ବଜ୍ରପାତରେ ଆଇସିଡିଏସ୍ ପରିଦର୍ଶିକାଙ୍କ ସମେତ ୧୧ ଆହତ
ପାଟଣା, ୨୯/୮ (ନ.ଓ): କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ମଲ୍ଲିପଶି ଅଙ୍ଗନବାଡ଼ି କେନ୍ଦ୍ରରେ ଆୟୋଜିତ ସେକ୍ଟରସ୍ତରୀୟ ବୈଠକ ଚାଲିଥିବା ବେଳେ ବଜ୍ରପାତ ଘଟି ଆଇସିଡିଏସ୍ ପରିଦର୍ଶିକାଙ୍କ ସମେତ ୧୧ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ଆଇସିଡିଏସ୍ ପରିଦର୍ଶିକା ସନ୍ଧ୍ୟାମଣି ମହାନ୍ତଙ୍କ ସମେତ ୧୦ ଜଣ ଅଙ୍ଗନବାଡ଼ି କର୍ମୀ ରହିଛନ୍ତି।ସୂଚନା ଅନୁଯାୟୀ, ଶନିବାର ଅପରାହ୍ନ ପ୍ରାୟ ୩ଟା ୧୫ ମିନିଟ୍ ସମୟରେ ମଲ୍ଲିପଶି ଅଙ୍ଗନବାଡ଼ି କେନ୍ଦ୍ରରେ ସେକ୍ଟରସ୍ତରୀୟ ବୈଠକ ଚାଲିଥିଲା। ଏହି ସମୟରେ ହଠାତ୍ ବଜ୍ରପାତ ହେବାରୁ ସେଠାରେ ଉପସ୍ଥିତ ୧୧ ଜଣ ଆହତ ହୋଇଥିଲେ।ଖବର ପାଇ ସିଡିପିଓ କଳ୍ପନା ଡୋରା ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଆହତଙ୍କୁ ଉଦ୍ଧାର କରି ପାଟଣା ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ। ଖବର ପାଇ ପାଟଣା ବିଡିଓ ମାନସ କୁମାର ଦଣ୍ଡପାଟ ଓ ତହସିଲଦାର ଅଶିନୀ କୁମାର ନାଏକ ଡାକ୍ତରଖାନାରେ ପହଞ୍ଚି ଆହତଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ଚିକିତ୍ସା ବ୍ୟବସ୍ଥାର ତଦାରଖ କରିଥିଲେ।ପ୍ରାଥମିକ ଚିକିତ୍ସା ପରେ ୭ ଜଣ ବିପଦମୁକ୍ତ ଥିବାରୁ ସେମାନଙ୍କୁ ଡାକ୍ତରଖାନାରୁ ଛାଡ଼ି ଦିଆଯାଇଥିବା ବେଳେ ଅନ୍ୟ ୪ ଜଣଙ୍କୁ ଡାକ୍ତରଖାନାରେ ରଖି ଚିକିତ୍ସା କରାଯାଉଥିବା ଜଣାପଡ଼ିଛି।
Tags:ଜିଲ୍ଲା
ନଜର ଓଡ଼ିଶା
Nazar Odisha
Subscribe to:
Post Comments (Atom)
