ ରାସ୍ତା ପାର୍ଶ୍ୱର ସବୁଜିମା ବୃଦ୍ଧି କରିବା ଏହି ଚାରାରୋପଣର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଜଣାପଡ଼ିଛି।ସାହାରପଡ଼ା ବନପାଳ କାର୍ଯ୍ୟାଳୟର ବନରକ୍ଷୀ ଅଶ୍ୱିନୀ ସାହୁଙ୍କ ନେତୃତ୍ୱରେ ଏହି ଚାରାରୋପଣ କାର୍ଯ୍ୟ ଚାଲିଥିଲା। ଏଥିରେ ଏଫ୍.ଇ.ଏସ୍.ର କାର୍ଯ୍ୟରତ ଏମ୍.ଟି. ନିରଞ୍ଜନ ବିଶ୍ୱାଳ, ଏଫ୍.ଟି. ଅନାଦି ଚରଣ ମହାନ୍ତ ଓ ବିଜୟ କୁମାର କାରୁଆ ପ୍ରମୁଖ ସହଯୋଗ କରିଥିଲେ।ସାହାରପଡ଼ା ବନପାଳ କାର୍ଯ୍ୟାଳୟ ଓ ଏଫ୍.ଇ.ଏସ୍.ର ମିଳିତ ସହଯୋଗରେ ହୋଇଥିବା ଏହି ଚାରାରୋପଣ ଦ୍ୱାରା ଅଞ୍ଚଳର ପରିବେଶ ସୁରକ୍ଷା ଓ ସବୁଜିମା ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି।

କୃଷି ବିଭାଗ ପକ୍ଷରୁ ତୈଳବୀଜ ଚାଷ ଉପରେ ଦୁଇଦିନିଆ ପ୍ରଶିକ୍ଷଣ ଶିବିର

ପାଟଣା, ୧୦/୯: ପାଟଣା ବ୍ଲକ କୃଷି ବିଭାଗ ପକ୍ଷରୁ କାର୍ଯ୍ୟାଳୟ ସଭାଗୃହରେ ଜାତୀୟ ଖାଇବା ତୈଳ ମିଶନ ଅଧୀନରେ ଅନୁସୂଚିତ ଜାତି ବର୍ଗର ଚାଷୀମାନଙ୍କ ପାଇଁ ତୈଳବୀଜ ଚାଷ ଉପରେ ଦୁଇଦିନିଆ ପ୍ରଶିକ୍ଷଣ ଶିବିର ଆୟୋଜିତ ହେଉଛି। ଏହି ଶିବିରରେ ମୋଟ ୪୦ ଜଣ ଚାଷୀ ଅଂଶଗ୍ରହଣ କରିଛନ୍ତି।
ପ୍ରଶିକ୍ଷଣ ଶିବିରରେ ପାଟଣା ବ୍ଲକ କୃଷି ଅଧିକାରୀ ବର୍ଷା ବୈଶାଳୀ ଏବଂ ଘଟଗାଁ ବ୍ଲକ ସହକାରୀ କୃଷି ଅଧିକାରୀ ସୁବ୍ରତ କୁମାର ମଲ୍ଲିକ ପ୍ରମୁଖ ଚାଷୀମାନଙ୍କୁ ତୈଳବୀଜ ଚାଷ ସମ୍ପର୍କରେ ତାଲିମ ପ୍ରଦାନ କରୁଛନ୍ତି।ଧାନ ଚାଷ ପରେ ଅତିରିକ୍ତ ଜମିରେ ଲାଭଜନକ ତୈଳବୀଜ ଚାଷ କିପରି କରାଯାଇପାରିବ, ବୈଜ୍ଞାନିକ ପଦ୍ଧତିରେ ଚାଷ, ଉନ୍ନତମାନର ବିହନ ବ୍ୟବହାର ଓ ବିହନ ପ୍ରୋତ୍ସାହନ ସମେତ ବିଭିନ୍ନ କୃଷି ପ୍ରଣାଳୀ ବିଷୟରେ ଚାଷୀମାନଙ୍କୁ ସବିଶେଷ ତାଲିମ ଦିଆଯାଉଛି।ଏହି ପ୍ରଶିକ୍ଷଣ ମାଧ୍ୟମରେ ଚାଷୀମାନେ ତୈଳବୀଜ ଚାଷର ଆଧୁନିକ ପ୍ରଣାଳୀ ସମ୍ପର୍କରେ ଜ୍ଞାନ ହାସଲ କରିବା ସହ ଧାନ ଚାଷ ପରେ ଅତିରିକ୍ତ ଆୟର ସୁଯୋଗ ପାଇପାରିବେ ବୋଲି ଜଣାପଡ଼ିଛି।

ପାଟଣାରେ ପିକକ୍ ପକ୍ଷରୁ ଶିକ୍ଷକଙ୍କ ପ୍ରଶିକ୍ଷଣ ଶିବିର, ସମାବେଶୀ ଶିକ୍ଷା ଉପରେ ଗୁରୁତ୍ୱ

ପାଟଣା, ୧୦/୯: ସ୍ୱେଚ୍ଛାସେବୀ ଅନୁଷ୍ଠାନ ପିକକ୍ ପକ୍ଷରୁ କେନ୍ଦୁଝର ଜିଲ୍ଲାର ପାଟଣାସ୍ଥିତ କାର୍ଯ୍ୟାଳୟ ସଭାଗୃହରେ ଶିକ୍ଷକଙ୍କ ପାଇଁ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ୩୦ ଜଣ ଶିକ୍ଷକଙ୍କୁ ନେଇ ଆୟୋଜିତ ଏହି ପ୍ରଶିକ୍ଷଣରେ ସମାବେଶୀ ଶିକ୍ଷା ପଦ୍ଧତି ଓ ସକାରାତ୍ମକ ଶୃଙ୍ଖଳା ଉପରେ ତାଲିମ ପ୍ରଦାନ କରାଯାଇଥିଲା।ପ୍ରଶିକ୍ଷକ ଭାବେ ହରେକୃଷ୍ଣ ମହାନ୍ତ ସମାବେଶୀ ଶିକ୍ଷାର ଗୁରୁତ୍ୱ, ପ୍ରତ୍ୟେକ ଶିଶୁଙ୍କୁ ସମାନ ଶିକ୍ଷା ସୁଯୋଗ ପ୍ରଦାନ, ଭେଦଭାବ ଦୂରୀକରଣ, ଶିଶୁ-ଅନୁକୂଳ ଶିକ୍ଷା ପଦ୍ଧତି ଏବଂ ଶ୍ରେଣୀଗୃହରେ ସକାରାତ୍ମକ ପରିବେଶ ସୃଷ୍ଟି ସମ୍ପର୍କରେ ବିସ୍ତୃତ ତାଲିମ ଦେଇଥିଲେ।ଏଥିସହ ପ୍ରତ୍ୟେକ ଶିଶୁର ଦକ୍ଷତା ଓ ସମ୍ଭାବନାକୁ ଚିହ୍ନଟ କରିବା ସହ ସମସ୍ତ ଶିଶୁଙ୍କ ପାଇଁ ସମାନ ଓ ସୁରକ୍ଷିତ ଶିକ୍ଷା ପରିବେଶ ଗଠନ ଉପରେ ଗୁରୁତ୍ୱ ଦିଆଯାଇଥିଲା।ପ୍ରଶିକ୍ଷଣ ଶିବିରରେ ଶିକ୍ଷକମାନେ ସକ୍ରିୟ ଭାବେ ଅଂଶଗ୍ରହଣ କରି ତାଲିମ ଗ୍ରହଣ କରିବା ସହ ବିଭିନ୍ନ ଶିକ୍ଷା ସମ୍ପର୍କିତ ବିଷୟରେ ମତ ବିନିମୟ କରିଥିଲେ। ଏହି ପ୍ରଶିକ୍ଷଣ ସମାବେଶୀ ଓ ଗୁଣାତ୍ମକ ଶିକ୍ଷା ଦିଗରେ ଏକ ସକାରାତ୍ମକ ପଦକ୍ଷେପ ବୋଲି ଉପସ୍ଥିତ ଶିକ୍ଷକମାନେ ମତ ପ୍ରକାଶ କରିଥିଲେ।ପିକକର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଅନୁରାଧା ମହାନ୍ତି ଓ ସମ୍ପାଦକ ରଞ୍ଜନ କୁମାର ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ପିକକର ପୂଜା ପଣ୍ଡା, ସତ୍ୟନାରାୟଣ ମହାନ୍ତ, ମିଲନ ମାର୍ଶାଲ, ଲକ୍ଷ୍ମୀକାନ୍ତ ମହାନ୍ତ, ଦ୍ରୌପଦୀ ବେଜ, ମେଘମାଳା ମହାନ୍ତ, ସୁଚିତ୍ରା ମହାନ୍ତ ଏବଂ ନିରାଶ ମୁଣ୍ଡା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ଦେଶୀ ମହୁଲି ଭାଟିରେ ଗଣ୍ଡଗୋଳ: ଟାଙ୍ଗିଆରେ ୩ ଚୋଟ ହାଣି ଜଣଙ୍କୁ କଲେ ଗୁରୁତର

