Showing posts with label ଢେଙ୍କିକୋଟ. Show all posts
Showing posts with label ଢେଙ୍କିକୋଟ. Show all posts
ଘଟଗାଁ ଆଦର୍ଶ ବିଦ୍ୟାଳୟରେ ୧୧ତମ ପ୍ରତିଷ୍ଠା ଦିବସ ପାଳିତ
ଘଟଗାଁ, ୧୧/୯: ଘଟଗାଁ ବ୍ଲକ ଅନ୍ତର୍ଗତ ଢେଙ୍କିକୋଟ ଟିକିରାସ୍ଥିତ ଆଦର୍ଶ ବିଦ୍ୟାଳୟର ୧୧ତମ ପ୍ରତିଷ୍ଠା ଦିବସ ଗୁରୁବାର ବିଦ୍ୟାଳୟ ପରିସରରେ ଉତ୍ସାହ ଓ ଆନନ୍ଦର ସହ ପାଳିତ ହୋଇଯାଇଛି।ଭାରପ୍ରାପ୍ତ ଅଧ୍ୟକ୍ଷ ଭ୍ରମରବର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ପ୍ରତିଷ୍ଠା ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ସାଂସଦ ପ୍ରତିନିଧି ଅଖିଳ ପାତ୍ର ଯୋଗଦେଇଥିଲେ। ମୁଖ୍ୟ ବକ୍ତା ଭାବେ ଘଟଗାଁ ବ୍ଲକ ଶିକ୍ଷାଧିକାରୀ ହରେକୃଷ୍ଣ ନାୟକ ଯୋଗଦେଇ ଶିକ୍ଷାର ଗୁରୁତ୍ୱ ଓ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଠନରେ ବିଦ୍ୟାଳୟର ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ।ସମ୍ମାନିତ ଅତିଥି ଭାବେ ବିଡିଓ ଖଗେଶ୍ୱର ବରାଳ ଓ ସିଆରସିସି ଜିତେନ୍ଦ୍ର କୁମାର ଗିରି ଯୋଗଦେଇଥିଲେ। ସେମାନେ ବିଦ୍ୟାଳୟର ଗୁରୁତ୍ୱ, ଶିକ୍ଷା କ୍ଷେତ୍ରରେ ଏହାର ସଫଳତା, ଗୁଣାତ୍ମକ ଶିକ୍ଷା ପ୍ରଦାନ ସହ ସମାଜ ପ୍ରତି ବିଦ୍ୟାଳୟର ଦାୟିତ୍ୱ ଓ ପ୍ରତିବଦ୍ଧତା ଉପରେ ମତବ୍ୟକ୍ତ କରିଥିଲେ।ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ୱାରା ଏକ ମନୋରଞ୍ଜନଧର୍ମୀ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ବିଭିନ୍ନ ସାଂସ୍କୃତିକ ପ୍ରଦର୍ଶନ ମାଧ୍ୟମରେ ଛାତ୍ରଛାତ୍ରୀମାନେ ନିଜର ପ୍ରତିଭା ଓ ସୃଜନଶୀଳତାର ପରିଚୟ ଦେଇଥିଲେ।କାର୍ଯ୍ୟକ୍ରମକୁ ଶିକ୍ଷକ ଲକ୍ଷ୍ମୀଧାର ସାମଲ ଓ ଶିକ୍ଷୟିତ୍ରୀ କଲ୍ୟାଣୀ ମଲ୍ଲିକ ପରିଚାଳନା କରିଥିବା ବେଳେ ରମାକାନ୍ତ ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ।
ଲଷ୍ମୀନାରାୟଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଉଦ୍ୟମତା ପ୍ରୋତ୍ସାହନ ସମ୍ମିଳନୀ
