କେନ୍ଦୁଝର,୨୩ା୮: (ନଜର ଓଡ଼ିଶା) କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ଘୁଟୁରୁ ଠାରେ ଥିବା ଅର୍ଚ୍ଚନା ଟ୍ରେଡର୍ସ ସୋ ରୁମ ଭିତରୁ ମାଲିକାଣୀ ଅର୍ଚ୍ଚନା ପରିଡାଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ଏହା ଏକ ସୁଚିନ୍ତିତ ହତ୍ୟା ବୋଲି ପରିବାର ଲୋକ ଅଭିଯୋଗ କରିବା ପରେ କେନ୍ଦୁଝର ଜିଲ୍ଲାରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଆଜି ସକାଳେ ଅର୍ଚ୍ଚନାଙ୍କ ସ୍ୱାମୀ ଅଭିମନ୍ୟୁ ପରିଡା କେନ୍ଦୁଝର ଟାଉନ ଥାନାରେ ଖବର ଦେଇଥିଲେ ଯେ, କୃଷି ଯନ୍ତ୍ରପାତି, ଇଭି ସ୍କୁଟି ବିକ୍ରୀ ହେଉଥିବା ସୋ ରୁମ ଭିତରେ ଏକ ରୁମ ଭିତରୁ ତାଙ୍କ ସ୍ତ୍ରୀଙ୍କ ମୃତ୍ୟୁ ହୋଇଥିଲା । ସୂଚନା ପାଇ ଅପରାହ୍ନ ୧ ଟା ବେଳେ ଟାଉନ ପୋଲିସ ଘଟଣାସ୍ଥଳକୁ ଯାଇ ମୃତ ଦେହ ଜବତ୍ କରିଛି । ଘଟଣାସ୍ଥଳରୁ କାନ୍ଥରେ ମରାଯାଇଥିବା ଏକ ସୁଇସାଇଡ ନୋଟ ଜବତ୍ କରାଯାଇଛି । ଏହି ସୁଇସାଇଡ ନୋଟରେ ମୁଁ ଇଚ୍ଛାରେ ମରିଛି ଏଥିପାଇଁ ମୋ ସ୍ୱାମୀ ଅଭିମନ୍ୟୁ ପରିଡା ଦାୟୀ ନୁହେଁ ବୋଲି ଲେଖାଯାଇଛି । ଏହି ନୋଟ ଟି ମୃତ ଅର୍ଚ୍ଚନା ପରିଡା ଲେଖି ନାହାଁନ୍ତି ବରଂ ସୁଚିନ୍ତିତ ଭାବେ ହତ୍ୟା କରିବା ପରେ ତାଙ୍କ ସ୍ୱାମୀ ଲେଖିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ଅର୍ଚ୍ଚନା ଙ୍କ ମୁଣ୍ଡରେ ଏବଂ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଛି । ସୋ ରୁମ ଭିତରେ ଥିବା ଏକ ରୁମରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଘର ଚଟାଣରେ ଅର୍ଚ୍ଚନାଙ୍କ ମୃତଦେହ ପଡିଥିବାବେଳେ ମୁଣ୍ଡ ପଛ ପଟରୁ ପ୍ରବଳ ରକ୍ତସ୍ରାବ ହୋଇଛି ଏବଂ ଡାହାଣ ଗୋଡ ବୁଢା ଆଙ୍ଗୁଠି, ନାକ ଓ କାନରୁ ରକ୍ତ ବାହାରିଥିବା ଦେଖାଯାଇଥିଲା । ଏଥିସହ ଛାତିର ବାମପଟରେ ରାମ୍ପୁଡା ଚିହ୍ନ ରହିଛି । ଅର୍ଚ୍ଚନା