ପାଟଣା: ୧୦/୯,କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ଡୁମୁରିଆ ପଞ୍ଚାୟତର ତଣ୍ଡୋ ଗ୍ରାମ ଜାମୁନାଳିଆ ସାହିରେ ଥିବା ଏକ ଦେଶୀ ମହୁଲି ମଦ ଭାଟିରେ ଗଣ୍ଡଗୋଳ ଘଟି ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି।ସୂଚନା ଅନୁଯାୟୀ, ପୂତୁଲୁ ମୁଣ୍ଡାଙ୍କ ଦେଶୀ ମଦ ଭାଟିରେ ଆଜି ବିଳମ୍ବିତ ସନ୍ଧ୍ୟାରେ ମଦ ପିଇବାକୁ ଯାଇଥିବା ବେଳେ କୌଣସି କାରଣକୁ ନେଇ ଗଣ୍ଡଗୋଳ ଘଟିଥିଲା। ଏହି ସମୟରେ ନିଶାସକ୍ତ ଅବସ୍ଥାରେ ଥିବା ଜଣେ ବ୍ୟକ୍ତି ସାହିର ଅଯୋଧ୍ୟା ନାଏକ (୫୫)ଙ୍କୁ ଟାଙ୍ଗିଆରେ ୩ ଚୋଟ ହାଣିଥିବା ଅଭିଯୋଗ ହୋଇଛି।ଟାଙ୍ଗିଆ ଆକ୍ରମଣରେ ଅଯୋଧ୍ୟାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ସେ ଗୁରୁତର ହୋଇପଡ଼ିଥିଲେ। ପରେ ତାଙ୍କୁ ଗୁରୁତର ଅବସ୍ଥାରେ ପାଟଣା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।ଘଟଣା ସମ୍ପର୍କରେ ଖବର ପାଇ ଘଟଗାଁ ଥାନା ଏସ୍‌ଆଇ ପ୍ରଶାନ୍ତ ବେହେରା ଘଟଣାସ୍ଥଳ ଓ ଡାକ୍ତରଖାନାକୁ ଯାଇ ତଦନ୍ତ କରିଥିବା ସୂଚନା ମିଳିଛି। ଘଟଣାର ପ୍ରକୃତ କାରଣ ଓ ଆକ୍ରମଣକାରୀଙ୍କ ସମ୍ପର୍କରେ ପୁଲିସ ତଦନ୍ତ ଜାରି ରହିଛି।

ତେଣ୍ଡରାରେ ବିକାଶ କାର୍ଯ୍ୟର ସମୀକ୍ଷା, ଦିଗିପଶିରେ ଅସମ୍ପୂର୍ଣ୍ଣ ଆବାସ ଗୃହ ପରିଦର୍ଶନ

କେନ୍ଦୁଝର, ୧୦/୯: କେନ୍ଦୁଝର ଜିଲ୍ଲା ସାହାରପଡ଼ା ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମ ପଞ୍ଚାୟତରେ ଚାଲିଥିବା ଉନ୍ନୟନମୂଳକ କାର୍ଯ୍ୟ ଓ ଆବାସ ଯୋଜନାର ତଦାରଖ ଜୋରଦାର କରାଯାଇଛି। ବ୍ଲକ ପ୍ରଶାସନ ପକ୍ଷରୁ ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ଓ ଅସମ୍ପୂର୍ଣ୍ଣ ଆବାସ ଗୃହର ସ୍ଥିତି ସରଜମିନ ଅନୁଧ୍ୟାନ କରାଯାଇଛି।ଏହି ପରିପ୍ରେକ୍ଷୀରେ ସାହାରପଡ଼ା ବ୍ଲକ ଉନ୍ନୟନ ଅଧିକାରୀ ରଣଜିତ କୁମାର ମହାନ୍ତ ତେଣ୍ଡରା ଗ୍ରାମ ପଞ୍ଚାୟତ ପରିଦର୍ଶନ କରି ବିଭିନ୍ନ ବିକାଶମୂଳକ କାର୍ଯ୍ୟର ସରଜମିନ ସମୀକ୍ଷା କରିଛନ୍ତି। ଚାଲିଥିବା କାର୍ଯ୍ୟର ଅଗ୍ରଗତି, ନିର୍ମାଣର ଗୁଣବତ୍ତା ଓ ଧାର୍ଯ୍ୟ ସମୟ ମଧ୍ୟରେ କାର୍ଯ୍ୟ ଶେଷ କରିବା ଉପରେ ଅଧିକାରୀ ଗୁରୁତ୍ୱ ଦେଇଥିଲେ।ପରିଦର୍ଶନ ସମୟରେ ସହକାରୀ ଯନ୍ତ୍ରୀ, ପଞ୍ଚାୟତ ନିର୍ବାହୀ ଅଧିକାରୀ, ସହକାରୀ ଉନ୍ନୟନ ଅଧିକାରୀ ଓ ତେଣ୍ଡରା ଗ୍ରାମ ପଞ୍ଚାୟତର ସରପଞ୍ଚ ଉପସ୍ଥିତ ଥିଲେ।ସେହିପରି ଦିଗିପଶି ଗ୍ରାମ ପଞ୍ଚାୟତରେ ଅସମ୍ପୂର୍ଣ୍ଣ ରହିଥିବା ଆବାସ ଗୃହଗୁଡ଼ିକୁ ସହକାରୀ ବ୍ଲକ ଉନ୍ନୟନ ଅଧିକାରୀ ରଶ୍ମିରେଖା ମହାନ୍ତି ପରିଦର୍ଶନ କରିଛନ୍ତି। ସେ ଆବାସ ଗୃହଗୁଡ଼ିକର ବର୍ତ୍ତମାନ ସ୍ଥିତି ଅନୁଧ୍ୟାନ କରିବା ସହ ଅସମ୍ପୂର୍ଣ୍ଣ ନିର୍ମାଣ କାର୍ଯ୍ୟକୁ ଯଥାଶୀଘ୍ର ଶେଷ କରିବା ପାଇଁ ସମ୍ପୃକ୍ତ ହିତାଧିକାରୀ ଓ କର୍ମଚାରୀଙ୍କୁ ଆବଶ୍ୟକ ପରାମର୍ଶ ଓ ନିର୍ଦ୍ଦେଶ ଦେଇଥିଲେ।ଏହି ପରିଦର୍ଶନ ସମୟରେ ବ୍ଲକ ପ୍ରକଳ୍ପ ସମନ୍ୱୟକ, ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ସହକାରୀ ଉନ୍ନୟନ ଅଧିକାରୀ ଉପସ୍ଥିତ ଥିଲେ।ଅସମ୍ପୂର୍ଣ୍ଣ ଆବାସ ଗୃହଗୁଡ଼ିକର ନିର୍ମାଣକୁ ପ୍ରାଥମିକତା ଭିତ୍ତିରେ ଶେଷ କରି ଯୋଗ୍ୟ ହିତାଧିକାରୀଙ୍କୁ ଶୀଘ୍ର ନିଜସ୍ୱ ଘରର ସୁବିଧା ଯୋଗାଇଦେବା ଉପରେ ବ୍ଲକ ପ୍ରଶାସନ ଗୁରୁତ୍ୱ ଦେଇଛି। ବିଭିନ୍ନ ବିକାଶମୂଳକ କାର୍ଯ୍ୟ ଓ ଆବାସ ଯୋଜନାର କାମ ଶୀଘ୍ର ଏବଂ ଗୁଣାତ୍ମକ ଭାବେ ସମ୍ପାଦନ ପାଇଁ ନିୟମିତ ତଦାରଖ ଜାରି ରହିବ ବୋଲି ଜଣାପଡ଼ିଛି।

