ପାଟଣା, ୨୩।୮ (ନଜର ଓଡ଼ିଶା) କେନ୍ଦୁଝର ଜିଲ୍ଲା ଘଟଗାଁ ରେଞ୍ଜ ଡେଙ୍କିକୋଟ ସେକ୍ସନ ଅନ୍ତର୍ଗତ କାଶୀବେଡ଼ା ଗ୍ରାମରେ ହାତୀପଲଙ୍କ ଉପଦ୍ରବ ଯୋଗୁଁ ସ୍ଥାନୀୟ ଚାଷୀ ଓ ଗ୍ରାମବାସୀ ଅତ୍ୟନ୍ତ ଭୟଭୀତ ହୋଇପଡ଼ିଛନ୍ତି। ପ୍ରାୟ ୨୦ଟି ଜଙ୍ଗଲୀ ହାତୀଙ୍କ ଏକ ପଲ ଗ୍ରାମ ନିକଟରେ ପ୍ରବେଶ କରି ଗତ ଦୁଇ ଦିନ ହେବ ବ୍ୟାପକ ଫସଲ ଦଳିଚକଟି ନଷ୍ଟ କରିଦେଇଛନ୍ତି।
ଗତକାଲି ଏହି ହାତୀପଲ ବୋଇତାଲୁ ଓ ଧାନ ଫସଲ ନଷ୍ଟ କରିଥିବା ବେଳେ ଶୁକ୍ରବାର ରାତିରୁ ଶନିବାର ଦିନ ପର୍ଯ୍ୟନ୍ତ ଗ୍ରାମର ପ୍ରମୁଖ ଚାଷ ଜମିରେ ବୁଲାବୁଲି କରି ଆକ୍ରମଣାତ୍ମକ ରୂପ ଦେଖାଇଛନ୍ତି।ବ୍ୟାପକ ଧାନ ଫସଲ ନଷ୍ଟ, ଭୟଭୀତ ଗ୍ରାମବାସୀହାତୀପଲଙ୍କ ଏହି ଉପଦ୍ରବ ଯୋଗୁଁ ଗ୍ରାମର ପାଣ୍ଡବ ମୁଣ୍ଡା, ବସନ୍ତ ନାୟକ, ମହେଶ୍ୱର ନାୟକଙ୍କ ସମେତ ବହୁ ଚାଷୀଙ୍କ ଅମଳକ୍ଷମ ଧାନ ଫସଲ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ବିଶେଷ କରି ବର୍ଷକର ମହଙ୍ଗା ଶ୍ରମ ଓ ଆଶା ରଖି ଚାଷ କରିଥିବା ଅସହାୟ ବିଧବା ମହିଳା ଚାଷୀ ବାସନ୍ତୀ ମୁଣ୍ଡା ନିଜର ସମସ୍ତ ଫସଲ ଆଖି ଆଗରେ ନଷ୍ଟ ହୋଇଯିବା ପରେ ମାନସିକ ଭାବେ ଭାଙ୍ଗି ପଡ଼ିଛନ୍ତି।
ସୂଚନାଯୋଗ୍ୟ ଯେ, ୨୦ ଟିକିଆ ଏହି ହାତୀପଲ ବର୍ତ୍ତମାନ କାଶୀବେଡ଼ା-ଭୋଳାବେଡ଼ା ସୀମାନ୍ତ ଜଙ୍ଗଲରେ ଡେରା ପକାଇ ରହିଛନ୍ତି। ସନ୍ଧ୍ୟା ହେଲେ ହାତୀପଲ ପୁନର୍ବାର ଗ୍ରାମ ଓ ଚାଷଜମି ମୁହାଁ ହେବା ଆଶଙ୍କାରେ ସମଗ୍ର ଅଞ୍ଛଳରେ ତୀବ୍ର ଆତଙ୍କ ଖେଳିଯାଇଛି।
ତେଣୁ ବନ ବିଭାଗର ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ସରଜମିନ ଯାଞ୍ଚ କରି କ୍ଷୟକ୍ଷତି ସଠିକ୍ ଆକଳନ କରିବା ସହ କ୍ଷତିଗ୍ରସ୍ତ ଚାଷୀଙ୍କୁ ନିୟମାନୁଯାୟୀ କ୍ଷତିପୂରଣ ପ୍ରଦାନ କରିବାକୁ ନିବେଦନ କରାଯାଇଛି। ଏଥିସହିତ ଗାଁ ପାଖରୁ ହାତୀପଲଙ୍କୁ ସୁରକ୍ଷିତ ଭାବେ ଗଭୀର ଜଙ୍ଗଲକୁ ଘଉଡ଼ାଇବା ପାଇଁ ତୁରନ୍ତ ବନକର୍ମୀ ଓ ହାତୀ ସ୍କ୍ୱାଡ୍ ନିୟୋଜିତ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।
