ନଜର ଓଡ଼ିଶା — ଓଡ଼ିଶାର ପ୍ରତିଟି ଖବର ଉପରେ ନଜର

ନଜର ଓଡ଼ିଶା

Nazar Odisha

🚨 BREAKING NEWS ସଦ୍ୟତମ ଖବର ଲୋଡ୍ ହେଉଛି...

Showing posts with label ଜିଲ୍ଲା ଖବର. Show all posts
Showing posts with label ଜିଲ୍ଲା ଖବର. Show all posts

୨୦ ବର୍ଷ ଧରି ଅଚଳ ଅଙ୍ଗନୱାଡି କେନ୍ଦ୍ର, ପାଚିକାଙ୍କ ଘରେ ଚାଲିଛି ପାଠପଢ଼ା


ସାହାରପଡା, ୭/୯ , କୋମଳମତି ଶିଶୁଙ୍କ ପ୍ରାରମ୍ଭିକ ଶିକ୍ଷା, ପୁଷ୍ଟି ଓ ସାମଗ୍ରିକ ବିକାଶ ପାଇଁ ସରକାର ଅଙ୍ଗନୱାଡି କେନ୍ଦ୍ର ମାଧ୍ୟମରେ ବିଭିନ୍ନ ସୁବିଧା ଯୋଗାଇ ଦେଉଛନ୍ତି। ହେଲେ କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ ଡାଳପକା ଗ୍ରାମ ପଞ୍ଚାୟତ ଅଧୀନ ଗୋପୀନାଥପୁର ଗ୍ରାମରେ ଚିତ୍ର ଏହାର ବିପରୀତ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି।ଗ୍ରାମରେ ଥିବା ଅଙ୍ଗନୱାଡି କେନ୍ଦ୍ରଟି ପ୍ରାୟ ୨୦ ବର୍ଷ ଧରି ଅଚଳ ଅବସ୍ଥାରେ ରହିଥିବା ଅଭିଯୋଗ ହୋଇଛି। ଫଳରେ ବର୍ତ୍ତମାନ ପାଚିକାଙ୍କ ଘରେ ଅସ୍ଥାୟୀ ଭାବେ ଅଙ୍ଗନୱାଡି କେନ୍ଦ୍ର ଚାଲୁଥିବା କୁହାଯାଇଛି। ସରକାରୀ ଅଙ୍ଗନୱାଡି ଭବନ ଥିବା ସତ୍ତ୍ୱେ ଦୀର୍ଘଦିନ ଧରି ଏହା ବ୍ୟବହାର ଉପଯୋଗୀ ନ ହେବା ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଛି।ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ, ଅଙ୍ଗନୱାଡି କେନ୍ଦ୍ରରେ ଶିଶୁମାନଙ୍କ ପାଇଁ ପ୍ରାକ୍-ପ୍ରାଥମିକ ଶିକ୍ଷା, ଶିଶୁ ଯତ୍ନ, ପୁଷ୍ଟିକର ଖାଦ୍ୟ ଓ ଅନ୍ୟାନ୍ୟ ସରକାରୀ ସେବା ସୁବ୍ୟବସ୍ଥିତ ଭାବେ ମିଳିବା କଥା। କିନ୍ତୁ ଅସ୍ଥାୟୀ ବ୍ୟବସ୍ଥା ଯୋଗୁଁ ଶିଶୁମାନଙ୍କୁ ଉପଯୁକ୍ତ ଶିକ୍ଷା ପରିବେଶରୁ ବଞ୍ଚିତ ହେବାକୁ ପଡ଼ୁଛି ବୋଲି ସେମାନେ କହିଛନ୍ତି।ସୁରକ୍ଷିତ ଓ ସୁବିଧାସମ୍ପନ୍ନ ଅଙ୍ଗନୱାଡି ଭବନରେ ଶିଶୁମାନେ ଖେଳି ଖେଳି ଶିକ୍ଷା ଗ୍ରହଣ କରିବା ପରିବର୍ତ୍ତେ ଘରୋଇ ପରିବେଶରେ ପାଠପଢ଼ିବାକୁ ବାଧ୍ୟ ହେଉଥିବା ଅଭିଯୋଗ ହୋଇଛି। ଏହା ଶିଶୁଙ୍କ ପ୍ରାରମ୍ଭିକ ଶିକ୍ଷା ଓ ସାମଗ୍ରିକ ବିକାଶ ଉପରେ ପ୍ରଭାବ ପକାଇବା ନେଇ ଗ୍ରାମବାସୀ ଚିନ୍ତା ପ୍ରକାଶ କରିଛନ୍ତି।

୨୦ ବର୍ଷ ଧରି ସମାଧାନ ହୋଇନି ସମସ୍ୟା

ଗ୍ରାମବାସୀଙ୍କ କହିବା ଅନୁସାରେ, ଦୀର୍ଘ ପ୍ରାୟ ୨୦ ବର୍ଷ ଧରି ଅଙ୍ଗନୱାଡି କେନ୍ଦ୍ରଟି ଅଚଳ ରହିଥିଲେ ମଧ୍ୟ ଏହାର ସ୍ଥାୟୀ ସମାଧାନ ଦିଗରେ ଆବଶ୍ୟକ ପଦକ୍ଷେପ ନିଆଯାଇନାହିଁ। ଏହାକୁ ନେଇ ଏବେ ପ୍ରଶାସନର ଦାୟିତ୍ୱ ଓ ନିରୀକ୍ଷଣକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି।ଗ୍ରାମବାସୀଙ୍କ ପ୍ରଶ୍ନ ହେଉଛି—ଏକ ସରକାରୀ ଅଙ୍ଗନୱାଡି କେନ୍ଦ୍ର ଏତେ ଦୀର୍ଘ ସମୟ ଧରି ଅଚଳ ରହିଥିବା ସତ୍ତ୍ୱେ ଏହାର ମରାମତି, ପୁନରୁଦ୍ଧାର କିମ୍ବା ନୂତନ ଭବନ ନିର୍ମାଣ ପାଇଁ ପଦକ୍ଷେପ କାହିଁକି ନିଆଯାଇନାହିଁ?

ପ୍ରଶାସନର ତୁରନ୍ତ ହସ୍ତକ୍ଷେପ ଦାବି

ଗୋପୀନାଥପୁର ଗ୍ରାମବାସୀ ଜିଲ୍ଲା ପ୍ରଶାସନ, ମହିଳା ଓ ଶିଶୁ ବିକାଶ ବିଭାଗ ଏବଂ ସାହାରପଡା ବ୍ଲକ ପ୍ରଶାସନଙ୍କ ତୁରନ୍ତ ହସ୍ତକ୍ଷେପ ଦାବି କରିଛନ୍ତି।ପୁରୁଣା ଅଙ୍ଗନୱାଡି ଭବନଟି ମରାମତି ଯୋଗ୍ୟ ଥିଲେ ତୁରନ୍ତ ମରାମତି କରାଯାଉ। ଯଦି ଭବନଟି ବ୍ୟବହାର ଉପଯୋଗୀ ନୁହେଁ, ତେବେ ଶିଶୁମାନଙ୍କ ସୁରକ୍ଷା ଓ ଶିକ୍ଷାକୁ ଦୃଷ୍ଟିରେ ରଖି ନୂତନ ଅଙ୍ଗନୱାଡି ଭବନ ନିର୍ମାଣ କରାଯାଉ ବୋଲି ଦାବି ଜୋର ଧରିଛି।ଗୋପୀନାଥପୁରର କୋମଳମତି ଶିଶୁମାନେ କେବେ ନିଜସ୍ୱ ସୁରକ୍ଷିତ ଅଙ୍ଗନୱାଡି କେନ୍ଦ୍ର ପାଇବେ, ତାହା ଏବେ ପ୍ରଶାସନର ପଦକ୍ଷେପ ଉପରେ ନିର୍ଭର କରୁଛି। ଶିଶୁମାନଙ୍କ ଶିକ୍ଷା ଓ ସୁରକ୍ଷାକୁ ଗୁରୁତ୍ୱ ଦେଇ ସମସ୍ୟାର ଶୀଘ୍ର ସମାଧାନ କରାଯିବ ବୋଲି ଗ୍ରାମବାସୀ ଆଶା ପ୍ରକାଶ କରିଛନ୍ତି।




ପୂର୍ବତନ ପାଟଣା ବନାଞ୍ଚଳ ଅଧିକାରୀ ବନବିହାରୀ ସର୍ଦ୍ଦାରଙ୍କୁ ବିଦାୟ ସମ୍ବର୍ଦ୍ଧନା


ପାଟଣା, ୬/୯: ପାଟଣା ବନାଞ୍ଚଳର ପୂର୍ବତନ ବନାଞ୍ଚଳ ଅଧିକାରୀ ବନବିହାରୀ ସର୍ଦ୍ଦାରଙ୍କୁ ବନ ବିଭାଗ ପକ୍ଷରୁ ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଶ୍ରୀ ସର୍ଦ୍ଦାରଙ୍କର ବୌଦ୍ଧ ଜିଲ୍ଲାର କଣ୍ଟାପାଲିକୁ ବଦଳି ହୋଇଥିବାରୁ ତାଙ୍କୁ ବିଭାଗୀୟ କର୍ମଚାରୀଙ୍କ ପକ୍ଷରୁ ଭାବପୂର୍ଣ୍ଣ ବିଦାୟ ଦିଆଯାଇଛି।ଏହି ବିଦାୟ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ନୂତନ ପାଟଣା ବନାଞ୍ଚଳ ଅଧିକାରୀ ଆର୍ତ୍ତତ୍ରାଣ ମିର୍ଦ୍ଧା, ପାଟଣା ବନପାଳ ନିରଞ୍ଜନ ସେଠୀ ଓ ଚିତ୍ତରଞ୍ଜନ ପରିଡ଼ା, ଖିରେଇଟାଙ୍ଗିରି ବନପାଳ ପୂର୍ଣ୍ଣଚନ୍ଦ୍ର ମହାନ୍ତ ଏବଂ ସାହାରପଡା ବନପାଳ ଶ୍ରୀମନ୍ତ ବେହେରାଙ୍କ ସମେତ ପାଟଣା ବନାଞ୍ଚଳର ସମସ୍ତ ବନରକ୍ଷୀ ଓ ପାରା କର୍ମଚାରୀ ଉପସ୍ଥିତ ଥିଲେ।ବନ ବିଭାଗର କର୍ମଚାରୀମାନେ ଶ୍ରୀ ସର୍ଦ୍ଦାରଙ୍କର ବିଭାଗୀୟ କାର୍ଯ୍ୟକାଳ ଓ ସହଯୋଗକୁ ସ୍ମରଣ କରି ତାଙ୍କର ଆଗାମୀ କର୍ମଜୀବନ ପାଇଁ ଶୁଭେଚ୍ଛା ଜଣାଇଥିଲେ। ନୂତନ ସ୍ଥାନରେ ମଧ୍ୟ ସେ ନିଜ ଦାୟିତ୍ୱକୁ ସଫଳତାର ସହ ତୁଲାଇବେ ବୋଲି ଉପସ୍ଥିତ କର୍ମଚାରୀମାନେ ଆଶା ପ୍ରକାଶ କରିଥିଲେ।

ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ: ବିବାହିତ ଯୁବକ ଗିରଫ


ପାଟଣା, ୬/୯: କେନ୍ଦୁଝର ଜିଲ୍ଲା ସାହାରପଡ଼ା ବ୍ଲକ ଅଞ୍ଚଳରେ ଜଣେ ୧୪ ବର୍ଷୀୟା ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଜଣେ ବିବାହିତ ଯୁବକଙ୍କୁ ପାଟଣା ପୁଲିସ ଗିରଫ କରିଛି।ପୁଲିସ ସୂଚନା ଅନୁସାରେ, ଘଟଣା ସମୟରେ ନାବାଳିକା ଜଣକ ଘରେ ପାଠ ପଢ଼ୁଥିଲେ। ତାଙ୍କ ଜେଜେମା କୌଣସି କାମରେ ବାହାରକୁ ଯାଇଥିବା ସମୟରେ ଅଭିଯୁକ୍ତ ଯୁବକ ଘରେ ପ୍ରବେଶ କରିଥିବା ଅଭିଯୋଗ ହୋଇଛି।ଏହି ସମୟରେ ନାବାଳିକାଙ୍କ ପାଟି ଶୁଣି ଅଭିଯୁକ୍ତଙ୍କ ପତ୍ନୀ ସେଠାରେ ପହଞ୍ଚି ତାଙ୍କୁ ଘରକୁ ନେଇଯାଇଥିବା ଅଭିଯୋଗରେ ଉଲ୍ଲେଖ ରହିଛି।ଘଟଣା ସମ୍ପର୍କରେ ନାବାଳିକାଙ୍କ ପରିବାର ପକ୍ଷରୁ ପାଟଣା ଥାନାରେ ଅଭିଯୋଗ କରାଯାଇଥିଲା। ଏନେଇ ପାଟଣା ଥାନାରେ କେସ୍ ନମ୍ବର ୩୧୧/୨୦୨୬ ରୁଜୁ ହୋଇଛି।ଏହି ମାମଲାର ତଦନ୍ତ ଏସ୍‌ଆଇ ଲକ୍ଷ୍ମଣ ମାଝୀ କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ। ନାବାଳିକା ଓ ଅଭିଯୁକ୍ତଙ୍କ ଡାକ୍ତରୀ ପରୀକ୍ଷା ପରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ପାଟଣା ଥାନାଧିକାରୀ କିରଣ ପ୍ରସାଦ ସାହୁ ସୂଚନା ଦେଇଛନ୍ତି।

ଜାମୁନାଳିଆରେ ଅଷ୍ଟାଦଶତମ ବାର୍ଷିକ ଫୁଟବଲ ପ୍ରତିଯୋଗିତା ଉଦଘାଟିତ, ବୋଲ ବମ୍ ବାଉଁଶୂଳୀ(କ) ଗ୍ରୁପ୍ ଚାମ୍ପିୟନ


ପାଟଣା, ୬/୯: ଗୁରୁଦିବସ ଅବସରରେ କଣ୍ଟିଆପଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଜାମୁନାଳିଆ ଗ୍ରାମରେ ଅଷ୍ଟାଦଶତମ ବାର୍ଷିକ ଫୁଟବଲ ପ୍ରତିଯୋଗିତା ଉଦଘାଟିତ ହୋଇଛି। ପୂର୍ବବର୍ଷମାନଙ୍କ ଭଳି ଚଳିତବର୍ଷ ମଧ୍ୟ ସବୁଜ ବନାନୀ କ୍ଲବ ପକ୍ଷରୁ ଏହି ଫୁଟବଲ ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଇଛି।ପ୍ରଥମ ଦିବସରେ ଏ’ ଗ୍ରୁପ୍‌ର ୮ଟି ଦଳ ମଧ୍ୟରେ ରୋମାଞ୍ଚକର ଫୁଟବଲ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା। ଏଥିରେ ବୋଲ ବମ୍ ବାଉଁଶୂଳୀ (କ) ଦଳ ଗ୍ରୁପ୍ ଚାମ୍ପିୟନ ଭାବେ ଉତ୍ତୀର୍ଣ୍ଣ ହୋଇଛି।ଉଦଘାଟନୀ ଉତ୍ସବରେ ପୂର୍ବତନ ପାଟଣା ବିଧାୟକ ଜଗନ୍ନାଥ ନାଏକ ମୁଖ୍ୟ ଅତିଥି ତଥା ଉଦଘାଟକ ଭାବେ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ କଣ୍ଟିଆପଡା ଗ୍ରାମପଞ୍ଚାୟତ ସରପଞ୍ଚ ଲୀନା ନାଏକ, କୁଡୁମୀ ସେନାର ରାଜ୍ୟ ଉପସଭାପତି ତଥା ଯୁବ ନେତା ମିତ୍ରଭାନୁ ମହାନ୍ତ ପ୍ରମୁଖ ଯୋଗଦେଇଥିଲେ।ଏହାସହ ଅନୁଷ୍ଠାନର ଭୈରବ ଚନ୍ଦ୍ର ବେହେରା, ଅନନ୍ତ ମୁଣ୍ଡା, ପ୍ରମୋଦ ମହାରଣା, ପ୍ରଫୁଲ୍ଲ ବେହେରା, ରମେଶ ବେହେରା, ଟୁକୁନା ମୁଣ୍ଡା, ସତ୍ୟବାନ ବେହେରାଙ୍କ ସମେତ କ୍ଲବର ସମସ୍ତ ସଦସ୍ୟ ଓ ବହୁ ସଂଖ୍ୟକ ଗ୍ରାମବାସୀ ଉପସ୍ଥିତ ଥିଲେ।କ୍ଲବ ସଦସ୍ୟ ଓ ଗ୍ରାମବାସୀଙ୍କ ସହଯୋଗରେ ଉଦଘାଟନୀ କାର୍ଯ୍ୟକ୍ରମଟି ଶୃଙ୍ଖଳିତ ଓ ସୁନ୍ଦର ଭାବେ ସମ୍ପନ୍ନ ହୋଇଥିଲା। ପ୍ରତିଯୋଗିତାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଫୁଟବଲପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି।ଆସନ୍ତା ସୋମବାର ଫୁଟବଲ ପ୍ରତିଯୋଗିତାର ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହେବ ବୋଲି ଆୟୋଜକ କମିଟି ପକ୍ଷରୁ ସୂଚନା ଦିଆଯାଇଛି।

କେନ୍ଦୁଝରରେ କୁଡୁମି ସେନାର କଳାଦିବସ: ଆଦିବାସୀ ମାନ୍ୟତା ଦାବିରେ ଗର୍ଜିଲା କୁଡୁମି ସମାଜ


କେନ୍ଦୁଝର:୭/୯, କୁଡୁମି ସମ୍ପ୍ରଦାୟକୁ ପୁନର୍ବାର ଆଦିବାସୀ (ST) ମାନ୍ୟତା ପ୍ରଦାନ ସହ ବିଭିନ୍ନ ଦାବି ନେଇ କେନ୍ଦୁଝର ଜିଲ୍ଲା ମୁଖ୍ୟାଳୟରେ ଆନ୍ଦୋଳନ ତୀବ୍ର ହୋଇଛି। ଓଡ଼ିଶା କୁଡୁମି ସେନା ପକ୍ଷରୁ ଆଜି କଳାଦିବସ ପାଳନ କରାଯିବା ସହ ଏକ ବିରାଟ ଶୋଭାଯାତ୍ରା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।କାଳିପଡ଼ିଆଠାରୁ ଆରମ୍ଭ ହୋଇଥିବା ଏହି ବିଶାଳ ଶୋଭାଯାତ୍ରା କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା। ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ କୁଡୁମି ନେତା ଓ ବହୁ ସଂଖ୍ୟାରେ ସମ୍ପ୍ରଦାୟର ଲୋକେ ଏଥିରେ ସାମିଲ ହୋଇଥିଲେ।ଆନ୍ଦୋଳନକାରୀମାନେ କୁଡୁମାଲି ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲ କରିବା, କୁଡୁମାଲି ଭାଷାରେ ପ୍ରଥମ ଶ୍ରେଣୀରୁ ପିଜି ପର୍ଯ୍ୟନ୍ତ ଶିକ୍ଷାର ସୁଯୋଗ ସୃଷ୍ଟି କରିବା, କୁଡୁମି ଅଧ୍ୟୁଷିତ ଜମିର ପଟ୍ଟା ପ୍ରଦାନ କରିବା ଏବଂ କୁଡୁମି ବିକାଶ ପରିଷଦ ଗଠନ କରିବା ଭଳି ଦାବି ଉଠାଇଥିଲେ।ଓଡ଼ିଶା କୁଡୁମି ସେନାର ରାଜ୍ୟ ଉପସଭାପତି ମିତ୍ରଭାନୁ ମହାନ୍ତ କହିଥିଲେ ଯେ, ୧୯୫୦ ମସିହା ସେପ୍ଟେମ୍ବର ୬ ପୂର୍ବରୁ କୁଡୁମିମାନେ ଆଦିବାସୀ ମାନ୍ୟତା ପାଇଥିଲେ। ତେଣୁ ପୁନର୍ବାର କୁଡୁମି ସମ୍ପ୍ରଦାୟକୁ ଆଦିବାସୀ ମାନ୍ୟତା ପ୍ରଦାନ କରାଯାଉ।ଜିଲ୍ଲା ମହିଳା ସଭାନେତ୍ରୀ ମଧୁସ୍ମିତା ମହାନ୍ତ ଅଭିଯୋଗ କରିଥିଲେ ଯେ, ବିନା ନୋଟିଫିକେସନରେ କୁଡୁମିମାନଙ୍କୁ ଆଦିବାସୀ ମାନ୍ୟତାରୁ ବାଦ ଦିଆଯାଇଥିବା ଦାବି କରି ସେହି ଦିନଠାରୁ ଆନ୍ଦୋଳନ ଜାରି ରହିଛି। ରାଜ୍ୟ ଯୁବ ସାଧାରଣ ସମ୍ପାଦକ ବିଶ୍ୱଜିତ ମହାନ୍ତ କୁଡୁମି ସମ୍ପ୍ରଦାୟକୁ ସାମ୍ବିଧାନିକ ନ୍ୟାୟ ପ୍ରଦାନ ପାଇଁ ଦାବି କରିଥିଲେ।ବିକ୍ଷୋଭ ସ୍ଥଳରେ କୁଡୁମି ସମ୍ପ୍ରଦାୟର ପାରମ୍ପରିକ ଗୀତ, ନୃତ୍ୟ ଓ ମାଦଳ ବାଦନ ପରିବେଶକୁ ଉତ୍ସବମୁଖର କରିଥିଲା। ଏହା ସହ ନିଜର ଅଧିକାର ଓ ଦାବିକୁ ନେଇ ଆନ୍ଦୋଳନକାରୀମାନେ ସ୍ଲୋଗାନ ଦେଇଥିଲେ।ଶେଷରେ ଓଡ଼ିଶା କୁଡୁମି ସେନାର ଏକ ପ୍ରତିନିଧି ଦଳ ମହାମହିମ ରାଷ୍ଟ୍ରପତି ଓ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କେନ୍ଦୁଝର ଜିଲ୍ଲାପାଳଙ୍କୁ ପାଞ୍ଚ ଦଫା ଦାବିପତ୍ର ପ୍ରଦାନ କରିଥିଲେ।କାର୍ଯ୍ୟକ୍ରମରେ ଓଡ଼ିଶା କୁଡୁମି ସେନାର ରାଜ୍ୟ ଉପଦେଷ୍ଟା ବିନୋଦ ବିହାରୀ ମହାନ୍ତ, ରାଜ୍ୟ ଉପସଭାପତି ମିତ୍ରଭାନୁ ମହାନ୍ତ, ଯୁବ ସାଧାରଣ ସମ୍ପାଦକ ବିଶ୍ୱଜିତ ମହାନ୍ତ, ମହିଳା ଜିଲ୍ଲା ସଭାନେତ୍ରୀ ମଧୁସ୍ମିତା ମହାନ୍ତ, ଦେଶ କରମ ସମ୍ପାଦକ ହୃଷୀକେଶ ମହାନ୍ତ, ସଦର ବ୍ଲକ ସଭାପତି ରଘୁନାଥ ମହାନ୍ତଙ୍କ ସମେତ ବହୁ କୁଡୁମି ନେତା ଓ କର୍ମକର୍ତ୍ତା ଉପସ୍ଥିତ ଥିଲେ।