ସାହାରପଡ଼ାରେ ଜୋନ ସ୍ତରୀୟ ସମୂହ କ୍ରୀଡ଼ା ପ୍ରତିଯୋଗିତା ୨୦୨୬-୨୭ ଅନୁଷ୍ଠିତ

କେନ୍ଦୁଝର, ୧୦/୯: କେନ୍ଦୁଝର ଜିଲ୍ଲା ସାହାରପଡ଼ାସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆରେ ଜୋନ ସ୍ତରୀୟ ସମୂହ କ୍ରୀଡ଼ା ପ୍ରତିଯୋଗିତା ୨୦୨୬-୨୭ ଉତ୍ସାହ ଓ ଉଦ୍ଦୀପନାର ସହ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜୋନ ଅନ୍ତର୍ଗତ ୧୪ଟି ବିଦ୍ୟାଳୟର ମୋଟ ୨୦୬ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ।ପ୍ରତିଯୋଗିତାରେ କବାଡ଼ି, ଖୋ-ଖୋ, ଭଲିବଲ ଓ ଫୁଟବଲ ଭଳି ଚାରିଟି ପ୍ରମୁଖ କ୍ରୀଡ଼ା ସାମିଲ ହୋଇଥିଲା। ୧୪ ବର୍ଷରୁ କମ୍ ଓ ୧୭ ବର୍ଷରୁ କମ୍ ବୟସ ବର୍ଗର ବାଳକ ଓ ବାଳିକାମାନେ ବିଭିନ୍ନ କ୍ରୀଡ଼ାରେ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ। ଖେଳ ପଡ଼ିଆରେ ଛାତ୍ରଛାତ୍ରୀଙ୍କ ଉତ୍ସାହ ଓ ପ୍ରତିଯୋଗିତାମୂଳକ ମନୋଭାବ ବେଶ ଆକର୍ଷଣୀୟ ଥିଲା।କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ସାହାରପଡ଼ା ବ୍ଲକ ଶିକ୍ଷା ଅଧିକାରୀ (ବିଇଓ) କ୍ଷେତ୍ରମୋହନ ହାଁସଦା ଯୋଗଦେଇଥିଲେ। ସେ ଛାତ୍ରଛାତ୍ରୀଙ୍କୁ କ୍ରୀଡ଼ା ପ୍ରତି ଆଗ୍ରହୀ ହେବା ସହ ଶାରୀରିକ ଓ ମାନସିକ ବିକାଶ ପାଇଁ ଖେଳକୁ ଜୀବନର ଅଭିନ୍ନ ଅଂଶ କରିବାକୁ ଉତ୍ସାହିତ କରିଥିଲେ।ସମ୍ମାନିତ ଅତିଥି ଭାବେ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଲକ୍ଷ୍ମୀପ୍ରିୟା ବେହେରା ଯୋଗଦେଇ ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଥିବା ବାଳକ ଓ ବାଳିକାମାନଙ୍କୁ ଉତ୍ସାହିତ କରିଥିଲେ।ଜୋନାଲ ସେକ୍ରେଟାରୀ ସୁଶାନ୍ତ କୁମାର ମହାନ୍ତଙ୍କ ତତ୍ତ୍ୱାବଧାନରେ କ୍ରୀଡ଼ା ପ୍ରତିଯୋଗିତା ପରିଚାଳିତ ହୋଇଥିଲା। କ୍ରୀଡ଼ା ଶିକ୍ଷକ ଶିବ ପ୍ରସାଦ ମହାନ୍ତ, ଲିଙ୍ଗରାଜ ରାଉତ, କିଶୋର କୁମାର ନାୟକ, ଆଲୋକ ନଳିନୀ ମହାନ୍ତ ଓ ବିମଳିନୀ ମହାନ୍ତ ପ୍ରମୁଖ ସକ୍ରିୟ ସହଯୋଗ କରି କାର୍ଯ୍ୟକ୍ରମକୁ ସୁଚାରୁରୂପେ ସମ୍ପନ୍ନ କରିଥିଲେ।ଏହି ଜୋନ ସ୍ତରୀୟ ସମୂହ କ୍ରୀଡ଼ା ପ୍ରତିଯୋଗିତା ଛାତ୍ରଛାତ୍ରୀଙ୍କ କ୍ରୀଡ଼ା ପ୍ରତିଭାର ବିକାଶ ସହ ଶୃଙ୍ଖଳା, ସହଯୋଗିତା ଓ ଭାଇଚାରାର ବାର୍ତ୍ତା ପ୍ରସାର କରିଥିବା ମତ ପ୍ରକାଶ ପାଇଛି।

ବିଦ୍ୟୁତ୍ ଆଘାତରେ ଯୁବ ସମାଜସେବୀଙ୍କ ମୃତ୍ୟୁ, ଅଞ୍ଚଳରେ ଶୋକ


ପାଟଣା, ୯/୯: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ମୁଷାଖୋରୀ ପଞ୍ଚାୟତର ମୁଷାନାଳୀ ଗ୍ରାମରେ ବିଦ୍ୟୁତ୍ ଆଘାତରେ ଜଣେ ଯୁବ ସମାଜସେବୀଙ୍କ ଅକାଳ ମୃତ୍ୟୁ ଘଟିଛି। ମୃତକ ହେଲେ ଗ୍ରାମର ଦୟାନିଧି ମହାନ୍ତ (୪୮)।ସୂଚନା ଅନୁଯାୟୀ, ଦୟାନିଧି ନିଜ ରୋଷେଇ ଘରେ ବିଦ୍ୟୁତ୍ ତାର ସଂଯୋଗ କରୁଥିବା ବେଳେ ହଠାତ୍ ବିଦ୍ୟୁତ୍ ସଂସ୍ପର୍ଶରେ ଆସିଥିଲେ। ଏହା ଦେଖି ପରିବାର ଲୋକେ ତୁରନ୍ତ ତାଙ୍କୁ ପାଟଣା ଡାକ୍ତରଖାନାକୁ ନେଇଥିଲେ। ତେବେ ସେଠାରେ ଡାକ୍ତର ଦୟାନିଧିଙ୍କୁ ମୃତ ଘୋଷଣା କରିଥିଲେ।ଘଟଣା ସମ୍ପର୍କରେ ସୂଚନା ପାଇ ପାଟଣା ଥାନା ପୁଲିସ ଏସ୍‌ଆଇ ଲକ୍ଷ୍ମଣ ମାଝୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଥିଲେ। ଏନେଇ ପାଟଣା ଥାନାରେ ଅପମୃତ୍ୟୁ ମାମଲା ନଂ-୫୦/୨୦୨୬ ରୁଜୁ ହୋଇଛି। ପୁଲିସ ମୃତଦେହର ବ୍ୟବଚ୍ଛେଦ କରାଇବା ସହ ଘଟଣାର ତଦନ୍ତ ଜାରି ରଖିଛି।ଦୟାନିଧି ବିଭିନ୍ନ ଧାର୍ମିକ ଅନୁଷ୍ଠାନ ସହ ଜଡ଼ିତ ଥିବାରୁ ତାଙ୍କ ଅକାଳ ମୃତ୍ୟୁ ଖବରରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।ପରେ ମଲ୍ଲିପଶି ରଥଯାତ୍ରା କମିଟି ପକ୍ଷରୁ ଘଣ୍ଟ, ବାଦ୍ୟ ଓ ‘ଜୟ ଜଗନ୍ନାଥ’ ଧ୍ୱନି ମଧ୍ୟରେ ଦୟାନିଧିଙ୍କ ମୃତଦେହକୁ ଶ୍ମଶାନ ଘାଟକୁ ନିଆଯାଇଥିଲା। ତାଙ୍କ ଅନ୍ତିମ ସଂସ୍କାର ପାଇଁ ମଲ୍ଲିପଶି ଶ୍ରୀଜଗନ୍ନାଥ ମନ୍ଦିର ପକ୍ଷରୁ ଧଣ୍ଡାମାଳ ଓ ରଥକାଠ ପ୍ରଦାନ କରାଯାଇଥିଲା।ସ୍ଥାନୀୟ ସରପଞ୍ଚ ଭାମାମଣୀ ଦାସ ମଧ୍ୟ ଶୋକସନ୍ତପ୍ତ ପରିବାର ନିକଟରେ ପହଞ୍ଚି ଦୟାନିଧିଙ୍କ ଶେଷ ଦର୍ଶନ କରିଥିଲେ। ରଥଯାତ୍ରା କମିଟି ପକ୍ଷରୁ ଅରୁଣ କୁମାର ବେଜ, ପାର୍ଥସାରଥୀ ବେଜ, ପୂର୍ବତନ ସରପଞ୍ଚ ଅନାଦି ଚରଣ ମହାନ୍ତ, ସାମ୍ବାଦିକ ସଞ୍ଜୟ କୁମାର ସାହୁ, ନବକିଶୋର ରଣା, ଦୁର୍ଯୋଧନ ମହାନ୍ତ, ଜଳଧର ରଣା, ଶରତ କାରିବ, ସୁଦାମ ଦାସ ଓ ନାକୁ ଦାସ ପ୍ରମୁଖ ଶ୍ମଶାନ ଘାଟରେ ପହଞ୍ଚି ଶେଷ ଦର୍ଶନ କରିଥିଲେ।

