ପାଟଣା, ୨୪।୮ (ନଜର ଓଡ଼ିଶା): ପାଟଣା ବଜାର ଅଞ୍ଚଳ ଷ୍ଟେଟ୍ ବ୍ୟାଙ୍କ ସାମ୍ନାରେ ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି। ବଜାର ଅଞ୍ଚଳର ବିଭିନ୍ନ ଦୋକାନରୁ ଖାଦ୍ୟ ମାଗି ଖାଉଥିବା ଏକ ବୁଲା ହନୁ ମାଙ୍କଡ଼ ରବିବାର ଅପରାହ୍ନ ୩ଟାରେ ଷ୍ଟେଟବ୍ୟାଙ୍କ ସାମ୍ନାରେ ଥିବା ଗୁପଚୁପ ଦୋକାନକୁ ଆସି ଖାଇବା ପାଇଁ ବସିଲା। ବେପାରୀ ଜଣକ କିଛି ଗୁପଚୁପ ତାଙ୍କୁ ଖାଇବାକୁ ଦେଇଥିଲେ। ମାଙ୍କଡ଼ଟି ଖାଇ ସାରି ସିଧା ଗୁପଚୁପ ବାକ୍ସ ଉପରକୁ ଚଢି ଯାଇ ଆରାମରେ ଶୋଇ ପଡ଼ିଥିଲା। ଯେତେ ଡାକିଲେ ମଧ୍ୟ ଆଉ ଉଠି ନଥିଲା।
ଫଳରେ ଦୋକାନୀ ଜଣକ ଆଉ ଗୁପଚୁପ ବିକ୍ରୀ କରି ପାରି ନଥିଲେ। ଗୁପଚୁପ ଷ୍ଟଲ ଉପରେ ହନୁ ମାଙ୍କଡ଼ର ଆରାମଦାୟକ ନିଦ ଦେଖି ଦୋକାନୀ ଓ ଗ୍ରାହକଙ୍କ ମଧ୍ୟରେ କୌତୂହଳ ସୃଷ୍ଟି ହୋଇଥିଲା। ଲୋକଙ୍କ ଚଳପ୍ରଚଳ ଓ ଗହଳି ସତ୍ତ୍ୱେ ମାଙ୍କଡ଼ଟି କୌଣସି ଭୟ ନରଖି ଗୁପଚୁପ ଷ୍ଟଲ ଉପରେ ଆରାମରେ ଶୋଇ ରହିଥିଲା। ମାଙ୍କଡ଼ଟିର ଏଭଳି ନିଦ୍ରାମଗ୍ନ ଅବସ୍ଥାକୁ ଲୋକେ ନିଜ ମୋବାଇଲ କ୍ୟାମେରାରେ କଏଦ କରିଥିବା ବେଳେ ଏହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ପାଖାପାଖି ଦେଢ଼ ଘଣ୍ଟା ପରେ ପ୍ରବଳ ବର୍ଷା ଆରମ୍ଭ ହୋଇଥିବାରୁ ମାଙ୍କଡ଼ଟି ଗୁପଚୁପ ପେଟି ଉପରୁ ଡେଇଁ ଚାଲି ଯାଇଥିଲା।