ଶ୍ରୀ ସାଇ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ କଲେଜରେ ଗୁରୁଦିବସ ପାଳିତ


ପାଟଣା, ୫/୯: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ମୁଖ୍ୟାଳୟସ୍ଥିତ ଶ୍ରୀ ସାଇ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ କଲେଜ ପରିସରରେ ଶନିବାର ପବିତ୍ର ଗୁରୁଦିବସ ଉତ୍ସାହ ଓ ଶ୍ରଦ୍ଧାର ସହ ପାଳିତ ହୋଇଯାଇଛି।ଅନୁଷ୍ଠାନରେ ଅଧ୍ୟୟନରତ ଛାତ୍ରଛାତ୍ରୀମାନେ ଗୁରୁଦିବସ ପାଳନରେ ସାମିଲ ହୋଇ ନିଜ ଗୁରୁମାନଙ୍କ ପ୍ରତି ସମ୍ମାନ ଓ କୃତଜ୍ଞତା ଜଣାଇଥିଲେ। ଏହି ଅବସରରେ ଭାରପ୍ରାପ୍ତ ଉପାଧ୍ୟକ୍ଷ ରଶ୍ମିରଞ୍ଜନ ମହାନ୍ତ ଗୁରୁଦିବସର ମହତ୍ତ୍ୱ ଓ ଗୁରୁ-ଶିଷ୍ୟ ପରମ୍ପରା ସମ୍ପର୍କରେ ଆଲୋଚନା କରିଥିଲେ।କାର୍ଯ୍ୟକ୍ରମରେ ଅନୁଷ୍ଠାନର ଅଧ୍ୟାପକ ନିଖିଲ କୁମାର ପତି, ଅଧ୍ୟାପିକା ତପସ୍ୱିନୀ ମହାନ୍ତ, ବିନ୍ଦୁଶ୍ରୀ ନାୟକ, ପ୍ରଗତି ମହାପାତ୍ର, କୁହେଲିକା ମହାନ୍ତ ଓ କୀର୍ତ୍ତିମୟୀ ମହାନ୍ତଙ୍କ ସମେତ କାର୍ଯ୍ୟକର୍ତ୍ତା ଘନଶ୍ୟାମ ସାହୁ, ବୈରାଗୀ ରଣା, ଫକୀର ନାଏକ ଓ ଉମେଶ ରଣା ଉପସ୍ଥିତ ରହିଥିଲେ।ସମସ୍ତଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଗୁରୁଦିବସ କାର୍ଯ୍ୟକ୍ରମ ସୁଚାରୁରୂପେ ସମ୍ପନ୍ନ ହୋଇଥିଲା। ଗୁରୁଙ୍କ ପ୍ରତି ସମ୍ମାନ, ଶ୍ରଦ୍ଧା ଓ ତାଙ୍କ ମାର୍ଗଦର୍ଶନର ମହତ୍ତ୍ୱକୁ ସ୍ମରଣ କରିବା ସହ ଛାତ୍ରଛାତ୍ରୀମାନେ ଦିବସଟି ପାଳନ କରିଥିଲେ।

ସେଣ୍ଟ ଜାଭିୟର ପବ୍ଲିକ ସ୍କୁଲରେ ଗୁରୁ ଦିବସ ପାଳନ: ଅବସରପ୍ରାପ୍ତ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା


ପାଟଣା, ୫/୯ : ପାଟଣା ବ୍ଲକ ମୁଖ୍ୟାଳୟ ସ୍ୱାମପାଟଣାସ୍ଥିତ ସେଣ୍ଟ ଜାଭିୟର ପବ୍ଲିକ ସ୍କୁଲ ପକ୍ଷରୁ ଶନିବାର ଗୁରୁ ଦିବସ ପାଳନ କରାଯାଇଛି। ବିଦ୍ୟାଳୟର ଅଧ୍ୟକ୍ଷ ଗଣେଶ ପ୍ରସାଦ ଦାସଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସମାରୋହରେ ଶିକ୍ଷକ ସମାଜର ଅବଦାନ ଓ ଗୁରୁ-ଶିଷ୍ୟ ପରମ୍ପରାକୁ ସ୍ମରଣ କରାଯାଇଥିଲା।ରାଜ୍ୟ ସରକାରଙ୍କ ନୂତନ ନିର୍ଦ୍ଦେଶନାମା ଅନୁଯାୟୀ, ବିଦ୍ୟାଳୟ ପକ୍ଷରୁ ଅଞ୍ଚଳର ଦୁଇଜଣ ଅବସରପ୍ରାପ୍ତ ଶିକ୍ଷାବିତ୍‌ ଶାରୀରିକ ଶିକ୍ଷା ନିରୀକ୍ଷକ ହଳଧର ମହାନ୍ତ ଓ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଭବାନୀ ଶଙ୍କର ମହାନ୍ତଙ୍କୁ ଉପାୟନ, ମାନପତ୍ର ଓ ପୁରସ୍କାର ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା।କାର୍ଯ୍ୟକ୍ରମରେ ଉତ୍ତର ଓଡ଼ିଶା ସାହିତ୍ୟ ସଂସ୍କୃତି ସମ୍ମେଳନର ସଭାପତି ନୃସିଂହ ନାଥ ସିଂହ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଭୟ ଅବସରପ୍ରାପ୍ତ ଶିକ୍ଷକଙ୍କୁ ସମ୍ବର୍ଦ୍ଧିତ କରିଥିଲେ।ଏହି ଅବସରରେ ବିଦ୍ୟାଳୟର ଚେୟାରମ୍ୟାନ ଅଜୟ କୁମାର ଦାଶ, ସମ୍ପାଦକ ଅବିନାଶ ଦାଶ, ଟ୍ରଷ୍ଟି ଚିନ୍ମୟ ଦାଶ, ଅଭିଷେକ ଦାଶ ଓ ଇପ୍ସିତା ଦାଶ, ବିଦ୍ୟାଳୟର ଉପାଧ୍ୟକ୍ଷା ଜ୍ୟୋସ୍ନାରାଣୀ ତ୍ରିପାଠୀ ପ୍ରମୁଖ ଗୁରୁ ଦିବସର ମହତ୍ତ୍ୱ ଓ ଗୁରୁ-ଶିଷ୍ୟ ସମ୍ପର୍କ ଉପରେ ନିଜର ମତବ୍ୟକ୍ତ କରିଥିଲେ।କାର୍ଯ୍ୟକ୍ରମକୁ ଚମ୍ପାବତୀ ମହାନ୍ତ ଓ କଳ୍ପତରୁ ଦାସ ପ୍ରମୁଖ ପରିଚାଳନା କରିଥିଲେ। ଶେଷରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପକ୍ଷରୁ ଆକର୍ଷଣୀୟ ନୃତ୍ୟ ଓ ସଙ୍ଗୀତ ପରିବେଷଣ କରାଯାଇଥିଲା। ଛାତ୍ରଛାତ୍ରୀଙ୍କ ସାଂସ୍କୃତିକ ପ୍ରସ୍ତୁତି ଉପସ୍ଥିତ ଅତିଥି ଓ ଅଭିଭାବକଙ୍କ ମନ ଜିଣିଥିଲା।

ସ୍ୱାମପାଟଣା ଆଞ୍ଚଳିକ ମହାବିଦ୍ୟାଳୟରେ ଉଦ୍ୟାନ କୃଷି ପ୍ରଶିକ୍ଷଣ, ଛାତ୍ରଛାତ୍ରୀଙ୍କୁ ଦିଆଗଲା କୃଷି ସମ୍ପର୍କିତ ସୂଚନା


