ପାଟଣା, ୧/୯(ବ୍ୟୁରୋ ରିପୋର୍ଟ): ପାଟଣା ବନାଞ୍ଚଳ ଅଧୀନ କୁମୁଳାବାହାଳି ଗ୍ରାମରୁ ମଙ୍ଗଳବାର ଏକ ବିଶାଳ ଅହିରାଜ ସାପକୁ ବନବିଭାଗ ସୁରକ୍ଷିତ ଭାବେ ଉଦ୍ଧାର କରିଛି। ସାପଟିର ଲମ୍ବ ପ୍ରାୟ ୧୫ ଫୁଟ ଥିବା ଜଣାପଡ଼ିଛି।ଏକ କାଜୁ ଗଛରେ ଅହିରାଜଟି ଥିବା ଦେଖି ଗ୍ରାମବାସୀ ବନବିଭାଗକୁ ସୂଚନା ଦେଇଥିଲେ। ବିଶାଳ ସାପଟିକୁ ଦେଖିବା ପାଇଁ ଘଟଣାସ୍ଥଳରେ ଲୋକଙ୍କ ଭିଡ଼ ମଧ୍ୟ ଜମିଥିଲା।ସୂଚନା ପାଇ ସାହାରପଡ଼ା ବନପାଳ ଶ୍ରୀମନ୍ତ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ମାଛଗଡ଼ ଦକ୍ଷିଣ ବିଟ୍ର ବନରକ୍ଷୀ ଅଶ୍ୱିନୀ କୁମାର ସାହୁ, ପାଟଣାର ତାଲିମପ୍ରାପ୍ତ ସାପ ଧରାଳି ଏମ୍ଡି ୱାସିମ୍ଙ୍କ ସମେତ ବନବିଭାଗର ଅନ୍ୟ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ।ବନବିଭାଗର କର୍ମଚାରୀମାନେ ସାପଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ପରେ ଅଟେଇ ସଂରକ୍ଷିତ ଜଙ୍ଗଲରେ ଛାଡ଼ିଦେଇଥିବା ଜଣାପଡ଼ିଛି।