ଢେଙ୍କିକୋଟ୯/୯: ସ୍ୱାବଲମ୍ବୀ ଭାରତ ଅଭିଯାନ ଓ ଲଷ୍ମୀନାରାୟଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ପିପିଳିଆର ମିଳିତ ଆନୁକୂଲ୍ୟରେ ବୁଧବାର ବିଦ୍ୟାଳୟ ସଭାଗୃହରେ ଉଦ୍ୟମତା ପ୍ରୋତ୍ସାହନ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ରାଷ୍ଟ୍ର ନିର୍ମାଣରେ ଛାତ୍ରଛାତ୍ରୀଙ୍କ ଭୂମିକା ଓ ସ୍ୱାବଲମ୍ବୀ ଭାରତ ଗଠନ ଉପରେ ସମ୍ମିଳନୀରେ ଆଲୋଚନା କରାଯାଇଥିଲା।ବିଦ୍ୟାଳୟର ଅଧ୍ୟକ୍ଷ ନିରାକାର ସ୍ୱାଇଁ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ଛାତ୍ରଛାତ୍ରୀମାନେ ନିଜ ଦକ୍ଷତା ଓ ଜ୍ଞାନକୁ ବ୍ୟବହାର କରି ସ୍ୱାବଲମ୍ବୀ ସମାଜ ଗଠନରେ ଆଗେଇ ଆସିବାକୁ ଆହ୍ୱାନ ଦେଇଥିଲେ।ସ୍ୱଦେଶୀ ଜାଗରଣ ମଞ୍ଚ ପୂର୍ବପ୍ରାନ୍ତ ସଂଗଠକ ମନ୍ତ୍ରୀ ରାଜେଶ କୁମାର ଦାସ ମୁଖ୍ୟବକ୍ତା ଭାବେ ଯୋଗଦେଇ ଭାରତର ଯୁବଶକ୍ତି, ରୋଜଗାର ଓ ଉଦ୍ୟମିତା ସମ୍ପର୍କରେ ଆଲୋଚନା କରିଥିଲେ। ସେ ସ୍ଥାନୀୟ ସମ୍ବଳ ଓ ସ୍ୱଦେଶୀ ଢାଞ୍ଚାର ଉପଯୋଗ କରି ଯୁବପିଢ଼ି ସ୍ୱରୋଜଗାରୀ ହେବାର ବିଭିନ୍ନ ଦିଗ ସମ୍ପର୍କରେ ବୁଝାଇଥିଲେ।କେନ୍ଦୁଝର ଡେଭଲପମେଣ୍ଟ ଟ୍ରଷ୍ଟର ସମ୍ପାଦକ ତଥା ସ୍ୱଦେଶୀ ଆନ୍ଦୋଳନର ପ୍ରବକ୍ତା ଭକ୍ତ ବତ୍ସଳ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହାତ୍ମା ଗାନ୍ଧୀଙ୍କ ରଚନାତ୍ମକ କାର୍ଯ୍ୟକ୍ରମ, କୁଟୀର ଶିଳ୍ପ ଓ ସ୍ୱଦେଶୀ ଜ୍ଞାନକୌଶଳ ମାଧ୍ୟମରେ କିପରି ଆତ୍ମନିର୍ଭର ହୋଇପାରିବେ, ସେନେଇ ଛାତ୍ରଛାତ୍ରୀଙ୍କୁ ମାର୍ଗଦର୍ଶନ କରିଥିଲେ।ସେହିପରି ସ୍ୱଦେଶୀ ଜାଗରଣ ମଞ୍ଚ କେନ୍ଦୁଝର ଜିଲ୍ଲା ସଂଯୋଜକ ମାନସ ରଞ୍ଜନ ପଣ୍ଡା ଅନ୍ୟତମ ଅତିଥି ଭାବେ ଯୋଗଦେଇ କେନ୍ଦୁଝରର ବନବାସୀ ଓ ଆଦିବାସୀ ଅଞ୍ଚଳରେ ଉପଲବ୍ଧ ଲଘୁ ବନଜାତ ଦ୍ରବ୍ୟ ଏବଂ ସ୍ଥାନୀୟ ସମ୍ବଳର ସଠିକ୍ ବିନିଯୋଗ କରି ସ୍ୱରୋଜଗାର ସୃଷ୍ଟି କରିବା ଉପରେ ଆଲୋକପାତ କରିଥିଲେ।