ଦେଶ କରମ ପରବର ଶୁଭାରମ୍ଭ, ବୈତରଣୀ ତଟରେ ଜାୱା ଉଠା କାର୍ଯ୍ୟକ୍ରମ
News Summary
ପାଟଣା ବୈତରଣୀ ନଦୀ ଧାନବେଣୀ ଘାଟରେ ଦେଶ କରମ ପରବ ପାଇଁ ଜାୱା ଉଠା କାର୍ଯ୍ୟକ୍ରମ। ଚିଙ୍ଗୁଡ଼ିପୋଖରୀରେ ରାଜ୍ୟସ୍ତରୀୟ କରମ ପରବ ପାଳନ ହେବ।
Published By:
Nazar Odisha Team |
ନଜର ଓଡ଼ିଶା | Nazar Odisha
କେନ୍ଦୁଝର/ପାଟଣା,୧୬/୯: କୁଡୁମି ସମ୍ପ୍ରଦାୟର ପାରମ୍ପରିକ ଦେଶ କରମ ପରବ ପାଇଁ ପାଟଣା ବୈତରଣୀ ନଦୀ ଧାନବେଣୀ କରମ ତୀର୍ଥ ଘାଟରେ ବୁଧବାର ଜାୱା ଉଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି ଅବସରରେ ବୈତରଣୀ ତଟ ଉତ୍ସବମୁଖର ହୋଇଉଠିଥିଲା।ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ କୁଡୁମି ସମ୍ପ୍ରଦାୟ ପକ୍ଷରୁ ଦେଶ କରମ ପରବ ଧୁମଧାମରେ ପାଳନ କରାଯାଉଛି। ଚଳିତ ବର୍ଷ ମୟୂରଭଞ୍ଜ ଜିଲ୍ଲା କୁସୁମୀ ବ୍ଲକ ଅନ୍ତର୍ଗତ ଚିଙ୍ଗୁଡ଼ିପୋଖରୀ (ଖେରଣା) ଠାରେ ରାଜ୍ୟସ୍ତରୀୟ ଦେଶ କରମ ପରବ ସେପ୍ଟେମ୍ବର ୧୭ରୁ ୨୨ ତାରିଖ ପର୍ଯ୍ୟନ୍ତ ପାଳିତ ହେବ।ପର୍ବର ପାରମ୍ପରିକ ବିଧି ଅନୁସାରେ ପାଟଣା ବୈତରଣୀ ନଦୀ ଧାନବେଣୀ କରମ ତୀର୍ଥ ଘାଟରୁ କୁଡୁମି ସମ୍ପ୍ରଦାୟର କରମତୀମାନେ ପବିତ୍ର ବାଲି ଉଠାଇଥିଲେ। ଏହାକୁ ଏକ ନୂତନ ଡଲାରେ ରଖି ସେଥିରେ ପାଞ୍ଚ ପ୍ରକାର ଶସ୍ୟ ରଖାଯାଇ ପୂଜାର୍ଚ୍ଚନା କରାଯାଇଥିଲା। ଫୁଲରେ ସୁସଜ୍ଜିତ ଜାୱା ଡଲାରେ ଦୀପ ଓ ଧୂପ ଦେଇ ବନ୍ଦାପନା କରାଯାଇଥିଲା।ପୂଜାର୍ଚ୍ଚନା ପରେ ଜାୱା ଡଲାକୁ ଏକ ସୁସଜ୍ଜିତ ଗାଡ଼ିରେ ରଖି କୁଡୁମି ସମ୍ପ୍ରଦାୟର ପାରମ୍ପରିକ ବାଦ୍ୟ, ନୃତ୍ୟ ଓ ସଙ୍ଗୀତର ତାଳେ ତାଳେ ଶୋଭାଯାତ୍ରା କରାଯାଇ ଚିଙ୍ଗୁଡ଼ିପୋଖରୀକୁ ନିଆଯାଇଥିଲା। ଏହି ଶୋଭାଯାତ୍ରାରେ ହଜାର ହଜାର କୁଡୁମି ସମ୍ପ୍ରଦାୟର ଲୋକ ସାମିଲ ହୋଇଥିଲେ।