ହାତୀ ଆକ୍ରମଣରେ ଯୁବକ ମୃତ, ଧୋବାପିଟଣାରେ ଆତଙ୍କ; ଘଟଣାସ୍ଥଳରେ ପୁଲିସ ଓ ବନ ବିଭାଗ
ପାଟଣା,୨୬/୮:(ନଜର ଓଡ଼ିଶା)କେନ୍ଦୁଝର ଜିଲ୍ଲା ଘଟଗାଁ ଓ ପାଟଣା ବନାଞ୍ଚଳରେ ଦିନକୁ ଦିନ ହାତୀ ଉପଦ୍ରବ ବଢ଼ିବାରେ ଲାଗିଛି। ଏକ ୨୦ ଟିକିଆ ହାତୀପଲ ବିଭିନ୍ନ ଅଞ୍ଚଳରେ ଘୂରି ବୁଲି ଫସଲ ନଷ୍ଟ କରିବା ସହ ଗ୍ରାମବାସୀଙ୍କ ମଧ୍ୟରେ ଭୟ ସୃଷ୍ଟି କରୁଥିବା ବେଳେ ଆଜି ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ଜୀବନ ଚାଲିଯାଇଛି। ତୋରାଣିପୋଖରୀ ପଞ୍ଚାୟତ ଅନ୍ତର୍ଗତ ଧୋବାପିଟଣା ଗ୍ରାମରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତ ଯୁବକ ହେଲେ ଗ୍ରାମରେ ରହୁଥିବା ମାଧବ ଗାଗରାଇ ଓରଫ ବୁତୁରୁ(୪୨) ବୋଲି ଜଣାପଡିଛି। ସେ ମୂଳ ଅନୁଗୁଳ ଜିଲ୍ଲା ବିକ୍ରମପୁର ଥାନା ଗୋବରା ଗ୍ରାମର ମୂଳ ବାସିନ୍ଦା ତଥା ପର୍ଶୁରାମ ଗାଗରାଇ ଙ୍କ ପୁଅ ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ, ମାଧବ ଗାଧୋଇବାକୁ ଯାଉଥିବା ସମୟରେ ହଠାତ୍ ଏକ ହାତୀ ତାଙ୍କ ନିକଟକୁ ଆସିଯାଇଥିଲା। ଏହି ସମୟରେ ହାତୀଟି ତାଙ୍କୁ ଗୋଡ଼ାଇ ଆକ୍ରମଣ କରିଥିଲା। ହାତୀଟି ଶୁଣ୍ଢରେ ଟେକି ମାଧବ ଙ୍କୁ କଚାଡ଼ି ଦେବା ସହ ଦଳି ଦେବାରୁ ମାଧବଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଘଟଣା ପରେ ଧୋବାପିଟଣା ସମେତ ଆଖପାଖ ଅଞ୍ଚଳରେ ଭୟ ଓ ଆତଙ୍କର ବାତାବରଣ ଖେଳିଯାଇଛି। ଏହି ୨୦ ଟିକିଆ ହାତୀପଲର ଗତିବିଧିକୁ ନେଇ ଗ୍ରାମବାସୀ ଆତଙ୍କିତ ହୋଇପଡ଼ିଛନ୍ତି। ହାତୀପଲ ଗ୍ରାମ ନିକଟରେ ଥିବାରୁ ଆଗକୁ ଆହୁରି ଅଘଟଣ ଘଟିବା ଆଶଙ୍କା ରହିଛି। ହାତୀ ଉପଦ୍ରବ ରୋକିବା, ହାତୀପଲକୁ ସୁରକ୍ଷିତ ଭାବେ ଜଙ୍ଗଲ ଆଡ଼କୁ ଘଉଡ଼ାଇବା ଏବଂ ଗ୍ରାମବାସୀଙ୍କ ଜୀବନ ଓ ଧନସମ୍ପତ୍ତିର ସୁରକ୍ଷା ପାଇଁ ବନ ବିଭାଗ ତୁରନ୍ତ ପ୍ରଭାବୀ ପଦକ୍ଷେପ ନେବାକୁ ସ୍ଥାନୀୟ ଲୋକେ ଦାବି କରିଥିବା ବେଳେ ଧୋବାପିଟଣା ଗ୍ରାମଟି ପାଟଣା ଓ ଘଟଗାଁ ବ୍ଲକ ସୀମାନ୍ତ ରେ ଥିବାରୁ ପାଟଣା ବନାଞ୍ଚଳ ଅଧିକାରୀ ଆର୍ତ୍ତତ୍ରାଣ ମିର୍ଦ୍ଧା , ପାଟଣା ବନପାଳ ନିରଞ୍ଜନ ସେଠୀ , ଘଟଗାଁ ବନାଞ୍ଚଳ ଅଧିକାରୀ ବାବୃବାହାନ ସାହୁ , ଢେଙ୍କିକୋଟ ର ଭାରପ୍ରାପ୍ତ ବନପାଳ ଶରଣ କୁମାର ବାରିକ , ବନରକ୍ଷୀ ପ୍ରଣୟିନୀ ଅମାତ ଓ ଶିବ ହାଁସଦା ପହଞ୍ଚି ଉତ୍ୟକ୍ତ ଲୋକ ମାନଙ୍କ ସହ ଆଲୋଚନା କରିଥିବା ବେଳେ ଢେଙ୍କିକୋଟ ପୁଲିସ ବିଟ ଅଧିକାରୀ ତ୍ରିନାଥ ନାଏକ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚିଛନ୍ତି। ସ୍ଥାନୀୟ ସାମାଜିକ କର୍ମୀ ଜିତେନ୍ଦ୍ର ପଳେଇ ଓ ଧୋବାପିଟଣା ଗ୍ରାମବାସୀ ମୃତକ ଙ୍କ ପରିବାର କୁ ତତ୍କାଳ କ୍ଷତିପୂରଣ ପ୍ରଦାନ ଓ ତାଙ୍କ ଅସହାୟ ପରିବାର କୁ ସହାୟତା ପ୍ରଦାନ ପାଇଁ ବନ ବିଭାଗ ନିକଟରେ ଦାବି ରଖିଛନ୍ତି। ପୁଲିସ ଘଟଣା ସ୍ଥଳରୁ ଶବ ଉଦ୍ଧାର କରିଥିବା ସୂଚନା ମିଳିଛି।
ନଜର ଓଡ଼ିଶା,
ଓଡ଼ିଶାର ପ୍ରତି ଖବର ଉପରେ ନଜର 👁️
ଆମର ଲକ୍ଷ୍ୟ — ସତ୍ୟ ଖବର, ନିରପେକ୍ଷ ରିପୋର୍ଟିଂ ଓ ଲୋକଙ୍କ ସ୍ୱର।
🌐 Website: nazarodishanews24.blogspot.com
📞 Contact: 6372448483
📧 Email: nazarodisha07@gmail.com
ନଜର ଓଡ଼ିଶା
Nazar Odisha
Subscribe to:
Post Comments (Atom)