ଓ ଅଭିମନ୍ୟୁ ବଣିଆପାଟ ଅଂଚଳରେ ଏକ ଭଡା ଘରେ ରହୁଥିଲେ । ତେବେ ଅର୍ଚ୍ଚନାକୁ ସେଠାରେ ହତ୍ୟା କରି ମୃତ ଦେହ ଅର୍ଚ୍ଚନା ଟ୍ରେଡର୍ସ ଭିତରେ ଆଣି ରଖାଯାଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ଅଭିମନ୍ୟୁ ପରିଡା କୁ ପୋଲିସ ଧରି ଘଟଣା ସ୍ଥଳକୁ ନେଇ ତଦନ୍ତ କରିବା ସମୟରେ ପ୍ରବଳ ପାଟିତୁଣ୍ଡ ହେବା ସହ ଉତ୍ତେଜନା ପ୍ରକାଶ ପାଇଥିଲା । ସୂଚନାଯୋଗ୍ୟ ଯେ, କେନ୍ଦୁଝର ଜିଲ୍ଲା ଯୋଡା ବ୍ଲକ ହାଣ୍ଡିଭଙ୍ଗା ଅଂଚଳର ଅଭିମନ୍ୟୁ ପରିଡା ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ରସମତଳା ଗ୍ରାମର ଅର୍ଚ୍ଚନା ବାରିକଙ୍କୁ ୨୦୧୪ ମସିହାରେ ବାହା ହୋଇଥିଲେ । ଉଭୟଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଥିବା ଜଣାପଡିଛି । ଘୁଟୁରୁ ଠାରେ ଅର୍ଚ୍ଚନା ଟ୍ରେଡର୍ସ ଓ ଶୁଭ ମୋଟର୍ସ ନାମରେ ସେମାନଙ୍କ ବ୍ୟବସାୟ ଚାଲିଛି । ଭିଣୋଇ ଅଭିମନ୍ୟୁ ପରିଡା ମଦ ପିଇ ବିନା କାରଣରେ ଭଉଣୀ କୁ ସବୁବେଳେ ପିଟୁଥିଲା । ମୃତା ଅର୍ଚ୍ଚନାଙ୍କ ଭାଇ ଅଜୟ କୁମାର ବାରିକ ଭଉଣୀ କୁ ଭିଣୋଇ ହତ୍ୟା କରିଥିବା ନେଇ ନେଇ ଟାଉନ ଥାନାରେ ଏତଲା ଦେଇଛନ୍ତି । ସୋ ରୁମ ରେ ଚାବି ପକାଇ ମୋ ଭଉଣୀ କୁ ପିଟି ପିଟି ମାରିବା ପରେ ଆତ୍ମହତ୍ୟାର ରୂପ ଦିଆଯାଇଛି ବୋଲି କହିଛନ୍ତି । ମୃତା ଅର୍ଚ୍ଚନାଙ୍କ ଭାଇ ଏତଲା ଦେବା ପରେ ପୋଲିସ କେସ ନମ୍ବର ୮୩୫/୨୦୨୬ ଭାରତୀୟ ନ୍ୟାୟ ସଂହିତାର ୧୦୩ (୧), ୮୫, ୨୩୮ ରେ ଏକ ହତ୍ୟା ମାମଲା ରୁଜୁ କରିଛି । ଭଉଣୀ ର ହତ୍ୟାକାରୀ ସ୍ୱାମୀ କୁ କଠୋର ରୁ କଠୋର ଦଣ୍ଡ ଦେବାକୁ ସେ ଅନୁରୋଧ କରିଛନ୍ତି । ମୃତକ ଙ୍କ ପରିବାର ଲୋକଙ୍କ ଉପସ୍ଥିତିରେ ପୋଲିସ ଶବ ଜବତ୍ କରି ବ୍ୟବଚ୍ଛେଦ କରାଯାଇଛି ବୋଲି ସଦର ଏସ୍ଡିପିଓ ସୁଦର୍ଶନ ଗାଙ୍ଗୋଇ ସୂଚନା ଦେଇଛନ୍ତି ।
Blogger Comment
Subscribe to:
Post Comments (Atom)
