ପୁଅର ଚିତା ନ ଲିଭୁଣୁ ମା’ର ମୃତ୍ୟୁ
ପାଟଣା, ୨୩।୮ (ନଜର ଓଡ଼ିଶା) ଆଖି ଆଗରେ ପୁଅର ମୃତ ଶରୀର ଦେଖିବା ଅସହ୍ୟ ହେଲା। ସେହି ଦୁଃଖ ତାଙ୍କୁ ଏତେ ଅଥୟ କଲା ଯେ ହୃଦ୍ଘାତରେ ଜୀବନ ଚାଲିଗଲା। ମଶାଣିରେ ପୁଅର ଚିତା ନ ଲିଭୁଣୁ ମା'ଙ୍କର ଜୀବନ ଚାଲିଗଲା। କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ କଣ୍ଟିଆପଡ଼ା ଗ୍ରାମରେ ଏପରି ଏକ ଦୁଃଖଦ ଘଟଣା ଘଟିଛି। ମୃତକଦ୍ବୟ ହେଲେ, ଗ୍ରାମର ମରୁଆ ମହାକୁଡ଼ (୭୦) ଓ ତାଙ୍କ ପୁଅ ଦାମୋଦର ମହାକୁଡ଼ (୪୫)ସୂଚନାନୁଯାୟୀ, ଦାମୋଦରଙ୍କ କିଛି ଦିନ ହେବ ଅସୁସ୍ଥ ଥିଲେ। ଗତକାଲି ତାଙ୍କ ଅବସ୍ଥା ଅଧିକ ବିଗିଡ଼ିଯିବାରୁ ପରିବାରଲୋକ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଶବ ବ୍ୟବଚ୍ଛେଦ ପରେ ମୃତଦେହ ଗାଁକୁ ଅଣାଯାଇ ଶ୍ମଶାନରେ ଶବ ସତ୍କାର କରାଯାଇଥିଲା।ପରିବାରଲୋକେ ମଶାଣିରୁ ଘରକୁ ଫେରୁଥିବା ବେଳେ ପୁଅ ବିୟୋଗରେ ସ୍ତବ୍ଧ ହୋଇପଡ଼ିଥିବା ମାଆ ମରୁଆଙ୍କର ହୃଦ୍ଘାତରେ ମୃତ୍ୟୁ ଘଟିଥିଲା। ପରେ ପରିବାର ଓ ଗ୍ରାମବାସୀ ସେହି ଶ୍ମଶାନରେ ମାଆଙ୍କ ଶେଷକୃତ୍ୟ କରାଇଥିଲେ। ଗୋଟିଏ ଦିନରେ ପରିବାରର ମାଆ-ପୁଅଙ୍କ ଏଭଳି କରୁଣ ମୃତ୍ୟୁକୁ ନେଇ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
Tags:
ନଜର ଓଡ଼ିଶା
Nazar Odisha
Subscribe to:
Post Comments (Atom)
