ସରସ ସୁନ୍ଦର ଘଟଗାଁ ଗଠନ ନେଇ ଆଲୋଚନା ଚକ୍ର
News Summary
ଘଟଗାଁକୁ ସରସ, ସୁନ୍ଦର, ସ୍ୱଚ୍ଛ ଓ ନିଶାମୁକ୍ତ କରିବା ସହ ମା’ ତାରିଣୀ ପୀଠର ବିକାଶ, NAC ମାନ୍ୟତା ଓ ନଡ଼ିଆ କୋରାକୁ GI ଟ୍ୟାଗ୍ ନେଇ ଆଲୋଚନା ଚକ୍ର।
Published By:
Nazar Odisha Team |
ନଜର ଓଡ଼ିଶା | Nazar Odisha
କେନ୍ଦୁଝର/ଘଟଗାଁ, ୪/୧୦: ଘଟଗାଁକୁ ଏକ ସ୍ୱଚ୍ଛ, ସୁନ୍ଦର, ନିଶାମୁକ୍ତ ଓ ଆଧ୍ୟାତ୍ମିକ ପରିବେଶ ସମ୍ପନ୍ନ ସହର ଭାବେ ଗଢ଼ି ତୋଳିବା ନେଇ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଛି। ପବିତ୍ର ଗାନ୍ଧୀ ଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ଘଟଗାଁ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଅଞ୍ଚଳର ସଚେତନ ନାଗରିକଙ୍କ ଆବାହକତ୍ୱରେ ଏହି କାର୍ଯ୍ୟକ୍ରମ ହୋଇଥିଲା।
ଅବସରପ୍ରାପ୍ତ ବିଶିଷ୍ଟ ଶିକ୍ଷାବିତ ବଟକୃଷ୍ଣ ନାଥଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଆଲୋଚନା ଚକ୍ରରେ ଘଟଗାଁ ବ୍ଲକର ଶତାଧିକ ବୁଦ୍ଧିଜୀବୀ ଯୋଗଦେଇ ‘ଘଟଗାଁରେ ସାମାଜିକ ସଂସ୍କାରର ଆବଶ୍ୟକତା’ ଶୀର୍ଷକରେ ମତବିନିମୟ କରିଥିଲେ।
କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଘଟଗାଁ ବିଡିଓ ଖଗେଶ୍ୱର ବରାଳ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଦସ୍ୟ ସୁରେନ୍ଦ୍ର କୁମାର ଜେନା ଓ ଭାଗିରଥି ପୃଷ୍ଟି ଯୋଗ ଦେଇଥିଲେ। ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀ କୁଳମଣି ମଣ୍ଡଳ ସମ୍ମାନିତ ବକ୍ତା ଭାବେ ଯୋଗଦେଇ ଘଟଗାଁର ସାମାଜିକ ବିକାଶ ନେଇ ମତ ରଖିଥିଲେ।ଆଲୋଚନାରେ ପ୍ରସିଦ୍ଧ ମା’ ତାରିଣୀ ପୀଠ, ଘଟଗାଁର ଆଧ୍ୟାତ୍ମିକ ଓ ଧାର୍ମିକ ମହତ୍ତ୍ୱକୁ ଅକ୍ଷୁଣ୍ଣ ରଖି ଏହାର ପାରିପାର୍ଶ୍ୱିକ ପରିବେଶକୁ ଅଧିକ ସରସ ଓ ସୁନ୍ଦର କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।ପୀଠର ସ୍ୱଚ୍ଛତା ରକ୍ଷା, ଶିକ୍ଷାରେ ନୈତିକତା ଓ ବୌଦ୍ଧିକ ବିକାଶ, ତୀର୍ଥଯାତ୍ରୀଙ୍କୁ ଶୋଷଣରୁ ସୁରକ୍ଷା, ସ୍ଥାନୀୟ ସଂସ୍କୃତିର ପ୍ରଚାର-ପ୍ରସାର, ମା’ ତାରିଣୀ ପାଠାଗାର ଓ ଗବେଷଣା କେନ୍ଦ୍ରର ପୁନର୍ଗଠନ ନେଇ ଆଲୋଚନା ହୋଇଥିଲା।ସେହିପରି ଘଟଗାଁର ଟ୍ରାଫିକ ସମସ୍ୟାର ସମାଧାନ, ବାଇପାସ୍ରୁ କଲେଜ ଛକ ପର୍ଯ୍ୟନ୍ତ ବିଦ୍ୟୁତୀକରଣ, ମନ୍ଦିର ସମ୍ମୁଖରେ ପିଢ଼ି ପରେ ପିଢ଼ି ଭିକ୍ଷାବୃତ୍ତି କରୁଥିବା ମହ୍ଲାର ସମ୍ପ୍ରଦାୟର ଲୋକଙ୍କ ଥଇଥାନ ଏବଂ ପବିତ୍ର କ୍ଷେତ୍ରକୁ ନିଶାମୁକ୍ତ କରିବା ନେଇ ମଧ୍ୟ ମତ ପ୍ରକାଶ ପାଇଥିଲା।
ମନ୍ଦିରର ନିର୍ଦ୍ଦିଷ୍ଟ ଦୂରତା ମଧ୍ୟରେ ମାଛ ଓ ମାଂସ ଦୋକାନ ଉଚ୍ଛେଦ, ଘଟଗାଁକୁ ଶୀଘ୍ର ଏନ୍ଏସି (NAC) ମାନ୍ୟତା ପ୍ରଦାନ ଏବଂ ଘଟଗାଁର ପାରମ୍ପରିକ ‘ନଡ଼ିଆ କୋରା’କୁ ଉନ୍ନତମାନର କରି ଜିଆଇ (GI) ଟ୍ୟାଗ୍ ହାସଲ ପାଇଁ ପଦକ୍ଷେପ ନେବା ଉପରେ ମଧ୍ୟ ଅଧିକାଂଶ ବୁଦ୍ଧିଜୀବୀ ଗୁରୁତ୍ୱାରୋପ କରିଥିଲେ।କାର୍ଯ୍ୟକ୍ରମକୁ ଅବସରପ୍ରାପ୍ତ ଶିକ୍ଷାବିତ ପରମେଶ୍ୱର ବେହେରା ସଂଚାଳନ କରିଥିଲେ। ସଦାଶିବ ସାହୁ, ଦୟାନିଧି ମହାନ୍ତ, ରଶ୍ମି ରଞ୍ଜନ ରାଉତ, ଯତୀନ୍ଦ୍ର ବେଜ, ସଂଜୀବ ସାହୁ, ପୂର୍ଣ୍ଣଚନ୍ଦ୍ର ରାଉତ, ସନାତନ ସାହୁଙ୍କ ସମେତ ଅନ୍ୟ ସଦସ୍ୟମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
ସୁନ୍ଦର ଓଡ଼ିଶା • ସମୃଦ୍ଧ ଓଡ଼ିଶା
Subscribe to:
Post Comments (Atom)
Latest News
ନଜର ଓଡ଼ିଶା (Nazar Odisha) ହେଉଛି ଓଡ଼ିଶାର ତାଜା ଖବର, ଜିଲ୍ଲା ଖବର, ରାଜ୍ୟ ଖବର, ଦେଶ-ବିଦେଶ, ରାଜନୀତି, ଶିକ୍ଷା, ନିଯୁକ୍ତି, କ୍ରୀଡ଼ା ଓ ସାମାଜିକ ଖବରର ନ୍ୟୁଜ୍ ପୋର୍ଟାଲ୍।