ଅଧ୍ୟାପକ ପଦବୀ ପୂରଣ ଦାବିରେ ମହାବିଦ୍ୟାଳୟ ଫାଟକରେ ଛାତ୍ରଛାତ୍ରୀଙ୍କ ଧାରଣା


ପାଟଣା, ୯/୯: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ମୁଖ୍ୟାଳୟସ୍ଥିତ ସ୍ୱାମପାଟଣା ଆଞ୍ଚଳିକ ମହାବିଦ୍ୟାଳୟରେ ଅଧ୍ୟାପକ ଅଭାବକୁ ନେଇ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ଦେଖିବାକୁ ମିଳିଛି। +୩ ଶ୍ରେଣୀରେ ଖାଲି ପଡ଼ିଥିବା ୯ଟି ଅଧ୍ୟାପକ ପଦବୀ ପୂରଣ ଦାବିରେ ବୁଧବାର ସକାଳୁ ଛାତ୍ରଛାତ୍ରୀମାନେ ମହାବିଦ୍ୟାଳୟ ମୁଖ୍ୟ ଫାଟକରେ ତାଲା ପକାଇ ଧାରଣା ଦେଇଥିଲେ।ଛାତ୍ରଛାତ୍ରୀମାନେ ସକାଳ ୬ଟାରୁ ଧାରଣାରେ ବସି ଅଧ୍ୟାପକ ନିଯୁକ୍ତି ଦାବିରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ମହାବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ବିଭାଗରେ ୧ଟି, ଇତିହାସରେ ୨ଟି, ଇଂରାଜୀରେ ୨ଟି, ଓଡ଼ିଆରେ ୧ଟି, ରାଜନୀତି ବିଜ୍ଞାନରେ ୧ଟି, ଅର୍ଥନୀତିରେ ୧ଟି ଏବଂ ଦର୍ଶନ ଶାସ୍ତ୍ରରେ ୧ଟି ପଦବୀ ଖାଲି ପଡ଼ିଛି। ଇଂରାଜୀ ବିଭାଗରେ ମାତ୍ର ଜଣେ ଅଧ୍ୟାପକ ଥିବା ଛାତ୍ରଛାତ୍ରୀମାନେ କହିଛନ୍ତି।ଆବଶ୍ୟକ ସଂଖ୍ୟକ ଅଧ୍ୟାପକ ନଥିବାରୁ ମହାବିଦ୍ୟାଳୟରେ ପାଠପଢ଼ା ଗୁରୁତର ଭାବେ ବାଧାପ୍ରାପ୍ତ ହେଉଛି ବୋଲି ଆନ୍ଦୋଳନରତ ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି। ଏନେଇ ପୂର୍ବରୁ ଉପଜିଲ୍ଲାପାଳଙ୍କୁ ଅବଗତ କରାଯାଇଥିଲେ ମଧ୍ୟ ସମସ୍ୟାର ସମାଧାନ ହୋଇନଥିବା ସେମାନେ କହିଛନ୍ତି।ଅନ୍ୟପକ୍ଷରେ ଅତିଥି ଅଧ୍ୟାପକ ନିଯୁକ୍ତି ପାଇଁ ମହାବିଦ୍ୟାଳୟରେ ପର୍ଯ୍ୟାପ୍ତ ପାଣ୍ଠି ନଥିବାରୁ ସମସ୍ତ ଖାଲି ପଦବୀ ପୂରଣ କରିବା କଷ୍ଟସାଧ୍ୟ ବୋଲି ମହାବିଦ୍ୟାଳୟ ଅଧ୍ୟକ୍ଷ ଜଗନ୍ନାଥ ମହାନ୍ତ କହିଛନ୍ତି।ଖବର ପାଇ କେନ୍ଦୁଝର ସହକାରୀ ଜିଲ୍ଲାପାଳ ପ୍ରକାଶ କୁମାର ସେଠୀ ଓ ଶେଖର ଚନ୍ଦ୍ର ଜେନା, ପାଟଣା ବିଡିଓ ମାନସ କୁମାର ଦଣ୍ଡପାଟ ଏବଂ ପାଟଣା ଅତିରିକ୍ତ ତହସିଲଦାର ରବି ଶଙ୍କର ହେମ୍ବ୍ରମ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ।ଅତିଥି ଅଧ୍ୟାପକ ନିଯୁକ୍ତି ନେଇ ବିଜ୍ଞାପନ ପ୍ରକାଶ ପାଇସାରିଥିବା ଅଧିକାରୀମାନେ ଛାତ୍ରଛାତ୍ରୀଙ୍କୁ ସୂଚନା ଦେଇଥିଲେ। ଆସନ୍ତା ସେପ୍ଟେମ୍ବର ୨୫ ତାରିଖ ସୁଦ୍ଧା ଅତିଥି ଅଧ୍ୟାପକ ନିଯୁକ୍ତି କରାଯିବ ବୋଲି ସହକାରୀ ଜିଲ୍ଲାପାଳଦ୍ୱୟ ପ୍ରତିଶ୍ରୁତି ଦେବା ପରେ ଛାତ୍ରଛାତ୍ରୀମାନେ ଧାରଣାରୁ ଉଠିଥିଲେ। ଅପ୍ରୀତିକର ପରିସ୍ଥିତି ଏଡ଼ାଇବା ପାଇଁ ଘଟଣାସ୍ଥଳରେ ପାଟଣା ପୁଲିସ ଉପସ୍ଥିତ ଥିଲେ।

ମହାବିଦ୍ୟାଳୟର ଆର୍ଥିକ କାରବାର ନେଇ ଯାଞ୍ଚ

ଅନ୍ୟପକ୍ଷରେ ମହାବିଦ୍ୟାଳୟରେ ବ୍ୟାପକ ଦୁର୍ନୀତି ଅଭିଯୋଗ ଯୋଗୁଁ ଏହା ପାଣ୍ଠିଶୂନ୍ୟ ହୋଇଥିବା ନେଇ କେନ୍ଦୁଝର ଉପଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଥିବା ଜଣାପଡ଼ିଛି।ଏହି ଅଭିଯୋଗକୁ ନେଇ ସହକାରୀ ଜିଲ୍ଲାପାଳ ରହିମ ଭୁଇ, ଡେପୁଟି କଲେକ୍ଟର ଦିନେଶ ପୂର୍ତ୍ତି ଏବଂ ପୂର୍ବୋକ୍ତ ଦୁଇ ସହକାରୀ ଜିଲ୍ଲାପାଳ ମହାବିଦ୍ୟାଳୟ କାର୍ଯ୍ୟାଳୟକୁ ଯାଇ ଅଧ୍ୟକ୍ଷ ଜଗନ୍ନାଥ ମହାନ୍ତଙ୍କ ସହ ଆଲୋଚନା କରିଥିଲେ। ଏହାସହ ଆର୍ଥିକ କାରବାର ସମ୍ପର୍କିତ କିଛି ନଥିପତ୍ର ମାଗିଥିବା ସୂଚନା ମିଳିଛି। ତେବେ ନଥିପତ୍ର ଦାୟିତ୍ୱରେ ଥିବା କର୍ମଚାରୀ ଅଧିକାରୀମାନଙ୍କୁ ସେସବୁ ନଥି ଦେଇପାରିନଥିବା ଜଣାପଡ଼ିଛି।

ଲଷ୍ମୀନାରାୟଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଉଦ୍ୟମତା ପ୍ରୋତ୍ସାହନ ସମ୍ମିଳନୀ

ଢେଙ୍କିକୋଟ୯/୯: ସ୍ୱାବଲମ୍ବୀ ଭାରତ ଅଭିଯାନ ଓ ଲଷ୍ମୀନାରାୟଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ପିପିଳିଆର ମିଳିତ ଆନୁକୂଲ୍ୟରେ ବୁଧବାର ବିଦ୍ୟାଳୟ ସଭାଗୃହରେ ଉଦ୍ୟମତା ପ୍ରୋତ୍ସାହନ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ରାଷ୍ଟ୍ର ନିର୍ମାଣରେ ଛାତ୍ରଛାତ୍ରୀଙ୍କ ଭୂମିକା ଓ ସ୍ୱାବଲମ୍ବୀ ଭାରତ ଗଠନ ଉପରେ ସମ୍ମିଳନୀରେ ଆଲୋଚନା କରାଯାଇଥିଲା।ବିଦ୍ୟାଳୟର ଅଧ୍ୟକ୍ଷ ନିରାକାର ସ୍ୱାଇଁ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ଛାତ୍ରଛାତ୍ରୀମାନେ ନିଜ ଦକ୍ଷତା ଓ ଜ୍ଞାନକୁ ବ୍ୟବହାର କରି ସ୍ୱାବଲମ୍ବୀ ସମାଜ ଗଠନରେ ଆଗେଇ ଆସିବାକୁ ଆହ୍ୱାନ ଦେଇଥିଲେ।ସ୍ୱଦେଶୀ ଜାଗରଣ ମଞ୍ଚ ପୂର୍ବପ୍ରାନ୍ତ ସଂଗଠକ ମନ୍ତ୍ରୀ ରାଜେଶ କୁମାର ଦାସ ମୁଖ୍ୟବକ୍ତା ଭାବେ ଯୋଗଦେଇ ଭାରତର ଯୁବଶକ୍ତି, ରୋଜଗାର ଓ ଉଦ୍ୟମିତା ସମ୍ପର୍କରେ ଆଲୋଚନା କରିଥିଲେ। ସେ ସ୍ଥାନୀୟ ସମ୍ବଳ ଓ ସ୍ୱଦେଶୀ ଢାଞ୍ଚାର ଉପଯୋଗ କରି ଯୁବପିଢ଼ି ସ୍ୱରୋଜଗାରୀ ହେବାର ବିଭିନ୍ନ ଦିଗ ସମ୍ପର୍କରେ ବୁଝାଇଥିଲେ।କେନ୍ଦୁଝର ଡେଭଲପମେଣ୍ଟ ଟ୍ରଷ୍ଟର ସମ୍ପାଦକ ତଥା ସ୍ୱଦେଶୀ ଆନ୍ଦୋଳନର ପ୍ରବକ୍ତା ଭକ୍ତ ବତ୍ସଳ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହାତ୍ମା ଗାନ୍ଧୀଙ୍କ ରଚନାତ୍ମକ କାର୍ଯ୍ୟକ୍ରମ, କୁଟୀର ଶିଳ୍ପ ଓ ସ୍ୱଦେଶୀ ଜ୍ଞାନକୌଶଳ ମାଧ୍ୟମରେ କିପରି ଆତ୍ମନିର୍ଭର ହୋଇପାରିବେ, ସେନେଇ ଛାତ୍ରଛାତ୍ରୀଙ୍କୁ ମାର୍ଗଦର୍ଶନ କରିଥିଲେ।ସେହିପରି ସ୍ୱଦେଶୀ ଜାଗରଣ ମଞ୍ଚ କେନ୍ଦୁଝର ଜିଲ୍ଲା ସଂଯୋଜକ ମାନସ ରଞ୍ଜନ ପଣ୍ଡା ଅନ୍ୟତମ ଅତିଥି ଭାବେ ଯୋଗଦେଇ କେନ୍ଦୁଝରର ବନବାସୀ ଓ ଆଦିବାସୀ ଅଞ୍ଚଳରେ ଉପଲବ୍ଧ ଲଘୁ ବନଜାତ ଦ୍ରବ୍ୟ ଏବଂ ସ୍ଥାନୀୟ ସମ୍ବଳର ସଠିକ୍ ବିନିଯୋଗ କରି ସ୍ୱରୋଜଗାର ସୃଷ୍ଟି କରିବା ଉପରେ ଆଲୋକପାତ କରିଥିଲେ।କାର୍ଯ୍ୟକ୍ରମରେ ଅଧ୍ୟାପକ ଅଲେଖ ପ୍ରସାଦ ସାହୁ ଅତିଥିମାନଙ୍କୁ ସ୍ୱାଗତ ଜଣାଇଥିବା ବେଳେ ଅଧ୍ୟାପକ ହେମନ୍ତ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ସମ୍ମିଳନୀରେ ୩୫୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଯୋଗଦେଇ ପ୍ରଶ୍ନୋତ୍ତର ଆଲୋଚନାରେ ସକ୍ରିୟ ଭାବେ ଭାଗ ନେଇଥିଲେ।ଶେଷରେ ଅଂଶଗ୍ରହଣକାରୀ ଛାତ୍ରଛାତ୍ରୀମାନେ ସ୍ୱଦେଶୀ ସାମଗ୍ରୀ ବ୍ୟବହାର କରିବା ଓ ସ୍ୱାବଲମ୍ବୀ ଭାରତ ଗଠନରେ ସହଯୋଗ କରିବା ପାଇଁ ସର୍ବସମ୍ମତି ପ୍ରକାଶ କରିଥିଲେ।