କାର୍ଯ୍ୟକ୍ରମରେ ଅଧ୍ୟାପକ ଅଲେଖ ପ୍ରସାଦ ସାହୁ ଅତିଥିମାନଙ୍କୁ ସ୍ୱାଗତ ଜଣାଇଥିବା ବେଳେ ଅଧ୍ୟାପକ ହେମନ୍ତ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ସମ୍ମିଳନୀରେ ୩୫୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଯୋଗଦେଇ ପ୍ରଶ୍ନୋତ୍ତର ଆଲୋଚନାରେ ସକ୍ରିୟ ଭାବେ ଭାଗ ନେଇଥିଲେ।ଶେଷରେ ଅଂଶଗ୍ରହଣକାରୀ ଛାତ୍ରଛାତ୍ରୀମାନେ ସ୍ୱଦେଶୀ ସାମଗ୍ରୀ ବ୍ୟବହାର କରିବା ଓ ସ୍ୱାବଲମ୍ବୀ ଭାରତ ଗଠନରେ ସହଯୋଗ କରିବା ପାଇଁ ସର୍ବସମ୍ମତି ପ୍ରକାଶ କରିଥିଲେ।
ଅସନବଣିରେ କର୍ଣ୍ଣାଟକ ପ୍ରତିନିଧି ଦଳ, ବର୍ଷା ଜଳ ପରିଚାଳନା ପ୍ରକଳ୍ପ ଅନୁଧ୍ୟାନ
ଘଟଗାଁ: ୮/୯: କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ପିପିଳିଆ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଅସନବଣି ଗ୍ରାମରେ ସଫଳ ବର୍ଷା ଜଳ ପରିଚାଳନା ପ୍ରକଳ୍ପକୁ ଅନୁଧ୍ୟାନ କରିଛନ୍ତି କର୍ଣ୍ଣାଟକର ବାନ୍ଦିପୁର ଅଞ୍ଚଳର ପଞ୍ଚାୟତିରାଜ ପ୍ରତିନିଧି ଓ ସରକାରୀ ଅଧିକାରୀଙ୍କ ଏକ ପ୍ରତିନିଧି ଦଳ।ମଙ୍ଗଳବାର ପୂର୍ବାହ୍ନରେ ପ୍ରତିନିଧି ଦଳ ଅସନବଣି ଗ୍ରାମରେ ପହଞ୍ଚି ଆଦର୍ଶ ବର୍ଷା ଜଳ ପରିଚାଳନା ପ୍ରକଳ୍ପର ବିଭିନ୍ନ କାର୍ଯ୍ୟ ବୁଲି ଦେଖିଥିଲେ। ପ୍ରକଳ୍ପର ସବିଶେଷ ତଥ୍ୟ ନେବା ସହ ଜଙ୍ଗଲ ଓ ପାହାଡ଼ ମଧ୍ୟରେ ପ୍ରାୟ ୪ କିଲୋମିଟର ପାଦରେ ଚାଲି ପ୍ରକଳ୍ପର ସଫଳତା ଓ କାର୍ଯ୍ୟପ୍ରଣାଳୀ ଅନୁଧ୍ୟାନ କରିଥିଲେ।ସୂଚନା ଅନୁଯାୟୀ, କର୍ଣ୍ଣାଟକ ସରକାର ରାଜ୍ୟର ଜଳକ୍ଳିଷ୍ଟ ଓ ମରୁଡ଼ି ପ୍ରବଣ ଅଞ୍ଚଳରେ ବର୍ଷା ଜଳ ପରିଚାଳନା ପ୍ରକଳ୍ପକୁ ଅଗ୍ରାଧିକାର ଦେଇ କାର୍ଯ୍ୟକାରୀ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ଅସନବଣି ଗ୍ରାମର ସଫଳ ବର୍ଷା ଜଳ ପରିଚାଳନା ପ୍ରକଳ୍ପକୁ ଏକ ଆଦର୍ଶ ମଡେଲ ଭାବେ ଅଧ୍ୟୟନ କରାଯାଉଛି।