ସାହାରପଡ଼ା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଛାତ୍ରଙ୍କ ନିଟ୍ ପ୍ରବେଶିକା ପରୀକ୍ଷାରେ ସଫଳତା
ପାଟଣା ୩୦/୮ (ନ.ଓ) କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ କେନ୍ଦେଇପଶି ପଞ୍ଚାୟତର ଖୁଣ୍ଟାପଡ଼ା ଗ୍ରାମର ଛାତ୍ର ଶକ୍ତି ରଞ୍ଜନ ପାତ୍ର ଚଳିତ ବର୍ଷ ସର୍ବଭାରତୀୟ ମେଡିକାଲ ପ୍ରବେଶିକା ପରୀକ୍ଷା ନିଟ୍ ରେ ସଫଳତା ହାସଲ କରି ସମଗ୍ର ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି। ନିଜର କଠିନ ପରିଶ୍ରମ ଓ ଅଧ୍ୟବସାୟ ବଳରେ ସେ ଭବାନୀପାଟଣା ସ୍ଥିତ ‘ସହିଦ ରେଣ୍ଡୋ ମାଝି ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ’ ରେ ଡାକ୍ତରୀ ପଢ଼ିବା ପାଇଁ ମନୋନୀତ ହୋଇଛନ୍ତି। ଶକ୍ତି ରଞ୍ଜନ ହେଉଛନ୍ତି ଖୁଣ୍ଟାପଡ଼ା ଗ୍ରାମର ଲୋଚନ ପାତ୍ରଙ୍କ ସୁପୁତ୍ର। ସେ ପ୍ରଥମରୁ ହିଁ ଜଣେ ମେଧାବୀ ଛାତ୍ର ଥିଲେ। ଶକ୍ତି ନିଜର ବିଦ୍ୟାଳୟ ଶିକ୍ଷା ସାହାରପଡ଼ା ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟରୁ ସମାପ୍ତ କରିଛନ୍ତି। ସେ ୨୦୨୩ ମସିହାରେ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ୮୮.୮ ପ୍ରତିଶତ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିବା ବେଳେ, ନିକଟରେ ୨୦୨୫ ମସିହାରେ +୨ ଦୁଇ ବିଜ୍ଞାନ ପରୀକ୍ଷାରେ ମଧ୍ୟ ୭୭.୬ ପ୍ରତିଶତ ନମ୍ବର ହାସଲ କରିଥିଲେ। ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ନିଟ୍ ପରୀକ୍ଷାରେ ଶକ୍ତି ରଞ୍ଜନ ମୋଟ ୪୫୮ ନମ୍ବର ରଖି କୃତକାର୍ଯ୍ୟ ହୋଇଛନ୍ତି। ଜଣେ ଗ୍ରାମାଞ୍ଚଳର ଛାତ୍ର ଭାବରେ ସରକାରୀ ମେଡିକାଲ କଲେଜରେ ନାମ ଲେଖାଇବାକୁ ଯୋଗ୍ୟ ବିବେଚିତ ହୋଇଥିବାରୁ ତାଙ୍କ ପରିବାର ତଥା ସମ୍ପର୍କୀୟଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଛି। ତାଙ୍କର ଏହି ନିଆରା ସଫଳତା ପାଇଁ ସ୍ଥାନୀୟ ଅଞ୍ଚଳବାସୀ, ଅଧ୍ୟକ୍ଷ ନୃସିଂହ ନାଥ ପରିଡ଼ା ତଥା ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀ ଓ ବୁଦ୍ଧିଜୀବୀମାନେ ତାଙ୍କୁ ଶୁଭେଚ୍ଛା ଜ୍ଞାପନ କରିବା ସହ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି। ଆଗାମୀ ଦିନରେ ଜଣେ ଦକ୍ଷ ଡାକ୍ତର ହୋଇ ସାଧାରଣ ଲୋକଙ୍କ ସେବା କରିବାକୁ ଶକ୍ତି ରଞ୍ଜନ ଲକ୍ଷ୍ୟ ରଖିଛନ୍ତି।
Tags:ଜିଲ୍ଲା
ନଜର ଓଡ଼ିଶା
Nazar Odisha
Subscribe to:
Post Comments (Atom)