ରଙ୍ଗିନ ମିଶନ ଶକ୍ତି କାଫେ ଏବେ ଭୂତକୋଠି ସଦୃଶ, ଲକ୍ଷାଧିକ ଟଙ୍କା ଖର୍ଚ୍ଚ ପରେ ବି ହୋଇନି ଉଦଘାଟନ


କେନ୍ଦୁଝର/ସାହାରପଡା: ୯/୯: ମହିଳା ସଶକ୍ତିକରଣ ଓ ସ୍ୱୟଂସହାୟକ ଗୋଷ୍ଠୀର ମହିଳାମାନଙ୍କୁ ରୋଜଗାର ଓ ସ୍ୱାବଲମ୍ବନର ସୁଯୋଗ ଦେବା ଉଦ୍ଦେଶ୍ୟରେ ସାହାରପଡା ବ୍ଲକ ପରିସରରେ ନିର୍ମାଣ ହୋଇଥିବା ମିଶନ ଶକ୍ତି କାଫେ ଏବେ ଉଦଘାଟନକୁ ଅପେକ୍ଷା କରି ରହିଛି। ଲକ୍ଷାଧିକ ଟଙ୍କା ବ୍ୟୟରେ ଆକର୍ଷଣୀୟ ଓ ରଙ୍ଗବେରଙ୍ଗ ଢଙ୍ଗରେ ନିର୍ମିତ ଏହି କାଫେ ଦୀର୍ଘଦିନ ଧରି ବନ୍ଦ ରହିଥିବାରୁ ଏହାର ବ୍ୟବହାରିକତାକୁ ନେଇ ଏବେ ପ୍ରଶ୍ନ ଉଠିଛି।କାଫେ ଗୃହଟି ବ୍ୟବହାର ନହୋଇ ପଡ଼ି ରହିଥିବାରୁ ଏହାର ଚାରିପାଖ ଲତା, ବୁଦା ଓ ଅନାବନା ଘାସରେ ଭରିଯାଇଛି। ଏପରିକି ସୁରକ୍ଷା ପାଇଁ ଲଗାଯାଇଥିବା ଷ୍ଟିଲ ବାଡ଼ର କେତେକ ଅଂଶ ଭାଙ୍ଗି ପଡ଼ିଥିବା ମଧ୍ୟ ଦେଖାଯାଉଛି। ଫଳରେ ନୂଆ ନିର୍ମିତ ଆକର୍ଷଣୀୟ କାଫେଟି ରକ୍ଷଣାବେକ୍ଷଣ ଅଭାବରୁ ଧୀରେଧୀରେ ଭୂତକୋଠି ସଦୃଶ ହେବାକୁ ବସିଲାଣି।ସବୁଠାରୁ ବଡ଼ ପ୍ରଶ୍ନ ହେଉଛି, ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମାଣ ପରେ ମଧ୍ୟ ମିଶନ ଶକ୍ତି କାଫେର ଉଦଘାଟନ କାହିଁକି ହୋଇପାରୁନାହିଁ? ଏହା କେବେଠାରୁ କାର୍ଯ୍ୟକ୍ଷମ ହେବ, ତାହାକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି।ବର୍ତ୍ତମାନ ସାହାରପଡା ବ୍ଲକ ପରିସରରେ ଅସ୍ଥାୟୀ ସ୍ଥାନରେ କାଫେ କାର୍ଯ୍ୟ ଚାଲୁଥିବା ବେଳେ ନୂତନ ଭାବେ ନିର୍ମିତ ସ୍ଥାୟୀ କାଫେ ଗୃହଟି ଖାଲି ପଡ଼ିରହିଛି। ତେଣୁ ଅସ୍ଥାୟୀ କାଫେରେ ଆଉ କେତେଦିନ କାର୍ଯ୍ୟ ଚାଲିବ ଏବଂ ସ୍ଥାୟୀ କାଫେ କେବେ ଖୋଲିବ, ତାହାକୁ ନେଇ ପ୍ରଶ୍ନ ଉଠିଛି।ମହିଳା ସଶକ୍ତିକରଣ ଓ ସ୍ୱୟଂସହାୟକ ଗୋଷ୍ଠୀର ମହିଳାଙ୍କୁ ରୋଜଗାର ଯୋଗାଇବା ପାଇଁ ଉଦ୍ଦିଷ୍ଟ ଏହି ପ୍ରକଳ୍ପ ଯଦି ଦୀର୍ଘଦିନ ଧରି ଅଚଳ ରହେ, ତେବେ ଏହାର ଉଦ୍ଦେଶ୍ୟ କେତେଦୂର ସାଧିତ ହେବ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି।ସ୍ଥାନୀୟ ଲୋକଙ୍କ ଦାବି, ଶୀଘ୍ର ମିଶନ ଶକ୍ତି କାଫେର ଉଦଘାଟନ କରାଯାଇ ମହିଳା ସ୍ୱୟଂସହାୟକ ଗୋଷ୍ଠୀଙ୍କ ହାତରେ ଏହାର ପରିଚାଳନା ଦାୟିତ୍ୱ ଦିଆଯାଉ। ନଚେତ ଲକ୍ଷାଧିକ ଟଙ୍କାରେ ନିର୍ମିତ ଏହି ସୁନ୍ଦର କାଫେ କେବଳ ଏକ ଅବ୍ୟବହୃତ ଭିତ୍ତିଭୂମିରେ ପରିଣତ ହୋଇ ରହିଯିବ।

ତେବେ ସାହାରପଡା ମିଶନ ଶକ୍ତି କାଫେ ଉପରେ ପ୍ରଶାସନର ଦୃଷ୍ଟି କେବେ ପଡ଼ିବ ଏବଂ କେବେ ଏହା କାର୍ଯ୍ୟକ୍ଷମ ହେବ— ଏବେ ତାହାକୁ ନେଇ ଅପେକ୍ଷା।