ପ୍ରାୟ ୧୪ ବର୍ଷ ପୂର୍ବେ କେନ୍ଦୁଝର ଜିଲ୍ଲା ପ୍ରଶାସନ, ଘଟଗାଁ ବ୍ଲକ ପ୍ରଶାସନ ଓ ସ୍ବେଚ୍ଛାସେବୀ ସଂଗଠନ ୱସ୍କାର ମିଳିତ ସହଭାଗିତାରେ ଅସନବଣି ଗ୍ରାମରେ ଏହି ପ୍ରକଳ୍ପ ଆରମ୍ଭ ହୋଇଥିଲା। ସେତେବେଳେ ଗ୍ରାମରେ ଜଳର ଉତ୍କଟ ଅଭାବ ଦେଖାଦେଉଥିଲା। ବର୍ଷର ଅଧା ସମୟ ଅଞ୍ଚଳ ଶୁଷ୍କ ରହୁଥିବାରୁ କୃଷି କାର୍ଯ୍ୟ ମଧ୍ୟ ପ୍ରଭାବିତ ହେଉଥିଲା।ପାହାଡ଼ରୁ ତଳକୁ ବୋହିଯାଉଥିବା ବର୍ଷା ଜଳକୁ ଛୋଟ ଛୋଟ ଆଡ଼ିବନ୍ଧ ମାଧ୍ୟମରେ ରୋକିବା ଆରମ୍ଭ କରାଯାଇଥିଲା। ପରବର୍ତ୍ତୀ ସମୟରେ ପାହାଡ଼ର ବିସ୍ତୃତି ଅନୁଯାୟୀ ପ୍ରାୟ ୪ କିଲୋମିଟର ଅଞ୍ଚଳରେ ବିଭିନ୍ନ ଜଳ ସଂରକ୍ଷଣ ବ୍ୟବସ୍ଥା କରାଯାଇଥିଲା।ପ୍ରକଳ୍ପ ଆରମ୍ଭ ସମୟରେ ଅନେକ ଲୋକ ଏହାକୁ ନେଇ ସନ୍ଦେହ ପ୍ରକାଶ କରିଥିଲେ। ତେବେ ମାତ୍ର ଦୁଇ ବର୍ଷ ମଧ୍ୟରେ ଏହାର ସଫଳ ପରିଣାମ ଦେଖାଦେଇଥିଲା। ଭୂତଳ ଜଳସ୍ତର ବୃଦ୍ଧି ପାଇବା ସହ କୂଅରେ ପାଣି ରହିବା ଆରମ୍ଭ ହୋଇଥିଲା। ଚାଷଜମି ସବୁଜିମାରେ ଭରିଯିବା ସହ ଗ୍ରାମର କୃଷି କାର୍ଯ୍ୟରେ ମଧ୍ୟ ଉନ୍ନତି ଆସିଥିଲା।ଅସନବଣିର ସଫଳତା ପରେ କେନ୍ଦୁଝର ଜିଲ୍ଲାର ଅନ୍ୟାନ୍ୟ ବ୍ଲକରେ ମଧ୍ୟ ଏହି ପ୍ରକଳ୍ପକୁ ଆଦର୍ଶ ଭାବେ ଗ୍ରହଣ କରାଯାଇ ବିଭିନ୍ନ ଅଞ୍ଚଳରେ ଜଳ ସଂରକ୍ଷଣ କାର୍ଯ୍ୟ କରାଯାଇଛି। ରାଜ୍ୟ ତଥା ରାଜ୍ୟ ବାହାରର ବିଭିନ୍ନ ପଦସ୍ଥ ଅଧିକାରୀ ଓ ପଞ୍ଚାୟତିରାଜ ପ୍ରତିନିଧି ଅସନବଣି ଗସ୍ତ କରି ଏହି ପ୍ରକଳ୍ପର ସଫଳତାକୁ ପ୍ରଶଂସା କରିଛନ୍ତି।ବର୍ତ୍ତମାନ କର୍ଣ୍ଣାଟକର ବାନ୍ଦିପୁର ଅଞ୍ଚଳ ମରୁଡ଼ି ପ୍ରବଣ ହୋଇଥିବାରୁ ଅସନବଣିର ବର୍ଷା ଜଳ ପରିଚାଳନା ମଡେଲକୁ ସେଠାରେ ଅନୁସରଣ କରିବା ପାଇଁ ପ୍ରକଳ୍ପର ବିଭିନ୍ନ କାର୍ଯ୍ୟ ଓ ସଫଳତା ସମ୍ପର୍କିତ ତଥ୍ୟ ଅଧ୍ୟୟନ କରାଯାଉଛି।ଏହି ଅବସରରେ ସ୍ବେଚ୍ଛାସେବୀ ସଂଗଠନ ୱସ୍କା ପକ୍ଷରୁ ଶିଶିର ସିଂ ସାମନ୍ତ, ବ୍ଲକ ପ୍ରଶାସନ ପକ୍ଷରୁ ଏବିଡିଓ ଚିତ୍ତରଞ୍ଜନ ନାୟକ ଓ ଭାରପ୍ରାପ୍ତ ସହକାରୀ ନିର୍ବାହୀ ଯନ୍ତ୍ରୀ ସୁପାୟ କିସ୍କୁ ପ୍ରମୁଖ ଉପସ୍ଥିତ ରହି କର୍ଣ୍ଣାଟକ ପ୍ରତିନିଧି ଦଳକୁ ପ୍ରକଳ୍ପ ସମ୍ପର୍କରେ ସବିଶେଷ ତଥ୍ୟ ଓ ଆବଶ୍ୟକ ସହାୟତା ପ୍ରଦାନ କରିଥିଲେ।
ନଜର ଓଡ଼ିଶା
Nazar Odisha
Powered by Blogger.