ପାଟଣା, ୫/୯: ସ୍ୱାମପାଟଣା ଆଞ୍ଚଳିକ ମହାବିଦ୍ୟାଳୟ ପରିସରରେ ପାଟଣା ବ୍ଲକ ଉଦ୍ୟାନ କୃଷି ବିଭାଗ ପକ୍ଷରୁ ଛାତ୍ରଛାତ୍ରୀ ଓ ଅଧ୍ୟାପକ-ଅଧ୍ୟାପିକାଙ୍କ ପାଇଁ ଉଦ୍ୟାନ କୃଷି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ସରକାରଙ୍କ ନୂତନ ନିର୍ଦ୍ଦେଶନାମା ଅନୁଯାୟୀ ଆୟୋଜିତ ଏହି ପ୍ରଶିକ୍ଷଣରେ ଉଦ୍ୟାନ କୃଷି ଓ ବିଭିନ୍ନ ପନିପରିବା ଚାଷ ସମ୍ପର୍କରେ ବିସ୍ତୃତ ସୂଚନା ଦିଆଯାଇଥିଲା।କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରକାର ପନିପରିବା ଚାଷ ସମ୍ପର୍କିତ ପୁସ୍ତିକା ଛାତ୍ରଛାତ୍ରୀ ଓ ଅଧ୍ୟାପକ-ଅଧ୍ୟାପିକାଙ୍କୁ ବଣ୍ଟନ କରାଯାଇଥିଲା। ଉଦ୍ୟାନ କୃଷି ମାଧ୍ୟମରେ ଚାଷୀମାନେ କିପରି ଲାଭବାନ ହୋଇପାରିବେ ଏବଂ ସରକାରଙ୍କ ବିଭିନ୍ନ କୃଷି ଯୋଜନାରୁ କିପରି ସୁବିଧା ପାଇପାରିବେ, ସେନେଇ ମଧ୍ୟ ଆଲୋଚନା କରାଯାଇଥିଲା।ମହାବିଦ୍ୟାଳୟର ଅଧ୍ୟକ୍ଷ ଜଗନ୍ନାଥ ମହାନ୍ତଙ୍କ ଅଧ୍ୟକ୍ଷତାରେ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ହୋଇଥିବା ବେଳେ କ୍ରୀଡ଼ା ଶିକ୍ଷକ କ୍ୟାପଟେନ ଧର୍ମେନ୍ଦ୍ର କୁମାର ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।ପାଟଣା ବ୍ଲକ ଉଦ୍ୟାନ କୃଷି ବିଭାଗ ପକ୍ଷରୁ ସହକାରୀ ଉଦ୍ୟାନ କୃଷି ଅଧିକାରୀ ତପନ କୁମାର ସେଠୀ ଓ କ୍ଷେତ୍ର ଅଧିଦର୍ଶକ ପ୍ରହ୍ଲାଦ ସେଠୀ ଯୋଗଦେଇ ଛାତ୍ରଛାତ୍ରୀ ଓ ଅଧ୍ୟାପକ-ଅଧ୍ୟାପିକାଙ୍କୁ ଉଦ୍ୟାନ କୃଷି ସମ୍ପର୍କିତ ବିଭିନ୍ନ ତଥ୍ୟ ପ୍ରଦାନ କରିଥିଲେ।ଏଥିସହ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଉଦ୍ୟାନ କୃଷି କ୍ଷେତ୍ରକୁ ଦିଆଯାଉଥିବା ବିଭିନ୍ନ ପ୍ରୋତ୍ସାହନ ଓ ସୁବିଧା ସମ୍ପର୍କରେ ମଧ୍ୟ ଉପସ୍ଥିତ ଛାତ୍ରଛାତ୍ରୀ ଓ ଅଧ୍ୟାପକ-ଅଧ୍ୟାପିକାଙ୍କୁ ବିସ୍ତୃତ ଭାବେ ବୁଝାଇଥିଲେ। ଏହି ପ୍ରଶିକ୍ଷଣ ଛାତ୍ରଛାତ୍ରୀଙ୍କ ମଧ୍ୟରେ କୃଷି ଓ ଉଦ୍ୟାନ କୃଷି ପ୍ରତି ଆଗ୍ରହ ବଢ଼ାଇବାରେ ସହାୟକ ହେବ ବୋଲି ମତ ପ୍ରକାଶ ପାଇଛି।

ପାଟଣା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗୁରୁଦିବସ ପାଳିତ


ପାଟଣା, ୫/୯, ପାଟଣା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଶୁକ୍ରବାର ପବିତ୍ର ଗୁରୁଦିବସ ଉତ୍ସାହ ଓ ଶ୍ରଦ୍ଧାର ସହ ପାଳିତ ହୋଇଛି। ଏହି ଅବସରରେ ଗୁରୁଙ୍କ ଅବଦାନ ଓ ଶିକ୍ଷାଦାନର ମହତ୍ତ୍ୱ ଉପରେ ଆଲୋଚନା କରାଯାଇଥିଲା।ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ମାଳତୀ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଗୁରୁଦିବସ କାର୍ଯ୍ୟକ୍ରମରେ ବଡପାଟଣା ଗ୍ରାମ ପଞ୍ଚାୟତର ସରପଞ୍ଚ ବିନତୀ ବାନରା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଅରୁଣ କୁମାର ମିଶ୍ର, ଭୋଳାନାଥ ତ୍ରିପାଠୀ ଏବଂ କ୍ଲଷ୍ଟର ସଂଯୋଜକ ଜ୍ୟୋତିର୍ମୟ ତ୍ରିପାଠୀ ମଞ୍ଚାସୀନ ଥିଲେ।କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମଧ୍ୟରୁ ପ୍ରକାଶ କୁମାର ମିଶ୍ର, ସସ୍ମିତା ନାୟକ, ସୁଶାନ୍ତ ମହାନ୍ତ, ମାଧବାନନ୍ଦ ମହାନ୍ତ, ଜ୍ୟୋତିର୍ମୟୀ ବାରିକ, ପ୍ରୀତିମୟୀ ନାଏକ, ମଧୁସ୍ମିତା ମହାନ୍ତ ଓ ଚନ୍ଦ୍ରାବତୀ ନାଏକ ପ୍ରମୁଖ ଉପସ୍ଥିତ ଥିଲେ।ଏହି ଅବସରରେ ଅବସରପ୍ରାପ୍ତ ଦୁଇଜଣ ପ୍ରଧାନ ଶିକ୍ଷକଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ଉତ୍ତରୀୟ, ପୁଷ୍ପଗୁଚ୍ଛ ଓ ମାନପତ୍ର ପ୍ରଦାନ କରି ସମ୍ମାନିତ କରାଯାଇଥିଲା।କାର୍ଯ୍ୟକ୍ରମକୁ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ କମଳାକାନ୍ତ ପତି ସଂଯୋଜନା କରିଥିଲେ। ଶେଷରେ ଛାତ୍ରଛାତ୍ରୀମାନେ ଅତିଥିମାନଙ୍କୁ ଧନ୍ୟବାଦ ଅର୍ପଣ କରିବା ପରେ ଗୁରୁଦିବସ ପାଳନ କାର୍ଯ୍ୟକ୍ରମର ସମାପନ ହୋଇଥିଲା।

ବିବେକାନନ୍ଦ ଶିକ୍ଷା କେନ୍ଦ୍ରରେ ଗୁରୁଦିବସ ପାଳିତ


ପାଟଣା, ୫/୯  : ପାଟଣା ବ୍ଲକ ଅନ୍ତର୍ଗତ ମଲ୍ଲୀପଶିସ୍ଥିତ ବିବେକାନନ୍ଦ ଶିକ୍ଷା କେନ୍ଦ୍ର ପରିସରରେ ଶନିବାର ପବିତ୍ର ଗୁରୁଦିବସ କାର୍ଯ୍ୟକ୍ରମ ଉତ୍ସାହ ଓ ଶ୍ରଦ୍ଧାର ସହ ପାଳିତ ହୋଇଯାଇଛି। ଚେୟାରମ୍ୟାନ୍ ଶତୃଘ୍ନ ସେଠୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ବବୁ ବାହନ ସାହୁ, ଉପାଧ୍ୟକ୍ଷା ମିନତୀ ଥାଟୋଇ, ଶିକ୍ଷକ ଅମୀୟ କୁମାର ପାତ୍ର ଓ ସୁରେଶ ଚନ୍ଦ୍ର ନାଏକଙ୍କ ସମେତ ଅନ୍ୟ ଶିକ୍ଷକ-ଶିକ୍ଷୟିତ୍ରୀମାନେ ଯୋଗଦେଇଥିଲେ।ଏହି ଅବସରରେ ଛାତ୍ରଛାତ୍ରୀମାନେ ଶ୍ରଦ୍ଧାର ସହ ଗୁରୁ ପୂଜନ ଓ ଗୁରୁ ବନ୍ଦନା କରିଥିଲେ। ଗୁରୁଙ୍କ ପ୍ରତି ସମ୍ମାନ ଓ କୃତଜ୍ଞତା ଜଣାଇ ଛାତ୍ରଛାତ୍ରୀଙ୍କ ପକ୍ଷରୁ ଚେୟାରମ୍ୟାନ୍ ଶତୃଘ୍ନ ସେଠୀ ଓ ଅଧ୍ୟକ୍ଷ ବବୁ ବାହନ ସାହୁଙ୍କୁ ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କ ଫଟୋଚିତ୍ର ଉପହାର ଦିଆଯାଇଥିଲା।ଅବସରରେ ବିଦ୍ୟାଳୟର ଅଧ୍ୟକ୍ଷ ଓ ଅନ୍ୟମାନେ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ସହିତ ଜୀବନରେ ଭଲ ମଣିଷ ହେବା, ଗୁରୁଜନଙ୍କୁ ସମ୍ମାନ କରିବା ଏବଂ ନୀତି-ନୈତିକତାକୁ ଗୁରୁତ୍ୱ ଦେବା ପାଇଁ ପ୍ରେରଣା ଦେଇଥିଲେ। ଗୁରୁଙ୍କ ମାର୍ଗଦର୍ଶନ ଜୀବନକୁ ସଫଳ ଓ ସୁନ୍ଦର କରିବାରେ ସହାୟକ ହୋଇଥାଏ ବୋଲି ଉପସ୍ଥିତ ଅତିଥିମାନେ ମତପ୍ରକାଶ କରିଥିଲେ।

