ପାଟଣା ବିଜେପିରେ ଗୋଷ୍ଠୀ କନ୍ଦଳ: ସାଂସଦ-ବିଧାୟକ ଗୋଷ୍ଠୀ ମୁହାଁମୁହିଁ, ଥାନାରେ ପହଞ୍ଚିଲା ମାମଲା
News Summary
ପାଟଣା ବିଜେପିରେ ଗୋଷ୍ଠୀ କନ୍ଦଳ ତୀବ୍ର। ସାଂସଦ-ବିଧାୟକ ଗୋଷ୍ଠୀ ମଧ୍ୟରେ ଠିକା କାମକୁ ନେଇ ବିବାଦ, ଉଭୟ ପକ୍ଷରୁ ପାଟଣା ଥାନାରେ ମାମଲା ରୁଜୁ।
Published By:
Nazar Odisha Team |
ନଜର ଓଡ଼ିଶା | Nazar Odisha
ଠିକା କାମକୁ ନେଇ ବିବାଦ, ଉଭୟ ପକ୍ଷରୁ ପାଲଟା ଅଭିଯୋଗ; ବିଜେପିର ଆଭ୍ୟନ୍ତରୀଣ କନ୍ଦଳକୁ ନେଇ ଚର୍ଚ୍ଚା
କେନ୍ଦୁଝର/ପାଟଣା, ୧୫/୯: କେନ୍ଦୁଝର ଜିଲ୍ଲା ପାଟଣା ନିର୍ବାଚନମଣ୍ଡଳୀରେ ବିଜେପିର ଗୋଷ୍ଠୀ କନ୍ଦଳ ଏବେ ଖୋଲାଖୋଲି ଭାବେ ସାମ୍ନାକୁ ଆସିଛି। ସାଂସଦ ଓ ବିଧାୟକଙ୍କ ସମର୍ଥକଙ୍କ ମଧ୍ୟରେ ଠିକା କାମକୁ ନେଇ ବିବାଦ ତୀବ୍ର ହୋଇଥିବା ବେଳେ ଘଟଣା ଏବେ ପାଟଣା ଥାନାରେ ପହଞ୍ଚିଛି। ଉଭୟ ପକ୍ଷରୁ ପାଲଟା ଅଭିଯୋଗ ଆଧାରରେ ଦୁଇଟି ମାମଲା ରୁଜୁ ହୋଇଛି।ସୂଚନା ଅନୁଯାୟୀ, ରବିବାର ପାଟଣା ବ୍ଲକ ବଡ଼ପାଟଣା ପଞ୍ଚାୟତ ଅନ୍ତର୍ଗତ ମଙ୍ଗଳପୁର ଗ୍ରାମର କାଳୀଚରଣ ମହାନ୍ତଙ୍କ ଘରେ ବିଜେପି ପକ୍ଷରୁ ଏକ ସଂଗଠନ ବୈଠକ ଚାଲିଥିଲା। ବୈଠକରେ କେନ୍ଦୁଝର ସାଂସଦ ଅନନ୍ତ ନାଏକ, ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ, ସାଂସଦଙ୍କ ପ୍ରତିନିଧି ପ୍ରହଲ୍ଲାଦ ପଲେଇ, ବିଧାୟକଙ୍କ ପ୍ରତିନିଧି କମଳାକାନ୍ତ ଦାଶ, ପାଟଣା ମଣ୍ଡଳ ସଭାପତି ବ୍ରଜବନ୍ଧୁ ସେଠୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରାଧାକାନ୍ତ ମହାନ୍ତଙ୍କ ସମେତ ବହୁ ବିଜେପି କର୍ମୀ ଉପସ୍ଥିତ ଥିଲେ।