କେନ୍ଦୁଝରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ରେ ଦମ୍ପତିଙ୍କ ମୃତ
News Summary
କେନ୍ଦୁଝର ବାଲିଆଗୋଡ଼ା ନିକଟ ୨୦ ନମ୍ବର ଜାତୀୟ ରାଜପଥରେ ଅଜଣା ଗାଡ଼ି ଧକ୍କାରେ ବାଇକ୍ରେ ଯାଉଥିବା ସ୍ୱାମୀ-ସ୍ତ୍ରୀଙ୍କ ମୃତ୍ୟୁ। ଅବାଳ ପୁଅ ଅନାଥ।
Published By:
Nazar Odisha Team |
ନଜର ଓଡ଼ିଶା | Nazar Odisha
କେନ୍ଦୁଝର, ୨୩/୯: କେନ୍ଦୁଝର ଟାଉନ୍ ଥାନା ଅନ୍ତର୍ଗତ ୨୦ ନମ୍ବର ଜାତୀୟ ରାଜପଥର ବାଲିଆଗୋଡ଼ା ନିକଟରେ ବୁଧବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ସ୍ୱାମୀ-ସ୍ତ୍ରୀଙ୍କ ମୃତ୍ୟୁ ଘଟିଛି। ଅଜଣା ଗାଡ଼ି ଧକ୍କା ଦେବା ପରେ ଘଟିଥିବା ଏହି ଦୁର୍ଘଟଣାରେ ଦମ୍ପତି ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଛନ୍ତି।ମୃତକ ଦମ୍ପତି ହେଲେ ତେଲକୋଇ ଥାନା ଅନ୍ତର୍ଗତ ଜଗମୋହନପୁର ନିକଟସ୍ଥ ନୂଆଡ଼ିହ ଗ୍ରାମର କାହ୍ନୁ ଚରଣ ମହାନ୍ତ ଓ ତାଙ୍କ ପତ୍ନୀ ରଶ୍ମିରାଣୀ ମହାନ୍ତ। କାହ୍ନୁ ଚରଣ ପେଶାରେ ଜଣେ ଶିକ୍ଷକ ଥିଲେ। ସେ ରାଇସୁଆଁସ୍ଥିତ ସରସ୍ୱତୀ ଶିଶୁ ମନ୍ଦିରରେ ପ୍ରଧାନ ଗୁରୁଜୀ ଭାବେ କାର୍ଯ୍ୟରତ ଥିଲେ। ତାଙ୍କ ପତ୍ନୀ ପରିବା ବ୍ୟବସାୟ କରୁଥିଲେ।ମିଳିଥିବା ସୂଚନା ଅନୁସାରେ, ରଶ୍ମିରାଣୀଙ୍କ ଆଖି ସମସ୍ୟା ଥିବାରୁ ତାଙ୍କୁ ଡାକ୍ତର ଦେଖାଇବା ପାଇଁ ଦମ୍ପତି ବାଇକ୍ରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯାଉଥିଲେ। ବାଲିଆଗୋଡ଼ା ନିକଟରେ ପଛପଟୁ ଆସୁଥିବା ଏକ ଅଜଣା ଗାଡ଼ି ସେମାନଙ୍କ ବାଇକ୍କୁ ଧକ୍କା ଦେଇଥିବା ଜଣାପଡ଼ିଛି।ଧକ୍କାରେ ବାଇକ୍ଟି ରାସ୍ତାକଡ଼କୁ ଛିଟିକି ପଡ଼ିଥିବା ବେଳେ ଦମ୍ପତି ରାସ୍ତା ଉପରେ ପଡ଼ିଯାଇଥିଲେ। ଏହାପରେ ଅଜଣା ଗାଡ଼ିଟି ସେମାନଙ୍କ ଉପରେ ମାଡ଼ିଯାଇଥିବାରୁ ଦୁହିଁଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି।ଦୁର୍ଘଟଣା ସମ୍ପର୍କରେ ଖବର ପାଇ ଟାଉନ୍ ଥାନା ଓ ସଦର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ପୁଲିସ ମୃତଦେହ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବ୍ୟବଚ୍ଛେଦ କରାଇବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଦୁର୍ଘଟଣା ଘଟାଇଥିବା ଅଜଣା ଗାଡ଼ିକୁ ଚିହ୍ନଟ କରିବା ପାଇଁ ପୁଲିସ ତଦନ୍ତ ଜାରି ରଖିଛି।ଏହି ଘଟଣା ପରେ ଦମ୍ପତିଙ୍କ ପୁଅ ବାପା ମାଆ ଙ୍କୁ ହରାଇ ଅନାଥ ହୋଇପଡ଼ିଛନ୍ତି। ଘଟଣାକୁ ନେଇ ପରିବାର ଓ ଗ୍ରାମବାସୀଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି।କାହ୍ନୁ ଚରଣ ମହାନ୍ତଙ୍କ ଅକାଳ ବିୟୋଗରେ ରାଇସୁଆଁ ସରସ୍ୱତୀ ଶିଶୁ ମନ୍ଦିର ପରିବାର ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଛି। ସେ ଜଣେ ମେଳାପୀ, ପରୋପକାରୀ ଓ ଆଦର୍ଶ ଶିକ୍ଷକ ଭାବେ ଛାତ୍ରଛାତ୍ରୀ ଓ ଗ୍ରାମବାସୀଙ୍କ ପ୍ରିୟ ଥିଲେ। ବିଦ୍ୟାଳୟ ପରିଚାଳନା କମିଟି ଓ ଗ୍ରାମବାସୀ ଦମ୍ପତିଙ୍କ ଅମର ଆତ୍ମାର ସଦ୍ଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇଛନ୍ତି।ସୂଚନାଯୋଗ୍ୟ, ୨୦ ନମ୍ବର ଜାତୀୟ ରାଜପଥର ରାଜାଉଆସ ନିକଟରୁ ପଳାଶପଙ୍ଗା ସ୍ପଞ୍ଜ ଛକ ପର୍ଯ୍ୟନ୍ତ ବାରମ୍ବାର ସଡ଼କ ଦୁର୍ଘଟଣା ଘଟୁଥିବାରୁ ଅନେକ ଧନଜୀବନ ହାନି ହେଉଛି। ଏହି ରାସ୍ତାରେ ଦୁର୍ଘଟଣା ରୋକିବା ପାଇଁ ନିୟମିତ ପୁଲିସ ପେଟ୍ରୋଲିଂ, ମଦ୍ୟପ ଚାଳକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଓ ରାସ୍ତାକଡ଼ରେ ବେଆଇନ ପାର୍କିଂ ରୋକିବା ଭଳି ପଦକ୍ଷେପ ନେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।
ନଜର ଓଡ଼ିଶା
Nazar Odisha
Subscribe to:
Post Comments (Atom)