ବିଶ୍ୱାସରେ ବିଷ: ଫୋନ୍‌ପେ’ରେ ୭,୫୦୦ ଟଙ୍କା ନେଇ ଦୁଇ ଠକ ଚମ୍ପଟ


ଢେଙ୍କିକୋଟ ୫/୯ କେନ୍ଦୁଝର ଜିଲ୍ଲା ଢେଙ୍କିକୋଟରେ ଦିନଦ୍ୱିପ୍ରହରେ ଜଣେ ମୋବାଇଲ୍ ଦୋକାନୀଙ୍କୁ ଠକେଇ କରି ୭,୫୦୦ ଟଙ୍କା ନେଇ ଦୁଇ ଯୁବକ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ ଢେଙ୍କିକୋଟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।ସୂଚନା ଅନୁଯାୟୀ, ଢେଙ୍କିକୋଟ ରିଜିଓନାଲ୍ ଏସ୍‌ଏନ୍ ମାଧ୍ୟମିକ ବିଦ୍ୟାଳୟ ସମ୍ମୁଖରେ ଥିବା ୨୨୦ ନମ୍ବର ଜାତୀୟ ରାଜପଥ କଡ଼ର ଆର୍‌ଏମ୍‌ସି ମାର୍କେଟ୍ କମ୍ପ୍ଲେକ୍ସରେ ନିକଟସ୍ଥ କପାସପଡ଼ା ଗ୍ରାମର ସିପୁନ ମାଝୀ ମୋବାଇଲ୍ ଦୋକାନ କରିଛନ୍ତି।ଶନିବାର ପୂର୍ବାହ୍ନ ପ୍ରାୟ ୧୧ଟା ସମୟରେ ସାପ୍ତାହିକ ହାଟର ସୁଯୋଗ ନେଇ ଦୁଇ ଜଣ ଯୁବକ ପଲସର୍ ମୋଟରସାଇକେଲ୍‌ରେ ଆସି ସିପୁନଙ୍କ ଦୋକାନରେ ପହଞ୍ଚିଥିଲେ। ସେମାନେ ଏକ ଫୋନ୍‌ପେ କ୍ୟୁଆର୍ କୋଡ୍ ଦେଖାଇ ସେଥିରେ ୭,୫୦୦ ଟଙ୍କା ପଠାଇବାକୁ କହିଥିଲେ। ଟଙ୍କା ପଠାଇଦେଲେ ସେମାନେ ନଗଦ ଟଙ୍କା ଦେଇଦେବେ ବୋଲି ସିପୁନଙ୍କୁ ବିଶ୍ୱାସ ଦେଇଥିଲେ।ସିପୁନ ଉକ୍ତ କ୍ୟୁଆର୍ କୋଡ୍‌ରେ ୭,୫୦୦ ଟଙ୍କା ପଠାଇବା ସମୟରେ ଦୁଇ ଜଣଙ୍କ ମଧ୍ୟରୁ ଜଣେ ଦୋକାନରେ ବସି ରହିଥିଲା। ଏହି ସମୟରେ ଅନ୍ୟ ଜଣେ ଗ୍ରାହକ ଦୋକାନକୁ ଆସି ସିପୁନଙ୍କ ସହ କଥାବାର୍ତ୍ତା ହେବାର ସୁଯୋଗ ନେଇ ଅଭିଯୁକ୍ତ ଦୁଇ ଜଣ ସିପୁନଙ୍କୁ ଟଙ୍କା ନଦେଇ ପଲସର୍ ମୋଟରସାଇକେଲ୍‌ରେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ।ଘଟଣା ପରେ ଦୋକାନରେ ଲାଗିଥିବା ସିସିଟିଭି କ୍ୟାମେରାରେ ଦୁଇ ଅଭିଯୁକ୍ତଙ୍କ ଚେହେରା କଏଦ ହୋଇଥିବା ଜଣାପଡ଼ିଛି। ଏନେଇ ସିପୁନ ମାଝୀ ଘଟଗାଁ ଥାନାରେ ଲିଖିତ ଅଭିଯୋଗ କରି ଘଟଣାର ତଦନ୍ତ ଓ ଠକଙ୍କୁ ଧରିବାକୁ ଦାବି କରିଛନ୍ତି।ଘଟଣାକୁ ନେଇ ପୁଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିବା ବେଳେ ସିସିଟିଭି ଫୁଟେଜ୍ ଆଧାରରେ ଅଭିଯୁକ୍ତଙ୍କ ସମ୍ପର୍କରେ ଖୋଳତାଡ଼ କରାଯାଉଥିବା ଜଣାପଡ଼ିଛି।

ଖିରେଇଟାଙ୍ଗିରି ବନ ବିଭାଗ ପକ୍ଷରୁ ୧୫୦୦ ଚାରା ବଣ୍ଟନ

ପାଟଣା, ୪/୯: ଜନ୍ମାଷ୍ଟମୀ ଅବସରରେ ପାଟଣା ବନାଞ୍ଚଳ ଅନ୍ତର୍ଗତ ଖିରେଇଟାଙ୍ଗିରି ସେକ୍ସନ ବନ ବିଭାଗ ପକ୍ଷରୁ ତୁରୁମୁଙ୍ଗା ସରସ୍ୱତୀ ଶିଶୁ ମନ୍ଦିର ପରିସରରେ ମାଗଣା ଚାରା ବଣ୍ଟନ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି।ଏହି ଅବସରରେ ବନ ବିଭାଗ ପକ୍ଷରୁ ବିଭିନ୍ନ କିସମର ମୋଟ ୧୫୦୦ଟି ଚାରା ମାଗଣାରେ ବଣ୍ଟନ କରାଯାଇଥିଲା। ପରିବେଶ ସୁରକ୍ଷା ଓ ସବୁଜିମା ବୃଦ୍ଧି ଉଦ୍ଦେଶ୍ୟରେ ଛାତ୍ରଛାତ୍ରୀ ଓ କର୍ମଚାରୀମାନଙ୍କୁ ଚାରା ରୋପଣ ପାଇଁ ଉତ୍ସାହିତ କରାଯାଇଥିଲା।ଚାରା ବଣ୍ଟନ କାର୍ଯ୍ୟକ୍ରମରେ ତୁରୁମୁଙ୍ଗା ସରସ୍ୱତୀ ଶିଶୁ ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଚିତ୍ତରଞ୍ଜନ ମହାନ୍ତଙ୍କ ସମେତ ସମସ୍ତ ଗୁରୁଜୀ ଓ ଗୁରୁମା ସହଯୋଗ କରିଥିଲେ।ଏଥିରେ ବନ ବିଭାଗର ବନପାଳ ପୂର୍ଣ୍ଣଚନ୍ଦ୍ର ମହାନ୍ତ ଓ ବନରକ୍ଷୀ ସୁଜାତା ସାହୁ ଯୋଗଦେଇ ଛାତ୍ରଛାତ୍ରୀ ଓ କର୍ମଚାରୀମାନଙ୍କୁ ଅଧିକରୁ ଅଧିକ ଚାରା ରୋପଣ କରି ପରିବେଶ ସୁରକ୍ଷାରେ ଭାଗୀଦାର ହେବାକୁ ଉତ୍ସାହିତ କରିଥିଲେ।

ଘଟଗାଁରେ ନିଜ ସାହି ରାସ୍ତା ମରାମତି କଲେ ପିଲାମାନେ


ଘଟଗାଁ, ୪/୯: ରାସ୍ତା ମରାମତି ପାଇଁ ପ୍ରଶାସନକୁ ଅପେକ୍ଷା ନକରି ନିଜ ସାହି ରାସ୍ତାର ମରାମତି ନିଜେ କରିଛନ୍ତି ପିଲାମାନେ। ଏଭଳି ଏକ ନିଆରା ପଦକ୍ଷେପ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଅନ୍ତର୍ଗତ ବଡ଼ମସିଣାବିଲା ଗ୍ରାମପଞ୍ଚାୟତର ଭାଲୁଘର ସାହିରେ।ବଡ଼ମସିଣାବିଲା ଗ୍ରାମପଞ୍ଚାୟତଠାରୁ ପ୍ରାୟ ୧.୫ କିଲୋମିଟର ଦୂରରେ ଥିବା ଭାଲୁଘର ସାହି ରାସ୍ତା ଦୀର୍ଘଦିନ ଧରି ଖାଲଖମାରେ ଭରି ରହିଥିବା ଅଭିଯୋଗ ହୋଇଛି। ଫଳରେ ନିତିଦିନିଆ ଯାତାୟାତ ସମୟରେ ଲୋକଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଥିବା ବେଳେ ରାସ୍ତାଟି ମରଣଯନ୍ତା ପାଲଟିଥିବା କୁହାଯାଉଛି।ଏଭଳି ପରିସ୍ଥିତିରେ ସାହିର କିଛି ବାଳକ ଓ ବାଳିକା ମିଶି ରାସ୍ତା ମରାମତି କରିବାକୁ ନିଷ୍ପତ୍ତି ନେଇଥିଲେ। ପରେ ରାସ୍ତାରେ ଥିବା ବଡ଼ ବଡ଼ ଖାଲରେ ମାଟି ପକାଇ ସେଗୁଡ଼ିକୁ ପୋତିବା ସହ ରାସ୍ତାକୁ ଯାତାୟାତ ଉପଯୋଗୀ କରିବାକୁ ଉଦ୍ୟମ କରିଥିଲେ।ପିଲାମାନଙ୍କ ଏହି ପଦକ୍ଷେପ ସାହିବାସୀଙ୍କ ମଧ୍ୟରେ ପ୍ରଶଂସାର ବିଷୟ ପାଲଟିଛି। ରାସ୍ତାର ସ୍ଥାୟୀ ମରାମତି କରିବା ସହ ଭଲ ଯାତାୟାତ ବ୍ୟବସ୍ଥା ପାଇଁ ପ୍ରଶାସନ ଦୃଷ୍ଟି ଦେବାକୁ ସାହିବାସୀଙ୍କ ପକ୍ଷରୁ ଦାବି ହୋଇଛି।ରାସ୍ତା ମରାମତିରେ ସାମିଲ ହୋଇଥିବା ପିଲାମାନଙ୍କ ମଧ୍ୟରେ ଜ୍ଞାନ ରଞ୍ଜନ ନାଏକ, ବବି ନାଏକ, ଛବି ନାଏକ, ଦୁଖୁ ନାଏକ, ଚିକୁ ନାଏକ, କମଳା ନାଏକ, ଇତି ନାଏକ, ଅର୍ଚ୍ଚିତା ନାଏକ, ମାମା ନାଏକ ଓ ଲିଟୁ ନାଏକ ପ୍ରମୁଖ ଥିବା ସୂଚନା ମିଳିଛି।

ଢେଙ୍କିକୋଟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ନିଆରା ଢଙ୍ଗରେ ଜନ୍ମାଷ୍ଟମୀ ପାଳିତ


