କ୍ରିକେଟ୍ରେ ଚମକିଲେ ଖୁଣ୍ଟାପଡ଼ାର ଯୁବ ପ୍ରତିଭା ଭୁବନାନନ୍ଦ ପାତ୍ର, ହରିଦ୍ୱାର କ୍ରିକେଟ୍ ପାଇଁ ମନୋନୀତ
ପାଟଣା, ୧୨/୯, କ୍ରିକେଟ୍ ମଇଦାନରେ ନିଜର ପ୍ରତିଭା ଓ ଦକ୍ଷତାରେ ଚମକିଛନ୍ତି କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ କେନ୍ଦେଇପଶି ପଞ୍ଚାୟତ ଅନ୍ତର୍ଗତ ଖୁଣ୍ଟାପଡ଼ା ଗ୍ରାମର ଯୁବ କ୍ରିକେଟର ଭୁବନାନନ୍ଦ ପାତ୍ର। ନିରନ୍ତର ଅଭ୍ୟାସ ଓ ଉତ୍ତମ ପ୍ରଦର୍ଶନ ବଳରେ ସେ କ୍ରିକେଟ୍ କ୍ଷେତ୍ରରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ଗଢ଼ିପାରିଛନ୍ତି।ଜିଲ୍ଲାସ୍ତରୀୟ କ୍ରିକେଟ୍ ପ୍ରତିଯୋଗିତାରେ ଉଲ୍ଲେଖନୀୟ ପ୍ରଦର୍ଶନ କରି ପୁରସ୍କୃତ ହୋଇଥିବା ଭୁବନାନନ୍ଦ ଏବେ ଉତ୍ତରାଖଣ୍ଡର ହରିଦ୍ୱାରରେ ଆୟୋଜିତ ହେବାକୁ ଥିବା କ୍ରିକେଟ୍ ଖେଳ ପାଇଁ ମନୋନୀତ ହୋଇଛନ୍ତି। ଆଗାମୀ ୨୯ ତାରିଖରେ ହରିଦ୍ୱାର ଷ୍ଟାଡିୟମରେ ହେବାକୁ ଥିବା ଖେଳରେ ସେ ଅଂଶଗ୍ରହଣ କରିବେ।ଭୁବନାନନ୍ଦ ଜଣେ ବ୍ୟାଟ୍ସମ୍ୟାନ୍ ଭାବେ କ୍ରିକେଟ୍ ଖେଳୁଛନ୍ତି। ଛୋଟବେଳୁ ପାଠପଢ଼ା ସହିତ କ୍ରିକେଟ୍ ପ୍ରତି ତାଙ୍କର ବିଶେଷ ଆଗ୍ରହ ରହିଥିଲା। ନିୟମିତ ଅଭ୍ୟାସ ଓ ନିଷ୍ଠା ତାଙ୍କୁ ଏହି ସଫଳତା ଆଣିଦେଇଛି। ବର୍ତ୍ତମାନ ସେ କେନ୍ଦୁଝରସ୍ଥିତ +୩ ଡିଡି ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରୁଥିବା ବେଳେ ପାଠପଢ଼ା ସହିତ କ୍ରୀଡ଼ାକୁ ମଧ୍ୟ ସମାନ ଗୁରୁତ୍ୱ ଦେଉଛନ୍ତି।୨୦୨୫ ମସିହାରେ କେନ୍ଦୁଝର ଜିଲ୍ଲାସ୍ତରୀୟ କ୍ରିକେଟ୍ ପ୍ରତିଯୋଗିତାରେ ଭୁବନାନନ୍ଦଙ୍କ ପ୍ରଦର୍ଶନ ଉଲ୍ଲେଖନୀୟ ରହିଥିଲା। ଏହାଛଡ଼ା ହରିଦ୍ୱାର ଷ୍ଟାଡିୟମ ଏବଂ ଝାଡ଼ଖଣ୍ଡର ଧର୍ମଶାଳା ଷ୍ଟାଡିୟମରେ ମଧ୍ୟ ସେ ଖେଳି ନିଜର କ୍ରିକେଟ୍ ପ୍ରତିଭାର ପରିଚୟ ଦେଇଛନ୍ତି।ହରିଦ୍ୱାରରେ ହେବାକୁ ଥିବା ଆଗାମୀ ମ୍ୟାଚ୍ ପାଇଁ ଚୟନ ହେବା ଭୁବନାନନ୍ଦଙ୍କ କ୍ରିକେଟ୍ ଜୀବନରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛି। ଭବିଷ୍ୟତରେ ଆହୁରି ଭଲ ପ୍ରଦର୍ଶନ କରି ବଡ଼ ମଞ୍ଚରେ ଖେଳିବା ସହ ରାଜ୍ୟ ଓ ଜାତୀୟସ୍ତରରେ ନିଜର ପ୍ରତିଭା ପ୍ରଦର୍ଶନ କରିବା ତାଙ୍କର ଲକ୍ଷ୍ୟ।ଭୁବନାନନ୍ଦଙ୍କ ଏହି ସଫଳତାରେ ପରିବାରବର୍ଗ, ଗ୍ରାମବାସୀ, ଶୁଭେଚ୍ଛୁ ଓ କ୍ରୀଡ଼ାପ୍ରେମୀମାନେ ଖୁସି ପ୍ରକାଶ କରିବା ସହ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଆଗାମୀ ଦିନରେ ସେ ଖୁଣ୍ଟାପଡ଼ା ଓ କେନ୍ଦୁଝରର ନାମକୁ ରାଜ୍ୟ ତଥା ଜାତୀୟସ୍ତରରେ ଉଜ୍ଜ୍ୱଳ କରିବେ ବୋଲି ଅଞ୍ଚଳବାସୀ ଆଶା ପ୍ରକାଶ କରିଛନ୍ତି।
ନଜର ଓଡ଼ିଶା
Nazar Odisha
Subscribe to:
Post Comments (Atom)