ଜାୱା ଉଠା କାର୍ଯ୍ୟକ୍ରମରେ କୁଡୁମି ସମ୍ପ୍ରଦାୟର ବରିଷ୍ଠ ନାରୀ ନେତ୍ରୀ ତଥା ପୂର୍ବତନ ରାଜ୍ୟସଭା ସାଂସଦ ମମତା ମହାନ୍ତ ମୁଖ୍ୟ ଅତିଥି ଭାବେ ଯୋଗଦେଇ କୁଡୁମି ସଂସ୍କୃତି ଓ ପରମ୍ପରାକୁ ବଞ୍ଚାଇ ରଖିବା ପାଇଁ ଆହ୍ୱାନ ଦେଇଥିଲେ।ଚିଙ୍ଗୁଡ଼ିପୋଖରୀ ଦେଶ କରମ କମିଟି ସଭାପତି ଜିତେନ୍ଦ୍ର ମହାନ୍ତ ଓ ମହିଳା ସଭାପତି ପଙ୍କଜିନୀ ମହାନ୍ତଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜାୱା ଉଠା କାର୍ଯ୍ୟକ୍ରମ ହୋଇଥିଲା। ଏଥିରେ ଓଡ଼ିଶା କୁଡୁମି ସମାଜ ସଭାପତି କ୍ଷୀରୋଦ ମହାନ୍ତ, ଦେଶ କରମ ସଭାପତି ଡ. ପ୍ରତାପ ଚନ୍ଦ୍ର ମହାନ୍ତ, ବଳରାମ ମହାନ୍ତ, ଭବାନୀ ଶଙ୍କର ମହାନ୍ତ, ଓଡ଼ିଶା କୁଡୁମିସେନା ରାଜ୍ୟ ଉପସଭାପତି ମିତ୍ରଭାନୁ ମହାନ୍ତ, ରାଜ୍ୟ ସମ୍ପାଦକ ବିଶ୍ୱଜିତ ମହାନ୍ତ, ଅଧ୍ୟାପକ ମିଲନ ମହାନ୍ତ, ନବକିଶୋର ମହାନ୍ତ, ମଧୁସ୍ମିତା ମହାନ୍ତ ଓ କିଶୋର ଚନ୍ଦ୍ର ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ।ଚିଙ୍ଗୁଡ଼ିପୋଖରୀରେ ହେବାକୁ ଥିବା ଦେଶ କରମ ପରବ କାର୍ଯ୍ୟକ୍ରମରେ ବିଭିନ୍ନ ବୁଦ୍ଧିଜୀବୀ, ଶିକ୍ଷାବିତ ଓ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷଙ୍କ ଦ୍ୱାରା କଥାବାଚନ ଓ ଆଲୋଚନା କାର୍ଯ୍ୟକ୍ରମ ରହିଛି। ଏଥିସହ ପ୍ରତିଦିନ ସୁନାମଧନ୍ୟ କଳାକାର ଓ ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଝୁମୋର ନୃତ୍ୟ ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ ବୋଲି ଦେଶ କରମ କମିଟି ପକ୍ଷରୁ ସୂଚନା ଦିଆଯାଇଛି।ଆଜିର ଜାୱା ଉଠା କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ କୁଡୁମି ସମ୍ପ୍ରଦାୟର ଲୋକ ଯୋଗଦେଇଥିବା ବେଳେ ଦେଶ କରମ କମିଟିର ସମସ୍ତ ସଦସ୍ୟ ଓ ସଦସ୍ୟା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
ନଜର ଓଡ଼ିଶା
Nazar Odisha
Subscribe to:
Post Comments (Atom)