ଖୋର୍ଦ୍ଧାରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ରଲରକୁ ପଛରୁ ପିଟିଲା ଟ୍ରକ, ଡ୍ରାଇଭର ଓ ହେଲ୍ପର ମୃତ
News Summary
ଖୋର୍ଦ୍ଧା ୧୬ ନମ୍ବର ଜାତୀୟ ରାଜପଥରେ ଭୟଙ୍କର ଦୁର୍ଘଟଣା। ଟ୍ରଲରକୁ ପଛରୁ ପିଟିଲା ମାଲବୋଝେଇ ଟ୍ରକ। ଡ୍ରାଇଭର ଓ ହେଲ୍ପରଙ୍କ ମୃତ୍ୟୁ, ଘଟଣାର ତଦନ୍ତ ଜାରି।
Published By:
Nazar Odisha Team |
ନଜର ଓଡ଼ିଶା | Nazar Odisha
ଖୋର୍ଦ୍ଧା:୨୦/୯, ଭୋର ସମୟରେ ଖୋର୍ଦ୍ଧାରେ ଘଟିଛି ଏକ ଭୟଙ୍କର ସଡ଼କ ଦୁର୍ଘଟଣା। ଖୋର୍ଦ୍ଧା ଆଦର୍ଶ ଥାନା ଅନ୍ତର୍ଗତ ତୋଟାପଡ଼ା ଛକ ନିକଟ ରେଳବାଇ ଓଭରବ୍ରିଜ୍ ତଳେ ୧୬ ନମ୍ବର ଜାତୀୟ ରାଜପଥରେ ଏକ ଟ୍ରଲରକୁ ପଛରୁ ଟ୍ରକ ଧକ୍କା ଦେବାରୁ ଟ୍ରକର ଡ୍ରାଇଭର ଓ ହେଲ୍ପରଙ୍କ ମୃତ୍ୟୁ ଘଟିଛି।
ଟ୍ରଲରକୁ ପଛରୁ ଧକ୍କା ଦେଲା ଟ୍ରକ
ଖୋର୍ଦ୍ଧା SDPO ପଙ୍କଜ କୁମାର ମାଝୀଙ୍କ ସୂଚନା ଅନୁଯାୟୀ, ଆଜି ଭୋର ପ୍ରାୟ ୩ଟା ସମୟରେ ଜାତୀୟ ରାଜପଥ ଉପରେ ଏକ ଟ୍ରଲର ଛିଡ଼ା ହୋଇଥିଲା। ଏହି ସମୟରେ କର୍ଣ୍ଣାଟକ ନମ୍ବର ଥିବା ଏକ ମାଲବୋଝେଇ ଟ୍ରକ ଦ୍ରୁତ ଗତିରେ ଆସି ଟ୍ରଲରର ପଛ ପାର୍ଶ୍ୱକୁ ଜୋରଦାର ଧକ୍କା ଦେଇଥିଲା।
ଧକ୍କା ଏତେ ତୀବ୍ର ଥିଲା ଯେ ଟ୍ରକର ସମ୍ମୁଖଭାଗ ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଥିଲା। ଟ୍ରକ ଭିତରେ ଥିବା ଡ୍ରାଇଭର ଓ ହେଲ୍ପରଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା।
ଘଟଣାସ୍ଥଳରେ ପହଞ୍ଚିଲା ପୋଲିସ
ଦୁର୍ଘଟଣା ସମ୍ପର୍କରେ ଖବର ପାଇ ଖୋର୍ଦ୍ଧା ଆଦର୍ଶ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପୋଲିସ ଉଦ୍ଧାର କାର୍ଯ୍ୟ କରିବା ସହ ଦୁଇ ମୃତଦେହକୁ ଜବତ କରି ହସ୍ପିଟାଲକୁ ପଠାଇଛି। ତେବେ ମୃତ ଡ୍ରାଇଭର ଓ ହେଲ୍ପରଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିନାହିଁ।ଦୁର୍ଘଟଣାଗ୍ରସ୍ତ ଟ୍ରକର ନମ୍ବର KA 35 C 4577 ବୋଲି ଜଣାପଡ଼ିଛି। ଅନ୍ୟପକ୍ଷରେ, ଦୁର୍ଘଟଣା ପରେ ଟ୍ରଲରଟି ଘଟଣାସ୍ଥଳରୁ ପଳାଇଯାଇଥିବା ସୂଚନା ମିଳିଛି।
ବେଆଇନ ପାର୍କିଂକୁ ନେଇ ବଢ଼ୁଛି ଦୁର୍ଘଟଣା ଆଶଙ୍କା
ଦୁର୍ଘଟଣା ପରେ ଟ୍ରକଟି ଜାତୀୟ ରାଜପଥ ଉପରେ ରହିଥିବାରୁ କିଛି ସମୟ ପାଇଁ ଯାତାୟାତ ପ୍ରଭାବିତ ହୋଇଥିଲା। ତୋଟାପଡ଼ା ଛକ ଅଞ୍ଚଳରେ ରାତି ସମୟରେ ବଡ଼ ବଡ଼ ଟ୍ରକ ଓ ଟ୍ରଲର ରାସ୍ତାର ଦୁଇ ପାର୍ଶ୍ୱରେ ଏବଂ ଜାତୀୟ ରାଜପଥ ଓ ସର୍ଭିସ ରୋଡ୍ ମଝିରେ ବେଆଇନ ଭାବେ ପାର୍କିଂ ହୋଇ ରହୁଥିବା ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।
ଏହି ବେଆଇନ ପାର୍କିଂ ଯୋଗୁଁ ରାତି ସମୟରେ ଦୁର୍ଘଟଣାର ଆଶଙ୍କା ବଢ଼ୁଥିବା ସ୍ଥାନୀୟ ଲୋକେ କହିଛନ୍ତି। ଏଭଳି ପାର୍କିଂ ଉପରେ ପୋଲିସ, ଜାତୀୟ ରାଜପଥ ପ୍ରାଧିକରଣ, ପରିବହନ ବିଭାଗ ଓ ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହୋଇଛି।ଖୋର୍ଦ୍ଧା SDPO ପଙ୍କଜ କୁମାର ମାଝୀ କହିଛନ୍ତି ଯେ, ଦୁର୍ଘଟଣାରେ ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିନାହିଁ। ଘଟଣାର ତଦନ୍ତ ଚାଲିଛି। ରାସ୍ତାକଡ଼ରେ ହେଉଥିବା ବେଆଇନ ପାର୍କିଂ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯିବ।
ନଜର ଓଡ଼ିଶା
Nazar Odisha
Subscribe to:
Post Comments (Atom)