ବୈଠକ ଶେଷ ହେବା ପରେ ଠିକା କାମକୁ ନେଇ ଦଳର ଦୁଇ ଗୋଷ୍ଠୀ ମଧ୍ୟରେ ଯୁକ୍ତିତର୍କ ହୋଇଥିବା ଜଣାପଡ଼ିଛି। ପରେ ଏହା ଉଗ୍ରରୂପ ନେଇ ପାଟିତୁଣ୍ଡ, ଗଣ୍ଡଗୋଳ ଓ ଠେଲାପେଲା ହୋଇଥିବା ଅଭିଯୋଗ ହୋଇଛି।
ମଣ୍ଡଳ ସଭାପତିଙ୍କ ଅଭିଯୋଗ
ଘଟଣାକୁ ନେଇ ପାଟଣା ମଣ୍ଡଳ ସଭାପତି ବ୍ରଜବନ୍ଧୁ ସେଠୀ, ସୁବ୍ରତ ଦ୍ୱିବେଦୀ ତାଙ୍କୁ ଗାଳିଗୁଲଜ କରିବା ସହ ଜାତିଆଣ ଆକ୍ଷେପ କରିଥିବା ଅଭିଯୋଗ କରିଛନ୍ତି। ଏହି ଅଭିଯୋଗ ଆଧାରରେ ପାଟଣା ଥାନାରେ ୧୩୭/୨୬ ନମ୍ବରରେ ମାମଲା ରୁଜୁ ହୋଇଛି।
ଅନ୍ୟପକ୍ଷରେ ସୁବ୍ରତ ଦ୍ୱିବେଦୀ ମଧ୍ୟ ପାଟଣା ଥାନାରେ ପାଲଟା ଅଭିଯୋଗ କରିଛନ୍ତି। ମଣ୍ଡଳ ସଭାପତି ବ୍ରଜବନ୍ଧୁ ସେଠୀ ଓ ପ୍ରକାଶ ସେଠୀ ତାଙ୍କୁ ଗାଳିଗୁଲଜ କରିଥିବା ସେ ଅଭିଯୋଗରେ ଦର୍ଶାଇଛନ୍ତି। ଏହାକୁ ନେଇ ୧୩୮/୨୬ ନମ୍ବରରେ ଆଉ ଏକ ମାମଲା ରୁଜୁ ହୋଇଛି।
ପାଟଣା ଥାନା ଅଧିକାରୀ କିରଣ ପ୍ରସାଦ ସାହୁଙ୍କ କହିବା ଅନୁଯାୟୀ, ଉଭୟ ପକ୍ଷର ଅଭିଯୋଗର ତଦନ୍ତ ଚାଲିଛି।
ଜାତିଆଣ ଆକ୍ଷେପ ଅଭିଯୋଗକୁ ଖଣ୍ଡନ
ସୁବ୍ରତ ଦ୍ୱିବେଦୀ ତାଙ୍କ ବିରୋଧରେ ଆସିଥିବା ଜାତିଆଣ ଆକ୍ଷେପ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ କୌଣସି ଜାତିଆଣ ଆକ୍ଷେପ କରିନଥିବା କହିବା ସହ ତାଙ୍କ ନାମରେ ମିଥ୍ୟା ଅଭିଯୋଗ ଅଣାଯାଇଥିବା କହିଛନ୍ତି।
ଠିକା କାମକୁ ନେଇ ଆରୋପ-ପ୍ରତ୍ୟାରୋପ
ପାଟଣା ନିର୍ବାଚନମଣ୍ଡଳୀରେ ବିଜେପିର ଦୁଇ ଗୋଷ୍ଠୀ ମଧ୍ୟରେ ଠିକା କାର୍ଯ୍ୟକୁ ନେଇ ପୂର୍ବରୁ ମଧ୍ୟ ଆରୋପ-ପ୍ରତ୍ୟାରୋପ ହୋଇଆସୁଥିବା ଚର୍ଚ୍ଚା ହେଉଛି। ବିଜେପିର ପୁରୁଖା କର୍ମୀଙ୍କୁ ଅଣଦେଖା କରି ଅନ୍ୟ ଦଳର କର୍ମୀଙ୍କୁ କାମ ଦିଆଯାଉଥିବା ମଣ୍ଡଳ ସଭାପତି ବ୍ରଜବନ୍ଧୁ ସେଠୀ ଅଭିଯୋଗ କରିଛନ୍ତି।