ଅସନବଣିରେ କର୍ଣ୍ଣାଟକ ପ୍ରତିନିଧି ଦଳ, ବର୍ଷା ଜଳ ପରିଚାଳନା ପ୍ରକଳ୍ପ ଅନୁଧ୍ୟାନ


ଘଟଗାଁ: ୮/୯: କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ପିପିଳିଆ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଅସନବଣି ଗ୍ରାମରେ ସଫଳ ବର୍ଷା ଜଳ ପରିଚାଳନା ପ୍ରକଳ୍ପକୁ ଅନୁଧ୍ୟାନ କରିଛନ୍ତି କର୍ଣ୍ଣାଟକର ବାନ୍ଦିପୁର ଅଞ୍ଚଳର ପଞ୍ଚାୟତିରାଜ ପ୍ରତିନିଧି ଓ ସରକାରୀ ଅଧିକାରୀଙ୍କ ଏକ ପ୍ରତିନିଧି ଦଳ।ମଙ୍ଗଳବାର ପୂର୍ବାହ୍ନରେ ପ୍ରତିନିଧି ଦଳ ଅସନବଣି ଗ୍ରାମରେ ପହଞ୍ଚି ଆଦର୍ଶ ବର୍ଷା ଜଳ ପରିଚାଳନା ପ୍ରକଳ୍ପର ବିଭିନ୍ନ କାର୍ଯ୍ୟ ବୁଲି ଦେଖିଥିଲେ। ପ୍ରକଳ୍ପର ସବିଶେଷ ତଥ୍ୟ ନେବା ସହ ଜଙ୍ଗଲ ଓ ପାହାଡ଼ ମଧ୍ୟରେ ପ୍ରାୟ ୪ କିଲୋମିଟର ପାଦରେ ଚାଲି ପ୍ରକଳ୍ପର ସଫଳତା ଓ କାର୍ଯ୍ୟପ୍ରଣାଳୀ ଅନୁଧ୍ୟାନ କରିଥିଲେ।ସୂଚନା ଅନୁଯାୟୀ, କର୍ଣ୍ଣାଟକ ସରକାର ରାଜ୍ୟର ଜଳକ୍ଳିଷ୍ଟ ଓ ମରୁଡ଼ି ପ୍ରବଣ ଅଞ୍ଚଳରେ ବର୍ଷା ଜଳ ପରିଚାଳନା ପ୍ରକଳ୍ପକୁ ଅଗ୍ରାଧିକାର ଦେଇ କାର୍ଯ୍ୟକାରୀ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ଅସନବଣି ଗ୍ରାମର ସଫଳ ବର୍ଷା ଜଳ ପରିଚାଳନା ପ୍ରକଳ୍ପକୁ ଏକ ଆଦର୍ଶ ମଡେଲ ଭାବେ ଅଧ୍ୟୟନ କରାଯାଉଛି।ପ୍ରାୟ ୧୪ ବର୍ଷ ପୂର୍ବେ କେନ୍ଦୁଝର ଜିଲ୍ଲା ପ୍ରଶାସନ, ଘଟଗାଁ ବ୍ଲକ ପ୍ରଶାସନ ଓ ସ୍ବେଚ୍ଛାସେବୀ ସଂଗଠନ ୱସ୍କାର ମିଳିତ ସହଭାଗିତାରେ ଅସନବଣି ଗ୍ରାମରେ ଏହି ପ୍ରକଳ୍ପ ଆରମ୍ଭ ହୋଇଥିଲା। ସେତେବେଳେ ଗ୍ରାମରେ ଜଳର ଉତ୍କଟ ଅଭାବ ଦେଖାଦେଉଥିଲା। ବର୍ଷର ଅଧା ସମୟ ଅଞ୍ଚଳ ଶୁଷ୍କ ରହୁଥିବାରୁ କୃଷି କାର୍ଯ୍ୟ ମଧ୍ୟ ପ୍ରଭାବିତ ହେଉଥିଲା।ପାହାଡ଼ରୁ ତଳକୁ ବୋହିଯାଉଥିବା ବର୍ଷା ଜଳକୁ ଛୋଟ ଛୋଟ ଆଡ଼ିବନ୍ଧ ମାଧ୍ୟମରେ ରୋକିବା ଆରମ୍ଭ କରାଯାଇଥିଲା। ପରବର୍ତ୍ତୀ ସମୟରେ ପାହାଡ଼ର ବିସ୍ତୃତି ଅନୁଯାୟୀ ପ୍ରାୟ ୪ କିଲୋମିଟର ଅଞ୍ଚଳରେ ବିଭିନ୍ନ ଜଳ ସଂରକ୍ଷଣ ବ୍ୟବସ୍ଥା କରାଯାଇଥିଲା।ପ୍ରକଳ୍ପ ଆରମ୍ଭ ସମୟରେ ଅନେକ ଲୋକ ଏହାକୁ ନେଇ ସନ୍ଦେହ ପ୍ରକାଶ କରିଥିଲେ। ତେବେ ମାତ୍ର ଦୁଇ ବର୍ଷ ମଧ୍ୟରେ ଏହାର ସଫଳ ପରିଣାମ ଦେଖାଦେଇଥିଲା। ଭୂତଳ ଜଳସ୍ତର ବୃଦ୍ଧି ପାଇବା ସହ କୂଅରେ ପାଣି ରହିବା ଆରମ୍ଭ ହୋଇଥିଲା। ଚାଷଜମି ସବୁଜିମାରେ ଭରିଯିବା ସହ ଗ୍ରାମର କୃଷି କାର୍ଯ୍ୟରେ ମଧ୍ୟ ଉନ୍ନତି ଆସିଥିଲା।ଅସନବଣିର ସଫଳତା ପରେ କେନ୍ଦୁଝର ଜିଲ୍ଲାର ଅନ୍ୟାନ୍ୟ ବ୍ଲକରେ ମଧ୍ୟ ଏହି ପ୍ରକଳ୍ପକୁ ଆଦର୍ଶ ଭାବେ ଗ୍ରହଣ କରାଯାଇ ବିଭିନ୍ନ ଅଞ୍ଚଳରେ ଜଳ ସଂରକ୍ଷଣ କାର୍ଯ୍ୟ କରାଯାଇଛି। ରାଜ୍ୟ ତଥା ରାଜ୍ୟ ବାହାରର ବିଭିନ୍ନ ପଦସ୍ଥ ଅଧିକାରୀ ଓ ପଞ୍ଚାୟତିରାଜ ପ୍ରତିନିଧି ଅସନବଣି ଗସ୍ତ କରି ଏହି ପ୍ରକଳ୍ପର ସଫଳତାକୁ ପ୍ରଶଂସା କରିଛନ୍ତି।ବର୍ତ୍ତମାନ କର୍ଣ୍ଣାଟକର ବାନ୍ଦିପୁର ଅଞ୍ଚଳ ମରୁଡ଼ି ପ୍ରବଣ ହୋଇଥିବାରୁ ଅସନବଣିର ବର୍ଷା ଜଳ ପରିଚାଳନା ମଡେଲକୁ ସେଠାରେ ଅନୁସରଣ କରିବା ପାଇଁ ପ୍ରକଳ୍ପର ବିଭିନ୍ନ କାର୍ଯ୍ୟ ଓ ସଫଳତା ସମ୍ପର୍କିତ ତଥ୍ୟ ଅଧ୍ୟୟନ କରାଯାଉଛି।ଏହି ଅବସରରେ ସ୍ବେଚ୍ଛାସେବୀ ସଂଗଠନ ୱସ୍କା ପକ୍ଷରୁ ଶିଶିର ସିଂ ସାମନ୍ତ, ବ୍ଲକ ପ୍ରଶାସନ ପକ୍ଷରୁ ଏବିଡିଓ ଚିତ୍ତରଞ୍ଜନ ନାୟକ ଓ ଭାରପ୍ରାପ୍ତ ସହକାରୀ ନିର୍ବାହୀ ଯନ୍ତ୍ରୀ ସୁପାୟ କିସ୍କୁ ପ୍ରମୁଖ ଉପସ୍ଥିତ ରହି କର୍ଣ୍ଣାଟକ ପ୍ରତିନିଧି ଦଳକୁ ପ୍ରକଳ୍ପ ସମ୍ପର୍କରେ ସବିଶେଷ ତଥ୍ୟ ଓ ଆବଶ୍ୟକ ସହାୟତା ପ୍ରଦାନ କରିଥିଲେ।

ବ୍ୟାଙ୍କ ଅଫ୍ ଇଣ୍ଡିଆର ୧୨୧ତମ ପ୍ରତିଷ୍ଠା ଦିବସ ପାଳିତ


ଢେଙ୍କିକୋଟ: ୮/୯: ବ୍ୟାଙ୍କ ଅଫ୍ ଇଣ୍ଡିଆ ଢେଙ୍କିକୋଟ ଶାଖା ପକ୍ଷରୁ ବ୍ୟାଙ୍କର ୧୨୧ତମ ପ୍ରତିଷ୍ଠା ଦିବସ ଉତ୍ସାହର ସହ ପାଳନ କରାଯାଇଛି। ଗତକାଲି ଶାଖା ପରିସରରେ ଏହି ଅବସରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।ଶାଖା ପରିଚାଳିକା ଶ୍ରଦ୍ଧାଞ୍ଜଳି ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବ୍ୟାଙ୍କର ଅଧିକାରୀ ମନୋରଞ୍ଜନ ବେହେରା, ସନ୍ଦୀପ ମହାନ୍ତି ଓ ରଶ୍ମୀରେଖା ସାହୁଙ୍କ ସମେତ କର୍ମଚାରୀ ହେମନ୍ତ ବଗର୍ତ୍ତି, ଯାଜ୍ଞସେନୀ ଯାଦବ, ସୁଦୀପ୍ତା ସାହୁ, ଭବାନୀ ଶଙ୍କର ମୁଖୀ ଓ ରାମଚନ୍ଦ୍ର ମୁଖୀ ଉପସ୍ଥିତ ଥିଲେ।ପ୍ରତିଷ୍ଠା ଦିବସ ଅବସରରେ ଶାଖା ପରିସରରେ କେକ୍ କଟାଯାଇଥିଲା। ପରେ ବ୍ୟାଙ୍କର ଉପଭୋକ୍ତାମାନଙ୍କ ମଧ୍ୟରେ କେକ୍ ବଣ୍ଟନ କରାଯାଇଥିଲା। ଏହି ଅବସରରେ ବ୍ୟାଙ୍କର କର୍ମଚାରୀ ଓ ଉପଭୋକ୍ତାମାନଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଥିଲା।

