ଭୁବନେଶ୍ୱର, ୨/୧୧: ବଙ୍ଗୋପସାଗରରେ ଶକ୍ତିଶାଳୀ ହେଉଛି ବାତ୍ୟା ‘ମୁରାସୁ’। ଦକ୍ଷିଣ-ପଶ୍ଚିମ ଏବଂ ସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଏହି ବାତ୍ୟା ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଘଣ୍ଟାପ୍ରତି ପ୍ରାୟ ୨୫ କିଲୋମିଟର ବେଗରେ ଗତି କରୁଛି। ବାତ୍ୟାର ପ୍ରଭାବରେ ଓଡ଼ିଶାର ଅନେକ ଜିଲ୍ଲାରେ ବର୍ଷା ଆଶଙ୍କା ଥିବାରୁ ପାଣିପାଗ ବିଭାଗ ପକ୍ଷରୁ ୧୯ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।ପାଣିପାଗ ଆକଳନ ଅନୁଯାୟୀ, ବାତ୍ୟାଟି ଚେନ୍ନାଇଠାରୁ ପ୍ରାୟ ୨୬୦ କିଲୋମିଟର ଏବଂ ନେଲୋରଠାରୁ ୨୯୦ କିଲୋମିଟର ଦୂରରେ ରହିଛି। ଏହା ଉତ୍ତର-ପଶ୍ଚିମ ଦିଗକୁ ଗତି କରି ଆଜି ମଧ୍ୟରାତ୍ରିରୁ ଆସନ୍ତାକାଲି ଭୋର ମଧ୍ୟରେ ନେଲୋର ଓ ନରସାପୁର ମଧ୍ୟରେ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିବାର ଆକଳନ କରାଯାଇଛି। ସ୍ଥଳଭାଗ ଅତିକ୍ରମ ସମୟରେ ପବନର ବେଗ ଘଣ୍ଟାପ୍ରତି ୧୦୦ରୁ ୧୧୦ କିଲୋମିଟର ଏବଂ ଝଟକା ପବନର ବେଗ ୧୨୦ କିଲୋମିଟର ପର୍ଯ୍ୟନ୍ତ ରହିପାରେ।
ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ଆଶଙ୍କା
ବାତ୍ୟା ‘ମୁରାସୁ’ର ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। କୋରାପୁଟ, ମାଲକାନଗିରି, ରାୟଗଡ଼ା, ନବରଙ୍ଗପୁର, ନୂଆପଡ଼ା ଓ କଳାହାଣ୍ଡି ଜିଲ୍ଲାରେ ବାତ୍ୟାର ପ୍ରଭାବ ଅଧିକ ରହିପାରେ। ଆଜି ଗଞ୍ଜାମ, ଗଜପତି, ପୁରୀ ଓ ଖୋର୍ଦ୍ଧା ସମେତ ଆଖପାଖ ଅଞ୍ଚଳରେ ହାଲୁକାରୁ ମଧ୍ୟମ ବର୍ଷା ଆଶଙ୍କା ରହିଛି।ଆସନ୍ତାକାଲି ଓ ନଭେମ୍ବର ୪ ତାରିଖରେ କୋରାପୁଟ, ମାଲକାନଗିରି, ରାୟଗଡ଼ା, ନବରଙ୍ଗପୁର, ନୂଆପଡ଼ା ଓ କଳାହାଣ୍ଡି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ।
ଗଜପତିରେ ଆରମ୍ଭ ହେଲା ବର୍ଷା
ବାତ୍ୟାର ପ୍ରଭାବରେ ଗଜପତି ଜିଲ୍ଲାରେ ମଧ୍ୟରାତ୍ରିରୁ ଝିପିଝିପି ବର୍ଷା ଆରମ୍ଭ ହୋଇଛି। ପୂର୍ବରୁ ବାତ୍ୟା ‘ଅର୍ଣ୍ଣବ’ ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିବା ଲୋକମାନେ ପୁଣି ଏକ ବାତ୍ୟାର ସମ୍ଭାବ୍ୟ ପ୍ରଭାବକୁ ନେଇ ଚିନ୍ତିତ ଅଛନ୍ତି।
ସ୍ଥଳଭାଗ ଛୁଇଁବା ପରେ ଦୁର୍ବଳ ହେବ ବାତ୍ୟା
ଆକଳନ ଅନୁଯାୟୀ, ସ୍ଥଳଭାଗ ଅତିକ୍ରମ କରିବା ପରେ ବାତ୍ୟାର ଗତି ମନ୍ଥର ହେବା ସହ ଧୀରେ ଧୀରେ ଶକ୍ତି ହ୍ରାସ ପାଇବ। ସ୍ଥଳଭାଗର ଶୁଷ୍କ ଓ ଥଣ୍ଡା ପବନ ଏବଂ ପୂର୍ବଘାଟ ପର୍ବତମାଳାର ପ୍ରଭାବରେ ବାତ୍ୟା ଦୁର୍ବଳ ହୋଇପାରେ। ପରବର୍ତ୍ତୀ ସମୟରେ ଏହା ଉତ୍ତର-ପଶ୍ଚିମ ଦିଗରେ ତେଲେଙ୍ଗାନା ଆଡ଼କୁ ଗତି କରିବାର ସମ୍ଭାବନା ରହିଛି।ବାତ୍ୟାର ସମ୍ଭାବ୍ୟ ପ୍ରଭାବକୁ ଦୃଷ୍ଟିରେ ରଖି ଜନସାଧାରଣଙ୍କୁ ପାଣିପାଗ ବିଭାଗର ସରକାରୀ ସତର୍କ ସୂଚନା ଅନୁସରଣ କରିବାକୁ ପରାମର୍ଶ ଦିଆଯାଇଛି।