ନୟାପଲ୍ଲୀରେ ଚାଞ୍ଚଲ୍ୟ: ତାୱାରେ ଆକ୍ରମଣ କରି ସ୍ତ୍ରୀଙ୍କୁ ହତ୍ୟା
News Summary
ଭୁବନେଶ୍ୱର ନୟାପଲ୍ଲୀ ବ୍ରିଟ୍ କଲୋନିରେ ସ୍ତ୍ରୀଙ୍କୁ ତାୱାରେ ଆକ୍ରମଣ କରି ହତ୍ୟା ଅଭିଯୋଗ। ସ୍ୱାମୀଙ୍କୁ ପୁଲିସ ଅଟକ ରଖି ତଦନ୍ତ ଜାରି ରଖିଛି।
Published By:
Nazar Odisha Team |
ନଜର ଓଡ଼ିଶା | Nazar Odisha
ଭୁବନେଶ୍ୱର:୨୪/୯,ରାଜଧାନୀ ଭୁବନେଶ୍ୱରର ନୟାପଲ୍ଲୀ ବ୍ରିଟ୍ କଲୋନିରେ ଚାଞ୍ଚଲ୍ୟକର ଘଟଣା। ମାନସିକ ଅସୁସ୍ଥତା ପାଇଁ ଚିକିତ୍ସା ନିମନ୍ତେ ସ୍ୱାମୀଙ୍କୁ ଡାକ୍ତରଙ୍କ ପାଖକୁ ନେବାକୁ ପ୍ରସ୍ତୁତ ହେଉଥିବା ବେଳେ ସ୍ତ୍ରୀଙ୍କୁ ତାୱାରେ ଆକ୍ରମଣ କରି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତ ମହିଳା ହେଲେ ବନିସ୍ମିତା ସ୍ୱାଇଁ (୨୬)। ଘଟଣାରେ ତାଙ୍କ ସ୍ୱାମୀ ସର୍ବେଶ୍ୱର ପ୍ରଧାନ (୨୮)ଙ୍କୁ ନୟାପଲ୍ଲୀ ଥାନା ପୁଲିସ ଅଟକ ରଖିଛି।ସୂଚନା ଅନୁଯାୟୀ, ପ୍ରାୟ ଦୁଇ ବର୍ଷ ପୂର୍ବେ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଥାନା ଅଞ୍ଚଳର ବନିସ୍ମିତା ଓ ବେଲପାଳ ଅଞ୍ଚଳର ସର୍ବେଶ୍ୱର ପ୍ରେମ ବିବାହ କରିଥିଲେ। ବିବାହ ପରେ ସର୍ବେଶ୍ୱରଙ୍କ ମାନସିକ ସ୍ୱାସ୍ଥ୍ୟ ସମସ୍ୟା ଥିବା ବନିସ୍ମିତା ଜାଣିଥିଲେ ବୋଲି ପରିବାର ପକ୍ଷରୁ କୁହାଯାଇଛି।ପରିବାର ସୂତ୍ରରୁ ଜଣାପଡ଼ିଛି, ସର୍ବେଶ୍ୱର ପ୍ରାୟ ୮ ବର୍ଷ ଧରି ମାନସିକ ରୋଗ ବିଶେଷଜ୍ଞଙ୍କ ପରାମର୍ଶରେ ଔଷଧ ସେବନ କରୁଥିଲେ। ବେଳେବେଳେ ସେ ଉତ୍ତେଜିତ ହୋଇ ବନିସ୍ମିତାଙ୍କ ସହ ଝଗଡ଼ା କରୁଥିବା ଅଭିଯୋଗ ରହିଥିଲା।କିଛି ଦିନ ପୂର୍ବେ ବନିସ୍ମିତା ତାଙ୍କ ସ୍ୱାମୀଙ୍କୁ ନେଇ ନୟାପଲ୍ଲୀ ବ୍ରିଟ୍ କଲୋନିରେ ଥିବା ଶ୍ୱଶୁରଙ୍କ ଘରକୁ ଆସିଥିଲେ। ସର୍ବେଶ୍ୱରଙ୍କ ଚିକିତ୍ସା ନିମନ୍ତେ ଡାକ୍ତରଙ୍କ ସହ ପରାମର୍ଶ କରିବାର ଯୋଜନା ଥିଲା।ତେବେ ଘରୁ ଡାକ୍ତରଙ୍କ ପାଖକୁ ବାହାରିବା ସମୟରେ ସର୍ବେଶ୍ୱର ହଠାତ୍ ଉତ୍ତେଜିତ ହୋଇ ବନିସ୍ମିତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଘଟଣା ସମୟରେ ତାଙ୍କ ଭଉଣୀ ବନିସ୍ମିତାଙ୍କୁ ରକ୍ଷା କରିବାକୁ ଉଦ୍ୟମ କରିଥିଲେ। ତେବେ ସର୍ବେଶ୍ୱର ଗ୍ରିଲ୍ ବନ୍ଦ କରିଦେବାରୁ ସେ ଭିତରକୁ ଯାଇପାରିନଥିଲେ।ଏହାପରେ ସର୍ବେଶ୍ୱର ରୋଷେଇ ଘରୁ ତାୱା ଆଣି ବନିସ୍ମିତାଙ୍କ ଉପରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଗୁରୁତର ଆହତ ହୋଇ ବନିସ୍ମିତା ଘଟଣାସ୍ଥଳରେ ହିଁ ନିସ୍ତେଜ ହୋଇପଡ଼ିଥିଲେ।ଘଟଣାର ଖବର ପାଇ ନୟାପଲ୍ଲୀ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ସର୍ବେଶ୍ୱରଙ୍କୁ ଥାନାକୁ ନେଇଥିଲା। ପୁଲିସ ବନିସ୍ମିତାଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି।ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ବିଭିନ୍ନ ନମୁନା ସଂଗ୍ରହ କରିଛି। ଏଥିସହ ଘଟଣାରେ ବ୍ୟବହୃତ ତାୱାକୁ ପୁଲିସ ଜବତ କରିଛି। ଘଟଣାର ପ୍ରକୃତ କାରଣ ଏବଂ ଅନ୍ୟାନ୍ୟ ପରିସ୍ଥିତି ସମ୍ପର୍କରେ ପୁଲିସ ତଦନ୍ତ ଜାରି ରଖିଛି।
ନଜର ଓଡ଼ିଶା
Nazar Odisha
Subscribe to:
Post Comments (Atom)