ଜଟଣୀ ଗଣେଶ ଭସାଣି ଅଘଟଣ: ସ୍ଲାବ୍ ଭୁଶୁଡ଼ି ଯୁବକଙ୍କ ମୃତ୍ୟୁ, ଦୁଇ DJ ମାଲିକ ଗିରଫ
News Summary
ଜଟଣୀ ଗଣେଶ ଭସାଣି ଅଘଟଣରେ ସ୍ଲାବ୍ ଭୁଶୁଡ଼ି ଯୁବକଙ୍କ ମୃତ୍ୟୁ ଘଟଣାରେ ଦୁଇ DJ ମାଲିକ ଗିରଫ। CCTV ଫୁଟେଜ୍ ଆଧାରରେ ପୋଲିସର ତଦନ୍ତ ଜାରି।
Published By:
Nazar Odisha Team |
ନଜର ଓଡ଼ିଶା | Nazar Odisha
ଖୋର୍ଦ୍ଧା/ଜଟଣୀ: ଜଟଣୀରେ ଗଣେଶ ଭସାଣି ଶୋଭାଯାତ୍ରା ବେଳେ ସ୍ଲାବ୍ ଭୁଶୁଡ଼ି ଯୁବକଙ୍କ ମୃତ୍ୟୁ ଘଟଣାରେ ଦୁଇ ଜଣ DJ ମାଲିକଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ। ଗତ ଶନିବାର ରାତିରେ ଜଟଣୀ ମୁଖ୍ୟ ରାସ୍ତାରେ ଗଣେଶ ଭସାଣି ଶୋଭାଯାତ୍ରା ଚାଲିଥିବା ସମୟରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ କୋଠାର ସମ୍ମୁଖ ଭାଗର ଏକ ସ୍ଲାବ୍ ଭୁଶୁଡ଼ି ପଡ଼ିଥିଲା।ଏହି ଅଘଟଣରେ ଜଣେ ଯୁବକଙ୍କ ମୃତ୍ୟୁ ହେବା ସହ ୭ ଜଣ ଆହତ ହୋଇଥିଲେ। ଗୁରୁତର ଆହତ ୨୪ ବର୍ଷୀୟ ବିଶ୍ୱଜିତ୍ ବାରିକଙ୍କୁ ପ୍ରଥମେ ଜଟଣୀ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ପରେ ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା। ଏମ୍ସରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ପୋଲିସ ତଦନ୍ତ ଅନୁସାରେ, ଭସାଣି ଶୋଭାଯାତ୍ରାରେ ଦୁଇଟି DJ ଗାଡ଼ି ଅତ୍ୟଧିକ ଶବ୍ଦରେ ସଙ୍ଗୀତ ବଜାଉଥିଲା। ଶବ୍ଦ ଓ କମ୍ପନ ଯୋଗୁଁ ବ୍ୟାଙ୍କ କୋଠାର ସମ୍ମୁଖ ଭାଗର ଏକ ଅଂଶ ଖସିପଡ଼ିଥିବା ପୋଲିସ ତଦନ୍ତରୁ ଜଣାପଡ଼ିଛି।ଘଟଣା ପରେ ମୃତକଙ୍କ ବାପା ସୁଶାନ୍ତ ବାରିକଙ୍କ ଏତଲା ଆଧାରରେ ଜଟଣୀ ଥାନାରେ ମାମଲା ରୁଜୁ ହୋଇଥିଲା। ପୋଲିସ ପୂର୍ବରୁ DJ ଏବଂ ବ୍ୟାଣ୍ଡ ପାର୍ଟିକୁ ବାରଣ କରିଥିଲେ ମଧ୍ୟ ବିନା ଅନୁମତିରେ ଅତ୍ୟଧିକ ଶବ୍ଦରେ DJ ବଜାଯାଇଥିବା ତଦନ୍ତରେ ସାମ୍ନାକୁ ଆସିଥିବା ପୋଲିସ କହିଛି।ମୁଖ୍ୟ ରାସ୍ତାର CCTV ଫୁଟେଜ୍ ଯାଞ୍ଚ କରି ପୋଲିସ ଢେଙ୍କାନାଳ ଓ ବାଲେଶ୍ୱରରୁ ଆସିଥିବା ଦୁଇଟି DJ ଗାଡ଼ିକୁ ଚିହ୍ନଟ କରିଥିଲା। ଏହାପରେ ଦୁଇ DJ ମାଲିକ ଅରୁଣ କୁମାର ପ୍ରଧାନ ଓରଫ ପିଣ୍ଟୁ ଏବଂ ବାଲେଶ୍ୱର ସିମୁଳିଆର ପ୍ରିୟବ୍ରତ ଦାଶଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି।ମାମଲାରେ ଜଟଣୀ ପୋଲିସର ତଦନ୍ତ ଜାରି ରହିଛି। ଭସାଣି ଶୋଭାଯାତ୍ରାରେ ଅନ୍ୟ ପୂଜା କମିଟିମାନେ ବାହାର ଜିଲ୍ଲାରୁ ବହୁ ସଂଖ୍ୟକ DJ ଆଣିଥିବା ନେଇ ମଧ୍ୟ ତଦନ୍ତ ଚାଲିଛି। ତଦନ୍ତରେ ସମ୍ପୃକ୍ତି ପ୍ରମାଣିତ ହେଲେ ସମ୍ପୃକ୍ତ ପୂଜା କମିଟି ସଦସ୍ୟ ଓ DJ ମାଲିକଙ୍କ ବିରୋଧରେ ମଧ୍ୟ ଆଇନଗତ କାର୍ଯ୍ୟାନୁଷ୍ଠାନ ହେବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି।
ସୁନ୍ଦର ଓଡ଼ିଶା • ସମୃଦ୍ଧ ଓଡ଼ିଶା
Subscribe to:
Post Comments (Atom)
Latest News
ନଜର ଓଡ଼ିଶା (Nazar Odisha) ହେଉଛି ଓଡ଼ିଶାର ତାଜା ଖବର, ଜିଲ୍ଲା ଖବର, ରାଜ୍ୟ ଖବର, ଦେଶ-ବିଦେଶ, ରାଜନୀତି, ଶିକ୍ଷା, ନିଯୁକ୍ତି, କ୍ରୀଡ଼ା ଓ ସାମାଜିକ ଖବରର ନ୍ୟୁଜ୍ ପୋର୍ଟାଲ୍।