୩ ବର୍ଷ ହେଲା ଗ୍ରନ୍ଥାଗାରରେ ତାଲା, ଭୂତକୋଠି ପାଲଟିଛି ଲକ୍ଷାଧିକ ଟଙ୍କାର ନବନିର୍ମିତ କୋଠା
News Summary
ପାଟଣା ବ୍ଲକରେ ଲକ୍ଷାଧିକ ଟଙ୍କାରେ ନିର୍ମିତ ବ୍ଲକ ସ୍ତରୀୟ ଗ୍ରନ୍ଥାଗାର ୩ ବର୍ଷ ହେଲା ବନ୍ଦ। ତାଲା ଝୁଲୁଥିବାରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ, ଗ୍ରନ୍ଥାଗାର ଖୋଲିବାକୁ ଦାବି
Published By:
Nazar Odisha Team |
ନଜର ଓଡ଼ିଶା | Nazar Odisha
କେନ୍ଦୁଝର/ପାଟଣା, ୪/୧୦: ଗ୍ରାମାଞ୍ଚଳର ମେଧାବୀ ଛାତ୍ରଛାତ୍ରୀ ଓ ଯୁବପିଢ଼ିଙ୍କ ଉଚ୍ଚଶିକ୍ଷା ତଥା ପ୍ରତିଯୋଗିତାମୂଳକ ପରୀକ୍ଷା ପ୍ରସ୍ତୁତି ପାଇଁ ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମିତ ବ୍ଲକ ସ୍ତରୀୟ ଗ୍ରନ୍ଥାଗାର ଏବେ ଅବହେଳିତ ଅବସ୍ଥାରେ ପଡ଼ିରହିଛି। ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲେ ମଧ୍ୟ ଗତ ୩ ବର୍ଷ ଧରି ଏହି ଗ୍ରନ୍ଥାଗାରରେ ତାଲା ଝୁଲୁଛି।କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ମୁଖ୍ୟାଳୟରେ ନିର୍ମିତ ବ୍ଲକ ସ୍ତରୀୟ ଗ୍ରନ୍ଥାଗାର ତଥା ବୃତ୍ତିଗତ ପରାମର୍ଶ କେନ୍ଦ୍ର ଦୀର୍ଘଦିନ ଧରି ବନ୍ଦ ରହିଥିବାରୁ ଏହା ଛାତ୍ରଛାତ୍ରୀ ଓ ସାଧାରଣ ଲୋକଙ୍କ କୌଣସି କାମରେ ଆସିପାରୁନାହିଁ। ନିର୍ମାଣ ସରିବାର ବର୍ଷ ବର୍ଷ ପରେ ମଧ୍ୟ ଏହାକୁ କାର୍ଯ୍ୟକ୍ଷମ କରାଯାଇନଥିବାରୁ ନବନିର୍ମିତ କୋଠାଟି ଧୀରେ ଧୀରେ ଭୂତକୋଠିରେ ପରିଣତ ହେବାକୁ ବସିଛି।ଗ୍ରନ୍ଥାଗାରର ଚତୁଃପାର୍ଶ୍ୱରେ ଘଞ୍ଚ ଘାସ ଓ ଅନାବନା ଲଟାବୁଦା
ମାଡ଼ିଯାଇଥିବା ବେଳେ ମୁଖ୍ୟ ଫାଟକ ଓ ପ୍ରବେଶ ପଥରେ ସବୁବେଳେ ତାଲା ଝୁଲୁଛି। ରକ୍ଷଣାବେକ୍ଷଣ ଅଭାବରୁ କୋଠାର କାନ୍ଥର ରଙ୍ଗ ଛାଡ଼ିବା ସହ ଏହାର ଅବସ୍ଥା ମଧ୍ୟ ଧୀରେ ଧୀରେ ଖରାପ ହେବାକୁ ଲାଗିଛି।ସ୍ଥାନୀୟ ଗରିବ ଓ ମେଧାବୀ ଛାତ୍ରଛାତ୍ରୀମାନେ ଅଧ୍ୟୟନ, ଉଚ୍ଚଶିକ୍ଷା ଓ କ୍ୟାରିୟର କାଉନସେଲିଂ ପାଇଁ ଏହି ଗ୍ରନ୍ଥାଗାର ଉପରେ ବହୁ ଆଶା ରଖିଥିଲେ। ଏଠାରେ ପାଠ୍ୟପୁସ୍ତକ, ପ୍ରତିଯୋଗିତାମୂଳକ ପତ୍ରପତ୍ରିକା, ଇଣ୍ଟରନେଟ୍ ଓ ଅନ୍ୟାନ୍ୟ ଶିକ୍ଷା ସୁବିଧା ମିଳିବ ବୋଲି ଆଶା କରାଯାଇଥିଲା। ହେଲେ ଗ୍ରନ୍ଥାଗାରଟି ଖୋଲିନଥିବାରୁ ସେମାନଙ୍କ ଆଶା ଏବେ ମଉଳିବାକୁ ବସିଛି।
ସରକାରୀ ରାଜକୋଷରୁ ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମିତ ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ଶିକ୍ଷା କେନ୍ଦ୍ର ବର୍ଷ ବର୍ଷ ଧରି ବନ୍ଦ ରହିବାକୁ ନେଇ ସ୍ଥାନୀୟ ବୁଦ୍ଧିଜୀବୀ, ଛାତ୍ର ସମାଜ ଓ ଯୁବଗୋଷ୍ଠୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଛି।ଅଞ୍ଚଳବାସୀଙ୍କ ଦାବି, ଜିଲ୍ଲା ପ୍ରଶାସନ ଏହି ସମସ୍ୟା ପ୍ରତି ତୁରନ୍ତ ଦୃଷ୍ଟି ଦେଇ ଗ୍ରନ୍ଥାଗାରକୁ କାର୍ଯ୍ୟକ୍ଷମ କରୁ। ଏଥିସହ ଆବଶ୍ୟକୀୟ ପାଠ୍ୟପୁସ୍ତକ, ପ୍ରତିଯୋଗିତାମୂଳକ ପତ୍ରପତ୍ରିକା, ଇଣ୍ଟରନେଟ୍ ସୁବିଧା ଯୋଗାଇବା ସହ ନିୟମିତ କର୍ମଚାରୀ ନିଯୁକ୍ତ କରାଯାଇ ଗ୍ରାମାଞ୍ଚଳର ଛାତ୍ରଛାତ୍ରୀଙ୍କ ସ୍ୱପ୍ନକୁ ସାକାର କରାଯାଉ।
ସୁନ୍ଦର ଓଡ଼ିଶା • ସମୃଦ୍ଧ ଓଡ଼ିଶା
Subscribe to:
Post Comments (Atom)
Latest News
ନଜର ଓଡ଼ିଶା (Nazar Odisha) ହେଉଛି ଓଡ଼ିଶାର ତାଜା ଖବର, ଜିଲ୍ଲା ଖବର, ରାଜ୍ୟ ଖବର, ଦେଶ-ବିଦେଶ, ରାଜନୀତି, ଶିକ୍ଷା, ନିଯୁକ୍ତି, କ୍ରୀଡ଼ା ଓ ସାମାଜିକ ଖବରର ନ୍ୟୁଜ୍ ପୋର୍ଟାଲ୍।