କେନ୍ଦୁଝର/ପାଟଣା, ୨୮/୧୦: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ କେନ୍ଦେଇପଶି ପଞ୍ଚାୟତର ମହିଷାମୁଣ୍ଡି ଗ୍ରାମରେ ମା’ ବିଶେଇପାଟ ଯୁବକ ସଂଘ ଆନୁକୂଲ୍ୟରେ ତିନିଦିନ ଧରି ଚାଲିଥିବା ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଛି। ଫାଇନାଲ ମ୍ୟାଚ୍ରେ ରାଧାପୁର ଦଳକୁ ପରାସ୍ତ କରି ପପୁନ ଏଫ୍ସି ବୁଢ଼ାବଣ ଦଳ ଚାମ୍ପିୟନ ଟ୍ରଫି ହାସଲ କରିଛି।ଅର୍ଜୁନ ମହାପାତ୍ରଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ଫୁଟବଲ ପ୍ରତିଯୋଗିତାରେ ବିଭିନ୍ନ ଅଞ୍ଚଳର ଦଳ ଅଂଶଗ୍ରହଣ କରିଥିଲେ। ତିନିଦିନ ଧରି ଖେଳ ପଡ଼ିଆରେ ଖେଳାଳିଙ୍କ ଉତ୍ସାହଜନକ ପ୍ରଦର୍ଶନ ସହ କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଥିଲା।
ଫାଇନାଲରେ ରାଧାପୁରକୁ ହରାଇଲା ବୁଢ଼ାବଣ
ଟୁର୍ଣ୍ଣାମେଣ୍ଟର ଉଦଯାପନୀ ଦିବସରେ ବାରୁଦ ଭାଇ ରାଧାପୁର ଓ ପପୁନ ଏଫ୍ସି ବୁଢ଼ାବଣ ମଧ୍ୟରେ ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା। ଉଭୟ ଦଳ ମଧ୍ୟରେ କଡ଼ା ଟକ୍କର ହୋଇଥିବା ବେଳେ ବୁଢ଼ାବଣ ଦଳ ଗୋଟିଏ ଗୋଲ୍ ଦେଇ ବିଜୟୀ ହୋଇଥିଲା। ଫଳରେ ପପୁନ ଏଫ୍ସି ବୁଢ଼ାବଣ ଚାମ୍ପିୟନ ହୋଇଥିବା ବେଳେ ରାଧାପୁର ଦଳ ରନର୍ସଅପ୍ ହୋଇଥିଲା। ଫାଇନାଲ ମ୍ୟାଚ୍ ଦେଖିବାକୁ ବହୁ ସଂଖ୍ୟାରେ କ୍ରୀଡ଼ାପ୍ରେମୀ ଉପସ୍ଥିତ ରହି ଖେଳାଳିଙ୍କୁ ଉତ୍ସାହିତ କରିଥିଲେ।
ବିଜେତା ଦଳକୁ ୩୦ ହଜାର, ରନର୍ସଅପ୍କୁ ୨୦ ହଜାର ଟଙ୍କା
ପ୍ରତିଯୋଗିତାରେ ଚାମ୍ପିୟନ ହୋଇଥିବା ବୁଢ଼ାବଣ ଦଳକୁ ପ୍ରଥମ ପୁରସ୍କାର ସ୍ୱରୂପ ୩୦ ହଜାର ଟଙ୍କା ସହ ଟ୍ରଫି ପ୍ରଦାନ କରାଯାଇଥିଲା। ସେହିପରି ରନର୍ସଅପ୍ ରାଧାପୁର ଦଳକୁ ୨୦ ହଜାର ଟଙ୍କା ଓ ଟ୍ରଫି ମିଳିଥିଲା। ତୃତୀୟ ସ୍ଥାନ ଅଧିକାର କରିଥିବା ସୁନୁ ଇଲେଭେନ ଦଳକୁ ୧୦ ହଜାର ଟଙ୍କା ଏବଂ ଚତୁର୍ଥ ସ୍ଥାନରେ ଥିବା ବ୍ଲାକ୍ ଫାଇଟର ଦଳକୁ ୧୦ ହଜାର ଟଙ୍କା ପୁରସ୍କାର ଦିଆଯାଇଥିଲା।
ଉଦଯାପନୀ ଉତ୍ସବରେ ଯୋଗଦେଲେ ବିଧାୟକ
ଉଦଯାପନୀ ଉତ୍ସବରେ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାୟକ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ବିଶ୍ୱନାଥ ନାଏକ, ବିଧାୟକ ପ୍ରତିନିଧି କମଳାକାନ୍ତ ଦାଶ, ସରପଞ୍ଚ ମିନାକ୍ଷୀ ନାଏକ, ସମାଜସେବୀ ଅଜିତ ବାରିକ, ମିତ୍ରଭାନୁ ନାଏକ, ଦିବ୍ୟଲୋଚନ ସାହୁ, ପ୍ରଧାନଶିକ୍ଷକ ସୁନୀଲ ମହାନ୍ତ, ହାଡ଼ିବନ୍ଧୁ ମହାପାତ୍ର ଓ କପିଳେନ୍ଦ୍ର ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ।ଅତିଥିମାନେ ଖେଳାଳିଙ୍କୁ ଉତ୍ସାହିତ କରିବା ସହ ଗ୍ରାମାଞ୍ଚଳରେ କ୍ରୀଡ଼ାର ବିକାଶ ଏବଂ ଯୁବପିଢ଼ିଙ୍କୁ ଖେଳ ପ୍ରତି ଆକୃଷ୍ଟ କରିବାରେ ଏଭଳି ଟୁର୍ଣ୍ଣାମେଣ୍ଟର ଗୁରୁତ୍ୱ ରହିଥିବା ମତ ପ୍ରକାଶ କରିଥିଲେ।ଖେଳର ଧାରାବିବରଣୀ ଭାଷ୍ୟକାର ଅରୁଣ କୁମାର ମହାନ୍ତ ପ୍ରଦାନ କରିଥିଲେ। ଟୁର୍ଣ୍ଣାମେଣ୍ଟକୁ ସଫଳ କରିବାରେ ମା’ ବିଶେଇପାଟ ଯୁବକ ସଂଘ ଓ ଖେଳ କମିଟିର ସମସ୍ତ ସଦସ୍ୟ ସକ୍ରିୟ ସହଯୋଗ କରିଥିଲେ। କମିଟିର ସଦସ୍ୟ ମନୋଜ ନାୟକ, ଆଶିଷ କୁମାର ନାୟକ, ଚନ୍ଦନଜିତ ମହାପାତ୍ର ଓ ସୁଶୀଲ ନାଏକ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।ଗ୍ରାମାଞ୍ଚଳର ଲୁକ୍କାୟିତ କ୍ରୀଡ଼ା ପ୍ରତିଭାର ବିକାଶ, ଭାଇଚାରା ବୃଦ୍ଧି ଏବଂ ଯୁବପିଢ଼ିଙ୍କ ମଧ୍ୟରେ କ୍ରୀଡ଼ା ମନୋଭାବ ସୃଷ୍ଟି କରିବା ଏହି ଟୁର୍ଣ୍ଣାମେଣ୍ଟର ମୁଖ୍ୟ ଉଦ୍ଦେଶ୍ୟ ଥିଲା।