କେନ୍ଦୁଝର/ପାଟଣା, ୨/୧୧: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ତୁରୁମୁଙ୍ଗାଠାରେ ଦୀର୍ଘ ଆଠ ଦିନ ଧରି ଚାଲିଥିବା ଗଜଲକ୍ଷ୍ମୀ ପୂଜା ମହୋତ୍ସବ ଗତ ସନ୍ଧ୍ୟାରେ ଭକ୍ତିମୟ ପରିବେଶରେ ଉଦଯାପିତ ହୋଇଛି। ବର୍ଣ୍ଣାଢ୍ୟ ଶୋଭାଯାତ୍ରା ସହ ହଜାର ହଜାର ଶ୍ରଦ୍ଧାଳୁଙ୍କ ଉପସ୍ଥିତିରେ ଧନଦାତ୍ରୀ ମା' ଗଜଲକ୍ଷ୍ମୀଙ୍କ ଭସାଣି ଉତ୍ସବ ଆୟୋଜିତ ହୋଇଥିଲା।୧୯୬୮ ମସିହାରୁ ଆରମ୍ଭ ହୋଇଥିବା ଏହି ପାରମ୍ପରିକ ପୂଜା ଚଳିତ ବର୍ଷ ଆଠ ଦିନ ଧରି ଧୁମ୍ଧାମରେ ପାଳିତ ହୋଇଥିଲା। ଏହି ଅବସରରେ ସତ୍ୟନାରାୟଣ ପାଲା, ନୈବେଦ୍ୟ ଡାନ୍ସ ଗ୍ରୁପ୍ର ନୃତ୍ୟ, ତୁରୁମୁଙ୍ଗାର ନୃତ୍ୟଶିଳ୍ପୀଙ୍କ ଦ୍ୱାରା ଓଡ଼ିଶୀ ନୃତ୍ୟ, କେନ୍ଦୁଝରର ମହାବୀର ଭଜନ ଗ୍ରୁପ୍ର ଭଜନ ପରିବେଷଣ ସହ କୁନି କୁନି ନୃତ୍ୟଶିଳ୍ପୀଙ୍କ ଏକକ ନୃତ୍ୟ ପ୍ରତିଯୋଗିତା ଆୟୋଜିତ ହୋଇଥିଲା।ପ୍ରତ୍ୟେକ ଦିନ ଅପରାହ୍ନରେ ମା' ଓ ଝିଅମାନଙ୍କ ପାଇଁ ଲକ୍ଷ୍ମୀ ପୁରାଣ ସମ୍ପର୍କିତ ପ୍ରଶ୍ନୋତ୍ତର, ଝୋଟିଚିତା, ଶଙ୍ଖ ଫୁଙ୍କା, ଅନ୍ଧପୁଟୁଳି, ସଙ୍ଗୀତ ଚୌକି ଓ ବେଲୁନ ଫୁଙ୍କା ଭଳି ବିଭିନ୍ନ ମନୋରଞ୍ଜନଧର୍ମୀ ପ୍ରତିଯୋଗିତା ହୋଇଥିଲା। ବିଜୟୀ ପ୍ରତିଯୋଗୀମାନଙ୍କୁ ପୂଜା କମିଟି ପକ୍ଷରୁ ପୁରସ୍କୃତ କରାଯାଇଥିଲା।ଚଳିତ ବର୍ଷ ପୂଜା କମିଟି ପକ୍ଷରୁ ପ୍ରଥମ ଥର ପାଇଁ ଏକ ନିଆରା ପଦକ୍ଷେପ ସ୍ୱରୂପ 'ପୂଜ୍ୟ ପୂଜା' କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଗ୍ରାମର ୮୦ ବର୍ଷ ବା ତଦୁର୍ଦ୍ଧ ବୟସର ବୟୋଜ୍ୟେଷ୍ଠ ବ୍ୟକ୍ତିମାନଙ୍କୁ ପୂଜା ମଣ୍ଡପକୁ ନିମନ୍ତ୍ରଣ କରାଯାଇ ଉପଢୌକନ ପ୍ରଦାନ ସହ ସମ୍ବର୍ଦ୍ଧିତ କରାଯାଇଥିଲା। ଏଥିରେ ଶତାୟୁ ପୁରୁଷ ରାମଚନ୍ଦ୍ର ସେଠୀ ଓ ଶତାୟୁ ମହିଳା ମଲ୍ଲୀ ଦେହୁରୀଙ୍କ ସମେତ ୨୮ ଜଣ ପୁରୁଷ ଓ ୨୭ ଜଣ ମହିଳାଙ୍କୁ ସମ୍ମାନିତ କରାଯାଇଥିଲା।