ଏଥିସହ ବିଧାୟକ ଓ ସାଂସଦଙ୍କ ପ୍ୟାଡ୍କୁ ଅପବ୍ୟବହାର କରି ଅନ୍ୟ ଦଳର କର୍ମୀଙ୍କୁ ଠିକା କାମ ଦେବାକୁ ନିର୍ଦ୍ଦେଶ ଦିଆଯାଉଥିବା ନେଇ ମଧ୍ୟ ଉଭୟ ପକ୍ଷରୁ ଆରୋପ-ପ୍ରତ୍ୟାରୋପ ହୋଇଛି।ଏନେଇ ବିଧାୟକଙ୍କ ପ୍ରତିନିଧି କମଳାକାନ୍ତ ଦାଶ ଏହା ଦଳୀୟ କଥା ବୋଲି କହିବା ସହ ଏହାକୁ ସାମାନ୍ୟ ଘଟଣା କହି ଏଡ଼ାଇ ଦେଇଛନ୍ତି।
ପାଟଣା ରାଜନୀତିରେ ବିଜେପିର ଦୁଇ ଗୋଷ୍ଠୀ ମଧ୍ୟରେ ଚାଲିଥିବା କନ୍ଦଳ ଏବେ ଚା’ ଖଟିରୁ ଆରମ୍ଭ କରି ରାଜନୈତିକ ମହଲ ପର୍ଯ୍ୟନ୍ତ ଚର୍ଚ୍ଚାର ବିଷୟ ହୋଇଛି। ଆଗକୁ ପଞ୍ଚାୟତ ନିର୍ବାଚନ ଥିବା ବେଳେ ଦଳ ଭିତରେ ଏଭଳି ଗୋଷ୍ଠୀ କନ୍ଦଳ ବଢ଼ିବା ବିଜେପି ପାଇଁ ଚିନ୍ତାର କାରଣ ହୋଇପାରେ ବୋଲି ରାଜନୈତିକ ମହଲରେ ମତ ପ୍ରକାଶ ପାଉଛି।
ପାଟଣା ନିର୍ବାଚନମଣ୍ଡଳୀରେ ବିଜେପିର ଏହି ଆଭ୍ୟନ୍ତରୀଣ ବିବାଦ ଆଗକୁ ଆହୁରି ତୀବ୍ର ହେବ କି ନାହିଁ, ତାହା ଉପରେ ଏବେ ସମସ୍ତଙ୍କ ନଜର। ଦଳୀୟ ଏକତା ବଜାୟ ରଖିବା ପାଇଁ ଶୀର୍ଷ ନେତୃତ୍ୱ ଓ ବରିଷ୍ଠ ନେତାମାନେ ଶୀଘ୍ର ହସ୍ତକ୍ଷେପ କରିବାକୁ କିଛି ବରିଷ୍ଠ ନେତା ମତ ଦେଇଛନ୍ତି।
ସୁନ୍ଦର ଓଡ଼ିଶା • ସମୃଦ୍ଧ ଓଡ଼ିଶା
Subscribe to:
Post Comments (Atom)
Latest News
ନଜର ଓଡ଼ିଶା (Nazar Odisha) ହେଉଛି ଓଡ଼ିଶାର ତାଜା ଖବର, ଜିଲ୍ଲା ଖବର, ରାଜ୍ୟ ଖବର, ଦେଶ-ବିଦେଶ, ରାଜନୀତି, ଶିକ୍ଷା, ନିଯୁକ୍ତି, କ୍ରୀଡ଼ା ଓ ସାମାଜିକ ଖବରର ନ୍ୟୁଜ୍ ପୋର୍ଟାଲ୍।