ରାଇଡର ଦନ୍ତା ଭୟରେ ରାତିରେ ଘର ଛାଡୁଛନ୍ତି ଗ୍ରାମବାସୀ ବାଘଘର ଓ କାଶିବେଡାରେ ହାତୀ ଆତଙ୍କ
ପାଟଣା:୨୫/୮(ନଜରଓଡ଼ିଶା)କେନ୍ଦୁଝର ଜିଲ୍ଲା ଘଟଗାଁ ରେଞ୍ଜ ଢେଙ୍କିକୋଟ ସେକ୍ସନ ଅନ୍ତର୍ଗତ ବାଘଘର ଓ କାଶିବେଡା ଅଞ୍ଚଳରେ ହାତୀ ଉପଦ୍ରବ ଗ୍ରାମବାସୀଙ୍କ ନିଦ ହଜାଇ ଦେଇଛି। ୨୦ ଟିକିଆ ପରେ ଏବେ ୯ ଟିକିଆ ହାତୀପଲ ରେ ଥିବା ଗୋଟିଏ ରାଇଡର ଦନ୍ତାର ଆତଙ୍କରେ ସନ୍ଧ୍ୟା ହେଲେ ଘରେ ରହିବାକୁ ଭୟ କରୁଛନ୍ତି ଲୋକେ। ଅନେକ ପରିବାର ରାତିରେ ଘର ଛାଡ଼ି ସୁରକ୍ଷିତ ସ୍ଥାନକୁ ଚାଲିଯାଉଥିବା ଅଭିଯୋଗ ହୋଇଛି।ସୂଚନା ଅନୁଯାୟୀ, ରାତି ପ୍ରାୟ ୧୧ଟା ସମୟରେ ରାଇଡର ଦନ୍ତାଟି ବାଘଘର ଗ୍ରାମର ବିଦ୍ୟାଳୟ ନିକଟରେ ଥିବା କିଶୋର ବେହେରାଙ୍କ ଘର ନିକଟକୁ ଆସିଥିଲା। ଦନ୍ତା ଘର ଭାଙ୍ଗିବା ସହ ଘର ଭିତରେ ରଖାଯାଇଥିବା ଧାନ ଓ ଚାଉଳ ଖାଇ ନଷ୍ଟ କରିଦେଇଥିଲା। ହଠାତ୍ ଦନ୍ତା ଘର ଉପରେ ଆକ୍ରମଣ କରିବାରୁ ପରିବାର ଲୋକେ ଭୟଭୀତ ହୋଇପଡ଼ିଥିଲେ। ଏହି ହାତୀପଲ କେବଳ ଘରଦ୍ୱାର ନୁହେଁ, ଅଞ୍ଚଳର ଚାଷୀଙ୍କ ଫସଲ ମଧ୍ୟ ନଷ୍ଟ କରୁଛନ୍ତି। ବାଘଘର ଓ କାଶିବେଡା ଗ୍ରାମର ବିଭିନ୍ନ ଅଞ୍ଚଳରେ ହାତୀପଲ ଧାନ ଖାଇବା ସହ ପାଦରେ ଦଳି ଚକଟି ବ୍ୟାପକ ଫସଲ ନଷ୍ଟ କରିଥିବା ଜଣାପଡ଼ିଛି। ଫସଲ ନଷ୍ଟ ହେବାରୁ ଚାଷୀମାନେ ଆର୍ଥିକ କ୍ଷତିର ସମ୍ମୁଖୀନ ହୋଇଛନ୍ତି। ରାଇଡର ଦନ୍ତାର ଗତିବିଧିକୁ ନେଇ ଗ୍ରାମବାସୀଙ୍କ ଭୟ ଆହୁରି ବଢ଼ିଛି। ସନ୍ଧ୍ୟା ପରେ ଗାଁରେ ଭୟର ବାତାବରଣ ଲାଗି ରହୁଥିବା ବେଳେ ଘରେ ରହିବାକୁ ମଧ୍ୟ ସୁରକ୍ଷିତ ମଣୁନାହାନ୍ତି ଲୋକେ। ଏପରି ସ୍ଥିତିରେ ବନ ବିଭାଗ ତୁରନ୍ତ ପଦକ୍ଷେପ ନେଇ ହାତୀପଲଙ୍କୁ ଗାଁ ନିକଟରୁ ଅନ୍ୟତ୍ର ଘଉଡ଼ାଇବା ସହ ରାଇଡର ଦନ୍ତାର ଗତିବିଧି ଉପରେ ସ୍ୱତନ୍ତ୍ର ନଜର ରଖିବାକୁ ଗ୍ରାମବାସୀ ଦାବି କରିଛନ୍ତି। ଏଥିସହ ହାତୀ ଦ୍ୱାରା ଭାଙ୍ଗିଥିବା ଘର ଓ ନଷ୍ଟ ହୋଇଥିବା ଧାନ ଫସଲର ତୁରନ୍ତ କ୍ଷୟକ୍ଷତି ଆକଳନ କରି ନିୟମାନୁସାରେ କ୍ଷତିପୂରଣ ପ୍ରଦାନ କରିବାକୁ ମଧ୍ୟ ଦାବି ହୋଇଛି।
ନଜର ଓଡ଼ିଶା,
ଓଡ଼ିଶାର ପ୍ରତି ଖବର ଉପରେ ନଜର 👁️
ଆମର ଲକ୍ଷ୍ୟ — ସତ୍ୟ ଖବର, ନିରପେକ୍ଷ ରିପୋର୍ଟିଂ ଓ ଲୋକଙ୍କ ସ୍ୱର।
🌐 Website: nazarodishanews24.blogspot.com
📞 Contact: 6372448483
📧 Email: nazarodisha07@gmail.com
ନଜର ଓଡ଼ିଶା
Nazar Odisha
Subscribe to:
Post Comments (Atom)