ଏହି ସମ୍ବର୍ଦ୍ଧନା ପାଇ ବୟୋଜ୍ୟେଷ୍ଠ ବ୍ୟକ୍ତିମାନେ ଆନନ୍ଦିତ ହେବା ସହ ନିଜ ଜୀବନର ପୁରୁଣା ସ୍ମୃତି ଓ ଅନୁଭୂତି ବଖାଣିଥିଲେ। ଏଥିସହ ପୂଜାକୁ ଆହୁରି ସରସ ସୁନ୍ଦର ଭାବେ ଆଗେଇ ନେବାକୁ କମିଟିର କର୍ମକର୍ତ୍ତାଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ।ଉଦଯାପନୀ ସନ୍ଧ୍ୟାରେ ହଜାର ହଜାର ଭକ୍ତଙ୍କ ଉପସ୍ଥିତିରେ ମା' ଗଜଲକ୍ଷ୍ମୀଙ୍କ ପୂର୍ବବର୍ଷର ପୂଜା ଶାଢ଼ୀ ନିଲାମ କରାଯାଇଥିଲା। ଏଥିରେ ଅନେକ ଶ୍ରଦ୍ଧାଳୁ ଉତ୍ସାହର ସହ ଅଂଶଗ୍ରହଣ କରିଥିବା ବେଳେ ଭକ୍ତ ପୂର୍ଣ୍ଣଚନ୍ଦ୍ର ପୃଷ୍ଟି ୨୫ ହଜାର ୧ ଟଙ୍କାରେ ଉକ୍ତ ଶାଢ଼ୀ ନିଲାମ ନେଇଥିଲେ।ବିଭିନ୍ନ ଭକ୍ତଙ୍କ ଦାନରେ ପ୍ରତ୍ୟେକ ଦିନ ଆନନ୍ଦ ବଜାରରେ ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା ହୋଇଥିଲା। ତୁରୁମୁଙ୍ଗା ଗ୍ରାମବାସୀ, ଅଞ୍ଚଳର ଶ୍ରଦ୍ଧାଳୁ ଓ ପୂଜା କମିଟିର ସମସ୍ତ ସଦସ୍ୟ ଏବଂ କର୍ମକର୍ତ୍ତାଙ୍କ ଆନ୍ତରିକ ସହଯୋଗରେ ଚଳିତ ବର୍ଷର ଗଜଲକ୍ଷ୍ମୀ ପୂଜା ମହୋତ୍ସବ ସଫଳତାର ସହ ସମ୍ପନ୍ନ ହୋଇଛି।
ତୁରୁମୁଙ୍ଗା ଗଜଲକ୍ଷ୍ମୀ ପୂଜା ମହୋତ୍ସବ ଉଦଯାପିତ, ୫୫ ଜଣ ବୟୋଜ୍ୟେଷ୍ଠଙ୍କୁ ସମ୍ବର୍ଦ୍ଧନା
News Summary
ତୁରୁମୁଙ୍ଗାରେ ଆଠ ଦିନ ଧରି ଚାଲିଥିବା ଗଜଲକ୍ଷ୍ମୀ ପୂଜା ମହୋତ୍ସବ ଉଦଯାପିତ। ୫୫ ଜଣ ବୟୋଜ୍ୟେଷ୍ଠଙ୍କୁ ସମ୍ବର୍ଦ୍ଧନା ଓ ୨୫,୦୦୧ ଟଙ୍କାରେ ପୂଜା ଶାଢ଼ୀ ନିଲାମ।
Published By:
Nazar Odisha Team |
ନଜର ଓଡ଼ିଶା | Nazar Odisha
Tags:କେନ୍ଦୁଝରତୁରୁମୁଙ୍ଗା
ସୁନ୍ଦର ଓଡ଼ିଶା • ସମୃଦ୍ଧ ଓଡ଼ିଶା
Subscribe to:
Post Comments (Atom)
Latest News
ନଜର ଓଡ଼ିଶା (Nazar Odisha) ହେଉଛି ଓଡ଼ିଶାର ତାଜା ଖବର, ଜିଲ୍ଲା ଖବର, ରାଜ୍ୟ ଖବର, ଦେଶ-ବିଦେଶ, ରାଜନୀତି, ଶିକ୍ଷା, ନିଯୁକ୍ତି, କ୍ରୀଡ଼ା ଓ ସାମାଜିକ ଖବରର ନ୍ୟୁଜ୍ ପୋର୍ଟାଲ୍।