କେନ୍ଦୁଝରର ଚିନ୍ମୟ କୁମାର ରାଉତ ରାଜ୍ୟର ସର୍ବଶ୍ରେଷ୍ଠ BEO, ପାଇବେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର
ହରିଚନ୍ଦନପୁର, ୨୯/୮: ଦୁର୍ଗମ ଓ ଅପହଞ୍ଚ ଅଞ୍ଚଳରେ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ସହ ବିଦ୍ୟାଳୟ ଶିକ୍ଷାରେ ଗୁଣାତ୍ମକ ପରିବର୍ତ୍ତନ ଆଣିଥିବା ହରିଚନ୍ଦନପୁର ବ୍ଲକର ଯୁବ ଓଡ଼ିଶା ଶିକ୍ଷାସେବା ଅଧିକାରୀ ତଥା ବିଇଓ (BEO) ଚିନ୍ମୟ କୁମାର ରାଉତ ରାଜ୍ୟର ସର୍ବଶ୍ରେଷ୍ଠ ବିଇଓ ଭାବେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି।୨୦୨୪-୨୫ ଶିକ୍ଷାବର୍ଷ ପାଇଁ ରାଜ୍ୟର ସମସ୍ତ ବ୍ଲକର ଶିକ୍ଷା ବ୍ୟବସ୍ଥାକୁ ୧୭ଟି ବିଭିନ୍ନ ମାନଦଣ୍ଡ ଆଧାରରେ ମୂଲ୍ୟାୟନ କରାଯାଇଥିଲା। ସ୍କୁଲ ମନିଟରିଂ, ବିଭିନ୍ନ ରିପୋର୍ଟ ଓ ୟୁସି ଦାଖଲ, ଡ୍ରପ୍ଆଉଟ୍ ହାର ଏବଂ ଏହାର ମନିଟରିଂ ସମେତ ୧୭ଟି ବିଷୟକୁ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ରାଜ୍ୟସ୍ତରୀୟ ଟିମ୍ ମୂଲ୍ୟାୟନ କରିଥିଲେ। ଏହି ମୂଲ୍ୟାୟନ ପରେ ଚିନ୍ମୟ କୁମାର ରାଉତଙ୍କୁ ରାଜ୍ୟର ସର୍ବଶ୍ରେଷ୍ଠ ବିଇଓ ଭାବେ ଚୟନ କରାଯାଇଛି।ଚିନ୍ମୟ ବିଇଓ ଭାବେ ଦାୟିତ୍ୱ ନେବା ପରଠାରୁ ହରିଚନ୍ଦନପୁର ବ୍ଲକର ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣିବାକୁ ଏକ ସ୍ପଷ୍ଟ କାର୍ଯ୍ୟଯୋଜନା ପ୍ରସ୍ତୁତ କରିଥିଲେ। ଏହା ଅନୁଯାୟୀ ସେ ନିୟମିତ ଭାବେ ବିଭିନ୍ନ ବିଦ୍ୟାଳୟ ପରିଦର୍ଶନ କରିବା ସହ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ଶିକ୍ଷଣ ପଦ୍ଧତି ସମ୍ପର୍କରେ ଆବଶ୍ୟକ ପରାମର୍ଶ ଦେଉଥିଲେ।ବ୍ଲକର ଦୁର୍ଗମ ଓ ଅପହଞ୍ଚ ଅଞ୍ଚଳରେ ଥିବା ବିଦ୍ୟାଳୟଗୁଡ଼ିକରେ ପହଞ୍ଚିବା ପାଇଁ ସେ ନଦୀ ଓ ନାଳ ପାର ହୋଇ ଚାଲିଚାଲି ସ୍କୁଲରେ ପହଞ୍ଚୁଥିବା ନଜର ମଧ୍ୟ ରହିଛି। ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ସହ ବସି ଶିକ୍ଷକମାନେ କିପରି ପାଠ ପଢ଼ାଉଛନ୍ତି, ତାହାର ଅନୁଧ୍ୟାନ କରୁଥିଲେ।ବିଶେଷକରି ଆଦିମ ଜନଜାତି ଜୁଆଙ୍ଗ ସମ୍ପ୍ରଦାୟର ଛାତ୍ରଛାତ୍ରୀଙ୍କ ସମେତ ଗରିବ ଓ ଅସହାୟ ପିଲାମାନଙ୍କ ଶିକ୍ଷା ପ୍ରତି ସେ ଗୁରୁତ୍ୱ ଦେଇଥିଲେ। ନିଜସ୍ୱ ଉଦ୍ୟମରେ ଅନେକ ଛାତ୍ରଛାତ୍ରୀଙ୍କୁ ପାଠ୍ୟ ଉପକରଣ ଯୋଗାଇ ଦେଇଥିବା ମଧ୍ୟ ଜଣାପଡ଼ିଛି।ଚିନ୍ମୟଙ୍କ କାର୍ଯ୍ୟକାଳ ମଧ୍ୟରେ ୬୦ରୁ ଊର୍ଦ୍ଧ୍ୱ ଶିକ୍ଷକ ଅବସର ନେଇଥିବା ବେଳେ ୩୫ରୁ ଊର୍ଦ୍ଧ୍ୱ ଶିକ୍ଷକ ଅନ୍ୟ ବ୍ଲକ ଓ ଜିଲ୍ଲାକୁ ବଦଳି ହୋଇଛନ୍ତି। ଶିକ୍ଷକ ଅଭାବ ଭଳି ସମସ୍ୟା ରହିଥିଲେ ମଧ୍ୟ ଛାତ୍ରଛାତ୍ରୀମାନେ ଯେପରି ଗୁଣାତ୍ମକ ଶିକ୍ଷା ପାଇପାରିବେ, ସେଥିପାଇଁ ସେ ନିରନ୍ତର ଉଦ୍ୟମ କରିଆସିଥିବା କୁହାଯାଇଛି।ଚିନ୍ମୟ କୁମାର ରାଉତଙ୍କ ଏକାଗ୍ରତା, ନିଷ୍ଠା ଓ ନିରନ୍ତର ପ୍ରଚେଷ୍ଟା ପାଇଁ ସେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ମନୋନୀତ ହୋଇଥିବାରୁ ହରିଚନ୍ଦନପୁର ବ୍ଲକ ସମେତ କେନ୍ଦୁଝର ଜିଲ୍ଲାର ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛା ଓ ପ୍ରଶଂସା ଜଣାଯାଇଛି।
Tags:ଜିଲ୍ଲାଜିଲ୍ଲା ଖବର
ନଜର ଓଡ଼ିଶା
Nazar Odisha
Subscribe to:
Post Comments (Atom)
