କେନ୍ଦୁଝର/ପାଟଣା, ୨୮/୧୦: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଡୁମୁରିଆ ପଞ୍ଚାୟତ ଅନ୍ତର୍ଗତ ଘାଟବାଲିଯୋଡ଼ି ଗ୍ରାମର ଜଣେ ନିଖୋଜ ମହିଳାଙ୍କ କଙ୍କାଳର କିଛି ହାଡ଼, ଖପୁରୀ, ଚୁଡ଼ି, ମାଳି ଏବଂ ଗଛରେ ଝୁଲୁଥିବା ଏକ ଶାଢ଼ୀକୁ ଘଟଗାଁ ପୁଲିସ ଉଦ୍ଧାର କରିଛି। ଉଦ୍ଧାର ସାମଗ୍ରୀଗୁଡ଼ିକ ନିଖୋଜ କୁନି ମହାନ୍ତ (୩୮)ଙ୍କର ବୋଲି ପ୍ରାଥମିକ ଭାବେ ସନ୍ଦେହ କରାଯାଉଛି। ଅନ୍ୟପକ୍ଷରେ ଝିଅକୁ ହତ୍ୟା କରାଯାଇଥିବା ନେଇ ତାଙ୍କ ବାପା ଅଭିଯୋଗ ଆଣିଛନ୍ତି।ସୂଚନା ଅନୁଯାୟୀ, ଘାଟବାଲିଯୋଡ଼ି ଗ୍ରାମର ତ୍ରିଲୋଚନ ମହାନ୍ତଙ୍କ ପତ୍ନୀ କୁନି ଗତ ଜୁନ୍ ୪ ତାରିଖରୁ ନିଖୋଜ ଥିଲେ। ଏନେଇ ପୁଲିସରେ ଅଭିଯୋଗ ହୋଇଥିଲେ ମଧ୍ୟ ଦୀର୍ଘ ସାଢ଼େ ୪ ମାସ ଧରି ତାଙ୍କର କୌଣସି ପତ୍ତା ମିଳିନଥିଲା।ଗତକାଲି ଘାଟବାଲିଯୋଡ଼ି ଗ୍ରାମ ନିକଟସ୍ଥ ଅଟେଇ ଜଙ୍ଗଲରେ କଙ୍କାଳ ପଡ଼ିଥିବା ନେଇ ଗ୍ରାମରକ୍ଷୀଙ୍କଠାରୁ ସୂଚନା ପାଇ ଘଟଗାଁ ଏସ୍ଡିପିଓ ପ୍ରଭାତ ଚନ୍ଦ୍ର ତ୍ରିପାଠୀ, ଥାନାଧିକାରୀ ସୁଭ୍ରାନ୍ତ କୁମାର ଜେନା, ଏସ୍ଆଇ ଗାଙ୍ଗିଆ ଲାକ୍ରା ଓ ଏଏସ୍ଆଇ ପଞ୍ଚମୀ ମହାନ୍ତ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ସେଠାରୁ କଙ୍କାଳର କିଛି ହାଡ଼, ଖପୁରୀ, ଚୁଡ଼ି, ମାଳି ଓ ଶାଢ଼ୀ ଜବତ କରାଯାଇଥିଲା।ଏହି ଘଟଣାରେ ପୁଲିସ କୁନିଙ୍କ ସ୍ୱାମୀ ତ୍ରିଲୋଚନ ମହାନ୍ତ (୪୨)ଙ୍କୁ ଥାନାକୁ ଆଣି ପଚରାଉଚରା କରୁଥିବା ସୂଚନା ମିଳିଛି। ଆଜି ଅପରାହ୍ନରେ ବର୍ଷା ସତ୍ତ୍ୱେ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି।ଅନ୍ୟପକ୍ଷରେ ଭୀମାପଡ଼ା ଗ୍ରାମର କୁନିଙ୍କ ବାପା ଚନ୍ଦ୍ରମଣି ମହାନ୍ତ ଝିଅକୁ ହତ୍ୟା କରି ଘଟଣାକୁ ଆତ୍ମହତ୍ୟାର ରୂପ ଦିଆଯାଇଥିବା ଅଭିଯୋଗ କରି ଆଜି ସକାଳେ ଘଟଗାଁ ଥାନାରେ ଏତଲା ଦେଇଛନ୍ତି। ଏହାକୁ ଆଧାର କରି ପୁଲିସ ୫୪୦/୨୦୨୬ ନମ୍ବରରେ ଏକ ମାମଲା ରୁଜୁ କରିଛି।ସୂଚନା ଅନୁଯାୟୀ, କୁନିଙ୍କର ଦୁଇ ଝିଅ ଓ ଗୋଟିଏ ପୁଅ ଅଛନ୍ତି। ସ୍ୱାମୀଙ୍କ ନିର୍ଯାତନା ଯୋଗୁଁ ସେ ଅଧିକାଂଶ ସମୟରେ ନିଜ ବାପଘର ଭୀମାପଡ଼ା ଗ୍ରାମରେ ରହୁଥିବା କୁହାଯାଉଛି। ପିଲାମାନଙ୍କ ପାଇଁ ସେ ପୁଣି ଘାଟବାଲିଯୋଡ଼ି ଗ୍ରାମକୁ ଫେରିଥିବା ବେଳେ ଘରେ ଗାଳିଗୁଲଜ ହେବା ପରେ ସେ ଜଙ୍ଗଲକୁ ଯାଇଥିବା ନେଇ ଅଞ୍ଚଳରେ ଚର୍ଚ୍ଚା ହେଉଛି।ତେବେ ମହିଳାଙ୍କ ମୃତ୍ୟୁର ପ୍ରକୃତ କାରଣ କ’ଣ, ତାହା ତଦନ୍ତ ପରେ ସ୍ପଷ୍ଟ ହେବ। ଏସ୍ଆଇ ଗାଙ୍ଗିଆ ଲାକ୍ରା ଘଟଣାର ତଦନ୍ତ ଭାର ନେଇଛନ୍ତି। ପୁଲିସର ତଦନ୍ତ ଓ ବୈଜ୍ଞାନିକ ପରୀକ୍ଷା ରିପୋର୍ଟ ପରେ ଘଟଣାର ସତ୍ୟାସତ୍ୟ ଜଣାପଡ଼ିବ।
ସାଢ଼େ ୪ ମାସ ପରେ ନିଖୋଜ ମହିଳାଙ୍କ କଙ୍କାଳ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ବାପା
News Summary
କେନ୍ଦୁଝର ଜିଲ୍ଲା ଘଟଗାଁ ଅଟେଇ ଜଙ୍ଗଲରୁ ନିଖୋଜ କୁନି ମହାନ୍ତଙ୍କ କଙ୍କାଳ ସନ୍ଦେହରେ ହାଡ଼ ଓ ଅନ୍ୟ ସାମଗ୍ରୀ ଉଦ୍ଧାର। ହତ୍ୟା ଅଭିଯୋଗ ପରେ ପୁଲିସର ତଦନ୍ତ ଜାରି।
Published By:
Nazar Odisha Team |
ନଜର ଓଡ଼ିଶା | Nazar Odisha
Tags:ଅପରାଧ
ସୁନ୍ଦର ଓଡ଼ିଶା • ସମୃଦ୍ଧ ଓଡ଼ିଶା
Subscribe to:
Post Comments (Atom)
Latest News
ନଜର ଓଡ଼ିଶା (Nazar Odisha) ହେଉଛି ଓଡ଼ିଶାର ତାଜା ଖବର, ଜିଲ୍ଲା ଖବର, ରାଜ୍ୟ ଖବର, ଦେଶ-ବିଦେଶ, ରାଜନୀତି, ଶିକ୍ଷା, ନିଯୁକ୍ତି, କ୍ରୀଡ଼ା ଓ ସାମାଜିକ ଖବରର ନ୍ୟୁଜ୍ ପୋର୍ଟାଲ୍।