ଜ୍ଞାନ ବିଜ୍ଞାନ ପ୍ରକଳ୍ପରେ ଦ୍ୱିତୀୟ ସ୍ଥାନ, ଛାତ୍ର ତଂଶୁମାନ ମହାନ୍ତ ପୁରସ୍କୃତ

 

କେନ୍ଦୁଝର: ୮/୯: ଜ୍ଞାନ ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶନ କରି କେନ୍ଦୁଝରଗଡ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ସପ୍ତମ ଶ୍ରେଣୀର ଛାତ୍ର ତଂଶୁମାନ ମହାନ୍ତ ଗୌରବ ଅର୍ଜନ କରିଛନ୍ତି। ଶିକ୍ଷା ବିକାଶ ସମିତି, ଓଡ଼ିଶା ପକ୍ଷରୁ ଆୟୋଜିତ ପ୍ରାଦେଶିକ ବିଜ୍ଞାନ ମେଳାରେ ସେ ଦ୍ୱିତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଛନ୍ତି।ବାଲେଶ୍ୱର ଜିଲ୍ଲାର ବାଲିଆସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଅନୁଷ୍ଠିତ ଏହି ପ୍ରାଦେଶିକ ବିଜ୍ଞାନ ମେଳାରେ ତଂଶୁମାନ ‘ଘର୍ଷଣ—ମିତ୍ର ଓ ଶତ୍ରୁ’ ବିଷୟ ଉପରେ ଆଧାରିତ ଏକ ବିଜ୍ଞାନ ପ୍ରକଳ୍ପର ନମୁନା ପ୍ରଦର୍ଶନ କରିଥିଲେ। ତାଙ୍କ ପ୍ରକଳ୍ପକୁ ବିଚାରକ ମଣ୍ଡଳୀ ପସନ୍ଦ କରିବା ସହ ତାଙ୍କୁ ଦ୍ୱିତୀୟ ସ୍ଥାନ ପାଇଁ ଚୟନ କରିଥିଲେ।ପୁରସ୍କାର ବିତରଣ ସମାରୋହରେ ଫକୀର ମୋହନ ବିଶ୍ୱବିଦ୍ୟାଳୟର ଉପକୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ଉପସ୍ଥିତିରେ ତଂଶୁମାନଙ୍କୁ ପୁରସ୍କୃତ କରାଯାଇଥିଲା।ତଂଶୁମାନଙ୍କ ଏହି ସଫଳତାରେ ପରିବାର, ବିଦ୍ୟାଳୟ ଓ ଅଞ୍ଚଳରେ ଖୁସିର ମାହୋଲ ସୃଷ୍ଟି ହୋଇଛି। ପୁତ୍ରର କୃତିତ୍ୱରେ ପାଟଣା ବ୍ଲକରେ କାର୍ଯ୍ୟରତ ତାଙ୍କ ମାତା ତଥା ଶିକ୍ଷୟିତ୍ରୀ କବିତା ମହାନ୍ତ ଓ ପିତା ହେମନ୍ତ କୁମାର ମହାନ୍ତ ଖୁସି ବ୍ୟକ୍ତ କରିଛନ୍ତି।

ପାଟଣାରେ ଆନ୍ତର୍ଜାତୀୟ ସାକ୍ଷରତା ଦିବସ ପାଳିତ, ସଚେତନତା ସୃଷ୍ଟି ପାଇଁ ଶୋଭାଯାତ୍ରା


ପାଟଣା: ୮/୯: ପାଟଣା ବ୍ଲକ ମୁଖ୍ୟାଳୟସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆଜି ଆନ୍ତର୍ଜାତୀୟ ସାକ୍ଷରତା ଦିବସ ପାଳନ କରାଯାଇଛି। ଏହି ଅବସରରେ ସାକ୍ଷରତା ନେଇ ସଚେତନତା ସୃଷ୍ଟି ପାଇଁ ଏକ ଶୋଭାଯାତ୍ରା ଆୟୋଜିତ ହୋଇଥିଲା।ଶୋଭାଯାତ୍ରାରେ ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ସମେତ ସହଗୋଷ୍ଠୀ ଶିକ୍ଷାଧିକାରୀ ପ୍ରକାଶ କୁମାର ରାୟ ଓ କ୍ଲଷ୍ଟର ସଂଯୋଜକ ଜ୍ୟୋତିର୍ମୟ ତ୍ରୀପାଠୀ ପ୍ରମୁଖ ଯୋଗଦେଇଥିଲେ। ସମସ୍ତେ ଛାତ୍ରଛାତ୍ରୀଙ୍କ ସହ ଗ୍ରାମ ପରିକ୍ରମା କରି ସାକ୍ଷରତା ସମ୍ବନ୍ଧୀୟ ବିଭିନ୍ନ ସ୍ଲୋଗାନ ଦେଇଥିଲେ।ନିରକ୍ଷର ଲୋକଙ୍କୁ ସାକ୍ଷରତାର ଗୁରୁତ୍ୱ ସମ୍ପର୍କରେ ସଚେତନ କରିବା ସହ ସେମାନେ କିପରି ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇପାରିବେ, ସେଥିପ୍ରତି ଏହି ଶୋଭାଯାତ୍ରାରେ ଗୁରୁତ୍ୱ ଦିଆଯାଇଥିଲା।କାର୍ଯ୍ୟକ୍ରମରେ ପାଟଣା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ତଥା ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘର ଜିଲ୍ଲା ସମ୍ପାଦକ କମଳାକାନ୍ତ ପତିଙ୍କ ସମେତ ପ୍ରକାଶ କୁମାର ମିଶ୍ର, ସୁଶାନ୍ତ ମହାନ୍ତ, ଚନ୍ଦ୍ରାବତୀ ନାଏକ, ସସ୍ମିତା ନାୟକ ପ୍ରମୁଖ ଯୋଗଦେଇଥିଲେ।ଶୋଭାଯାତ୍ରା ପରେ ବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀଙ୍କୁ ଆନ୍ତର୍ଜାତୀୟ ସାକ୍ଷରତା ଦିବସର ଉଦ୍ଦେଶ୍ୟ ଓ ସାକ୍ଷରତାର ଗୁରୁତ୍ୱ ସମ୍ପର୍କରେ ସଚେତନ କରାଯାଇଥିଲା।

ତୁରୁମୁଙ୍ଗାରେ ଜାତୀୟ ରାଜପଥ କଡ଼ରୁ ଦୋକାନ ଓ ଘର ଭଙ୍ଗା, ୭୯ ଜଣଙ୍କୁ ଜବରଦଖଲ ହଟାଇବାକୁ ନୋଟିସ୍