ଢେଙ୍କିକୋଟ ୪/୯: କେନ୍ଦୁଝର ଜିଲ୍ଲା ଢେଙ୍କିକୋଟ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ପବିତ୍ର ଜନ୍ମାଷ୍ଟମୀ ଉତ୍ସବ ଆଜି ଆନନ୍ଦ ଓ ଉତ୍ସାହର ସହ ପାଳିତ ହୋଇଛି। ଛାତ୍ରଛାତ୍ରୀମାନେ ଅଭିନବ ଢଙ୍ଗରେ କୃଷ୍ଣ ଓ ରାଧା ବେଶ ଧାରଣ କରି ଉତ୍ସବରେ ଅଂଶଗ୍ରହଣ କରିଥିଲେ।ବିଦ୍ୟାଳୟ ପରିସରରେ ପ୍ରଥମେ କୃଷ୍ଣ ଜନ୍ମ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଥିଲା। ଏହାପରେ କୁନି କୁନି ଛାତ୍ରଛାତ୍ରୀମାନେ ରାଧାକୃଷ୍ଣ ବେଶରେ ସଜ୍ଜିତ ହୋଇ ଉତ୍ସବର ଆକର୍ଷଣ ପାଲଟିଥିଲେ।ପ୍ରଧାନ ଆଚାର୍ଯ୍ୟ ଲୋକନାଥ ମହାନ୍ତ, ବରିଷ୍ଠ ଗୁରୁଜୀ ବୈଲୋଚନ ରାଉତଙ୍କ ସମେତ ଗୁରୁମାମାନେ ରାଧାକୃଷ୍ଣ ବେଶଧାରୀ ଶିଶୁମାନଙ୍କୁ ସ୍ଥାନୀୟ ଜଗନ୍ନାଥ ମନ୍ଦିରକୁ ନେଇଥିଲେ। ସେଠାରେ ଶିଶୁମାନେ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିଥିଲେ।ପରେ ବିଦ୍ୟାଳୟ ପରିସରରେ ଏକ ସ୍ୱତନ୍ତ୍ର ଜନ୍ମାଷ୍ଟମୀ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଶିକ୍ଷକ ତଥା ପାଲା ଗାୟକ ଶରତ ଚନ୍ଦ୍ର ନାୟକ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମ ବୃତ୍ତାନ୍ତ ଶୁଣାଇଥିଲେ।କାର୍ଯ୍ୟକ୍ରମ ଶେଷରେ ଯଶୋବନ୍ତ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ଛାତ୍ରଛାତ୍ରୀଙ୍କ ରାଧାକୃଷ୍ଣ ବେଶ ଓ ଜନ୍ମାଷ୍ଟମୀ ପାଳନକୁ ନେଇ ବିଦ୍ୟାଳୟ ପରିସରରେ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଥିଲା।

ବିଶ୍ୱହିନ୍ଦୁ ପରିଷଦ ପାଟଣା ଖଣ୍ଡ ପକ୍ଷରୁ ଜନ୍ମାଷ୍ଟମୀ ସମାରୋହ, ରାଧାକୃଷ୍ଣ ବେଶରେ ଶିଶୁଙ୍କ ଶୋଭାଯାତ୍ରା


ପାଟଣା: ୪/୯: କେନ୍ଦୁଝର ଜିଲ୍ଲା ପାଟଣାରେ ବିଶ୍ୱହିନ୍ଦୁ ପରିଷଦ ପାଟଣା ଖଣ୍ଡ ପକ୍ଷରୁ ପବିତ୍ର ଜନ୍ମାଷ୍ଟମୀ ଉତ୍ସବ ପାଳିତ ହୋଇଯାଇଛି। ଏହି ଅବସରରେ ପାଟଣା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଓ ଧାର୍ମିକ ଆୟୋଜନ ଅନୁଷ୍ଠିତ ହୋଇଥିଲା।ଜନ୍ମାଷ୍ଟମୀ ଅବସରରେ ବିଶ୍ୱହିନ୍ଦୁ ପରିଷଦର ସ୍ଥାପନା ଦିବସ ପାଳନ ସହ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ବଳିଦାନ ଦିବସ ଉପଲକ୍ଷେ ତାଙ୍କୁ ସ୍ମରଣ କରାଯାଇଥିଲା।ଏହି ଅବସରରେ ବିଦ୍ୟାମନ୍ଦିରର ଶିଶୁମାନେ ରାଧାକୃଷ୍ଣ ବେଶରେ ସୁସଜ୍ଜିତ ହୋଇ ଏକ ମେଢରେ ଯାଇ ପାଟଣା ବଜାର ଅଞ୍ଚଳ ପରିକ୍ରମା କରିଥିଲେ। ଶିଶୁମାନଙ୍କ ରାଧାକୃଷ୍ଣ ବେଶ ଓ ଶୋଭାଯାତ୍ରା ଉତ୍ସବର ମୁଖ୍ୟ ଆକର୍ଷଣ ପାଲଟିଥିଲା।କାର୍ଯ୍ୟକ୍ରମରେ ସନାତନ ଦାଶ ସଭାପତିତ୍ୱ କରିଥିଲେ। ମୁଖ୍ୟବକ୍ତା ଭାବେ ବିଶ୍ୱହିନ୍ଦୁ ପରିଷଦର ପ୍ରାନ୍ତ ସହ ବିଶେଷ ପ୍ରମୁଖ ମଦନମୋହନ ଦ୍ୱିବେଦୀ ଯୋଗଦେଇ ଜନ୍ମାଷ୍ଟମୀର ମହତ୍ତ୍ୱ ଓ ସାଂସ୍କୃତିକ ପରମ୍ପରା ସମ୍ପର୍କରେ ମତବ୍ୟକ୍ତ କରିଥିଲେ।ଏଥିରେ ପାଟଣା ପ୍ରଖଣ୍ଡ ସମ୍ପାଦକ ଡମ୍ବରୁଧର ମହାନ୍ତ, ଉପସଭାପତି କୃଷ୍ଣଚନ୍ଦ୍ର ମହାନ୍ତ, ଖଣ୍ଡ ପ୍ରମୁଖ ଚତୁର୍ଭୁଜ ମହାନ୍ତ, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଭରତ ଚନ୍ଦ୍ର ମହାନ୍ତ, ଜିଲ୍ଲା ସଂଘ ଚାଳକ ଭାଗିରଥି ପୃଷ୍ଟି, ବିଭାଗ ପ୍ରଚାରକ ତପନ ନାଏକ, ଦୁର୍ଗାଚରଣ ନାଏକ, ସଂଘ କାର୍ଯ୍ୟକର୍ତ୍ତା କାଳିଚରଣ ମହାନ୍ତ, ବିରଞ୍ଚି କୁମାର ମହାନ୍ତ ଏବଂ ବିଦ୍ୟାମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଗଣେଶ୍ୱର କର ପ୍ରମୁଖ ଯୋଗଦେଇଥିଲେ।କାର୍ଯ୍ୟକ୍ରମରେ ବିଦ୍ୟାମନ୍ଦିରର ଗୁରୁଜୀ, ଗୁରୁମା ଓ ଛାତ୍ରଛାତ୍ରୀଙ୍କ ସମେତ ବହୁ ଅଭିଭାବକ ଓ ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ।

କୁଆପଶିରେ ବ୍ଲକସ୍ତରୀୟ କରମ ପରବ ପାଇଁ ପ୍ରସ୍ତୁତି ବୈଠକ


ପାଟଣା: ୪/୯,କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ କୁଆପଶି ଗ୍ରାମରେ ବ୍ଲକସ୍ତରୀୟ କରମ ପରବ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ସ୍ଥାନୀୟ ଅଞ୍ଚଳର ବହୁ କୁଡୁମି ସମ୍ପ୍ରଦାୟର ଲୋକେ ଏହି ବୈଠକରେ ଯୋଗଦେଇଥିଲେ।ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଅର୍ଜୁନ ଚରଣ ମହାନ୍ତଙ୍କ ସଭାପତିତ୍ୱରେ ବୈଠକ ଅନୁଷ୍ଠିତ ହୋଇଥିଲା। ଆସନ୍ତା ସେପ୍ଟେମ୍ବର ୨୧ ଓ ୨୨ ତାରିଖ ଦୁଇଦିନ ଧରି କୁଆପଶି ଠାରେ କରମ ପୂଜା ଓ ପରବ କାର୍ଯ୍ୟକ୍ରମ ଆୟୋଜନ କରାଯିବାକୁ ସ୍ଥିର ହୋଇଛି।କରମ ପରବର ପ୍ରମୁଖ ପରମ୍ପରା ଅନୁଯାୟୀ ସେପ୍ଟେମ୍ବର ୨୦ ତାରିଖରେ ଧାନବେନିସ୍ଥିତ ବୈତରଣୀ ନଦୀର କରମ ତୀର୍ଥଠାରୁ ବାଲି ଉଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହାକୁ ସୁଚାରୁ ଭାବେ ସମ୍ପନ୍ନ କରିବା ସହ କରମ ପରବକୁ ଆକର୍ଷଣୀୟ କରିବା ପାଇଁ ବୈଠକରେ ବିଭିନ୍ନ ବିଷୟରେ ଆଲୋଚନା ହୋଇଥିଲା।

କରମ ପରବ ପାଇଁ କମିଟି ଗଠନ

କରମ ପରବର ସମସ୍ତ କାର୍ଯ୍ୟକ୍ରମକୁ ସୁଚାରୁ ଭାବେ ପରିଚାଳନା ପାଇଁ କରମ କମିଟି ଗଠନ କରାଯାଇଛି। କମିଟିରେ ସଭାପତି: ପୁଷ୍ପଲତା ମହାନ୍ତ,ଉପସଭାପତି: ଦମୟନ୍ତି ମହାନ୍ତ, ତ୍ରିନାଥ ମହାନ୍ତ,ସମ୍ପାଦକ: ଦ୍ରୌପଦୀ ମହାନ୍ତ,ଯୁଗ୍ମ ସମ୍ପାଦକ: ମୋହନ ସୁନ୍ଦର ମହାନ୍ତ, ଖଗେଶ୍ୱର ମହାନ୍ତ,କୋଷାଧ୍ୟକ୍ଷ: ଅର୍ଜୁନ ଚରଣ ମହାନ୍ତ,ସଦସ୍ୟ: ଦିବାକର ମହାନ୍ତ, ପ୍ରଫୁଲ୍ଲ କୁମାର ମହାନ୍ତ, ଭରତଚନ୍ଦ୍ର ମହାନ୍ତ, ପରେଶ ମହାନ୍ତ, ପବିତ୍ର ମହାନ୍ତ, କାହ୍ନୁ ଚରଣ ମହାନ୍ତ, ଗୋବିନ୍ଦ ମହାନ୍ତ, ଦୀନବନ୍ଧୁ ମହାନ୍ତ, ସୌମ୍ୟ ରଞ୍ଜନ ମହାନ୍ତ, ତରଣିସେନ ମହାନ୍ତ, ନବକିଶୋର ମହାନ୍ତ ଓ ବିଶ୍ୱନାଥ ମହାନ୍ତ।ଉପଦେଷ୍ଟା ମଣ୍ଡଳୀ: ଭରତ ମହାନ୍ତ, ମିତ୍ରଭାନୁ ମହାନ୍ତ, କୃଷ୍ଣଚନ୍ଦ୍ର ମହାନ୍ତ, ବିରଞ୍ଚି ନାରାୟଣ ମହାନ୍ତ, ମଦନ ମୋହନ ମହାନ୍ତ ଓ ଚତୁର୍ଭୁଜ ମହାନ୍ତ ପ୍ରମୁଖ।ବୈଠକରେ ଆସନ୍ତା ବ୍ଲକସ୍ତରୀୟ କରମ ପରବକୁ କିପରି ଆକର୍ଷଣୀୟ, ସରସ ଓ ସୁନ୍ଦର ଭାବେ ଆୟୋଜନ କରାଯାଇପାରିବ, ସେନେଇ ବିସ୍ତୃତ ଆଲୋଚନା କରାଯାଇଥିଲା।

ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଘଟଗାଁରେ ଭକ୍ତିମୟ ପରିବେଶରେ ଜନ୍ମାଷ୍ଟମୀ ପାଳିତ


ଘଟଗାଁ: ୪/୯,ଘଟଗାଁସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ପ୍ରଧାନ ଆଚାର୍ଯ୍ୟ  ଶୁକଦେବ ମହାନ୍ତଙ୍କ ତତ୍ତ୍ୱାବଧାନରେ ପବିତ୍ର ଜନ୍ମାଷ୍ଟମୀ ଉତ୍ସବ ଭକ୍ତି ଓ ଉତ୍ସାହର ସହ ପାଳିତ ହୋଇଯାଇଛି।ଏହି ଅବସରରେ ବିଦ୍ୟାଳୟର ପୂର୍ବତନ ଛାତ୍ର ତଥା କୁନି ପ୍ରବଚକ ଶ୍ରୀମାନ ଦ୍ୱିତିକୃଷ୍ଣ କେଶବ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିଶୁମାନଙ୍କୁ ଜନ୍ମାଷ୍ଟମୀର ମହତ୍ତ୍ୱ ସମ୍ପର୍କରେ ମାର୍ଗଦର୍ଶନ କରିଥିଲେ। ପ୍ରବଚନ ମାଧ୍ୟମରେ ସେ ଭଗବାନ ଶ୍ରୀକୃଷ୍ଣଙ୍କ ଜୀବନୀ ଓ ବିଭିନ୍ନ ପ୍ରସଙ୍ଗ ଉପସ୍ଥାପନ କରିଥିଲେ।ପରେ ଶ୍ରୀକୃଷ୍ଣଙ୍କ ପୂଜାବିଧି ଆରମ୍ଭ ହୋଇଥିଲା। ଶ୍ରୀକୃଷ୍ଣ ବେଶଧାରୀ ଶିଶୁମାନଙ୍କ ପାଦଧୌତ କରାଯିବା ପରେ ବନ୍ଦାପନା କରାଯାଇଥିଲା। ଏହାପରେ ସମସ୍ତ ଶିଶୁ ମନ୍ଦିର ଦର୍ଶନ କରିବା ସହ ମିଷ୍ଟାନ୍ନ ସେବନ କରିଥିଲେ।କାର୍ଯ୍ୟକ୍ରମ ଶେଷରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି  ମନୋରଞ୍ଜନ ପଲେଇ ଧନ୍ୟବାଦ ଅର୍ପଣ କରିଥିଲେ।ଏହି ଜନ୍ମାଷ୍ଟମୀ ଉତ୍ସବକୁ ସଫଳ କରିବାରେ ଧ୍ରୁବ ଚରଣ ନାଏକ, ଦୟାନିଧି ପାତ୍ର, ଡମ୍ବରୁଧର ବେହେରା, ଗଗନ ବିହାରୀ ମହାନ୍ତ, ପଦ୍ମାବତୀ ବାରିକ, ଏଲିନା ପଟ୍ଟନାୟକ, ସୁବାସିନୀ ପ୍ରଧାନ, ଲୋପାମୁଦ୍ରା ବଳ, ଜ୍ୟୋତିର୍ମୟୀ ପଣ୍ଡାଙ୍କ ସମେତ ଗୁରୁଜୀ ଓ ଗୁରୁମାମାନେ ସହଯୋଗ କରିଥିଲେ।

କେନ୍ଦୁଝରରେ ବିଦ୍ୟୁତ୍ ତାର ଓ ଟ୍ରାନ୍ସଫର୍ମର ଚୋରି ରାକେଟ୍‌ର ପର୍ଦ୍ଦାଫାଶ, ୧୨ ଗିରଫ


କେନ୍ଦୁଝର, ୪/୯: କେନ୍ଦୁଝର ପୁଲିସ ଏକ ବଡ଼ ଅନ୍ତଃଜିଲ୍ଲା ବିଦ୍ୟୁତ୍ ତାର ଓ ଟ୍ରାନ୍ସଫର୍ମର ଚୋରି ରାକେଟ୍‌ର ପର୍ଦ୍ଦାଫାଶ କରିଛି। ଏହି ମାମଲାରେ ପୁଲିସ ୧୨ ଜଣଙ୍କୁ ଗିରଫ କରିଥିବା ବେଳେ ୨ଟି କାର୍ ସହ ବିପୁଳ ପରିମାଣର ଆଲୁମିନିୟମ ଓ କପର ତାର, ଟ୍ରାନ୍ସଫର୍ମର ସାମଗ୍ରୀ, ମୋବାଇଲ୍ ଫୋନ୍ ଓ ନଗଦ ଟଙ୍କା ଜବତ କରିଛି।ପୁଲିସ ସୂଚନା ଅନୁଯାୟୀ, ଗିରଫ ଅଭିଯୁକ୍ତମାନେ କେନ୍ଦୁଝର ସମେତ ମୟୂରଭଞ୍ଜ, ଯାଜପୁର, ଅନୁଗୋଳ ଓ ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଦ୍ୟୁତ୍ ତାର ଓ ଟ୍ରାନ୍ସଫର୍ମର ଚୋରି କରୁଥିଲେ। ଚୋରି ହୋଇଥିବା ଟ୍ରାନ୍ସଫର୍ମରର କପର କଏଲ୍, ଆଲୁମିନିୟମ ଓ କପର ତାର, ଟ୍ରାନ୍ସଫର୍ମର କେବୁଲ ଓ ବ୍ୟାଟେରିକୁ ସ୍କ୍ରାପ୍ ଏବଂ କବାଡ଼ି ବ୍ୟବସାୟୀଙ୍କ ଜରିଆରେ ବିକ୍ରି କରାଯାଉଥିଲା।ଗ୍ୟାଙ୍ଗ୍‌କୁ ଧରିବା ପାଇଁ କେନ୍ଦୁଝର ପୁଲିସର ୧୨ଟି ଟିମ୍ ଝୁମ୍ପୁରା, ଯାଜପୁରରୋଡ଼, ଚଣ୍ଡିଖୋଲ, ଭୁବନ ସମେତ ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲେ। ଏହି ଚଢ଼ଉ ପରେ ରାକେଟ୍‌ର ସଦସ୍ୟମାନଙ୍କୁ ଧରିବାରେ ପୁଲିସ ସଫଳ ହୋଇଛି।

ବିପୁଳ ପରିମାଣର ତାର ଓ କପର ଜବତ

ଗିରଫ ଅଭିଯୁକ୍ତଙ୍କଠାରୁ ପୁଲିସ ପ୍ରାୟ ୫ କ୍ୱିଣ୍ଟାଲ ଆଲୁମିନିୟମ ତାର ବୋଝେଇ ଏକ କାର୍, ପ୍ରାୟ ୩ କ୍ୱିଣ୍ଟାଲ ଆଲୁମିନିୟମ ତାର ଥିବା ଅନ୍ୟ ଏକ କାର୍ ଜବତ କରିଛି।ଏଥିସହ ପ୍ରାୟ ୨ କ୍ୱିଣ୍ଟାଲ ବିଭିନ୍ନ ଆକାରର ଆଲୁମିନିୟମ ତାର, ୫୦ କେଜି ତରଳ କପର, ୭୦ କେଜି କପର କଏଲ୍ ଏବଂ ପ୍ରାୟ ୧୫ କେଜି ଟ୍ରାନ୍ସଫର୍ମର କପର ତାର ଜବତ ହୋଇଛି।

ଚୋରିରେ ବ୍ୟବହୃତ ସାମଗ୍ରୀ ମଧ୍ୟ ଜବତ

ପୁଲିସ ୭ଟି ବିଦ୍ୟୁତରୋଧୀ ଗ୍ଲୋଭ୍ସ, ପ୍ଲାୟର, ହ୍ୟାଙ୍କିଂ ରଡ୍, ୫ଟି ଆରି ହାଣ୍ଡଲ, ମେଟାଲ୍ ସିଜର କଟର, ପ୍ରାୟ ୫ ମିଟର ଦଉଡ଼ି, ପ୍ଲାୟର କଟର ଓ ଆରି ବ୍ଲେଡ୍ ଜବତ କରିଛି। ଏହା ସହ ୧୨ଟି ଆଣ୍ଡ୍ରଏଡ୍ ମୋବାଇଲ୍ ଫୋନ୍ ଏବଂ ୧ ଲକ୍ଷ ୪୫ ହଜାର ଟଙ୍କା ନଗଦ ମଧ୍ୟ ଜବତ ହୋଇଛି।

୫ ଜିଲ୍ଲାରେ ଶହେରୁ ଅଧିକ ମାମଲା



ପୁଲିସ ତଦନ୍ତରୁ ଜଣାପଡ଼ିଛି ଯେ କେନ୍ଦୁଝର ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ଏହି ଗ୍ୟାଙ୍ଗ୍‌ର ସମ୍ପୃକ୍ତି ଥିବା ୨୦ଟି ମାମଲା ରହିଛି। ସେହିପରି ମୟୂରଭଞ୍ଜ, କେନ୍ଦୁଝର, ଅନୁଗୋଳ, ଯାଜପୁର ଓ ଢେଙ୍କାନାଳ ଜିଲ୍ଲାରେ ଏହି ଗ୍ୟାଙ୍ଗ୍‌ ବିରୋଧରେ ଶହେରୁ ଅଧିକ ମାମଲା ଥିବା ପୁଲିସ କହିଛି।ହରିଚନ୍ଦନପୁର ଥାନା ମାମଲା ନମ୍ବର ୨୩୧/୨୦୨୬ ଏବଂ କେନ୍ଦୁଝର ଟାଉନ୍ ଥାନା ମାମଲା ନମ୍ବର ୭୧୫/୨୦୨୬କୁ ଆଧାର କରି ଘଟଣାର ତଦନ୍ତ ଜାରି ରହିଛି।ଏହି ଘଟଣା ସମ୍ପର୍କରେ କେନ୍ଦୁଝର ଟାଉନ୍ ଥାନା ପରିସରରେ ପୁଲିସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା। ଅତିରିକ୍ତ ଏସପି ପ୍ରତ୍ୟୁଷ ମହାପାତ୍ର, ଏସଡିପିଓ ସୁଦର୍ଶନ ଗାଙ୍ଗୋଇ, ହରିଚନ୍ଦନପୁର ଆଇଆଇସି ସୁଶାନ୍ତ ପ୍ରଧାନ ଓ ଟାଉନ୍ ଥାନା ଅଧିକାରୀ ଶ୍ରୀକାନ୍ତ ସାହୁପ୍ରମୁଖ ଉପସ୍ଥିତ ଥିଲେ।

ପାଟଣା ସିଏଚ୍‌ସିରେ ନୂତନ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଡଃ. ସୁବାସ ଚନ୍ଦ୍ର ପାତ୍ରଙ୍କୁ ସ୍ୱାଗତ


