କୁଣ୍ଡଳାରେ ଧୁମ୍ଧାମରେ ପାଳିତ ହେଲା କରମ ପର୍ବ, ପାରମ୍ପରିକ ନାଚଗୀତରେ ମୁଖରିତ ଗାଁ
News Summary
କେନ୍ଦୁଝର ସାହାରପଡ଼ା କୁଣ୍ଡଳାରେ ଧୁମ୍ଧାମରେ କରମ ପର୍ବ ପାଳିତ। ପାରମ୍ପରିକ ନାଚଗୀତ, ଜାୱା ଓ କରମ ପୂଜାରେ ମୁଖରିତ ହେଲା ଗାଁ।
Published By:
Nazar Odisha Team |
ନଜର ଓଡ଼ିଶା | Nazar Odisha
କେନ୍ଦୁଝର/ସାହାରପଡ଼ା:୨୩/୯,ପ୍ରକୃତି ପ୍ରତି କୃତଜ୍ଞତା ଏବଂ ଭାଇ-ଭଉଣୀଙ୍କ ଅତୁଟ ସ୍ନେହର ପ୍ରତୀକ କରମ ପର୍ବ କେନ୍ଦୁଝର ଜିଲ୍ଲା ସାହାରପଡ଼ା ବ୍ଲକ୍ ଅନ୍ତର୍ଗତ କୁଣ୍ଡଳା ଗ୍ରାମରେ ମହାଆଡ଼ମ୍ବରରେ ପାଳିତ ହୋଇଛି। କୁଡୁମି ସମ୍ପ୍ରଦାୟର ପାରମ୍ପରିକ ରୀତିନୀତି, ନୃତ୍ୟ ଓ ଗୀତରେ ପରିବେଶ ସହିତ ଜଡ଼ିତ ଏହି ଲୋକପର୍ବ ପାଳନ କରାଯାଇଥିଲା।କରମ ପର୍ବ କେବଳ ମନୋରଞ୍ଜନର ଉତ୍ସବ ନୁହେଁ, ଏହା କୁଡୁମି ସମ୍ପ୍ରଦାୟର ଜୀବନ ଓ ଜୀବିକା ସହିତ ଜଡ଼ିତ ଏକ ପାରମ୍ପରିକ ପର୍ବ। କୃଷି, ପ୍ରକୃତି ଓ ପରିବେଶ ସହିତ ଏହି ପର୍ବର ଗଭୀର ସମ୍ପର୍କ ରହିଛି।
ଭାଦ୍ରବ ମାସ ଏକାଦଶୀ ତିଥିରେ କୁଣ୍ଡଳା ଗ୍ରାମର କୁଡୁମି ଝିଅ ଓ ବୋହୂମାନେ ଆନନ୍ଦ ଉଲ୍ଲାସର ସହ କରମ ପୂଜା କରିଥିଲେ। ପ୍ରକୃତି ରକ୍ଷକ ଓ ଭାଗ୍ୟଦେବତାର ପ୍ରତୀକ ଭାବେ କରମ ଡାଳକୁ ପୂଜା ଓ ଆରାଧନା କରାଯାଇଥିଲା।ପର୍ବ ପୂର୍ବରୁ ଗ୍ରାମର କୁଆଁରୀ ଝିଅମାନେ ପବିତ୍ର ବୈତରଣୀ ନଦୀରୁ ବାଲି ସଂଗ୍ରହ କରି ଡାଲାରେ ରଖିଥିଲେ। ଏହା ଉପରେ ବିଭିନ୍ନ ଶସ୍ୟର ମଞ୍ଜି ଓ ଶସ୍ୟ ଫୁଲ ସଜାଇ ପ୍ରସ୍ତୁତ କରାଯାଇଥିବା ସାମଗ୍ରୀକୁ ‘ଜାୱା’ କୁହାଯାଏ।କୁଆଁରୀ ଝିଅ ଓ ନବବଧୂମାନେ ବହୁ ସଂଖ୍ୟାରେ ଧିଙ୍ଗୁଅନ୍ ପେଣ୍ଡାଲରେ ଏକତ୍ରିତ ହୋଇ ଜାୱା ସ୍ଥାପନ କରିଥିଲେ। ରାତିସାରା ପାରମ୍ପରିକ ନାଚଗୀତ ମାଧ୍ୟମରେ ପ୍ରକୃତିର ମଙ୍ଗଳ କାମନା କରିବା ସହ କରମ ଗୋସାଇଁଙ୍କ ଆଶୀର୍ବାଦ ପ୍ରାର୍ଥନା କରିଥିଲେ।ପରଦିନ ସକାଳେ ପାରମ୍ପରିକ ରୀତିନୀତି ଅନୁଯାୟୀ କରମ ଗୋସାଇଁଙ୍କୁ ପୂଜା କରାଯାଇ ଆଶୀର୍ବାଦ ଭିକ୍ଷା କରାଯାଇଥିଲା। ପରେ କରମ ଡାଳକୁ ନଦୀରେ ବିସର୍ଜନ କରାଯାଇଥିଲା। କରମ ପର୍ବକୁ ନେଇ କୁଣ୍ଡଳା ଗ୍ରାମରେ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଥିଲା।
ନଜର ଓଡ଼ିଶା
Nazar Odisha
Subscribe to:
Post Comments (Atom)