ପାଟଣା: ୮/୯: ଜାତୀୟ ରାଜପଥ କଡ଼ରେ ଥିବା ଜବରଦଖଲ ହଟାଇବା ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି କ୍ରମରେ କେନ୍ଦୁଝର ଜିଲ୍ଲାର ପାଟଣା ବ୍ଲକ ଅନ୍ତର୍ଗତ ତୁରୁମୁଙ୍ଗା ଅଞ୍ଚଳରେ ଜାତୀୟ ରାଜପଥ କଡ଼ରେ ଥିବା ବହୁ ଦୋକାନ ଓ ଘର ଭଙ୍ଗାଯାଇଛି।ସୂଚନା ଅନୁଯାୟୀ, ଜାତୀୟ ରାଜପଥ କଡ଼ରେ ଥିବା ଦୋକାନ, ଢାବା ଓ ଅନ୍ୟାନ୍ୟ ଅନଧିକୃତ ନିର୍ମାଣ ଯୋଗୁଁ ସଡ଼କ ଦୁର୍ଘଟଣାର ଆଶଙ୍କା ବଢ଼ୁଥିବାରୁ ଜବରଦଖଲ ହଟାଇବା ନେଇ ପଦକ୍ଷେପ ନିଆଯାଇଛି।୪୯ ନମ୍ବର ଜାତୀୟ ରାଜପଥ ଅନ୍ତର୍ଗତ ପାଟଣା ବ୍ଲକର ଦ୍ୱିତୀୟ ବୃହତ୍ ବଜାର ଅଞ୍ଚଳ ଭାବେ ପରିଚିତ ତୁରୁମୁଙ୍ଗାରେ ଜବରଦଖଲ କରି ଦୋକାନ ଆଦି କରିଥିବା ୭୯ ଜଣଙ୍କୁ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଜବରଦଖଲ ହଟାଇବା ପାଇଁ ନୋଟିସ୍ ଦିଆଯାଇଥିଲା।ଏହି ପରିପ୍ରେକ୍ଷୀରେ ତୁରୁମୁଙ୍ଗା ଓ ଝାରବେଡ଼ା ମୌଜାରେ ଥିବା ବହୁ ଦୋକାନ ଘର, ବସ୍‌ଷ୍ଟାଣ୍ଡ ଅଞ୍ଚଳର ଦୋକାନ ଏବଂ ମାର୍କେଟ୍ କମ୍ପ୍ଲେକ୍ସର କିଛି ଘରକୁ ଆଗୁଆ ଭଙ୍ଗାଯାଇଥିବା ଦେଖାଯାଇଛି। ଦୋକାନୀମାନେ ନିଜ ଘରର ଛପର ଖୋଲି ନେବା ସହ ଦୋକାନର ଜିନିଷପତ୍ର ମଧ୍ୟ ସୁରକ୍ଷିତ ସ୍ଥାନକୁ ନେଇଯାଇଛନ୍ତି।ଅନ୍ୟପକ୍ଷରେ, ଜବରଦଖଲ ହଟାଇବା ଯୋଗୁଁ କ୍ଷତିଗ୍ରସ୍ତ ହେଉଥିବା ବ୍ୟବସାୟୀ ଓ ଲୋକମାନେ ସେମାନଙ୍କ ଜୀବନଜୀବିକାକୁ ଗୁରୁତ୍ୱ ଦେଇ ବ୍ୟବସାୟ ପ୍ରତିଷ୍ଠାନ ପାଇଁ ବିକଳ୍ପ ଜାଗା ଯୋଗାଇ ଦେବାକୁ ଗତକାଲି ଜିଲ୍ଲାପାଳଙ୍କ ନିକଟରେ ଗୁହାରି କରିଥିଲେ।ସୂଚନା ମିଳିଛି ଯେ, ତୁରୁମୁଙ୍ଗା ବସ୍‌ଷ୍ଟାଣ୍ଡ ଓ ମାର୍କେଟ୍ କମ୍ପ୍ଲେକ୍ସ ପାଇଁ ନୂଆ ଜାଗା ଚିହ୍ନଟ କରିବାକୁ ପାଟଣା ତହସିଲଦାର ଅଶ୍ୱିନୀ କୁମାର ନାଏକଙ୍କୁ ଜିଲ୍ଲାପାଳଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡ଼ିଛି।ଜାତୀୟ ରାଜପଥ କଡ଼ରୁ ଜବରଦଖଲ ହଟାଇବା ପରେ ପ୍ରଭାବିତ ବ୍ୟବସାୟୀମାନଙ୍କ ଜୀବନଜୀବିକା ପାଇଁ ବିକଳ୍ପ ବ୍ୟବସ୍ଥା କେବେ ହେବ, ତାହାକୁ ନେଇ ଏବେ ସ୍ଥାନୀୟ ଲୋକଙ୍କ ନଜର ରହିଛି।

ଘରେ ପଶି ଲୁଟ୍‌: ନଗଦ ଟଙ୍କା ସହ ଲକ୍ଷାଧିକ ଟଙ୍କାର ସୁନା ଗହଣା ଚୋରି


ପାଟଣା, ୭/୯: କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଅଧୀନ ଲକ୍ଷ୍ମୀପଶି ଗ୍ରାମରେ ଦିନ ଦ୍ୱିପ୍ରହରେ ଘରେ ପଶି ଲୁଟ୍‌ କରିଛନ୍ତି ଦୁର୍ବୃତ୍ତ। ଘରେ କେହି ନଥିବାର ସୁଯୋଗ ନେଇ ଦୁର୍ବୃତ୍ତମାନେ ଘରର ତାଲା ଭାଙ୍ଗିବା ସହ ଆଲମିରା ଭାଙ୍ଗି ନଗଦ ଟଙ୍କା ଓ ଲକ୍ଷାଧିକ ଟଙ୍କା ମୂଲ୍ୟର ସୁନା ଗହଣା ଲୁଟି ନେଇଛନ୍ତି।ସୂଚନା ଅନୁଯାୟୀ, ଲକ୍ଷ୍ମୀପଶି ଗ୍ରାମର କଳ୍ପନା ମହାନ୍ତଙ୍କ ଘରେ ସୋମବାର ଦିନ ଏହି ଲୁଟ୍‌ ଘଟଣା ଘଟିଛି। ଘରେ କେହି ନଥିବା ସମୟରେ ଦୁର୍ବୃତ୍ତମାନେ ଘରର ତାଲା ଭାଙ୍ଗି ଭିତରକୁ ପଶିଥିଲେ। ପରେ ଆଲମିରା ଭାଙ୍ଗି ସେଥିରେ ରଖାଯାଇଥିବା ନଗଦ ଟଙ୍କା ସହ ଲକ୍ଷାଧିକ ଟଙ୍କାର ସୁନା ଗହଣା ନେଇ ଫେରାର ହୋଇଯାଇଥିଲେ।ଘରକୁ ଫେରିବା ପରେ ପରିବାର ଲୋକେ ତାଲା ଓ ଆଲମିରା ଭଙ୍ଗା ହୋଇଥିବା ଦେଖି ଘଟଣା ସମ୍ପର୍କରେ ଜାଣିଥିଲେ। ଏନେଇ ତୁରୁମୁଙ୍ଗା ଥାନା ପୁଲିସକୁ ସୂଚନା ଦିଆଯାଇଥିଲା।ଖବର ପାଇ ତୁରୁମୁଙ୍ଗା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଲୁଟେରାଙ୍କୁ ଧରିବା ପାଇଁ ପୁଲିସ ପକ୍ଷରୁ ବିଭିନ୍ନ ଦିଗରୁ ଛାନ୍‌ଭିନ୍‌ ଜାରି ରହିଛି।

ନଜର ଓଡ଼ିଶା
Nazar Odisha
Powered by Blogger.
  • ()

Latest News


🆕 Latest News


ADVERTISEMENT
About Us

ନଜର ଓଡ଼ିଶା

ନଜର ଓଡ଼ିଶା ଏକ ଡିଜିଟାଲ ନ୍ୟୁଜ୍ ପ୍ଲାଟଫର୍ମ। ଓଡ଼ିଶାର ପ୍ରତିଟି ଖବର ଉପରେ ନଜର ରଖି ରାଜ୍ୟ, ଜିଲ୍ଲା, ଦେଶ ଓ ବିଦେଶ, ରାଜନୀତି, କ୍ରୀଡ଼ା, ମନୋରଞ୍ଜନ ଓ ବିଶେଷ ଖବର ପାଠକଙ୍କ ପାଖରେ ପହଞ୍ଚାଇବା ଆମର ଲକ୍ଷ୍ୟ।

ସଠିକ୍, ଦାୟିତ୍ୱଶୀଳ ଓ ତଥ୍ୟଭିତ୍ତିକ ସମ୍ବାଦ ପ୍ରକାଶ କରିବାକୁ ଆମେ ପ୍ରାଥମିକତା ଦେଉଛୁ।

Contact Us

ନଜର ଓଡ଼ିଶା ସହ ଯୋଗାଯୋଗ

ଖବର, ସୁଧାର ସୂଚନା, ବିଜ୍ଞାପନ କିମ୍ବା ସମ୍ପାଦକୀୟ ବିଷୟ ପାଇଁ ଆମ ସହ ଯୋଗାଯୋଗ କରନ୍ତୁ।

ନାମ: ନଜର ଓଡ଼ିଶା

ଆପଣଙ୍କ official email/phone ପରେ ଏଠାରେ ଯୋଡ଼ାଯାଇପାରିବ।

Privacy Policy

ଗୋପନୀୟତା ନୀତି

ନଜର ଓଡ଼ିଶା ପାଠକଙ୍କ ଗୋପନୀୟତାକୁ ସମ୍ମାନ କରେ। Website ବ୍ୟବହାର ସମୟରେ ଆବଶ୍ୟକ technical information, cookies କିମ୍ବା analytics data ସେବା ଉନ୍ନତି ଓ ସୁରକ୍ଷା ପାଇଁ ବ୍ୟବହୃତ ହୋଇପାରେ।

ପାଠକଙ୍କ ବ୍ୟକ୍ତିଗତ ତଥ୍ୟକୁ ଅନାବଶ୍ୟକ ଭାବେ ସାର୍ବଜନୀନ କରାଯିବ ନାହିଁ। Third-party services ନିଜସ୍ୱ privacy policy ଅନୁସାରେ ତଥ୍ୟ ପ୍ରକ୍ରିୟା କରିପାରନ୍ତି।

Disclaimer

ଦାୟିତ୍ୱ ପ୍ରତ୍ୟାଖ୍ୟାନ

ନଜର ଓଡ଼ିଶାରେ ପ୍ରକାଶିତ ଖବର ଓ ସୂଚନା ସାଧ୍ୟମତେ ଯାଞ୍ଚ କରି ପ୍ରକାଶ କରାଯାଏ। ତଥାପି କୌଣସି ଅନିଚ୍ଛିତ ଭୁଲ, ଅସମ୍ପୂର୍ଣ୍ଣତା କିମ୍ବା ସମୟ ସହିତ ପରିବର୍ତ୍ତିତ ତଥ୍ୟ ପାଇଁ ପାଠକ ନିଜସ୍ୱ ବିଚାର ବ୍ୟବହାର କରିବେ।

ତୃତୀୟ ପକ୍ଷ website, link, advertisement କିମ୍ବା content ପାଇଁ ନଜର ଓଡ଼ିଶା ସର୍ବଦା ଦାୟୀ ନୁହେଁ।