ପାଟଣା: ୪/୯: କେନ୍ଦୁଝର ଜିଲ୍ଲା ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର (ସିଏଚ୍‌ସି)ର ନବନିଯୁକ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ (ବିପିଏଚ୍‌ଓ) ଡଃ. ସୁବାସ ଚନ୍ଦ୍ର ପାତ୍ରଙ୍କୁ ଗୁରୁବାର ସ୍ୱାଗତ ଓ ସମ୍ବର୍ଦ୍ଧନା ଦିଆଯାଇଛି।ଡଃ. ସୁବାସ ଚନ୍ଦ୍ର ପାତ୍ର ମୟୂରଭଞ୍ଜ ଜିଲ୍ଲା ଜାମଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ପଦୋନ୍ନତି ପାଇ ପାଟଣା ସିଏଚ୍‌ସିରେ ନୂତନ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ଗତ ମଙ୍ଗଳବାର ଆନୁଷ୍ଠାନିକ ଭାବେ ପାଟଣା ସିଏଚ୍‌ସିରେ ଯୋଗଦେଇଥିଲେ।ଏହି ଅବସରରେ ଗୁରୁବାର ପାଟଣା ସିଏଚ୍‌ସି ପରିସରରେ ଏକ ସ୍ୱାଗତ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମରେ ଡଃ. ନିରଞ୍ଜନ ସାହୁ, ଡଃ. ଅଭିଷେକ ସାହୁ, ଡଃ. ଅର୍ଜୁନ ସାହୁ, ଡଃ. ସ୍ୱାଗତ ପ୍ରଧାନ, ଡଃ. ଯାଜ୍ଞ ସେନୀ ମହାନ୍ତ ଏବଂ ଗୋଷ୍ଠୀ ସ୍ୱାସ୍ଥ୍ୟ କାର୍ଯ୍ୟ ବି ପି ଏମ  ଦୀପକ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।ଉପସ୍ଥିତ ଅଧିକାରୀ ଓ କର୍ମଚାରୀମାନେ ଡଃ. ପାତ୍ରଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ୱାଗତ ଓ ସମ୍ବର୍ଦ୍ଧନା ଜଣାଇଥିଲେ।ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ବର୍ତ୍ତମାନ ବିଭିନ୍ନ ସମସ୍ୟା ଦେଇ ଗତି କରୁଥିବା ବେଳେ ନୂତନ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଭାବେ ଡଃ. ପାତ୍ର ସ୍ୱାସ୍ଥ୍ୟକେନ୍ଦ୍ରର ପରିଚାଳନା ଓ ସ୍ୱାସ୍ଥ୍ୟସେବାକୁ କିଭଳି ଆଗକୁ ନେଉଛନ୍ତି, ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି।ଅନ୍ୟପକ୍ଷରେ, ପାଟଣା ସିଏଚ୍‌ସିର ପୂର୍ବତନ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଡଃ. ଶୁଭେନ୍ଦୁ ସାଗର କୁମାର ନାୟକଙ୍କର ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଦୋନ୍ନତି ହୋଇଛି।

ଭିମକୁଣ୍ଡ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁବ ରେଡକ୍ରସ୍ ତାଲିମ ଓ ରକ୍ତଦାନ ସଚେତନତା କାର୍ଯ୍ୟକ୍ରମ



ପାଟଣା: ୩/୯: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ଡୁମୁରିଆସ୍ଥିତ ଭିମକୁଣ୍ଡ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁବ ରେଡକ୍ରସ୍ ବାହିନୀ ପକ୍ଷରୁ ତାଲିମ ଓ ରକ୍ତଦାନ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।ବିଦ୍ୟାଳୟର ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ପଣ୍ଡାଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଯୁବ ରେଡକ୍ରସ୍‌ର ମାର୍ଗଦର୍ଶକ ଅଧ୍ୟାପକ ସନ୍ତୋଷ କୁମାର ସେନାପତି ସଂଯୋଜନା କରିଥିଲେ। ସେ ରେଡକ୍ରସ୍‌ର ଇତିହାସ, ଲକ୍ଷ୍ୟ, ନୀତି ଓ ସ୍ୱେଚ୍ଛାସେବୀଙ୍କ ଭୂମିକା ସମ୍ପର୍କରେ ଗୀତ ପରିବେଷଣ ମାଧ୍ୟମରେ ସ୍ୱେଚ୍ଛାସେବୀମାନଙ୍କୁ ସଚେତନ କରାଇଥିଲେ।ସମ୍ମାନିତ ଅତିଥି ଭାବେ ଗ୍ରାମପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟର ଜୁନିୟର ରେଡକ୍ରସ୍ ମାର୍ଗଦର୍ଶିକା ତୃପ୍ତିମୟୀ ବାରିକ ଯୋଗଦେଇଥିଲେ। ରେଡକ୍ରସ୍‌ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ବ୍ୟକ୍ତିତ୍ୱର ସର୍ବାଙ୍ଗୀଣ ବିକାଶ ସମ୍ଭବ ବୋଲି ସେ ମତ ପ୍ରକାଶ କରିଥିଲେ।ମୁଖ୍ୟ ଅତିଥି ଭାବେ ଜିଲ୍ଲା ରେଡକ୍ରସ୍ ସଂଯୋଜକ ତଥା କେନ୍ଦୁଝର ଜିଲ୍ଲା ରକ୍ତଦାତା ପରିବାରର ପ୍ରତିଷ୍ଠାତା ଅଧ୍ୟାପକ ହିମାଂଶୁ ଶେଖର ମହାନ୍ତ ଯୋଗଦେଇ ରକ୍ତଦାନର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ।ସେ ନୂତନ ରକ୍ତଦାତା ସୃଷ୍ଟି କରିବା ସହ ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ‘ହର ଘର ରକ୍ତଦାତା’ ସୃଷ୍ଟି କରିବାର ଲକ୍ଷ୍ୟ ନେଇ କାର୍ଯ୍ୟ କରିବାକୁ ଯୁବ ରେଡକ୍ରସ୍ ସ୍ୱେଚ୍ଛାସେବୀମାନଙ୍କୁ ଆହ୍ୱାନ କରିଥିଲେ।କାର୍ଯ୍ୟକ୍ରମ ଶେଷରେ ଯୁବ ରେଡକ୍ରସ୍ ସ୍ୱେଚ୍ଛାସେବୀମାନଙ୍କ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ବିଦ୍ୟାଳୟର ଶିକ୍ଷା ବିଭାଗର ଡେମନଷ୍ଟ୍ରେଟର ସନ୍ଦୀପ କୁମାର ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ।ଏହି ତାଲିମ ଓ ସଚେତନତା କାର୍ଯ୍ୟକ୍ରମରେ ବିଦ୍ୟାଳୟର ଯୁବ ରେଡକ୍ରସ୍ ବାହିନୀର ସମସ୍ତ ସ୍ୱେଚ୍ଛାସେବୀ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ।

ନଜର ଓଡ଼ିଶା
Nazar Odisha
Powered by Blogger.
  • ()

Latest News


🆕 Latest News


ADVERTISEMENT
About Us

ନଜର ଓଡ଼ିଶା

ନଜର ଓଡ଼ିଶା ଏକ ଡିଜିଟାଲ ନ୍ୟୁଜ୍ ପ୍ଲାଟଫର୍ମ। ଓଡ଼ିଶାର ପ୍ରତିଟି ଖବର ଉପରେ ନଜର ରଖି ରାଜ୍ୟ, ଜିଲ୍ଲା, ଦେଶ ଓ ବିଦେଶ, ରାଜନୀତି, କ୍ରୀଡ଼ା, ମନୋରଞ୍ଜନ ଓ ବିଶେଷ ଖବର ପାଠକଙ୍କ ପାଖରେ ପହଞ୍ଚାଇବା ଆମର ଲକ୍ଷ୍ୟ।

ସଠିକ୍, ଦାୟିତ୍ୱଶୀଳ ଓ ତଥ୍ୟଭିତ୍ତିକ ସମ୍ବାଦ ପ୍ରକାଶ କରିବାକୁ ଆମେ ପ୍ରାଥମିକତା ଦେଉଛୁ।

Contact Us

ନଜର ଓଡ଼ିଶା ସହ ଯୋଗାଯୋଗ

ଖବର, ସୁଧାର ସୂଚନା, ବିଜ୍ଞାପନ କିମ୍ବା ସମ୍ପାଦକୀୟ ବିଷୟ ପାଇଁ ଆମ ସହ ଯୋଗାଯୋଗ କରନ୍ତୁ।

ନାମ: ନଜର ଓଡ଼ିଶା

ଆପଣଙ୍କ official email/phone ପରେ ଏଠାରେ ଯୋଡ଼ାଯାଇପାରିବ।

Privacy Policy

ଗୋପନୀୟତା ନୀତି

ନଜର ଓଡ଼ିଶା ପାଠକଙ୍କ ଗୋପନୀୟତାକୁ ସମ୍ମାନ କରେ। Website ବ୍ୟବହାର ସମୟରେ ଆବଶ୍ୟକ technical information, cookies କିମ୍ବା analytics data ସେବା ଉନ୍ନତି ଓ ସୁରକ୍ଷା ପାଇଁ ବ୍ୟବହୃତ ହୋଇପାରେ।

ପାଠକଙ୍କ ବ୍ୟକ୍ତିଗତ ତଥ୍ୟକୁ ଅନାବଶ୍ୟକ ଭାବେ ସାର୍ବଜନୀନ କରାଯିବ ନାହିଁ। Third-party services ନିଜସ୍ୱ privacy policy ଅନୁସାରେ ତଥ୍ୟ ପ୍ରକ୍ରିୟା କରିପାରନ୍ତି।

Disclaimer

ଦାୟିତ୍ୱ ପ୍ରତ୍ୟାଖ୍ୟାନ

ନଜର ଓଡ଼ିଶାରେ ପ୍ରକାଶିତ ଖବର ଓ ସୂଚନା ସାଧ୍ୟମତେ ଯାଞ୍ଚ କରି ପ୍ରକାଶ କରାଯାଏ। ତଥାପି କୌଣସି ଅନିଚ୍ଛିତ ଭୁଲ, ଅସମ୍ପୂର୍ଣ୍ଣତା କିମ୍ବା ସମୟ ସହିତ ପରିବର୍ତ୍ତିତ ତଥ୍ୟ ପାଇଁ ପାଠକ ନିଜସ୍ୱ ବିଚାର ବ୍ୟବହାର କରିବେ।

ତୃତୀୟ ପକ୍ଷ website, link, advertisement କିମ୍ବା content ପାଇଁ ନଜର ଓଡ଼ିଶା ସର୍ବଦା ଦାୟୀ ନୁହେଁ।